Unknown

 

 

 

 

 

 

 

 

 

 

 

ରାତ୍ରଭରି ଦିନ

ଶ୍ରୀ କାଳୀ ପ୍ରସାଦ ଦାସ

 

‘‘ନଦୀ କେବଳ ଏତିକି ଚାହେଁ ଯେ ସେ ସମୁଦ୍ର ହେବ । ତାହା ତାର ଗର୍ବ ନୁହେଁ–ଏକ ସାଧୁ ଉଦ୍ଦେଶ୍ୟ, ଯେଉଁଥିପାଇଁ କି ସେହି ଅଭିବ୍ୟକ୍ତି ତା’ ବିନୟର ସୂଚନା ଅଟେ । ସେ ସମୁଦ୍ରର ସାଙ୍ଗେ ମିଳି କ୍ରମଶଃ ସମୁଦ୍ର ହୋଇଯାଏ । ଆଉ ତାର ସମୁଦ୍ର ହେବ କଳ୍ପନା ଏବେ ସୁଦ୍ଧା ଶେଷ ହୋଇନାହିଁ ।

 

–ରବୀନ୍ଦ୍ରନାଥ ଠାକୁର

☆☆☆

 

ଉତ୍ସର୍ଗ

 

ତରୁଣ ନାଟକାର ଶ୍ରୀ ରତ୍ନାକର ଚଇନି

ସ୍ନେହାସ୍ପଦେଷୁ ।

 

–ଲେଖକ

 

।। ୧ ।।

 

ପ୍ରଣୟ ଥିଲା ସେ ରାଜ୍ୟର ନାଁ ।

ଶୃଙ୍ଗାର ଥିଲା ସେ ପୁଷ୍କରିଣୀର ନାଁ ।

ଉପଭୋଗ ଥିଲା ସେ ସନ୍ତରଣର ନାଁ ।

ପ୍ରଣୟ ରାଜ୍ୟର ଶୃଙ୍ଗାର ରୂପକ ପୁଷ୍କରିଣୀରେ ଉପଭୋଗର ଯେଉଁ ସନ୍ତରଣ, ତାଠାରୁ ବଳି ସୁଖପ୍ରଦ ସାମଗ୍ରୀ ସାରା ଦୁନିଆରେ ଆଉ କିଛି ନାହିଁ କହିଲେ ଚଳେ । ବୟସର ପକ୍ଷୀ ଦେହରେ ଡେଣା ମେଲିଲେ ମନ ଉଚ୍ଚାଟ ହୋଇ ଉଡ଼େ ।

ସେଇ ପ୍ରଣୟ ରାଜ୍ୟ, ଆଉ ଏଇ ଅମାନିଆ ମନ । ଦୁହିଙ୍କୁ ଏକତ୍ର କରି ବୟସ ପାଗଳ ପରି ହୋଇ ଉଠୁଥିଲା । ଯେଉଁଆଡ଼େ ନିର୍ଜ୍ଜନତା, ଯେଉଁଆଡ଼େ ସ୍ୱାଧୀନତା, ଯେଉଁଆଡ଼େ ବେପରୁଆ ଭାବଭଙ୍ଗୀ, ସେଇ–ଆଡ଼କୁ ଲଗାମଛଡ଼ା ହୋଇ ମନ ଚଞ୍ଚଳ ଧାଇଁ ଯାଉଥିଲା ।

ଅନ୍ୱେଷଣର ଅରଣ୍ୟ ଖେଦୁ ଖେଦୁ କେଉଁଠି ଯଦି କାମନାର ହରିଣୀଟିଏ ମିଳିଯାଆନ୍ତା–

ସେତେବେଳେ ସେଇ ଯେଉଁ ଇଚ୍ଛା, ପୁଣି ଆଗ୍ରହର ସାଗରରେ ସେଇ ଯେଉଁ ଜୁଆର, ତାହା ମାଡ଼ି ଆସେ, ମାତ୍ର ପୂରାଣ ହେବାକୁ ବା ଭାଗ୍ୟର ଆଶୀର୍ବାଦ କାହିଁ ? ଖାଲି ମୁଠା ମୁଠା ସମୟକୁ ହାତରେ ଧରି ଜୀବନର ପଶାପାଲି ଖେଳିଲେ ଯାହା ହୁଏ ସେତିକି ।

ସେମିତି ଦିନ ମୋ ଜୀବନ–ଯୌବନର ସମୁଦ୍ର ଭିତରେ ଭଉଁରୀ ଖାଇଥିଲା ସେଦିନ । ସୌଭାଗ୍ୟର ଉପକୂଳରେ ଠିଆ ହୋଇ ପ୍ରଣୟ ବେଳାଭୂମିର ଦୃଶ୍ୟରେ ଆତ୍ମହରା ହୋଇ ଉଠୁଥିବାବେଳେ ସୁଖଦା ପଛଆଡ଼ୁ ଆସି ହଠାତ୍‌ ମୋ ଆଖି ବନ୍ଦ୍‍ କରି ଦେଇଥିଲା । ଆଉ କହିଥିଲା, ଏକୁଟିଆ ଚତୁର ପ୍ରେମିକ ଭଳି ନିର୍ଜନରେ ବସି ହାତେ ହାତେ, ମନେ ମନେ ସବୁ ଖାଇଯାଅ । ମନେକର ସୁଖଦା ତମେ ।

ନୁହେଁ ?

ଚମକି ପଡ଼ିଥିଲି ମୁଁ ।

ଏଁ ?

ମୁହୂର୍ତ୍ତକ ପାଇଁ ହଲଚଲ ହେବାରେ ହାତ ଛାଡ଼ି ହୋଇ ଯାଇଥିଲା ଆଖି ଫେଇ ମୁଁ ଦେଖି ନେଇଥିଲି । ଅପାଦମସ୍ତକ ତନ୍ନ ତନ୍ନ କରି ଦେଖିବାରେ ମୋତେ ଯେପରି ଜଣା ଯାଇଥିଲା ଅନ୍ୱେଷଣର ଅରଣ୍ୟ ମଧ୍ୟରୁ ବାଟ ଭୁଲି ଚାଲି ଆସିଥିବା ହରିଣୀ ତା’ ରୂପ ବଦଳାଇ ମଣିଷକୁ ଠକିବାରେ କେତେ ଧୂରୀଣା ନୁହେଁ ସତେ !

ପୁଣି ପର ମୁହୂର୍ତ୍ତରେ ସଚେତନ ହୋଇ ଚାହିଁବାରେ ତୁମେ ପ୍ରତିବିମ୍ବିତ ହୋଇ ଉଠିଥିଲ-। ତୁମେ ସୁଖଦା–ତୁମକୁ ବିଲକ୍ଷଣ କରବାରେ ମୋ ନିର୍ଦ୍ଧାରଣ ଶକ୍ତିର କୌଣସି ଭୁଲ ହୋଇନଥିଲା ବୋଧହୁଏ ! କାରଣ ତୁମେ ଯେ ପ୍ରତିଶ୍ରୁତି ଭାଙ୍ଗିବା ବାଳିକା ନୁହଁ ତାହା ମୁଁ ହୃଦୟଙ୍ଗମ କରି ଆସୁଥିଲି ।

 

ପୁଣି ତୁମର କଣ ହୋଇଗଲା ଯେ !

 

ସୁଖଦା ମୁହଁରୁ ଆଉ ମୋଟେ ସଂଳାପର ସ୍ଫୁରଣ ଘଟିଲା ନାହିଁ । ତା’ ଆଖିରୁ ଲୁହ ଧାର ଧାର ଗଡ଼ି ପଡ଼ୁଥିଲା । ପରେ ପରେ ସେ ତା’ ପଣତକାନିକୁ ମଥାରେ ଢାଙ୍କି ଆଣି କହିଲା, ତମେ ପଛଦିନକୁ ଭୁଲି ଯାଅ ସଖା । ଯେଉଁ ମନର ବଂଶୀ ଫୁଙ୍କିଲେ ଦିନେ ମୋ ପରି ରାଧା ଅଥୟ ହୋଇ ତୁମ ତଟ ଯମୁନାରେ ସ୍ନାନ କରିବା ପାଇଁ ତନ୍ମୟା ହୋଇ ଉଠୁଥିଲା, ସେ ରାଧାର ଅପମୃତ୍ୟୁ ଘଟିଛି ।

 

ମୁଁ ଏବେ ବ୍ୟବଧାନର ନାୟିକା । ମୋ ମଥାରେ ଓଢ଼ଣୀ, ମୋ କପାଳରେ ସିନ୍ଦୂରଗାର, ମୋ ହାତରେ ସୁହାଗର ସଙ୍ଖା—ମୁଁ କେବଳ ଆଶୀର୍ବାଦ ଆଶାରେ ତୁମ ନିକଟ ଧାଇଁ ଆସିଛି । ତୁମ ପବିତ୍ର ହୃଦୟକନ୍ଦରରୁ ମନଭରି ମୋତେ ଆଶୀର୍ବାଦ ଢାଳିଦିଅ ସଖା । ଯେପରି ଆମ ଅତୀତ ମୋ ସୁହାଗିନୀ ଜୀବନର ପରିସର ମଧ୍ୟରେ ବି ବଞ୍ଚି ରହିବ ।

 

ସୁଖଦାକୁ ମୁଁ ଆଶୀର୍ବାଦ କରିଥିଲି । ଆଉ କହିଥିଲି ସୁଖଦା, ତମେ ଯେ କୌଣସି ଅବସ୍ଥାରେ ଯେଉଁଠି ଥାଅ ନା କାହିଁକି, ମୋତେ ଅନ୍ତତଃ ମନରେ ଜୀବନଭରି ମନେ ରଖିଥିବ । କାରଣ ମୁଁ ଭାରି ଇମୋସନାଲ୍‌ । ସ୍ମୃତି ବିନା ଅନୁତାପରେ ଅଗ୍ନିରେ ହିଁ ମୋତେ ଦଗ୍‌ଧବିଦ୍‌ଧ ହୋଇ ପୋଡ଼ି ମରିବାକୁ ହେବ ।

 

ମୋ ଶେଷ ଆଶିଷ ସୁଖଦାର ନରମ ମନକୁ ଏଭଳି ସ୍ପର୍ଶ କରିଥିଲା ଯେ ସେ କୋହ ସମ୍ଭାଳି ନପାରି କଇଁ କଇଁ କରି କାନ୍ଦି ପକେଇଥିଲା । ଆଉ କହିଥିଲା, ମୋ ଶିରାପ୍ରଶିରାରେ ଯେଉଁ ଦାଗ ରହିଗଲା ସେତିକିରେ ହଁ ତମେ ସ୍ମୃତି ହୋଇଗଲ । ସେଇ ହିଁ ମୋ ଜୀବନଭରି ଶ୍ରେଷ୍ଠ ସମ୍ପଦ-। ଜୀବନର କୌଣସି ଋତୁ ପରିବର୍ତ୍ତନରେ ତାହା ବଦଳି ପାରିବ ନାହିଁ ।

 

ତାପରେ ସେ ଫେରି ଯାଇଥିଲା ।

 

।। ୨ ।।

 

ସେଇ ସୁଖଦା ଥିଲା ମୋ କଲେଜଜୀବନର ତରଙ୍ଗାୟିତ ଯୌବନର ସ୍ପନ୍ଦନ । ମୋ ମୃଗତୃଷ୍ଣାର ସ୍ଖଳନ, ଆଉ ମୋ ଚେରାପୁଞ୍ଜିର ବର୍ଷା । ହୁଏତ ବୁଝେଇବାକୁ ଭୁଲ ହୋଇପାରେ ଯେ, ସୁଖଦା ମୋର କିଭଳି ପ୍ରେମିକା ଥିଲା ବୋଲି । ସେ ଯଦି ମୋତେ ଅହରହ ସ୍ୱପ୍ନରେ ସାକ୍ଷାତ କରିଥାନ୍ତା, ସେ ହୋଇଥାନ୍ତା ସ୍ୱପ୍ନସଙ୍ଗିନୀ । ସେ ମୋତେ ନିର୍ଜନ ପ୍ରହରରେ ବିଭ୍ରାନ୍ତ କରିଥିଲେ, ସେ ହୋଇଥାନ୍ତା ଶ୍ୱେତକାମିନୀ । ହେଲେ ସେ ଯେ ଏଇ ଦୁଇ ଦିଗ ମଧ୍ୟରୁ କେଉଁ ଗୋଟିକର ଅନ୍ତର୍ଗତ ନଥିଲା ତାହା ମୁଁ ଅଙ୍ଗେ ଅଙ୍ଗେ ସ୍ୱୀକାର କରି ଆସୁଥିଲି ।

 

କିନ୍ତୁ ଆଜି ମୁଁ ସୁଖଦାକୁ ଯଦି ପଚାରେ, ଆମେ ଦୁହେଁ ପ୍ରକୃତ ପ୍ରେମ କରୁଥିଲେ କି ନାହିଁ, ତାହେଲେ ତାର ଉତ୍ତର ସେ ଦେଇପାରିବ ନାହିଁ । କଲେଜର ସହପାଠୀ ଭାବେ ପରିଚୟ ଓ ପରେ ପ୍ରିୟଭାଜନ ହେବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ମୁଁ ଜୋର ଦେଇ କହିପାରେ ଯେ, ଖିଆଲର ବଶବର୍ତ୍ତୀ ହୋଇ ସୁଖଦା ଲାଗି ଆସିଥିଲା ମୋ ନିକଟକୁ ଯାହାକି ନିଃସନ୍ଦେହ, ପୁଣି ସତ୍ୟ ।

 

ମାତ୍ର ସୁଖଦାର ପ୍ରଣୟୋପଚାର ଅନ୍ୟ କୌଣସି ପ୍ରେମିକା ସହିତ ତୁଳନା କଲେ ସମାନ ନଥିଲା କିମ୍ବା କୌଣସି ଗୁଣରେ ସମାନ ହୋଇ ନପାରେ ।

 

ସେଇ ଛନ୍ଦା କଥା...

 

କୈଳାସର ପ୍ରଣୟିନୀ ଛନ୍ଦା.....

 

ପୁଣି ପ୍ରଫେସର ଆଲେଗ୍‌ସେନ୍‌ଙ୍କର ବି ଛନ୍ଦା....

 

କୈଳାସକୁ ଛାଡ଼ି ଯେଉଁ ତିଳେହେଲେ ସ୍ଥିର ରହିପାରେ ନା, ତାର ପୁଣି ଆଲେଗ୍‌ସେନ୍‌ଙ୍କଠାରେ ବିଚ୍ୟୁତି ଘଟିଲା କାହିଁକି ? ଏହା କଣ ଭାରତୀୟ ପ୍ରେମ ? ଏହା କଣ ପୁରାଣ ଆଦର୍ଶରେ ଉଦ୍‌ବୁଦ୍ଧ ?

 

ମନେ ପଡ଼ିଯାଉଛି ସୁଖଦା....

 

ତୁମେ ମୋତେ କହିଥିଲ ପ୍ରଣୟ ଆଉ ସ୍ଖଳନର ସଂଯୋଗ ଘଟିଲେ ଆଦର୍ଶର ଧ୍ୱଜଭଙ୍ଗ ହୁଏ । ତାହା ପ୍ରକୃତ ପ୍ରେମିକ ପ୍ରେମିକା ହିଁ ଅନୁଭବ କରିଥାନ୍ତି । କିନ୍ତୁ ପ୍ରଫେସର ଆଲେଗ୍‌ସେନ୍‌ ଛନ୍ଦାକୁ ଯେଉଁ ବୟସରେ ପ୍ରେମ କଲେ ତାହା କଣ ପ୍ରେମ କରିବାର ବୟସ ? ପ୍ରଣୟ ପ୍ରକ୍ଷାଳନ କରିବାର ଉପଯୁକ୍ତ ସୀମା ?

 

ତୁମ ଯୁକ୍ତିରେ ମୁଁ ସେଦିନ ସ୍ତମ୍ଭୀଭୂତ ହୋଇ ଯାଇଥିଲି । ପ୍ରେମ ଲାଗି ଏ ଯୁଗରେ ଯେଉଁ ଜୁଆର ଉଠିଛି, ତାର ଭଟ୍ଟା କେଉଁଠାରେ ତାହାହିଁ କେବଳ ଦେଖିବାକୁ ବାକୀ ରହିଲା । ତା ଭିତରେ ଛଳନାର ଢେଉ ଖେଳୁଛି, ବିରହର ଆତ୍ମା ଆର୍ତ୍ତନାଦ କରୁଛି ।

 

ସେଦିନ ପ୍ରଥମ କରି ଦୁନିଆ ପ୍ରତି ମୋର ଆଖି ଫିଟି ଯାଇଥିଲା । କର୍ପୂର ଭେଦିଥିବା ନିରୁଦ୍ଧ ପେଡ଼ି ଖୋଲିଦେଲେ, ତା ମଧ୍ୟରୁ ସିନା ସୁଗନ୍ଧର ବାସ ଚହଟି ଉଠେ, ହେଲେ ଆଲେଗ୍‌ସେନ୍‌ଙ୍କର ପ୍ରକୃତି ଚରିତ୍ର ଖୋଲି ଯିବାରେ ଯେଉଁ ଦୁର୍ଗନ୍ଧ ବାୟୁ ମାଡ଼ି ଆସିଲା, ତାହା ମୋତେ ଏକ ନୂତନ ଆସ୍ୱାଦନର ସାଗରରେ ଭସାଇଦେଲା ।

 

ମୁଁ ଭାବିଥିଲି ପ୍ରେମପାରାବାରରେ ସମସ୍ତେ ସମାନ । ସେଠି ଭେଦାଭେଦ ନାହିଁ, ସାମ୍ୟ ଅସାମ୍ୟ ନାହିଁ । ଯୌବନ ଓ ଉତ୍ତର ଯୌବନରେ ବି ସେଠାରେ ମନର ଉଚ୍ଚାଟ କୂଳ ଲଂଘିଥାଏ ।

 

ଶୁଣି ବସିଥିଲି । ବାରମ୍ବାର ଶୁଣିବାକୁ ମଧ୍ୟ ବାଧ୍ୟ ହୋଇଥିଲି । ହେଲେ ମୋର ବା ଲାଭ କଣ ହେଲା ? ଛନ୍ଦାର ଚରିତ୍ର ସ୍ଖଳନ ପାଇଁ କୈଳାସ ଯଦି କୌଣସି ଦିନ କ୍ଷୋଭ ପ୍ରକାଶ ନକରିଲା, ତାହେଲେ ଆମେ ପର ହୋଇ ବା କଣ କରିବା ? କାରଣ ସ୍ୱାର୍ଥର ଡୋରି ଥିଲା ମି. ଆଲେଗସେନଙ୍କ ହାତରେ । ସେଥିଲାଗି ଆମେ କେହିହେଲେ ଛନ୍ଦାକୁ କୁପଥରୁ ନିବର୍ତ୍ତାଇ ପାରିଲୁ ନାହିଁ ।

 

ପୁଣି ଛନ୍ଦାଠାରେ ଅଫୁରନ୍ତ ତ୍ୟାଗର ନିଦର୍ଶନକୁ ଅନୁଭବ କରି ତମେ ମୋତେ କେତେ ଭାବାନ୍ତରରେ ଡୁବାଇ ରଖିଥିଲ ତାହା ମୁଁ ଏବେ ଜାଣି ପାରିଲି । କୈଳାସକୁ ମଣିଷ ହେବାକୁ ହେଲେ ଛନ୍ଦା ଆଲେଗସେନ୍‌ଙ୍କୁ ଦେହ ମନ ଉତ୍ସର୍ଗ କରିବା ଛଡ଼ା ଅନ୍ୟ ଉପାୟ ନଥିଲା କାର୍ଯ୍ୟତଃ ଛନ୍ଦାହିଁ ତାହା କରିଥିଲା ଓ ଫଳରେ କୈଳାସ ଜଣେ ମଣିଷ ହୋଇ ସମାଜରେ ଉତ୍ତୀର୍ଣ୍ଣ ହେଲା ।

 

ସମୃଦ୍ଧ ପ୍ରେମର ଆକାଶରେ କୌମୁଦୀ ଅଂଧକାରର ଦର୍ପଣକୁ ସ୍ପର୍ଶ କରେନା । ତାହା ମୁଁ ସ୍ୱୀକାର କରୁଛି । କିନ୍ତୁ ଆଲେଗସେନ୍‌ ପଚାଶ ବର୍ଷ ବୟସରେ ଛନ୍ଦା ସହ ଯେଉଁ ପ୍ରେମ କରିଗଲେ ତାହା କଣ ତାଙ୍କୁ ପ୍ରେମିକ ବୋଲି ସମ୍ମାନ ଦେବ ? ପ୍ରେମ ଲାଗି ଏ ଯୁଗରେ କେତେ ଅଭିନୟ ! କେତେ ଛଳନା ! କେତେ ଅପରିଚିତ୍ରର ଦ୍ୱାହି ସତେ !

 

ପ୍ରଥମ କରି ଦୁନିଆ ପ୍ରତି ସେଦିନ ମୋର ନୂଆ ଧାରଣା ଜନ୍ମିଲା । ଆଲେଗସେନ୍‌ଙ୍କର ବିକୃତ ଚରିତ୍ରର ରୂପ ଦେଖି ଆଖି ମୋ ଝଲସି ଯାଇଥିଲା । ଗଲାପଥ ମୋତେ ଲାଗିଥିଲା କଣ୍ଟାଝଣ୍ଟା । ଯେଉଁଆଡ଼କୁ ଚାହିଁ ସେଆଡ଼େ ଖାଲି ଭାରି ଭାରିର ବାୟୁମଣ୍ଡଳ ମଥାରେ ଅଜାଡ଼ି ପଡ଼ିବ, ବୋଲି ଅନୁଭୂତ ହେଉଥିଲା ।

 

କିନ୍ତୁ ଆଜି ମନେ ଲାଗୁଛି କୈଳାସ ସ୍ଥାନରେ ମୁଁ ସେଠି ଥିଲେ, ମୋଟେ ଆଲେଗ୍‌ସେନ୍‌ଙ୍କ ନିଜ ତରଫରୁ ପ୍ରଶୟ ଦେଇ ନ ଥାନ୍ତି । ଜାଣିଶୁଣି ପ୍ରେମର ସମ୍ପଦକୁ ସ୍ୱାର୍ଥର ବିନିମୟରେ କେହି କ’ଣ କେବେ ଏପାଖ ସେପାଖ କରିପାରେ ?

 

ଛନ୍ଦା ଜୀବନର ଭଗ୍ନାଂଶ ଦେଖି କୈଳାସ ସିନା ବଞ୍ଚି ପାରିଲା, ହେଲେ ମୁଁ ବଞ୍ଚି ପାରି ନଥାନ୍ତି । କାରଣ ମୁଁ ଚାହୁଁଥିଲି କଳଙ୍କବିହୀନ ପ୍ରେମ ଯାହାକୁ ତୁମ ମୋ ପରିସର ଭିତରେ ଅନ୍ତର୍ଭୁକ୍ତ ହୋଇଥିଲା ।

 

ତୁମକୁ ମୋରି ଆକର୍ଷଣ ଟାଣି ଆଣିଥିଲା । ମୋ ନିର୍ଜନ ଅବୟବ–ଗୁଡ଼ିକ ତୁମ ତନ୍ତ୍ରୀରେ ଭରି ଦେଇଥିଲା ପୁଲକ । ତୁମେ ଶିହରି ଉଠିଥିଲ । ମୋ ପିପାସିତ କଣ୍ଠରେ ମଧୁ ମଦିରା ଧରାଇ ଦେଇ ମୋତେ ଦୁର୍ବଳ କରି ଚାଲିଗଲ ।

 

ସମୟର ଚାପରେ ଦୁହେଁ ଦୁଇ ଦିଗକୁ ଅଲଗା ହୋଇଗଲେ ।

 

।। ୩ ।।

 

ସମସ୍ତେ କୁହନ୍ତି ପୁରୁଷ ଜାତି ଲମ୍ପଟ । ବହୁ ନାରୀକୁ ଉପଭୋଗ କରିବା ସେ ଜାତିର ଲକ୍ଷଣ । କିନ୍ତୁ ମୁଁ ଏ ଯୁକ୍ତିକୁ ମାନିବାକୁ ନାରାଜ । ମୁଁ କୁହେ କେବଳ ଭଲ ପାଇବା ହିଁ ପ୍ରେମିକ ପ୍ରେମିକା ପକ୍ଷେ ଯଥେଷ୍ଟ ନୁହେଁ । ତା’ ମଧ୍ୟରେ ମନର ଉପଯୋଗିତା କରିବା ଉଚିତ । ତା ନ ହେଲେ ପ୍ରେମମୟ ଜୀବନ ରୁଗ୍‌ଣ ହୋଇଯିବ ।

 

ତୁମେ ବିଚ୍ଛିନ୍ନ ହୋଇଗଲା ପରେ ମୁଁ ବିବାହ କଲି । ଶୈବାଳିନୀ ହେଲା ମୋର ସ୍ତ୍ରୀ । ସ୍ୱାମୀ ସ୍ତ୍ରୀ ଭାବେ ଆମେ ଦୁହେ ଦାମ୍ପତ୍ୟ ଜୀବନ ବାହି ଚାଲୁଛୁ ଓ ଚାଲୁଥିବୁ । କିନ୍ତୁ ଏହି ଜୀବନରେ ମୁଁ ଯେ ସୁଖୀ ଅଛି ତାହା ସ୍ୱୀକାର କରାଯାଇ ନପାରେ । ପ୍ରଣୟ ଯୁଦ୍ଧରେ ପରାହତ ସୈନିକ ପ୍ରାଣରେ ଯେଉଁ ଯନ୍ତ୍ରଣା, ମନରେ ଯେଉଁ ଅବଶୋଷ ତାହା ମଲା ପର୍ଯ୍ୟନ୍ତ ଉପଶମ ହୋଇପାରିବ କି ? ତୁମେ ହାଣି ଟିକ୍‌ ଟିକ୍‌ କରି ଯାଇଥିବା ମନକୁ ଯୋଡ଼ାଯୋଡ଼ି କରି ମୁଁ ଯେଉଁଭଳି ଶୋଚନୀୟ ଅବସ୍ଥାରେ ଅଛି, ତାହା ଦେଖିଲେ ତୁମେ ଆଶ୍ଚର୍ଯ୍ୟ ହେବ ସୁଖଦା ! ତମେ ବିସ୍ମୟ ପ୍ରକାଶ କରି କହିବ ବାରୀନ୍ଦ୍ର, ଜୀବନର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ତମେ କେବଳ ବାଧ୍ୟ ହୋଇଛ ସିନା, ମାତ୍ର ସୁଖୀ ହୋଇ ପାରି ନାହଁ ।

 

ଅବଶ୍ୟ ପ୍ରେମିକ ଜୀବନରେ ଅଫୁରନ୍ତ ସୁଖର ବନ୍ୟା ଛୁଟେ । ଦାୟିତ୍ୱ ନାହିଁ, ଛନ୍ଦ ନାହିଁ, ବେଖାପ, ଲଗାମଛଡ଼ା ଭାବେ ଜୀବନ ଧାଉଁଥାଏ ନନ୍ଦନକାନନ ଆଡ଼କୁ । ତାହା ପ୍ରତ୍ୟେକ ପ୍ରେମିକ ଅନୁଭବ କରିଥାନ୍ତି । ଖୁସିହୋଇ ବକ୍ତବ୍ୟ ମଧ୍ୟ କରିଥାନ୍ତି । ମାତ୍ର ଶୈବାଳିନୀର ସ୍ୱାମୀ ହିସାବରେ ମୋ ଆନନ୍ଦର ପକ୍ଷ ଛିଡ଼ି ଯାଇଛି । ମୁଁ ଉଡ଼ିପାରୁ ନାହିଁ । ଅଥର୍ବ, ପଙ୍ଗୁ ଭଳି ଅନ୍ଧକାର ଗର୍ଭରେ ପଡ଼ି ଛଟପଟ ହେବା ହିଁ ଖାଲି ସାର । ମୁଁ ମୂକ ପାଲଟି ଯାଇଛି ସୁଖଦା । ତମେ ଅନୁଭବ କରିପାର, ଅନୁଧ୍ୟାନ କରିପାର । ହେଲେ ଛନ୍ଦାର ତ୍ୟାଗରେ କୈଳାଶ ଜୀବନରେ ଆଜି ଯେଉଁ ସୁଖର ଜୁଆର ଉଠିଛି, ମୋ ଜୀବନରେ ତାହା କାହୁଁ ଆସିବ ?

 

କୈଳାସ ମଧ୍ୟ ମୋ ପରି ସ୍ୱାମୀ ।

 

ତେବେ ଶୈବାଳିନୀର ସ୍ୱାମୀ ହୋଇ ମୁଁ ଯେତିକି ଦୁଃଖୀ ଆଉ ଅସମ୍ପୂର୍ଣ୍ଣ, ଛନ୍ଦାର ସ୍ୱାମୀ ହୋଇ ସେ ଅନ୍ତତଃ ସେତିକି ନୁହେଁ ।

 

କୈଳାଶ ସାଧାରଣ କିରାଣୀ । ଛନ୍ଦାକୁ ଆଧୁନିକତାର ସ୍ରୋତରେ ଭସେଇ ନେବାକୁ ତାର ସମ୍ବଳ ଆଉ ଆୟ ମୋଠାରୁ ଯଥେଷ୍ଟ କମ୍‌ । କିନ୍ତୁ ସେ ସୁଖୀ—ଅଭାବରେ ପଡ଼ି ସୁଦ୍ଧା ଛନ୍ଦା ଆଜି ହସୁଛି । ଶିକ୍ଷୟିତ୍ରୀ ଚାକିରି ଛାଡ଼ି କୈଳାଶର କେଇ ଟଙ୍କାର ଆୟ ମଧ୍ୟରେ ସେ ଖୁବ୍‌ ଖୁସିରେ ତା’ ସଂସାରକୁ ଚଳାଇ ନେଇ ପାରୁଛି ।

 

କିନ୍ତୁ ମୁଁ ?

 

ଶୈବାଳିନୀର ସ୍ୱାମୀ ହୋଇ ତା’ ପତ୍ନୀତ୍ୱର ବନ୍ଧନୀ ମଧ୍ୟରେ ମୋ ପୌରୁଷ ଆଜି ଆର୍ତ୍ତ ଚିତ୍କାର କରୁଛି କାହିଁକି ?

 

ଏତେ ଏତେ ଟଙ୍କା ରୋଜଗାର କରି, ଏତେ ମାନ ସମ୍ମାନ ପ୍ରତିପତ୍ତି ମୋର ଥାଇ ମୁଁ ଶୈବାଳିନୀ ନିକଟରେ ଅସମ୍ପୂର୍ଣ୍ଣ ସ୍ୱାମୀ ବୋଲି ଅନୁଭବ କରୁଛି କେଉଁଥିପାଇଁ ?

 

କେବଳ ସେଇ ଗୋଟିଏ ଜିନିଷ ଲାଗି ।

 

ସେଇ ଗୋଟିଏ ବଡ଼ ଜିନିଷ....

 

ମନ ।

 

ଯେଉଁ ମନକୁ ତୁମେ ହାଣି ଦେଇ ଯାଇଛ, ସେ ମନକୁ ଏବେ ବି ଯୋଡ଼ିଲେ ପୁଣି ଛିଣ୍ଡିଯାଉଛି । ଭୁଲିଯାଇ ପାରିଲେ ହୁଅନ୍ତା ।

 

କେମିତି ଭୁଲି ହେବ ?

 

ଛିଣ୍ଡା ଛିଣ୍ଡା ମନକୁ ଯୋଡ଼ି ବସିଲାବେଳେ ପରା ସବୁ ମନେ ପଡ଼ି ଯାଉଛି ।

 

ସେମିତି ଝାପ୍‌ସା ସ୍ମୃତି ଆସି ଚାଲିଗଲେ ହୁଅନ୍ତା । କିନ୍ତୁ ମୁହୂର୍ତ୍ତ ପରେ ମୁହୂର୍ତ୍ତ ଆସି ଯେତେବେଳେ ଢେଉ ଭଳି ତାହା ମନରେ ପିଟି ହୋଇଯାଉଛି, ସେତେବେଳେ ମୁଁ ବିଦ୍ରୋହୀ ହୋଇ ଉଠୁଛି, ସୁଖଦା । ବେଳେବେଳେ ଇଚ୍ଛା ହେଉଛି ତୁମ ନିକଟ ଧାଇଁ ଯାଇ ତୁମକୁ ଏ ସଂସାରରୁ ନିଃଶେଷ କରି ଦେବାକୁ ।

 

ତା’ ହେଲେ ସ୍ମୃତି ମରିଯାଆନ୍ତା । ଶୈବାଳିନୀ ନିକଟରେ ମୋ ଆହତ ପୌରୁଷ ଶାନ୍ତିରେ ନିଃଶ୍ୱାସ ମାରନ୍ତା !

 

କିନ୍ତୁ ତୁମକୁ ମାରି ମୁଁ ଖୁନୀ ହେଲେ ଏ ଦୁନିଆରେ ବଞ୍ଚିପାରିବି ତ ?

 

ସକ୍ରିୟ ଆଇନ୍‌ ଶୈବାଳିନୀ ପାଖରେ ମୋତେ ସ୍ୱାମୀ ବୋଲି କ୍ଷମା ଦେଇ ପାରିବ କି-?

 

ସେଥିପାଇଁ ମୁଁ ନୀରବ ରହିଯାଉଛି ।

 

ଯେଉଁ ବାରୀନ୍ଦ୍ରକୁ ତୁମେ ଚଞ୍ଚଳ ଆଉ କ୍ଷିପ୍ର ବୋଲି ଆଖ୍ୟା ଦେଇଥିଲ, ସେ କେମିତି ଆଜି ଧୀର ପୁଣି ସ୍ଥିର ହୋଇ ଯାଇଛି ଦେଖିଲେ କାବା ହେବ । ଆଉ କହିବ ଶୈବାଳିନୀ ପତ୍ନୀ ହୋଇ ସ୍ୱାମୀର ମୂଲ୍ୟ ଦେଇ ଜାଣେ ନାହିଁ । ସ୍ୱାମୀ ମନ ବୁଝି ଖୁସି କରିବାକୁ ସେ ସମ୍ପୁର୍ଣ୍ଣ ଅସମର୍ଥା-

 

ତା ଅବଶ୍ୟ ଠିକ୍‌ । ଶୈବାଳିନୀ ପରି ଅତ୍ୟାଧୁନିକା ନାରୀ ସ୍ୱାମୀମନ କେବେହେଲେ ବୁଝିପାରନ୍ତା ନାହିଁ । କାରଣ ତା’ର ପିପାସା ସ୍ୱତନ୍ତ୍ର । ସେବା ଆଉ ଧର୍ମରେ ତା ପିପାସା ନିହିତ ନାହିଁ । ଅର୍ଥ ଆଉ ସମ୍ନାନରେ ତାହା ନିବଦ୍ଧ । ମୋର ପଦ୍ଧତିକୁ ନେଇ ସେ ଖେଳୁଛି । ଉଚ୍ଚ ପଦସ୍ଥ ଅଫିସରର ସ୍ତ୍ରୀ ବୋଲି ଚାରିଆଡ଼େ ଗର୍ବ କରୁଛି ।

 

ସ୍ୱାମୀର ପ୍ରେମ ପାଇଁ ବା ସେ କାହିଁକି ପାଗଳିନୀ ହୋଇ ଉଠିବ ? ତା’ ମନରେ ବହୁ ପୁରୁଷର ଆକାଙ୍‌କ୍ଷା ସବୁବେଳେ ଉଦବେଳନ ସୃଷ୍ଟି କରୁଛି । ସେଥିଲାଗି କେତେ ନୂଆ ନୂଆ ପୁରୁଷ ବନ୍ଧୁ ଯେ ମୋ କ୍ୱାଟରକୁ ନିମନ୍ତ୍ରିତ ହୋଇ ଆସୁଛନ୍ତି ତା’ର ତାଲିକା ଦେବାକୁ ମୋତେ ଲଜ୍ଜା ଲାଗୁଛି ।

ମୋତେ ଶୈବାଳିନୀର ଏଇ ଘର ସଂସାର ମାୟାପୁରୀର ଏକ ଛନ୍ଦ ବୋଲି ଅନୁଭୂତ ହେଉଛି । ମୁଁ ନିଜେ ସେଥିରେ ହସ୍ତକ୍ଷେପ କରିବାକୁ ବସିଲାବେଳେ କିଏ ଯେମିତି ପଛରୁ ମୋତେ ଟାଣି ଧରୁଛି ।

ଆଉ ମୋ ହାତକୁ ଜୋରରେ ଚାପି ଧରି କହୁଛି, ତୁମେ ଏମିତି ଅନାଡ଼ୀ ହୋଇ ପଡ଼ି ରହିଲ ବାରୀନ୍ଦ୍ର । ସାମାନ୍ୟ ସ୍ତ୍ରୀ ଉପରେ ତୁମର କର୍ତ୍ତୃତ୍ୱ ନାହିଁ ? ସେ ହାତ ଯେମିତି ତୁମରି । ତୁମରି କୋମଳ ହସ୍ତ ମୋତେ ଅତୀତର ରଜ୍ଜୁରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି, ଫଳରେ ଶୈବାଳିନୀ ସନ୍ଦେହ କରୁଛି ।

ଖାଲି ସନ୍ଦେହ କରୁନାହିଁ, ସନ୍ଦେହରେ ହସି ହସି ପାଗଳୀଙ୍କ ପରି କହୁଛି, ତୁମ ବନ୍ଧୁପତ୍ନୀ ଛନ୍ଦା ଅତି ସୁନ୍ଦରୀ, ନୁହେଁ ?

ଛନ୍ଦାକୁ ମୁଁ ଉଦାହରଣ ଦିଏ କେବଳ ତୁମକୁ ଭୁଲିଯାଇ ଶୈବାଳିନୀର ମନ ଠିକ୍‌ କରିବାକୁ । କିନ୍ତୁ ତା କେମିତି ହେବ ? କୈଳାସର ସ୍ତ୍ରୀକୁ ଉପଲକ୍ଷ୍ୟ ଦେଇ ମୁଁ ସିନା ମୋ ମନସ୍ତାତ୍ତ୍ୱିକ ପିପାସାକୁ ପରିତୃପ୍ତି କରିବାକୁ ବସିଛ, ହେଲେ ଶୈବାଳିନୀ ?

ଶୈବାଳିନୀ ମୋତେ ଛନ୍ଦା ସମ୍ପର୍କରେ ସନ୍ଦେହ କରେ । ଛନ୍ଦାର ଗୁଣକୁ ବାରମ୍ବାର ତାରି ଆଗରେ ପ୍ରଶଂସା କରିବା ଦ୍ୱାରା ମୋର ପ୍ରେମିକ ମନୋବୃତ୍ତି ତା’ ନିକଟରେ ପ୍ରତିହତ ହୁଏ ।

ମୁଁ ବୁଝିପାରେନା ସୁଖଦା, କେଉଁଠି ମୋର ଭୁଲ ରହିଯାଉଛି । କାହିଁକି ଶୈବାଳିନୀ ମୋତେ ଭଲ ପାଉନାହିଁ ?

 

ଅବଶ୍ୟ ତମ ଭାଉଜଙ୍କ ଉଦାହରଣ ଏ କ୍ଷେତ୍ରରେ ମୋର ବେଳେ ବେଳେ ମନେପଡ଼େ ଆଉ ସାନ୍ତ୍ୱନା ଆଣିଦିଏ । ତେବେ ଜଣକର ଚରିତ୍ରକୁ ମୋ ହୃଦୟରେ ଉପଯୋଗ କରି ବସିଲେ ଚିନ୍ତା କଣ ଦୂର ହୋଇ ପାରିବ ?

 

ତୁମ ଭାଉଜ ଅହଲ୍ୟା ଥିଲେ ବିଶିଷ୍ଟ ରାଜନୀତିଜ୍ଞ ନେତାଙ୍କ ଝିଅ ଓ ତୁମ ଭାଇ ଭାରତ ସରକାରଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ସେ ତୁମ ଭାଇଙ୍କୁ ପ୍ରେମ ବିବାହ କରି ନଥିଲେ କି ତାଙ୍କର ଆଉ କେଉଁ ଯୁବକଙ୍କ ସହିତ ପ୍ରେମ ପରିସ୍ଥିତି ଉପୁଜି ନଥିଲା । ଉଚ୍ଚ ଆଭିଜାତ ବଂଶରୁ ବଢ଼ି ଆସି ସେ ଯେତେବେଳେ ତୁମ ଭାଇଙ୍କ ହାତ ଧରିଲେ ସେତେବେଳେ ସେ ଦେଖିଲେ କ’ଣ ?

 

ତାଙ୍କ ଆଖିରେ କେବଳ ଭାଇଙ୍କର ଶିକ୍ଷା ଓ ଚାକିରି ସମ୍ବନ୍ଧୀୟ କେତେକ ପଦବୀ ବ୍ୟତୀତ ଆଉ କିଛି ବଡ଼ ଦେଖାଯାଇ ନଥିଲା । ଏମିତିକି ସେପରି ଅଫିସର ତାଙ୍କ ବାପାଙ୍କ ପାଦତଳେ କେତେ ଲୋଟୁଛନ୍ତି ବୋଲି ସେ ତୁମ ଭାଇଙ୍କୁ ଆକ୍ଷେପ କରି ଅନେକ ଥର କହିଥିଲେ ।

 

ଅହଲ୍ୟାଙ୍କ ମନୋବୃତ୍ତି ତୁମ ମଧ୍ୟବିତ୍ତ ପରିବାର ଭିତରେ ଧନ ଆଉ ମାନର ନ୍ୟୁନତା ଲାଗି ଖାପ ନ ଖାଇବା ସ୍ୱାଭାବିକ୍‌ ।

 

ତେବେ ଶୈବାଳିନୀ ସାଙ୍ଗରେ ମୁଁ ଅହଲ୍ୟାଙ୍କୁ ତୁଳନା କରି ବସିଲେ କେମିତି ହେବ ? ଶୈବାଳିନୀ ଅତ୍ୟାଧୁନିକ ହେଲେ ଓ ବଡ଼ ଘରର ଝିଅ ନୁହେଁ । ମୋର ବ୍ୟକ୍ତିତ୍ୱକୁ ମୁଁ ଥରେ ଜାହିର୍‌ କରି ବସିଲେ ସେ ଦବିଯାଏ ।

 

କିନ୍ତୁ ଖାପ୍‌ ଛଡ଼ା ରହିଯାଏ ସେତିକି ।

 

ସେଇ ସାମ୍ୟ ମନୋବୃତ୍ତି । ଯେଉଁଥିପାଇଁ ଆମ ଦୁହିଁଙ୍କ ମଧ୍ୟରେ କଳିକଜିଆ, ମାନ ଅଭିମାନ ସବୁ କିଛି ।

 

ବଡ଼ଘର ବୋଲି ସିନା ବାହାରକୁ ଆମ ଅଶାନ୍ତି ପ୍ରକାଶ ପାଏ ନାହିଁ, ହେଲେ ଘରର ଚାରିକାନ୍ଥ ମଧ୍ୟରେ ମୋର ମନ ସିଝି ଯେଉଁଭଳି କଇଁଥା ହୋଇ ଯାଉଛି, ତାକୁ ବୁଝିବ କିଏ ?

 

କେତେ ଆଉ ମୁଁ ସେଥିପାଇଁ ଦଗ୍‌ଧ ହେବି ।

 

ଅଫିସରୁ ଫେରି ଅବସର ସମୟରେ କବିତା ଗଳ୍ପ ଲେଖି ବସିଲେ, ସେଥିରେ ଯେଉଁ ନାୟିକାର ଚରିତ୍ର ଚିତ୍ରଣ କଲି ତାକୁ ମଧ୍ୟ ଆକ୍ଷେପ କରି ଶୈବାଳିନୀ ମୋ ଚରିତ୍ର ଉପରେ ସନ୍ଦେହ ଆରୋପ କଲା ।

 

ଛନ୍ଦାକୁ ବାସ୍ତବ ଆଉ ସେଇ ଚରିତ୍ରମାନଙ୍କୁ କଳ୍ପଲୋକରେ ମୁଁ ପଛେ ବିକୃତ ପ୍ରେମର ଚିତ୍ରଣ ନ କରୁଥାଏ, ଅଥଚ ଶୈବାଳିନୀ ଜୋର୍‌ ଦେଇ ମୋତେ କହିବ, ଛନ୍ଦାର ସୌନ୍ଦର୍ଯ୍ୟ କେଡ଼େ ଲୋଭନୀୟ ନୁହେଁ ସତେ !

 

ସଙ୍ଗୀତା, ମାଧୁରୀ ତ ମେନକାଠାରୁ ନିଶ୍ଚୟ ସୁନ୍ଦରୀ ହୋଇଥିବେ । ସଙ୍ଗୀତା, ମାଧୁରୀ ଉପନ୍ୟାସ, ଗଳ୍ପର ନାୟିକାମାନେ କଣ ରକ୍ତ ମାଂସର ଶରୀର ?

 

ଶୈବାଳିନୀର ଯୁକ୍ତି, ସନ୍ଦେହକୁ ଉତ୍ତେଜିତ କରିବା ପାଇଁ ମୁଁ ରାଗରେ ହିଁ ଭରେ !

 

ଛନ୍ଦା, ସଙ୍ଗୀତା, ମାଧୁରୀ ସମସ୍ତେ ମୋର ପ୍ରେମିକା ଥିଲେ । ସମସ୍ତଙ୍କ ଲାଗି ମୁଁ ଆଜି ବିରହୀ ।

 

ତୁମେ ଏସବୁ ଶୁଣିଲେ ସହ୍ୟ କରିପାରିବ କି ନା ମୁଁ ଜାଣି ପାରୁନାହିଁ ।

 

ଛନ୍ଦା ପରି ସ୍ତ୍ରୀ ଯେ କି କୈଳାସ ଛଡ଼ା ଦୁନିଆରେ ଅନ୍ୟ କାହାକୁ ଭଲ ପାଏ ନାହିଁ । ତାକୁ ମୋ ସାଙ୍ଗରେ ଅଭିଯୁକ୍ତ କରାହେବା କଥା ସେ ଶୁଣିଲେ ଧୈର୍ଯ୍ୟ ଧରି ରହିପାରିବ ତ ?

 

କୈଳାସ ପରି ବଜାରୀ, ଲଫଙ୍ଗା ଧରଣର ପିଲାଙ୍କୁ ପ୍ରେମ ବଳରେ ଯେଉଁ ଛନ୍ଦା ଦବାଇ ଦେଇ ପାରିଛି, ନୀରବ, ସହିଷ୍ଣୁ ସମଦୁଃଖୀ କରି ଯିଏ ତାକୁ ଗଢ଼ିପାରିଛି, ତା ଆଗରେ ମୋ ପରି ପରପୁରୁଷ ଯେତେ ଉଚ୍ଚ ହେଲେ ଓ ଅତି ତୁଚ୍ଛ, ତାହା ଶୈବାଳିନୀ ଏ ପର୍ଯ୍ୟନ୍ତ ବୁଝି ପାରିଲାନି । କେବଳ ଛନ୍ଦା, କୈଳାସ ମୋର ସହପାଠୀ ଥିଲେ ବୋଲି ଆଳାପ ଆଲୋଚନାରୁ ସେ ମୋତେ ସନ୍ଦେହ କରେ ।

 

ଛନ୍ଦା, କୈଳାସର ଅତୀତ ସମ୍ପର୍କ ମୁଁ ଶୈବାଳିନୀ ଆଗରେ ଦିନେ ହେଲେ କହି ନାହିଁ । ଆଲେଗସେନ୍‌ଙ୍କ ପରି ନଷ୍ଟ ଚରିତ୍ର ଅଧ୍ୟାପକଙ୍କ ଚିତ୍ର ମୁଁ ତା’ ଆଗରେ କେବେହେଲେ ଉପସ୍ଥାପିତ କରି ନାହିଁ । ବୋଧହୁଏ ପ୍ରଥମରୁ ସେ ସବୁର ଆବୃତ୍ତି କରିଥିଲେ ଶୈବାଳିନୀର ପତ୍ନୀ ମନୋବୃତ୍ତିର ଦିଗ ଭିନ୍ନ ହୋଇପାରି ଥାଆନ୍ତା ।

 

କିନ୍ତୁ ମୁଁ କହିନାହିଁ ସେଇ କାରଣ ଲାଗି । ସେ କାରଣ ତୁମେ ବୁଝିପାରିବ ।

 

ତୁମେ ଥିଲ ପ୍ରେମିକା ।

 

ପ୍ରେମିକା ବ୍ୟତୀତ ସେପରି ସମସ୍ୟାକୁ ଆଉ କେହି ହୃଦୟଙ୍ଗମ କରନ୍ତି ନାହିଁ ।

 

ପତ୍ନୀମାନେ ଛନ୍ଦାର ସେଭଳି ତ୍ୟାଗକୁ ଅସ୍ୱୀକାର କରିବେ ଆଉ ଯେଉଁ କେତେକ ସ୍ତ୍ରୀ ତାହା ସତ୍ୟ ବୋଲି କରିବେ ସେମାନେ ଛନ୍ଦାକୁ ନଷ୍ଟଚରିତ୍ରା ବ୍ୟତୀତ ଅନ୍ୟ କିଛି ମନ୍ତବ୍ୟ ଦେବେ ନାହିଁ ।

 

ଶୈବାଳିନୀର ନାରୀ ଚରିତ୍ର ଯେହେତୁ ଛନ୍ଦା ଆଉ ତୁମଠାରୁ ଭିନ୍ନ, ସେ ତାକୁ ନଷ୍ଟ ଚରିତ୍ରା କହି ମୋତେ ସଂପୃକ୍ତ କରିବା ସମୀଚୀନ । ସେଇ ଭୟରେ ମୁଁ ଶୈବାଳିନୀକୁ ଅତୀତ କାହାଣୀ କିଛି କହିଲି ନାହିଁ ।

 

ଅଶାନ୍ତ ସ୍ରୋତରେ ଭଉଁରୀ ଖାଏ ପଛେ କିଛି କହିବି ନାହିଁ ।

 

ତେବେ ମୁଁ ନିରୋଳାରେ ଦିନେ ଦିନେ ଭାବେ କୈଳାସ ସୁଖୀ ହେଲା, ଅମର, ଗୋକୁଳ ପ୍ରଭୃତି ମୋ ସାଙ୍ଗ ପିଲାମାନେ ଘରସଂସାର କରି ସୁଖୀ ହେଲେ, ଅଥଚ ମୁଁ ଆର ଜନ୍ମରେ କି ପାପ କରିଥିଲି ଯେ ଏଇ ଶୈବାଳିନୀକୁ ବିବାହ କରି ଖାଲି ଛଟପଟ ହେଉଛି !

 

ମୋର ଏ ଅପ୍ରୀତିକର ମନ ପାଇଁ କଣ ଶୈବାଳିନୀ ଦାୟୀ ନୁହେଁ ?

 

ଶୈବାଳିନୀ ଦାୟୀ ନୁହେଁ ।

 

ଶୈବାଳିନୀକୁ ବିବାହ ନକରି ମୁଁ ଯେ କୌଣସି ଝିଅକୁ ବିବାହ କରିଥିଲେ ସୁଖୀ ହୋଇ ପାରି ନଥାନ୍ତି ।

 

କେମିତି ?

 

ଜଣକୁ ପ୍ରେମ କରି ଅନ୍ୟଜଣକୁ ବିବାହ କରିବା ଖାଲି ନାଁକୁ ମାତ୍ର ବନ୍ଧନ ହୋଇପାରେ; କିନ୍ତୁ ସୁଖର ଆସର, ଆନନ୍ଦର ଝଙ୍କାର ସେଠି ମିଳିପାରିବ ନାହିଁ ।

 

ତୁମେ ବିଶ୍ୱନାଥ ବାବୁଙ୍କୁ ବିବାହ କରି କେତେ ସୁଖୀ ଅଛ, ମୁଁ ଜାଣି ପାରୁନାହିଁ; କିନ୍ତୁ ଶୈବାଳିନୀକୁ ବିବାହ କରି ମୋ ମନ କଥା ତୁମକୁ ଖୋଲି କହିଦେଲି ।

 

ଥରେ ମୋ ମନକୁ ତୁମେ ଛିନ୍ନଭିନ୍ନ କରିଦେଲ । ବସନ୍ତର ପୁଷ୍ପିତ ସବୁଜିମାକୁ ମୋ ହୃଦୟରେ ଭରିଦେଲ !

 

ତା’ପରେ ସବୁ ପୁରୁଣା ହୋଇଗଲା !

 

ଯୌବନର ରାସ୍ତାରେ କେଇଦିନର ପରଶ ଯେମିତି ପଡ଼ି ରହିଲା ନିହାତି ନିତିଦିନିଆ ହୋଇ ।

 

ବିହାର ବିଳାସରେ ଯେମିତି ନୂତନତ୍ୱ ନାହିଁ ।

 

ସମସ୍ତଙ୍କୁ ଦୁନିଆରେ ସେଇକଥା କରି ଆସେ ଆଉ ଆସିବ । କୈଳାସ ଛନ୍ଦାକୁ ନିର୍ଜ୍ଜନ ପ୍ରହରରେ ଯେତିକି ଉପଭୋଗ କରିଥିଲା, ମୁଁ ଅବଶ୍ୟ ତୁମକୁ ସେତିକି କରି ପାରିନାହିଁ, ତେବେ କୈଳାସର ଉପଭୋଗର ଧାରା ମୋଠାରୁ ଭିନ୍ନ ହେଲେ ଓ ଲକ୍ଷ୍ୟ ଥିଲା ଏକ ।

 

ସେ ଚାହିଁଥିଲା ଛନ୍ଦାକୁ ପାଇବ । ଶେଷରେ ପାଇଲା । କିନ୍ତୁ ମୁଁ ନିରାଶ ହେଲି ।

 

ମରୀଚିକାର ପାଶ୍ଚାତ୍‌ଧାବନ କରି କରି ବ୍ୟଥା, ବିଫଳତା ହିଁ ଆଜିର ଜୀବନରେ ମୋର ପାଥେୟ ହେଲା ।

 

ସେଥିପାଇଁ ଦାୟୀ ତୁମେ ।

 

ତୁମରି ଦୁର୍ବଳ ମନୋବୃତ୍ତି ଆମ ପ୍ରେମ ପରିଣତିକୁ ବିଚ୍ଛିନ୍ନ କରିଦେଲା ।

 

ଛନ୍ଦା ଯେମିତି ତା’ ବାପ ମା’ଙ୍କୁ ପରୋକ୍ଷରେ ଜଣାଇ ପାରିଥିଲା, ତୁମେ ଅନ୍ତତଃ ସେତିକି ପଦକ୍ଷେପ ନେଇଥିଲେ, ଦେଖିଥାନ୍ତ, ଆମେ ବିବାହ କରି କତେ ସୁଖୀ ହୋଇଥାନ୍ତେ ।

 

ସେତିକି ଜଣାଇବାକୁ ତୁମ ହୃଦୟରେ ସାହସର ଅଭାବ ଥିଲା ।

 

କିନ୍ତୁ ମୋର ଥିଲା କି ?

 

ପହିଲି ଦେଖାରେ ମାଙ୍କୁ ତୁମ ପରିଚୟ ଦେଇ ଭବିଷ୍ୟତ ପାଇଁ ମୁଁ ବାଟ ଫିଟାଇ ଦେଇଥିଲି ।

 

ତୁମେ କହିପାର ଛାତ୍ର ଜୀବନରେ ମୁଁ ନିର୍ଭୀକ ସମାଲୋଚକ ଥିଲି ବୋଲି ଘରେ ବାହାରେ ସବୁଆଡ଼େ ସ୍ୱାଧୀନ ମନରେ ଆଗେଇ ଯାଉଥିଲି । ଅନ୍ୟାୟ, ଆନ୍ଦୋଳନ ଓ ଅଧ୍ୟାପକମାନଙ୍କର ଦୁର୍ନୀତି, ଦୋଷ ଦେଖିଲେ ମୁଁ ପ୍ରତିରୋଧ କରିବାକୁ ଆଗେଇ ଯାଉଥିଲି ।

 

କୃତୀ ଛାତ୍ର ହିସାବରେ ମୋତେ କେହି ପ୍ରତିବାଦ ଜଣାଉ ନଥିଲେ । ଭିତରେ ଈର୍ଷା ଆଉ ପ୍ରତିଶୋଧ ନେବାର ଇଚ୍ଛା ଥିଲେ ସୁଦ୍ଧା ମୁଁ ମୋ ଲକ୍ଷ୍ୟ ପରିଣତିରେ ଉଚ୍ଚ ପ୍ରଶଂସିତ ହେଉଥିଲି ।

 

ସେଇ କାରଣକୁ ତମେ ମୋ ଅନ୍ନୀତ ଜୀବନର ଏକ ବିଚକ୍ଷଣ ଦିଗ ବୋଲି ବିକ୍ରଣ କରିପାର । ହେଲେ କେହି କଣ ବାପ ମାଙ୍କୁ ଗୋଟିଏ ଝିଅର ପ୍ରେମ ସମ୍ପର୍କରେ କିଛି କହିପାରେ ?

 

ବାପ ମାଙ୍କ ଜ୍ଞାତସାରରେ ଗୋଟିଏ ଝିଅକୁ ପ୍ରେମ କରିପାରେ ?

 

ମୋ ପାଖରେ ସେଇଟା ସମ୍ଭବ ଥିଲା । ତୁମର ମନେ ଅଛି କି ନା, ଯେଉଁଦିନ ପ୍ରଥମେ ମୁଁ ତୁମକୁ ଆମ ଘରକୁ ନିମନ୍ତ୍ରଣ କରିଥିଲି, ସେଦିନ ବୋଉ କହିଲା, ଝିଅକୁ ସେ ଘରେ ବସାଇ ଦେଇ ତୁ ଏକୁଟିଆ ଏଠି କଣ କରୁଛୁ ।

 

ମୁଁ କହିଥିଲି, ଝିଅ ସାଙ୍ଗରେ ଝିଅ ମିଶି ଗପ କରେ, ପୁଅ ବସି ନିର୍ଜ୍ଜନରେ ଆଳାପ କଲେ ସେ ସ୍ଥିର ହୋଇ ବସିପାରିବ ତ ?

 

ବୋଉ ମୋର ହସି ହସି କହିଥିଲା, ପାଗଳାଟା, ଏଡ଼ୁଟିଏ ଆସି ହେଲୁଣି ପିଲାଳିଆ ବୁଦ୍ଧି ଛାଡ଼ିନୁ ?

 

ସେତେବେଳେ ତୁମେ ହସିଥିଲ ।

 

ଭରା ଯୌବନ ତୁମର ଚହଲି ଯାଇଥିଲା ।

 

ଡରି ଡରି ମୁଁ ତୁମ ଦେହରେ ଟିକେ ମାତ୍ର ହାତ ଦେଇଥିଲି । କିନ୍ତୁ ଉଚ୍ଛୃଙ୍ଖଳ ହୋଇ ଉଠି ନଥିଲି ।

 

ଇଚ୍ଛା କରିଥିଲେ ସେଇ ନିର୍ଜ୍ଜନ କୋଠରୀରେ ବୋଉ ଚକ୍ଷୁର ଅନ୍ତରାଳରେ ମୁଁ ତୁମକୁ ଉପଭୋଗ କରି ପାରି ଥାଆନ୍ତି । ମୋ ଶିହରଣକୁ ଚପାଇ ମୁଁ ରହିଗଲି କାହିଁକି ? କେବଳ ତୁମକୁ ପରୀକ୍ଷା କରିବା ପାଇଁ ।

 

ଛନ୍ଦା ସାଙ୍ଗରେ ତୁମକୁ ତୁଳନା କରି କୈଳାସର ଧାରାରେ ନିଜକୁ ନିଜେ ତୁମ ନିକଟରେ ଦେଖେଇ ଦେବା ପାଇଁ ।

 

କୈଳାସର ଗୋପନ ଉଚ୍ଚ୍ଥୃଙ୍ଖଳ ଲାଳସା ସାଙ୍ଗରେ ମୋ ପିପାସା ସମାନ ନଥିଲା ।

 

କୈଳାସ ପରି ମୁଁ ପ୍ରେମିକାମାନଙ୍କୁ ପ୍ରତି ରାତ୍ରିରେ ସ୍ୱପ୍ନ ଦେଖି ଦେହକୁ କେବେହେଲେ ଅବହେଳା କରି ନଥିଲି ।

 

ଛନ୍ଦା ପାଇଁ ସେ ନିଜକୁ କ୍ଷୀଣ କରି ଯେମିତି କଲେଜ ଜୀବନରେ ଗତି କରୁଥିଲା, ମୁଁ ସେମିତି ତୁମ ଲାଗି ଶରୀରକୁ ତୁଚ୍ଛ କରୁ ନଥିଲି ।

 

ତେବେ ସୁଦ୍ଧା ଆମ ପ୍ରେମ ଉତ୍କୃଷ୍ଟ ଆଉ ସ୍ୱଚ୍ଛ ଥିଲା । ପିକ୍‌ନିକ୍‌ ନାଁରେ ପରିଭ୍ରମଣ ଉଦ୍ଦେଶ୍ୟରେ ଯାଇଁ ଆମେ କେବେ ଗୋପନରେ ପ୍ରେମ ଉପରେ ଅତ୍ୟାଚାର କରିଥିଲେ କି ?

 

ତେବେ କେଉଁଠି ମୁଁ ତୁମ ମନ–ଦେହକୁ ଅଧିକାର କଲି ? ଯାହା ଫଳରେ କି ଏ ପର୍ଯ୍ୟନ୍ତ ମୁଁ ତୁମ ମନକୁ ଛାଡ଼ିବାକୁ ନାରାଜ ।

 

ଆଉ ଅନ୍ତରାଳରେ ତୁମ ମନ ଶୈବାଳିନୀର ମନ ସହିତ ସଂଘର୍ଷ ସୃଷ୍ଟି କରି ଆଜି ମୋ ଜୀବନକୁ ମଝିରେ ହନ୍ତସନ୍ତ କରୁଛି ।

 

ଶୈବାଳିନୀ ନିକଟରେ ଏହାର କୈଫତ୍‌ ଦେବାକୁ ମୋର କି ସାହସ ଅଛି ।

 

ଶୈବାଳିନୀର କୁମାରୀ ଜୀବନରେ କୌଣସି ପ୍ରେମିକ ଥିଲେ କି ନା ସେ କଥାର ସନ୍ଧାନ ମୁଁ ଆଜି ପର୍ଯ୍ୟନ୍ତ କରି ନାହିଁ । ଯଦି ପ୍ରକୃତରେ କେହି ନଥିବେ, ତେବେ ତା’ ନିକଟରେ ମୁଁ ଆଜୀବନ ଦୁର୍ବଳ ହୋଇ ରହିବି । କାରଣ ଶୈବାଳିନୀ ଯେତେ ଉଦ୍ଧତ ଆଉ ଉଚ୍ଛୃଙ୍ଖଳ ହେଲେ ମଧ୍ୟ ମୋ ହୃଦୟରେ ସେ ନିଶ୍ଚୟ ଅକ୍ଷତ ଯୌବନ ।

 

କିନ୍ତୁ ତୁମେ ବିଶ୍ୱନାଥ ନିକଟରେ ?

 

ବିଶ୍ୱନାଥକୁ ତୁମେ ସହବାସ ଶଯ୍ୟାରେ କି କୈଫତ୍‌ ଦେଉଥିବ ସୁଖଦା ? ବିଶ୍ୱନାଥ ଯଦି ଝିଅର ଅଙ୍ଗରୁ ଚରିତ୍ରହୀନାର ସୂଚନା ଜାଣିବାରେ ବିଜ୍ଞ ଥିବ, ତେବେ ସେ ନିଶ୍ଚୟ ତୁମକୁ ଅପରାଧିନୀ ବୋଲି ସାବ୍ୟସ୍ତ କରି ସାରିଥିବ । ତା ନ ହେଲେ ନିଜକୁ ସଫେଇ ଦେଇ ତୁମେ କେମିତି ନୂଆ ନୂଆ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବ ସେ କଥା ତୁମେ ଜାଣ ।

 

ପ୍ରେମିକକୁ ଦୂରେଇ ଦେଲେ କେଉଁ ପ୍ରେମିକା ଆଉ ତାର ଖବର ରଖେ ନାହିଁ ।

 

କିନ୍ତୁ ମୁଁ ତୁମର ବାହାର ଖବର ରଖିଛି । ତୁମ ସ୍ୱାମୀ ବିଶ୍ୱନାଥ ଖୁବ୍‌ ଆନନ୍ଦିତ ଅଛନ୍ତି । ତାଙ୍କର ପ୍ରତିପତ୍ତି ବିବାହ ପରଠାରୁ ଖୁବ୍‌ ବଢ଼ି ଯାଇଛି ।

 

ତେବେ ଘର ଭିତରେ ତୁମ ସହିତ ତାଙ୍କର ଆଳାପ, ହସ କୌତୁକ ଯେ କେତେଦୂର ଫଳବତୀ ହେଉଛି ତା’ କିଏ କହିବ ?

 

ଛନ୍ଦାକୁ ମୁଁ ବେଳେବେଳେ ତୁମ ବିଷୟ ଏକାନ୍ତରେ ପଚାରେ ।

 

ଛନ୍ଦା କୁହେ, ସୁଖଦା ଆପଣଙ୍କ ପାଖକୁ ଚିଠି ଦିଏନି ବାରୀନ୍ଦ୍ର ବାବୁ ?

 

ମୁଁ ନାହିଁ କରେ ।

 

ହଁ କରି ଆହୁରି ଜଟିଳତା ସୃଷ୍ଟି କରିଥାନ୍ତି କାହିଁକି ? ସେ କେବଳ ତୁମ ବିଷୟରେ ଏତିକି କୁହେ ଯେ ତୁମେ ବଡ଼ ଲୋକ ଘରେ ବହୁ ହୋଇ ଭାରି ଖୁସିରେ ଅଛ । ଦାସୀ ପରିବାରୀ ଅହରହ ତୁମ ସେବାରେ ଅଛନ୍ତି । ତୁମ ହାତରେ ଟିକେ ହେଲେ ପାଣି ଲାଗୁ ନାହିଁ । ଛନ୍ଦା ହସି ହସି କହିଲାବେଳେ ମୋତେ ଭାରି ଆଘାତ ଲାଗେ ।

ମୁଁ ଭାବେ ସତରେ ତୁମେ ବଡ଼ ଲୋକ ଘରେ ବାହା ହେବ ବୋଲି ମୋତେ ପ୍ରତ୍ୟାଖ୍ୟାନ କଲ ନା କଣ ?

ତା ନହେଲେ ବାପ ମାଙ୍କ ଆଗରେ ସେଠି ବିବାହ ନ କରିବାକୁ କହିବାରେ ତୁମର ସତ୍‌ ସାହସ କମିଗଲା କାହିଁକି ?

ଯାହା ସାଙ୍ଗରେ ନିର୍ଜନରେ ନିଜକୁ ତିଳ ତିଳ କରି ବିକି ଦେଉଥିଲ, ତା ପାଇଁ ଏତେ ଟିକେ ସାହସିକ ପଦକ୍ଷେପ ନେଇପାରିଲ ନାହିଁ ?

ମନେ ଅଛି, ମୋ କୋଳରେ ମଥା ରଖି ଅନ୍ଧାରର ଅରଣ୍ୟ ମଧ୍ୟରେ ତୁମେ କହିଥିଲ, ‘ବାରୀନ୍ଦ୍ର, ମୋତେ ଦୁନିଆର ସବୁଠାରୁ ଭଲ ଲାଗ ତୁମେ । ଆଉ ସବୁଠାରୁ ବେଶୀ ତିକ୍ତ ଲାଗିବ ଆମରି ବିଚ୍ଛେଦ ।’

ମୁଁ ସେତେବେଳେ ତୁମ ପାଟି ବନ୍ଦ୍‌ କରି ଦେଇଥିଲି । ଆଉ ଉତ୍ତେଜନାରେ ଅଥୟ ହୋଇ କହି ପକାଇଥିଲି, ଆମ ଦୁହିଁଙ୍କ ବିଚ୍ଛେଦ ଭାଗ୍ୟ ବିନା କେହି କରି ନପାରେ ।

ତୁମେ ଆହୁରି କହିଥିଲ, ‘ନା କେବେ ନୁହେଁ, ଆମର ବିଚ୍ଛେଦ ଜୀଇଁଥିବା ଯାଏ ଜନ୍ମରେ ହେବ ନାହିଁ, ଯଦି ହେବ ମୃତ୍ୟୁରେ । ଯିଏ ବାଧ୍ୟ କରି ଆମ ବିଚ୍ଛେଦ ଘଟାଇବ, ସେ ଆମ ମୃତ ଶରୀର ଦେଖିବ ।’

 

କୁଆଡ଼େ ଗଲା ତୁମର ସେ ପ୍ରତିଜ୍ଞା ? ବାସ୍ତବିକ୍ ମୁଁ ଆଶ୍ଚର୍ଯ୍ୟ ହୁଏ ସୁଖଦା, ତୁମେ ଯେତେବେଳେ ଏତେ ବଡ଼ ବଡ଼ କଥା ଶୁଣେଇ ମୋତେ ଅତି ଆକୃଷ୍ଟ କରି ନେଉଥିଲ, କାହାରି ଆଗରେ ଦମ୍ଭ ସହକାରେ ଆମ ପ୍ରେମକୁ ପ୍ରକାଶ କରିପାରିଲ ନାହିଁ କେମିତି ?

 

ବାପ ମା ଭାଇଙ୍କର ଶିକ୍ଷା ଗୌରବକୁ ଡରି ମୋତେ ଅବଶ୍ୟ ଦିନେ ହେଲେ ତୁମେ ତୁମ ଘରକୁ ନିମନ୍ତ୍ରଣ କରି ନେଇ ନାହଁ । ଯଦି ଥରେ ଅଧେ ମୁହଁ ଭାବକା କରି ଡାକିଥିବ, ତେବେ ମୁଁ ନାହିଁ କରିଦେବା ଫଳରେ ତେମେ ଜୋର୍‌ ଦେଇ ନଥିଲ । ସେଥିପାଇଁ ମୁଁ ଦୁଃଖ କିମ୍ବା ନୀଚ ପ୍ରୟାସ ମନରେ ଆଣି ନାହିଁ ।

 

ଏତେ ବଡ଼ ବଡ଼ କଥା କହି ଶେଷକୁ କଣ କୌଣସି ଉପାୟ ନଥିଲା ବାହାଘର ଭାଙ୍ଗି ଦେବାକୁ ?

 

କାହିଁ ଖୋଲା ଖୋଲି ଭାବରେ ବୋଉ, ଭାଉଜଙ୍କୁ କହିଲ ନାହିଁ ଯେ ତୁମ ବାହାଘର ପାଇଁ ତୁମ ମନର ପସନ୍ଦ ଆବଶ୍ୟକ ।

 

ବୋଉ ବାପା ଏ ଯୁଗର ମଣିଷ ହୋଇ ତୁମ କଥା ରଖି ନ ଥାନ୍ତେ କି ?

 

ତୁମେ ପୁଣି ବାପମାଙ୍କର ଏକମାତ୍ର ଝିଅ ଥିଲ । ତୁମକୁ ନ ଦେଖିଲେ ସେମାନେ ପାଣି ଛୁଉଁ ନଥିଲେ । ସେପରି ସ୍ଥଳେ ତୁମେ ପ୍ରତିବାଦ ନ ଜଣାଇ ବିଶ୍ୱନାଥର ହାତ ଧରି ବାହା ହୋଇ ଚାଲିଗଲ କେମିତି ?

 

ବିଶ୍ୱନାଥ ତୁଳନାରେ ମୁଁ କେତେ ପରିମାଣରେ ନିମ୍ନ କୁହ ତ ? ବିଶ୍ୱନାଥ ମ୍ୟାରୀନ୍‌ ଇଞ୍ଜିନିୟର୍‌ ହେଲେ ମୁଁ ବି ଆଇ. ଏ. ଏସ୍ ଅଫିସର ।

 

ବିଶ୍ୱନାଥ ମାନ, ପ୍ରତିପତ୍ତିରେ ଯେତିକି ଅଧିକାରୀ ମୁଁ ତାଠାରୁ ବେଶୀ ନହେଲେ ମଧ୍ୟ କମ୍‌ ନୁହେଁ ।

 

କେବଳ ଏତିକି ମାତ୍ର ତଫାତ୍‌ ବିଶ୍ୱନାଥ ବହୁ ସମ୍ପତ୍ତିର ମାଲିକ୍‌ । କିନ୍ତୁ ମୁଁ ଏକ ମଧ୍ୟବିତ୍ତ ପରିବାରରୁ ସମ୍ଭୁତ । ଆମ ଘରେ ମୋ ବୋଉ ହାତ ଗୋଡ଼ ଲଗାଇ ପରିଶ୍ରମ କରେ । ଗୋଟିଏ ମାତ୍ର ଚାକର ସାହାଯ୍ୟରେ ସେ ଘର କାମ ସବୁ ତୁଲାଇ ନିଏ । ବୋଉକୁ ଘର ସଂସାରରେ ସାହାଯ୍ୟ ଦେବାପାଇଁ ଶୈବାଳିନୀକୁ ତା ପାଖରେ ଛାଡ଼ିବାକୁ ମୁଁ ଯେତେ ପରାମର୍ଶ ଦେଲେଣି, ବୋଉ ସେଥିରେ ମୋଟେ ରାଜି ନୁହେଁ । ବୋଉ କହେ, ବୋହୂଟା ନୂଆ ହେଇ ବାପଘର ଛାଡ଼ିଛି, ପୁଅ ପାଖରେ ଦି’ ବର୍ଷ ରହୁ । ସେଥିଲାଗି ଶୈବାଳିନୀ ସହରରେ ରହିଛି । ଆଉ ବର୍ଷେ ଖଣ୍ଡେ ଗଲେ ତାକୁ ମୁଁ ଗାଁକୁ ପଠାଇ ଦେବି ।

 

ଏଇ କେତେଦିନ ଛିଣ୍ଡା ଗଇଣ୍ଠା ମନକୁ ଧରି ଶୈବାଳିନୀ ସାଙ୍ଗରେ କେମିତି ମୁଁ ଖେଳ ସାରିବି ସେଇ କଥା ଭାବୁଛି ।

 

ମନ ଯେଉଁଠି ଅଭାବ, ସାଂସାରିକ ଖେଳ ସେଠି ସମ୍ଭବ ହେବ କି ? ଶୈବାଳିନୀକୁ କଣ୍ଢେଇ ପିତୁଳା କରି ପତ୍ନୀ କରିଛି ବୋଲି ସେ କଥା ତ କେହି ଜାଣି ନାହାନ୍ତି ।

 

ଆଜି ତୁମକୁ ଶୂନ୍ୟ ମୂର୍ତ୍ତି ମନେକରି ତା ଆଗରେ କହିଲି । ଦୀର୍ଘ ବର୍ଷେ ହେଲାଣି ମନ ଯେଉଁ ଛଟପଟ ହେଉଥିଲା, ସେଗୁଡ଼ିକ ଯେ କୌଣସି ପ୍ରକାରରେ ଅଭିବ୍ୟକ୍ତ ନକଲେ ତୃପ୍ତି ଆସନ୍ତା କେଉଁଠୁ ?

 

ତୁମରି ବିବାହ ପରେ ଟାଣି ଭିଡ଼ି ମୁଁ ରାତିଗୁଡ଼ିକ ଚାରି ମାସ କଟେଇ ଦେଲି । ନୀରବ ନିକାଞ୍ଚନରେ ଅବୁଝା ମନକୁ ଶାନ୍ତ୍ୱନା ଦେଇ କହୁଥିଲି, ହଁ ଗୋଟିଏ ସୁଖଦା ଗଲେ ଏମିତି କେତେ ସୁଖଦା ଆସିବେ । ଯାଉ, ଚରିତ୍ରହୀନା ସୁଖଦା ଯାଉ ।

 

ଉଚ୍ଚ ପଦସ୍ଥ ଅଫିସର ବୋଲି କାହା ଆଗରେ ମୋ ବ୍ୟର୍ଥ ପ୍ରଣୟୀ ଜୀବନର ଇତିହାସ କହିବାକୁ ଇଚ୍ଛା କରୁ ନଥିଲି ।

 

ସଳିତା ଭଳି ବିଫଳତାର ଅଗ୍ନିରେ ଜଳି ଜଳି ମୁଁ ନିଃଶେଷ ହୋଇଯିବାକୁ ଚାହୁଁଥିଲି ।

 

କିନ୍ତୁ....

 

ପାରିପାର୍ଶ୍ୱିକ ଅବସ୍ଥା ପୁଣି ମତେ ଜଞ୍ଜାଳ ମଧ୍ୟକୁ ଟାଣି ଆଣିଲା । ଅନିଚ୍ଛା ସତ୍ତ୍ୱେ ଶୈବାଳିନୀର ହାତ ସାଙ୍ଗରେ ମୋ ହାତ ଛନ୍ଦି ହୋଇଗଲା ।

 

ଉପଭୋଗ କରିବାର ସ୍ପୃହା ନଥିଲେ ସୁଦ୍ଧା ଶୈବାଳିନୀର ନଗ୍ନ ମୁକୁଳିତ ଯୌବନ ଦେଖି ମୋ ମନ ଚହଲି ଗଲା ।

 

ସତରେ ସୁଖଦା, ମୁଁ ଏକରକମ ମନରେ ନିଷ୍ପତ୍ତି କରି ନେଇଥିଲି ଯେ ତୁମ ପରେ ଆଉ କୌଣସି ନାରୀର ଶରୀରକୁ ସ୍ପର୍ଶ କରିବି ନାହିଁ । କିନ୍ତୁ ଶୈବାଳିନୀର ପରିପୁଷ୍ଟ ଯୌବନକୁ ଦେଖି ମୋର ସେ ଶପଥ ଭାଙ୍ଗି ଗଲା ।

 

ବିବାହର ପହିଲି ସାକ୍ଷାତରେ ଶୈବାଳିନୀର ଦେହ ସହିତ ମୋ ଦେହର ମିଳନ ଘଟିଲା-। କିନ୍ତୁ ପ୍ରତିଦାନରେ ମୁଁ ତାକୁ ମନ ଦେଇ ପାରିଲି ନାହିଁ ।

 

ତୁମ ଦେହରେ ତୁଟି ଯାଇଥିବା ମନକୁ ଏତେ ବଡ଼ ବାସର ରାତ୍ରିରେ କଣ ପତ୍ନୀକୁ ଭେଟି ଦିଆଯାଇ ପାରେ ?

 

ମନ ମୋର ଆପେ ଆପେ ସେଇଠୁ ଦବି ଆସିଲା । ନୂଆ ନୂଆ ହେତୁ ଶୈବାଳିନୀ ମୋ ନୀରବତା ଉପରେ ଲାଜ କରି କିଛି କହିଲା ନାହିଁ ସିନା, କିନ୍ତୁ ସେ କଣ ମୋତେ ନିଃସନ୍ଦେହରେ ଛାଡ଼ି ରହିଲା ? ଅନ୍ତତଃ ସେ ନିଶ୍ଚୟ ଭାବିଥିବ, ଏତେବଡ଼ ମଣିଷଠାରେ କଣ ଟିକିଏ ହେଲେ ମଣିଷ ଗନ୍ଧ ଲୁଚି ରହି ନାହିଁ ।

 

ନୀରବ ରହି କେବଳ ଜବରଦସ୍ତ ରତି ବିଳାସରେ ରାତିଟି ପୁହାଇ ଦେଲା କେମିତି ? ଶୈବାଳିନୀର ଅଧିକାରକୁ ମୋ ନୀରବତା କେତେଦିନ ବା ଆଉ ବ୍ୟାହତ କରି ଥାଆନ୍ତା ।

 

ରାତି ରାତି କରି ମୋଟେ ଚାରି ରାତି କଟିଥିଲା । ତା ପରେ ତା’ଆଡ଼ୁ ପ୍ରଥମେ ଆରମ୍ଭ ହେଲା ଯେ, ମୁଁ କାହିଁକି କିଛି କହୁ ନାହିଁ ।

 

କହିବି କଣ ସେଇ ପୁରୁଣା ପ୍ରେମ ପଦ୍ଧତି ପରେ କି କଥା ଆଉ କହିଥାନ୍ତି ।

 

କଣ ପଚାରିଥାନ୍ତି ସାଙ୍ଗ ପିଲାଙ୍କ ଠାରୁ ଯାହା ଶିଖିଥିଲି ଶୈବାଳିନୀ ତୁମେ ମୋତେ ପାଇ ସୁଖୀ ଅଛ କି ? ତୁମ ପ୍ରେମ ପିପାସାକୁ ମେଣ୍ଟାଇ ପାରିବାକୁ ଉପଯୁକ୍ତ ବୋଲି ଭାବୁଛ, ନା ନାହିଁ ? ଇତ୍ୟାଦି ଇତ୍ୟାଦି ।

 

ଏଇ କଥା ଶୁଣିବାକୁ ଶୈବାଳିନୀ ଯଦି ସେଦିନ ରାତିରେ ଭାବିଥିବ, ତେବେ ମୁଁ ତାକୁ ଜାଣି ଜାଣି ନିରାଶା କରିଛି । ମୁଁ ତାକୁ ଉପଭୋଗ କରିବା ଛଡ଼ା ଆଉ କିଛି କବିତ୍ୱ ପ୍ରକାଶ କରି ପାରିନାହିଁ ।

 

ଶୈବାଳିନୀ ଦିନେ ରାତିରେ ଛନ୍ଦା କଥା କହୁଥିଲା । ଛନ୍ଦା, ଶୈବାଳିନୀ ସାଙ୍ଗରେ ବାସ୍ତବିକ୍‌ ଅତି ପ୍ରିୟ ହୋଇ ପଡ଼ିଛି । ତେଣୁ ସେ ତା’ ବାସର ରାତି କଥା ଶୈବାଳିନୀ ଆଗରେ ଖୋଲାଖୋଲି କହି ଦେଇଥିଲା ।

 

କୈଳାସର ଦୁଷ୍ଟାମି କୁଆଡ଼େ ତା’ ବାସର ରାତିରେ ଭିନ୍ନ ଗତି ଧାରଣ କରିଥିଲା । ସେ ନିଜେ ଛନ୍ଦା ସହିତ ରତିକ୍ରୀଡ଼ା ନ କରି, କୌଣସି କୌଣସି ନିର୍ଜୀବ ପଦାର୍ଥ ସାଙ୍ଗରେ ଛନ୍ଦାର ଉନ୍ନତ୍ତ ଯୌନ ମନକୁ ଖେଳାଇ ବସିଥିଲା ।

 

ଛନ୍ଦା କୁଆଡ଼େ କହିଥିଲା ‘ଭାରି ପ୍ରେମିକ ଜଣେ ଲୋ । ମତେ ପଟେଇବା ପାଇଁ ତାଙ୍କର କଣ କମି ଫିକର ।’ ଛନ୍ଦା କଲେଜ ଜୀବନ କଥା ତାକୁ କହି ନଥିଲା । ଶୈବାଳିନୀ ସେଇ ସେତକ ମୋ ଆଗରେ କହିଲାବେଳେ ବାଖ୍ୟା କରିଥିଲା ଯେ । କୈଳାସ ବାବୁ ଏତେ ପତଳା ଲୋକ ହୋଇ ଏତେ ଦୁଷ୍ଟ ଆଉ ରସିକ କେମିତି ହେଲେ ।

 

କେବଳ ମୋରିଠାରୁ କିଛି ଉତ୍ତର ପାଇବା ଆଶାରେ ସେ ଚାହିଁ ରହିଥିଲା ସେଦିନ ରାତ୍ରିରେ । ମୁଁ ତାକୁ କି ଉତ୍ତର ବା ଦେଇଥାନ୍ତି ।

 

ଛନ୍ଦାର ବାସର ଜୀବନ ଯଦି ସେଇଭଳି ସତ୍ୟ ହୋଇଥାଏ, ତାହାହେଲେ ସେ ସବୁ ଶୁଣି ମୁଁ ଯେ କେତେ ଅପମାନିତ, ତାହା ତୁମେ ବୁଝି ପାରୁଥିବ ନିଶ୍ଚୟ । ତୁମେ ହୋଇଥିଲେ କୈଳାସଠାରୁ ଭିନ୍ନ ଧରଣର ଖେଳ ମୋତେ କଣ ଖେଳି ଆସି ନଥାନ୍ତା ?

 

ତେବେ ବିଶ୍ୱନାଥ ତୁମର ଚରିତ୍ର ହୀନତା କଥା ଜାଣି ପାରିନାହିଁ । ତାହାହିଁ ଶୁଭ ସମ୍ବାଦ-। ନ ଜାଣିଥିବା ତୁମର ସୌଭାଗ୍ୟ ।

 

ସମସ୍ତଙ୍କ ଯୋଗ ଆଉ ଭାଗ୍ୟ ଠିକ୍‌ ଥିଲେ ସମସ୍ତେ କିଛି କିଛି ସୁଖ ପାଇ ପାଇଥାନ୍ତି । ଶୈବାଳିନୀ ମଧ୍ୟ ମୋ ମନକୁ ଟାଣି ଓଟାରି ସୁଖ ମଦିରା ପାନ କରିଗଲା । ଅଥଚ ମୁଁ ବୋକା, କେବଳ ଜୀବନ ଉପରେ ଦର୍ଶନର ରେଖା ଟାଣି ଟାଣି ତୃପ୍ତ ହୋଇ ପାରିଲି ନାହିଁ ।

 

ମନ ମୋର ହୃଦୟ–ଗହିରର ତତଲା ଭୂଇଁରେ ପଡ଼ି ଖାଲି ଛଟପଟ ହେଉଛି । ଦାମ୍ପତ୍ୟ ଜୀବନରୁ ମୁକ୍ତି ପାଇବାକୁ ଇଚ୍ଛା କରୁଥିଲେ ହେଁ ଶୈବାଳିନୀର ବନ୍ଧନ ମୋତେ ଆବଦ୍ଧ କରି ରଖିଛି-

 

ଶୈବାଳିନୀ କହୁଛି, ଶୁଣିଲଣି ଛନ୍ଦାର କଣ ପିଲାପିଲି ହେବ । ଦୁଇ ମାସ ଆସି ହେଲାଣି । ଆମର କେବେ ହେବ କହିଲ ?

 

କିନ୍ତୁ ମୁଁ ତ ଶୈବାଳିନୀ ଔରସରୁ ସନ୍ତାନ ଦେଖିବାକୁ ଯୌବନର ପ୍ରଥମ ପାହାଚ ପରିଣୟ ଉପରେ ପାଦ ଦେଇ ନଥିଲି ? ମୁଁ ଭାବିଥିଲି ତୁମରି ସହବାସରେ ଆମର ଯେଉଁ ପିଲା ହୋଇଥାନ୍ତା, ସେ ଭବିଷ୍ୟତରେ ଆମ ପ୍ରେମର ସ୍ମାରକୀ ହୋଇ ରହିଥାନ୍ତା ।

 

ଶୈବାଳିନୀର କେବେ ଯଦି ସନ୍ତାନ ହୁଏ, ତେବେ ସେ ହେବ ଏକ ସାଧାରଣ ପିଲା । ତା ଜନ୍ମରେ ନୂତନତ୍ୱ କିମ୍ବା ସ୍ମୃତି କିଛି ନଥିବ । ଯେମିତି ସମସ୍ତଙ୍କର ହୁଏ । ଗାଁର ଭୂଇଁର ଚାଷୀ । ମୂଲିଆଙ୍କର ପିଲା ହୋଇ ଯେମିତି ବାପ ମାଙ୍କର ଶ୍ରାଦ୍ଧ ପାଣି ଟେକୁଛନ୍ତି, ସେମିତି ପିଲାଟିଏ ହେବ-

 

କେବଳ ତଫାତ୍‌ ଥିବ ଶିକ୍ଷା ଆଉ ଦୀକ୍ଷାର । ଆଉ ମଧ୍ୟ ଶୈବାଳିନୀ ଓ ମୋ ମଧ୍ୟରେ ଥିବା ଅସାମ୍ୟ ମନୋବୃତ୍ତି ନେଇ ସେ ଗଢ଼ି ଉଠିବ ।

 

ସେଥିଲାଗି ମୁଁ ଏତେଶୀଘ୍ର ସନ୍ତାନ ଚାହେଁନା । ଶୈବାଳିନୀକୁ ମା କରି ସଂସାରକୁ ଆହୁରି ତିକ୍ତ କରିବାକୁ ଭଲ ଲାଗୁ ନାହିଁ ।

 

ମୁଁ ଏତେ କଥା କହିଲାବେଳେ ଯେଉଁ ମନର ଅଭାବ ଦେଖୁଛ, ତାହା କେବଳ ପ୍ରେମ ଓ ସନ୍ଦେହରୁ ଉତ୍ପତ୍ତି ନୁହେଁ, ପ୍ରତି କ୍ଷେତ୍ରରେ ପ୍ରତି କ୍ଷଣରେ ତାହା ଉପୁଜୁଛି ଆଉ ଉପୁଜିଥିବ । ସେଥିଲାଗି ମୁଁ ବ୍ୟସ୍ତ ।

 

ଖାଇବା ପିଇବାରେ ଅଶାନ୍ତ ହୋଇ ମୁଁ ପଦେ କହିଲେ ଶୈବାଳିନୀର ଅବାନ୍ତର ଯୁକ୍ତିକୁ ତୁମେ ମୋଟେ ଗ୍ରହଣ କରନ୍ତ ନାହିଁ ।

 

ପୁଝାରୀ ଚାକରଙ୍କ ହାତରେ ରୋଷେଇ ଭାର ସମ୍ପୂର୍ଣ୍ଣ ଛାଡ଼ି ଦେଇ ଆମେ ପୁର୍ତ୍ତିରେ ସମୟ କଟେଇବା କଣ ଉଚିତ ? ବିଶେଷତଃ ଘରର ଗୃହୀଣୀ ପକ୍ଷରେ ସ୍ୱାମୀ ଓ ସନ୍ତାନମାନଙ୍କର ଖାଇବା ପିଇବା ଖବର ବୁଝିବା ଏକାନ୍ତ କାମ୍ୟ ।

 

ଚାକର ପୁଝାରୀ ପର ପିଲା । ଡରି ଡରି ମାଲିକାନା ଖାତିରରେ ସେ ଯେତେ ଭଲ କରିବାକୁ ଚେଷ୍ଟା କରି ଯଦି ନହେଲା ତା ହେଲେ ସେଇଟା ତାଙ୍କର ଦୋଷ ନୁହେଁ ।

 

ପାଚନ କ୍ରିୟା ନାରୀ ଗୁଣ ସୁଲଭ । ସେଥିନେଇ ମୁଁ ଶୈବାଳିନୀକୁ ରାଗି କିଛି କହିଲେ ସେ ମୋତେ ତାତ୍ସଲ୍ୟ କରି କୁହେ ଓ, ଛନ୍ଦା ତା’ ସ୍ୱାମୀ କୈଳାସକୁ ସବୁଦିନେ ରାନ୍ଧିବାଢ଼ି ହାତରେ ଖାଇବାକୁ ଦେଉଛି ବୋଲି ମୁଁ ସେମିତି ଦେଉଥାନ୍ତି ।

 

ଛନ୍ଦା କିରାଣୀର ସ୍ତ୍ରୀ ! ପୁଝାରୀ ଚାକରର କାମ ତାକୁ ହିଁ କରିବାକୁ ପଡ଼ିବ ।

 

ରାଗ ତମ ତମ ହୋଇ ଶୈବାଳିନୀ ଏତକ କହି ଦେଇଗଲେ ତା’ କଥା ଯେ ସମ୍ପୂର୍ଣ୍ଣ ହୁଏ, ତା ନୁହେଁ । ପୁଣି ଥରେ ଘର ଭିତରୁ ବୁଲି ଆସି ସେ କୁହେ, ଯାଉନା ସେଇ ଛନ୍ଦା ହାତ ପରଶା ଖାଇ ଅଫିସ ଯିବ । ସେ ଯେତେବେଳେ ସବୁ ଗୁଣରେ ଭଲ, ରନ୍ଧାବଢ଼ା ତାର ଭଲ ହୋଇ ନଥିବ କାହିଁକି ? ଛନ୍ଦା କିରାଣୀର ସ୍ତ୍ରୀ ।

 

କେଇ ଟଙ୍କା ଦରମା ମଧ୍ୟରେ ସେ ମାସକ ଏଷ୍ଟାବ୍‌ଲିସମେଣ୍ଟର ଯୋଜନା କରି ଚାଲିଛି-। ପୂଝାରୀ ଚାକର ରଖି କୈଳାସ ଯେ ସୁଖରେ ଚଳି ପାରିବ ଏ ଆଶା ତାର ନାହିଁ । ତେଣୁ ସେ କୌଣସି କଥାରେ ଆପତ୍ତି ଅଭିଯୋଗ କରି ନାହିଁ । ଶାଗ ପଖାଳ ଯେଉଁଦିନ ଯାହା ମିଳିଲା,ସେଦିନ ସେ ଛନ୍ଦା ହାତରୁ ଖାଇ ଦେଇ ଅଫିସ ଚାଲି ଆସୁଛି ।

 

ଗୋଟିଏ ସ୍ତ୍ରୀ ହାତରେ କୈଳାସ ପରି ଲୋଫର୍‌ ପିଲା ଏତେ ପରିବର୍ତ୍ତନ ହେବ ବୋଲି ତୁମେ ଆଶା କରିଥିଲ, ସୁଖଦା ?

 

ଛନ୍ଦା ପରି ଶିକ୍ଷିତା ନାରୀ ହାତରେ ଗୋଟିଏ ପୁରୁଷ ଭାଗ୍ୟ ତିଆରି ହେଲା, ଆଉ ମୋ ପରି ଦାୟିତ୍ୱ ସମ୍ପନ୍ନ ଅଫିସର ଶୈବାଳିନୀ ହାତରେ ଅଶାନ୍ତି ଭୋଗୁଛି କାହିଁକି ?

 

କେଉଁ ଅଭାବ ନେଇ ?

 

ଶୈବାଳିନୀ ମୋର ପତ୍ନୀ ।

 

ଆଉ ଛନ୍ଦା କୈଳାସର ପ୍ରେମିକା ପତ୍ନୀ ।

 

ମନ କିଣି ସେ କୈଳାସକୁ ବିବାହ କରିଛି । କିନ୍ତୁ ତୁମେ ହାଣିଦେଇ ଯାଇଥିବା ମୋ ମନ ଉପରେ ଅଭିମାନ ଓ ସନ୍ଦେହ ପୋଷଣ କରି ଶୈବାଳିନୀ ଆଉ ଏକ ନୂଆ ଦାମ୍ପତ୍ୟ ଜୀବନ ପ୍ରତିଷ୍ଠା କରିବାକୁ ଚାହୁଁଛି ।

 

ବିଳାସ ବ୍ୟସନ କଥା ଛାଡ଼ ।

 

ବିଳାସ ବ୍ୟସନରେ ଟିକେ ଊଣା ହେଲେ ଶୈବାଳିନୀ ମୋ ସହକର୍ମଚାରୀଙ୍କ ସ୍ତ୍ରୀମାନଙ୍କ ଉଦାହରଣ ଦେଇ ବସିବ ।

 

ଶହେ ଟଙ୍କାର ଶାଢ଼ୀ ଖଣ୍ଡେ ପିନ୍ଧିବାକୁ ଯୋଗାଇବା ପାଇଁ ମୋର ଯଥେଷ୍ଟ ସାମର୍ଥ୍ୟ ଅଛି ଯେ ହେଲେ ତାହା ମୁଁ ଫସନ୍ଦ ମନେକରେ ନାହିଁ । ତୁମେ ମଧ୍ୟ ଜାଣ ।

 

ଯେଉଁଦିନ ପିକ୍‌ନିକ୍‌କୁ ତୁମେ ମୋତେ ଡାକି ଆସିଥିଲ ମୁଁ ଖଣ୍ଡେ ସୂତା କପଡ଼ାର ସାର୍ଟ ଆଉ ପ୍ୟାଣ୍ଟ ପିନ୍ଧି ତୁମ ସହିତ ବାହାରି ଯାଇଥିଲି ।

 

ତୁମେ କହିଥିଲ, ‘ବାହାରକୁ ଯିବା ପାଇଁ ଖଣ୍ଡେ ଟେରୀକଟ୍‌ ପ୍ୟାଣ୍ଟ କରି ନାହିଁ ?’

 

ମୋ ଉତ୍ତର ଶୁଣି ତୁମେ ସ୍ତମ୍ଭୀଭୂତ ହୋଇ ଯାଇଥିଲ । ନ ହୋଇ ଥାନ୍ତ ବା କେମିତି ?

 

ମୁଁ କହିଥିଲି କଲର୍‌ସିପ୍‌ ଟଙ୍କା ନିଅଣ୍ଟ ପଡ଼ିବାରୁ ଯିଏ ସରକାରରୁ ଲୋନ୍‌ ନେଇ ପାଠପଢ଼ାର ସମ୍ମୁଖୀନ ହେଉଛି, ତାର ଟେରୀକଟ୍‌ ପ୍ୟାଣ୍ଟ୍‌ କଣ ହେବ ।

 

ସେମିତି ଫେସନ ଦେଖେଇ ହେଲେ ବୁଦ୍ଧିଜୀବୀଙ୍କ ଆଖିରେ ଉପହାସିତ ହେବି ସିନା !

 

ତୁମେ କେତେ ନମ୍ର ହୋଇ ମୋତେ ସମର୍ଥନ କରିଥିଲ ସେଦିନ କୁହନି ?

 

କିନ୍ତୁ ଆଜି ?

 

ଆଜି ଯାହା ହାତରେ ମୁଁ ଖେଳୁଛି ସେ ଚାହେଁ ସର୍ବୋତ୍‌କୃଷ୍ଟ ଫେସନରେ ଆବୃତ୍ତ ହୋଇ ସମସ୍ତଙ୍କୁ ଦେଖେଇ ହେବାକୁ । ତା ନହେଲେ ମୋତେ ନୀଚ୍ଚ ମନୋବୃତ୍ତିର ଲୋକ ବୋଲି ଆଖ୍ୟା ଦିଆଯିବ । ସିନେମା ଦେଖିବାକୁ ଗଲେ ମଧ୍ୟ ସେଇ ଦଶା । ସ୍ପେଶିଆଲ୍‌ ବାଲକୋନିର ଟିକେଟ୍‌ କଟା ନହୋଇ ପାରିଲେ, କାରରେ ଫେରି ଆସିବାକୁ ବାଧ୍ୟ ହୁଏ । ସମ୍ମାନ ଦୃଷ୍ଟିରୁ କୁଆଡ଼େ ସେଇ ଶ୍ରେଣୀଟି ଆମ ପାଇଁ ଉଦ୍ଦିଷ୍ଟ । ଯେଉଁମାନେ ତଳ ଶ୍ରେଣୀର ଟିକେଟ୍‌ କାଟି ସିନେମା ଦେଖନ୍ତି ସେମାନେ କୁଆଡ଼େ ଆମ ଭଳି ମଣିଷ ନୁହନ୍ତି । ଏମିତି ଆକ୍ଷେପ ସ୍ୱାମୀ ହିସାବରେ ଶୈବାଳିନୀଠାରୁ ମୁଁ ସହିପାରେ, ହେଲେ ସାଧାରଣ ଜନତା ?

 

ସାଧାରଣ ଦର୍ଶକଙ୍କ ସମ୍ମୁଖରେ ଏଇ ଦର୍ପ ନେଇ ଶୈବାଳିନୀ କୈଫତ୍ ଦେଇ ପାରିବ ତ ?

 

ତେବେ ଇଏ କି ମନ । ଏ ମନନେଇ ଶୈବାଳିନୀର ସ୍ୱାମୀ ବୋଲି ମୁଁ କିପରି ଘର ସଂସାର କରି ତିଷ୍ଠି ରହି ପାରିବି ?

 

ସାଂସାରିକ ବନ୍ଧନ ଭିତରେ କେବଳ ପତ୍ନୀର ମନ ନେଇ ସ୍ୱାମୀକୁ ଗତି କରିବାକୁ ହେଲେ ଏମିତି ଯେ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ, ତାହା ମୁଁ ଆଜି ଶୈବାଳିନୀର ପତ୍ନୀ ଅଭିନୟରୁ ବେଶ୍‌ ବୁଝିପାରୁଛି ।

 

କିନ୍ତୁ ତୁମକୁ ନେଇ ବିଶ୍ୱନାଥ ଏଇ ସବୁ ସମସ୍ୟାର ସମ୍ମୁଖୀନ ହେଉନଥିବ ବୋଲି ମୋର ଅନୁମାନ । କାରଣ ତୁମେ ଶୈବାଳିନୀ ପରି ସ୍ତ୍ରୀ ନୁହେଁ । ଶୈବାଳିନୀଠାରୁ ଯଥେଷ୍ଟ ଉଚ୍ଚରେ ଅଛି ତୁମ ମନ ।

 

ପ୍ରେମିକା ଅବସ୍ଥାରେ ତୁମର ଅବଦାନ ମୋ ପ୍ରତି ଯେ ଅତୁଳନୀୟ, ତାହା ଭାବିଲେ ଦୁଃଖ ଆସୁଛି । ସେଥିଲାଗି ଅବସର ସମୟରେ ମୁଁ ଝୁରୁଛି ତୁମର ଅନୁପସ୍ଥିତିକୁ ।

 

ଜାଣି ଜାଣି ମୋଠାରୁ ଦୂରେଇ ଯାଇଥିଲେ ମୁଁ ବରଂ ଖୁସି ହୋଇଥାନ୍ତି, କିନ୍ତୁ ଏମିତି ଲୁଚି ଛପି ବିଶ୍ୱନାଥର ହାତଧରି ଚାଲି ଯିବାଦ୍ୱାରା ମୋ ମନରେ ତିକ୍ତତା ସୃଷ୍ଟି ହୋଇଛି । ତୁମେ କୁହ ସୁଖଦା, ପ୍ରତିଜ୍ଞା କରି କଣ ଏମିତି ଠକାଯାଏ ?

 

ଛନ୍ଦାର ତ୍ୟାଗ ପରା ତୁମେ ମୋ ଆଗରେ ପ୍ରଥମେ କହିଥିଲ, ତାର ପ୍ରେମ କେତେ ସ୍ୱଚ୍ଛ, କେତେ ନିଃସ୍ୱାର୍ଥପର, ତାହା ସେଇ ଆଲେଗ୍‌ ସେନ୍‌ଙ୍କ ଉଦାହରଣ ମାଧ୍ୟମରେ ପ୍ରକାଶ କରି ତୁମେ ନିଜ ପ୍ରେମର ମହତ୍ତ୍ୱ ରକ୍ଷା କରି ପାରିଲ କି ?

 

ତା ହେଲେ ?

 

ଛନ୍ଦା ଆଗରେ ମୁଁ ନମ୍ର ହୋଇଯାଏ କେବଳ ଏଇଥିପାଇଁ ।

 

ଏତେବଡ଼ ଅଫିସର ହେଲେ ସୁଦ୍ଧା ନିଜର ଆହତ ମନ ଯୋଗୁ ମୁଁ ଚିହ୍ନା ଜଣା ସମସ୍ତଙ୍କ ନିକଟରେ ଗାମ୍ଭୀର୍ଯ୍ୟ ହରାଏ ।

ଶୈବାଳିନୀ ମୋର ସ୍ତ୍ରୀ ହେଲେ ତ ଦିନେ ତ କାହିଁ ମୋ ଦୁଃଖ ସୁଖ ପଚାରେ ନାହିଁ ।

 

ଖାଲି ମୁଁ ପଚାରୁଥିବି । ମୁଁ ଯେବେ ନ କହିଥିବି ‘ଶୈବାଳିନୀ, ଆଜି କ୍ଲବରେ ଡ୍ୟାନ୍‌ସ ପରଫରମାନ୍‌ସଟି ତୁମକୁ କେମିତି ଲାଗିଲା ?’ ତାହେଲେ ସେ ଦିନ ସାରା ମୋ ପ୍ରତି ମୁହଁ ଫଣ ଫଣ କରି ଚାଲିଥିବ ।

 

ମୋତେ ତା’ ଶାଢ଼ୀପିନ୍ଧାର ତା’ କଥା କହିବାର ପ୍ରଶଂସା କରିବାକୁ ପଡ଼ିବ । ତାହେଲେ ଯାଇଁ ସବୁ ଠିକ୍‌ । ନ ହେଲେ ସବୁ ପ୍ରଳମ୍ବ ଅଶୁଦ୍ଧି ।

 

ମୋ ମନ କଥା ପଚାରେ କିଏ ? ମୋର କଣ ଗୋଟାଏ ସ୍ୱତନ୍ତ୍ର ଅନୁଭୂତି ଅଛି କି ?

 

ମୁଁ ପରା ବାହା ହୋଇଛି ବୋଲି ସବୁ ସ୍ୱତନ୍ତ୍ରତାକୁ ମୋ ସ୍ତ୍ରୀକୁ ବିକି ଦେଇ ସାରିଛି ?

 

ବିବାହ କଲେ ଦାୟିତ୍ୱ ଓ କର୍ତ୍ତବ୍ୟ ବଢ଼ିଯାଏ ସତ, କିନ୍ତୁ ସ୍ୱତନ୍ତ୍ରତାକୁ କଣ ସ୍ତ୍ରୀ ପାଖରେ ଅର୍ପଣ କରି ଦିଆଯାଏ ?

 

କାହିଁ, କେଉଁଠି ତ ମୁଁ ସ୍ୱାମୀ ସ୍ତ୍ରୀର ବନ୍ଧନ ଭିତରେ ଏମିତି କଥା ଦେଖି ନାହିଁ ? ତୁମ ଭାଉଜ ଅହଲ୍ୟା ବି ଏମିତି ନୁହଁନ୍ତି । ତେବେ ଶୈବାଳିନୀ ଏମିତି ବୋଲି ଆଗରୁ ଜାଣିଥିଲେ ମୁଁ ଆଦୌ ତାକୁ ବିବାହ କରି ନଥାନ୍ତି । ମୁଁ କୁଆଡ଼େ ସ୍ୱାମୀ ବୋଲି ମୋର ଆଉ କେଉଁ ଝିଅ ଆଡ଼କୁ ଦୃଷ୍ଟି ନିକ୍ଷେପ କରିବା ଉଚିତ ନୁହେଁ ।

 

ଅର୍ଥାତ୍‌ ସେଠି ସନ୍ଦେହ ଅଛି ।

 

ଶୈବାଳିନୀର ଇଚ୍ଛା, କାର୍‌ ଭିତରେ ମୁଁ କେବଳ ତାରି ଆଡ଼କୁ ଅନାଇ ରହିଥିବି । ଅନାଇଲେ କାଳେ କେଉଁ ଝିଅ ମୋ ଆଖିରେ ଲାଗିଯିବେ !

 

ତୁମେ କଣ ବିଶ୍ୱନାଥ ସାଙ୍ଗରେ କେଉଁଠିକି ବୁଲି ଯାଉଥିବାବେଳେ ତାଙ୍କୁ ଏମିତି ତାଗିଦ୍‌ କରୁଥାଅ ?

 

ତେବେ ଶୈବାଳିନୀ ଏସବୁ କାହିଁକି ନିରୀକ୍ଷଣ କରେ ? ଯଦି ତୁମେ କହିବ ଯେ ତାହା ତାର ଇଚ୍ଛାଧୀନ, ତେବେ ମୁଁ ନାଚାର ।

 

କେବଳ ଗୋଟିଏ କଥା ହୃଦୟ ଖୋଲି ତୁମକୁ କହିବାକୁ ଯାଉଛି ସୁଖଦା; ଶୈବାଳିନୀ ଯଦି ତା’ ଇଚ୍ଛା ଓ ଖିଆଲି ମନୋବୃତ୍ତିର ଅଧୀନ, ତାହେଲେ ସେ କାହିଁକି ସ୍ପଷ୍ଟ କହି ଦେଉନାହିଁ ଯେ ସେ ମୋତେ ବିବାହ କରି ନାହିଁ । ସେ ବିବାହ କରିଛି ତା’ ଇଚ୍ଛାକୁ । ଖିଆଲ୍‌ ହେଉଛି ତା’ ଜୀବନର ଲଗାମ୍‌ । ସ୍ୱାମୀ କିଛି ନୁହେଁ, ନିମିତ୍ତ ମାତ୍ର । ତା ପକ୍ଷରେ ଶଙ୍ଖା ସିନ୍ଦୂରର ମୂଲ୍ୟ କିଛି ନାହିଁ । ଫେସନ ପାଇଁ ସେସବୁ ଧାରଣା କରାଯାଇଛି ।

 

ସଭ୍ୟତାର ସାଜ ହିସାବରେ ସେ ତାର ମୂଲ୍ୟାଙ୍କନ କରୁଛି ।

 

ରାଗ ବା ବିଦ୍ରୋହରେ ମୋ ମନ ଅନ୍ତତଃ ସେତିକି ଅନୁଭବ କରି ଶାନ୍ତନା ପାଇବ ।

 

।। ୪ ।।

 

ଜୀବନର ପଶାପାଲିରେ ପ୍ରଥମ ବାର ତୁମ ସହିତ ଖେଳ ମୁଁ ହାରିଗଲି । ଆଉ ଦ୍ୱିତୀୟ ବାର ଶୈବାଳିନୀ ସହିତ ଖେଳି ଜାଣି ଜାଣି ହାରିବାକୁ ଯାଉଛି । ଶୈବାଳିନୀର କାର୍ଯ୍ୟକଳାପ, ଚାଲିଚଳନରେ ହସ୍ତକ୍ଷେପ କରିବାକୁ ମୋର ମୋଟେ ଇଚ୍ଛା ନାହିଁ ।

 

କାରଣ ମନର ସ୍ପୃହା ମରିଗଲାଣି । ଆଉ ଇଚ୍ଛା ହେବ କୁଆଡ଼ୁ ?

 

ତୁମେ କହିବ ଏଇ ଛଅ ମାସ ହେଲା ବାହା ହେଉ ହେଉ ମନକୁ ମାରି ଦେଲେ ଚଳିବ-? ଜୀବନର ଆଉ ପରା କେତେ ରାସ୍ତା ପଡ଼ିଛି ?

 

ସତ ଯେ, ତେବେ ମୋ ପାଇଁ ସେ ରାସ୍ତାସବୁ ମାୟାର ଛନ୍ଦ—ନିସ୍ତରଙ୍ଗ ପୁଲକ । ମରୀଚିକାର ଆକର୍ଷଣରେ ଆଶାକୁ ଠକାଉଛି । ତୁମେ ଯେଉଁ ଭୂମିକା ସୃଷ୍ଟିକରି ଦେଇଗଲ, ତାରି ଦେହରେ ପଡ଼ି ଅକାଳରେ ମୁଁ କ୍ଳାନ୍ତ ହୋଇ ପଡ଼ିଲିଣି ।

 

ପ୍ରେମ କରି ବିବାହ ନ କରିବା ଯୁକ୍ତିକୁ ଯଦି ଠିକ୍‌ ବୋଲି ଗ୍ରହଣ କରାଯାଏ, ତେବେ ପୁରାଣ ଯୁଗରେ ଦେବତା, ଅସୁର, ରାଜ ରାଜା ମଧ୍ୟରେ ପ୍ରେମ ପାଇଁ ରକ୍ତ-ସଂଗ୍ରାମ ସୃଷ୍ଟି ହେଉଥିଲା କାହିଁକି ?

 

ଇଚ୍ଛା କରିଥିଲେ ବିଶ୍ୱନାଥଠାରୁ ମୁଁ ତୁମକୁ ଛଡ଼ାଇ ଆଣି ପାରିଥାନ୍ତି । ତୁମ ବାପ ମାଙ୍କ ଆଗରେ ରୀତିମତ ଖଣ୍ଡ–ଯୁଦ୍ଧର ଆଶଙ୍କା ଦେଖାଇ ତୁମକୁ ଗୋପନରେ ଚୋରାଇ ଆଣି ବିବାହ କରିଥାନ୍ତି । ବାଧା ଦେଲା ବିବେକ । ମାନବିକତା କ୍ଷାନ୍ତ ହେବାକୁ ପରାମର୍ଶ ଦେଲା । ତୁମର ବିବାହ ବେଦୀରେ ହସ୍ତଗ୍ରନ୍ଥି ପଡ଼ିବା ପର୍ଯ୍ୟନ୍ତ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ, ପ୍ରତିଜ୍ଞା ରକ୍ଷା କରିବା ପାଇଁ ତୁମେ ନିଶ୍ଚୟ ମୋ ପାଖକୁ ଧାଇଁ ଚାଲି ଆସିବ ।

 

ସେଥିଲାଗି ମୁଁ ତୁମ ବିବାହରେ ହସ୍ତକ୍ଷେପ କଲି ନାହିଁ । ତୁମ ଉପରେ ଆଶା ରଖି ଶେଷରେ ମୁଁ ଶିଶୁପାଳ ହେଲି ।

 

ତୁମ ବିବାହର ଠିକ୍‌ ଦିନକ ପରେ....

 

ମୋ ମନରେ ପ୍ରତିକ୍ରିୟା ସୃଷ୍ଟିହେଲା । ମୁଁ ଦୁନିଆର ସବୁ ଶ୍ରେଣୀର ପ୍ରେମିକ ପ୍ରେମିକାଙ୍କୁ ଈର୍ଷା କରିବାକୁ ଲାଗିଲି । ଆଉ ମୋର ଯେଉଁ ସାଙ୍ଗମାନେ ପ୍ରେମ ନ କରିଛନ୍ତି ସେମାନଙ୍କୁ ଉପଦେଶ ଦେଇ କହିଲି, ହେ ଭାଇ, ଏ ଯୁଗରେ ପ୍ରେମର ପରିଣାମ ବଡ଼ ଭୀଷଣ । ପ୍ରେମ ଯଦି ବିଫଳ ହୁଏ, ତେବେ ତାର କଟା ଘା’ରେ ଚୂନ ଲେପିଲେ ସୁଦ୍ଧା ଘା’ ମୋଟେ ଶୁଖିବ ନାହିଁ ।

 

କୈଳାସ ଓ ଛନ୍ଦାର ସଂସାର ସମ୍ବାଦ ଶୁଣିଲା କ୍ଷଣି ମୁଁ ଈର୍ଷାନ୍ୱିତ ହୋଇ ଉଠିଥିଲି । ପୁଣି ମୋର ଅନ୍ତରଙ୍ଗ ବନ୍ଧୁ ନବୀନ ଯେ କି ବର୍ତ୍ତମାନ ଏକ ବିଖ୍ୟାତ ବୈଜ୍ଞାନିକ ହେବାକୁ ଯାଉଛି, ତା ଦାମ୍ପତ୍ୟ ଜୀବନର କିଛି ସୂଚନା ପାଇ ମନ ମୋର ଫିକା ପଡ଼ିଗଲା । ମୁଁ ଭାବି ବସିଥିଲି ତୁମ ମୋ ପ୍ରେମ କେବଳ ହିଁ ଏ ସଂସାରରେ ବିଫଳ ହୋଇ ରହିଗଲା ।

 

ନବୀନ୍‌ ପ୍ରେମ କରି ବିବାହ କରି ନଥିଲା ।

 

ବିଶାଖାକୁ ବିବାହ କରିବା ପୂର୍ବରୁ ସେ ତା ବିଷୟରେ ଥିଲା ସମ୍ପୂର୍ଣ୍ଣ ଅନଭିଜ୍ଞ । କିନ୍ତୁ ପରେ ବିଶାଖାକୁ ବିବାହ କରି ସେ ଯେ ଏକ ଅମୃତର ହାତ ଧରିଛି, ତାହା ସେ ମୋ ଆଗରେ କହି ଗର୍ବରେ ଫାଟି ପଡ଼ୁଥିଲା ।

 

ବିଶାଖା ମଧ୍ୟବିତ୍ତ ପରିବାରର ସାଧାରଣ ଝିଅ । ଯୌତୁକ ନ ଦେଇ ଏ ଉପଯୁକ୍ତ ବରପାତ୍ର ପାଇବାର ଅନୁସନ୍ଧାନରେ ଥିଲେ ବିଶାଖାର ବାପା ଶୁଦ୍ଧୋଦନ ବାବୁ ।

 

ବୁଲି ବୁଲି ବହୁ ଦ୍ୱାରସ୍ଥ ସେ ହୋଇଥିଲେ । ଶେଷରେ ନବୀନ୍‌ର ବାପା ଓ ବୋଉଙ୍କ ପାଖରେ ଅନୁନୟ ହୋଇ ଶୁଦ୍ଧୋଦନ ବାବୁ ତାଙ୍କ ଝିଅ ବିଶାଖାକୁ ନବୀନ୍‌ ହାତରେ ଟେକି ଦେବାକୁ କହିଲେ ।

 

ନବୀନ୍‌ର ବାପ ମା ଅର୍ଥପିପାସୁ କମ୍ବା ଅଭିଜାତ ମନୋବୃତ୍ତିର ନୁହନ୍ତି । ସେମାନେ ଶୁଦ୍ଧୋଦନଙ୍କ ପ୍ରସ୍ତାବ ଗ୍ରହଣ କରି ନବୀନ୍‌ର ମତ ଚାହିଁଲେ !

 

ଆଜିକାଲିକା ପିଲା ହିସାବରେ ନବୀନ୍‌ର ତ ପୁଣି ସ୍ୱତନ୍ତ୍ର ମନୋବୃତ୍ତି ଅଛି । ତେଣୁ ସେମାନେ ପଚାରିଲେ, କିନ୍ତୁ ନବୀନ୍‌ ନିଜ ମତ ଦେଲା ନାହିଁ । ସେ ତା ବୋଉ ଉପରେ ଭାର ଛାଡ଼ିଦେଇ ନିଶ୍ଚିନ୍ତ ରହିଲା ।

 

ବୋଉ ଉପରେ ତା ବନ୍ଧନର ଭାର ଛାଡ଼ି ଦେବାର ଗୁରୁତ୍ୱ ସେ ହିଁ ବୁଝିଥିଲା ।

 

ଏତେ ବଡ଼ ଶିକ୍ଷିତ ଯୁବକ ହୋଇ ବୋଉର ପସନ୍ଦ ଉପରେ ସେ ଗୋଟିଏ ଅନାମଧ୍ୟେୟା ଯୁବତୀ ହାତକୁ ଗ୍ରହଣ କରି ନେଲା କାହିଁକି ?

 

କେବଳ ସେଇ ଗୋଟିଏ ବିଚାର ଦୃଷ୍ଟିରୁ ।

 

ଯେଉଁ ବିଚାରକୁ କି ଆଜିର ଉଚ୍ଛୃଙ୍ଖଳ ଯୁବକ ଯୁବତୀମାନେ ସମାଲୋଚନାରେ ଉଡ଼େଇ ଦେବେ ।

 

ସେ ହେଉଛି ସମାଞ୍ଜସ୍ୟ ।

 

ପ୍ରତ୍ୟେକ ନାରୀ ପ୍ରତ୍ୟେକ ନାରୀର ମନ ଊଣା ଅଧିକେ ବୁଝିପାରନ୍ତି । ମା ଯଦି ପୁଅ ମନକୁ ଖାପ ଖୁଆଇ ସେମିତି ଗୋଟିଏ ବୋହୂ ଛନ୍ଦି ଦିଏ, ତେବେ ପୁଅ ଖୁସି ହେବ ନାହିଁ କାହିଁକି-?

 

ସେଥିଲାଗି ନବୀନ ବିଶାଖାକୁ ସନ୍ଦେହହୀନ ଚିତ୍ତରେ ବିବାହ କଲା ।

 

ବିଶାଖାର ବିନୟ ସ୍ୱଭାବ ନବୀନକୁ ଦାମ୍ପତ୍ୟ ଜୀବନର ପ୍ରୀତି ବନ୍ୟାରେ ଭସାଇ ନେଲା । ତେଣୁ ସେମାନେ ମହାଖୁସିରେ ସମୟ ଅତିବାହିତ କରୁଛନ୍ତି ।

 

ପ୍ରେମ ନ କରି ଯେତେ ଲୋକ ଦୁନିଆରେ ବାହା ହେଇଛନ୍ତି ସେମାନଙ୍କ ମଧ୍ୟରୁ ନବୀନ ଜଣେ । ନବୀନ ପ୍ରେମିକ ନ ହୋଇ ସୁଖୀ ହେଲା, କୈଳାସ ପ୍ରେମ ବିବାହ କରି ସୁଖୀ ହେଲା ।

 

କିନ୍ତୁ ମୁଁ ?

 

ମୁଁ କାହିଁକି ଶୈବାଳିନୀକୁ ମୋଟେ କେଇଟା ମାସ ହେଲା ବିବାହ କରି ଆନନ୍ଦ ପାଉ ନାହିଁ ?

 

ଉପଭୋଗ ମଧ୍ୟରେ ମାଦକତା ନାହିଁ କିମ୍ବା ସ୍ୱାମୀ ହୋଇ ଗର୍ବ ଅନୁଭବ କରୁ ନାହିଁ ?

 

ବିଶାଖା ପରି ଶୈବାଳିନୀ ଜଣେ ନାରୀ ।

 

ମାଙ୍କର ପସନ୍ଦ ଉପରେ ମୁଁ ମଧ୍ୟ ଶୈବାଳିନୀକୁ ବିବାହ କରିଛି ।

 

ହେଲେ କାହିଁକି ସୁଖଦା, ନିଝୁମ ରାତିର ରଙ୍ଗୀନ୍‌ ବିଳାସ ଶେଷ ହେଲେ ଶୈବାଳିନୀକୁ ଆଉ ଆଦର କରିବାକୁ ମୋ ମନରେ ସ୍ପୃହା ଜାଗୁ ନାହିଁ ! ସ୍ୱାମୀ ସ୍ତ୍ରୀ ହୋଇ କିଛି ଦୁଇ ପଦ କଥା ହେବାକୁ ମୋ ମନ କାହିଁ ଦବି ଯାଉଛି ! ଏହାର ଉତ୍ତର ତମେ ଦେଇପାରିବ ?

 

ବାସର ରାତିରେ ବି ଦୁର୍ବଳ ହୋଇ ପଡ଼ିଥିଲି ।

 

ଶୈବାଳିନୀକୁ ‘ତୁମେ’ ଭାବି ଯେତେବେଳେ ମୁଁ ଆଲିଙ୍ଗନ କରିବାକୁ ବସେ, ଶୈବାଳିନୀ ମୁହଁ ଖୋଲି କହି ଦେଇଥିଲା ଓଃ ଏଡ଼େ ଦୁଷ୍ଟ ତମେ ସତେ !

 

କିନ୍ତୁ ତୁମେ ମୋତେ କଣ କହିଥିଲ ?

 

ଅତି ଧୀର ସ୍ଥିର ଭାବେ ପଦେ ଅସଭ୍ୟ ଭାଷା ମୋ ପ୍ରତି ପ୍ରୟୋଗ କରିଥିଲ ।

 

ସେଇକଥା ମନେ ପଡ଼ି ମୁଁ ଶୈବାଳିନୀକୁ ଆଡ଼େଇ ଦେଇଥିଲି । ଅବଶ୍ୟ କାମତୃଷ୍ଣା ମେଣ୍ଟାଇବା ପରେ ।

 

କିନ୍ତୁ ନବୀନ୍‌ ମୋ ଆଗରେ ତା’ ବାସର ରାତିର ପ୍ରୀତିବିଳାସ ଖୋଲା ଖୋଲି ବ୍ୟକ୍ତ କରି ଦେଇଥିଲା । କାରଣ ମୁଁ ତାର ନିହାତି ଅନ୍ତରଙ୍ଗ । ଆଉ ସିଏ ବିବାହ କରିବା ସମୟରେ ମୁଁ ଥିଲି ଅବିବାହିତ । ମୋ ହୃଦୟ–ପ୍ରାଙ୍ଗଣରେ ତୁମ ଅବଦାନର ଆହତ ମନ ବ୍ୟସ୍ତ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଥିଲା । ତେଣୁ ନବୀନ୍‌କୁ ବୁଝିବାପାଇଁ ଡେରି ଲାଗି ନଥିଲା ସେଦିନ । ସେଥିଲାଗି ମୋ ଆଗରେ ସେ ତା’ ବିବାହ ରଜନୀରେ ବିଶାଖାର ପତ୍ନୀ ଆଭିମୁଖ୍ୟ ସବୁ ବର୍ଣ୍ଣନା କରି ଯାଇଥିଲା ଗୋଟି ଗୋଟି କରି କେବଳ ମୁଁ ତୃପ୍ତି ପାଇବି ବୋଲି । ମୁଁ ତା’ ସଂସାରର ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ପରିବର୍ତ୍ତନ ହୋଇ ଯିବି ବୋଲି !

 

ତେବେ ସେ ମୋଠାରୁ ଅନେକ କିଛି ଚାହୁଁଥିଲା, ବନ୍ଧୁ ବୋଲି ମୋତେ ଶାନ୍ତିରେ ରଖିବାକୁ ତାର ଚେଷ୍ଟା କିଛି କମ୍‌ ନଥିଲା । ତେଣୁ ସେ ବୋଉ ସାଙ୍ଗରେ ସହଯୋଗ କରି ଜଣେ ଅଜଣା ଝିଅ ହାତରେ ମୋତେ ଛନ୍ଦି ଦେବାକୁ ଖୁବ୍‌ ଉଦ୍ୟମ କରିଥିଲା । ହେଲେ ଲାଭ କିଛି ହେଲା ନାହିଁ । ତା’ ଉଦ୍ୟମର ପରିଣତି ସ୍ୱରୂପ ଶୈବାଳିନୀ ହେଲା ମୋର ପତ୍ନୀ ।

 

ବୋଉର ଉଦ୍ଦେଶ୍ୟ ଥିଲା ଏମିତି ଗୋଟିଏ ଝିଅକୁ ସେ ମୋ ସାଙ୍ଗରେ ବିଭା ଦେବ; ଯେ କି ମୋ ପ୍ରକୃତିକୁ ସେ ସଦାସର୍ବଦା ଉଦ୍ଧତ କରି ରଖିବ । ସେ ମୋତେ ଆକ୍ରମଣ କଲେ ମୁଁ କୁଆଡ଼େ ତାକୁ ପ୍ରତିଆକ୍ରମଣ କରି ଦବେଇ ଦେବି । ଫଳରେ ମୋ ଶାନ୍ତ ପ୍ରକୃତିର ଅବସାନ ଘଟିବ-

 

ସେଇ ଦୃଷ୍ଟିରୁ ଶୈବାଳିନୀ ପସନ୍ଦ ହେଲା ।

 

ତୁମେ ମୋ ମନର ସମ୍ପୂର୍ଣ୍ଣ ଅବସ୍ଥା ନ ବୁଝି କହିପାର ଯେ ବୋଉ ଯେତେବେଳେ ଆମ ପ୍ରେମ ପ୍ରଣୟ ଜାଣିଥିଲା କିମ୍ବା ଛନ୍ଦା ଜାଣିଥିଲା, ସେମାନେ କାଳେ ଶୈବାଳିନୀକୁ ସେଇ ଦୃଷ୍ଟିରୁ ମୋ ପ୍ରତି ସତର୍କ କରି ଦେଇଥିବେ

 

ତା ନୁହେଁ ।

 

ବୋଉ ଜାଣି ଜାଣି ବହୁ ଦୂରରୁ ଶୈବାଳିନୀକୁ ବୋହୂ କରି ଆଣିଲା । ପୁଅ ମନରେ ଆଘାତ ଦେବାକୁ କେଉଁ ମା ସହୃଦୟରେ ଭଲ ପାଏ ?

 

ସେଥିପାଇଁ ଏକମାତ୍ର ଅବଲମ୍ବନ ଛନ୍ଦା ହୋଇପାରେ ?

 

କିନ୍ତୁ ଛନ୍ଦା ସେଭଳି ମନ୍ଦ ଉଦ୍ଦେଶ୍ୟ ପାଇଁ ମନ ବଳାଇ ନଥିଲା । ପୁଣି ଛନ୍ଦା ଯେ ତା’ ବିଷ ଅତୀତ ପ୍ରତି ସବୁବେଳେ ସଜାଗ ତାହା ତୁମେ ଜାଣ । ସେ ଯଦି ତମ ସମ୍ପର୍କରେ କୁହେ, ତା ଅତୀତକୁ ମୁଁ ଶୈବାଳିନୀ ଆଗରେ ପ୍ରକାଶ କରି ଦେବାକୁ ସେ ଭୟ କରିବ ନାହିଁକି ?

 

କୈଳାସ ଆଗରେ ସିନା ସେ ପ୍ରଶଂସନୀୟ, କିନ୍ତୁ ଆଦର୍ଶମୟ ସମାଜ ଆଖିରେ ?

 

ଯେଉଁ ସମାଜରେ ଆଲେଗସେନ୍‌ଙ୍କ ପରି ଲୋକ ଅଛନ୍ତି ?

 

ସେଥିଲାଗି ଛନ୍ଦା କିମ୍ବା କୈଳାସ କାହାରି ଆଗରେ ଆମ କଥା କେହି କହି ନାହାନ୍ତି ବୋଲି ମୋ ବିଶ୍ୱାସ ।

 

ବରଂ ଛନ୍ଦା ଆମର ଅକୃତକାର୍ଯ୍ୟ ପ୍ରେମ କାହାଣୀ ଶୈବାଳିନୀ ଆଗରେ ପ୍ରକାଶ ନ କରିବାଦ୍ୱାରା ମୋ ଚରିତ୍ର ସାଙ୍ଗରେ ବାରମ୍ବାର ଅଭିଯୁକ୍ତ ହେଉଛି ।

 

ତେଣୁ ଏଇ ସବୁ ଯୁକ୍ତି ପ୍ରମାଣ କରି ମୋ ଔପନ୍ୟାସିକ ମନକୁ ଯେତିକି ଭୁଲାଇ ଦିଆଯାଉଛି, କେଉଁଥିରେ ମୋତେ ଶାନ୍ତି ମିଳିଲା ପରି ଜଣାଯାଉନାହିଁ ।

 

ନବୀନ୍‌ ପ୍ରତି ଚିଠିରେ ଲେଖୁଛି, ‘ତୁ ବାହା ହୋଇ କେମିତି ସୁଖରେ ଚଳୁଛୁ, ଶୀଘ୍ର ଜଣା-।’

 

ମୁଁ ତାକୁ ନାନାଦି ମିଛ ଉତ୍ତର ଦେଇ ଚୁପ୍‌ ହୋଇ ରହୁଛି ।

 

ତୁମେ କୁହ, ମୁଁ କେତେଦିନ ଆଉ ମନକୁ ଏମିତି ପ୍ରତାରିତ କରି ଦାମ୍ପତ୍ୟ ଜୀବନରେ ଗତି କରିବି । ଜୀବନର ସୁଦୀର୍ଘ ରାସ୍ତାର ଏଇ ମାତ୍ର ଆରମ୍ଭ । ଏଇଠୁ ଯେତେବେଳେ ଆଘାତ, ଠୋକର ଖାଇଲିଣି, ଏତେ ରାସ୍ତା ପାରି ହେବାକୁ ହେଲେ ମୁଁ କେତେ ରକ୍ତାକ୍ତ ହୋଇ ନଥିବି ।

 

ତୁମକୁ କେବଳ ମନ ଦୁଃଖରେ କହୁଛି ଆଉ କହିବି । ଆଉ ମଧ୍ୟ କେତେଜଣଙ୍କୁ ଏମିତି କହୁଚି ଯେଉଁମାନଙ୍କୁ କେହି ଜାଣି ନାହାନ୍ତି କି କେବେ ଜାଣିବାର ସୁଯୋଗ ମଧ୍ୟ ପାଇବେ ନାହିଁ ।

 

ସେମାନେ କିଏ ଜାଣ ?

 

ସେମାନେ ହେଲେ ମୋ ଉପନ୍ୟାସର ଚରିତ୍ରଗୁଡ଼ିକ ।

 

ନିର୍ଜୀବ ହେଲେ ଓ ମୁଁ ଭାବେ ସେମାନଙ୍କର ଜୀବନ ଅଛି, ଆଖି, କାନ, ନାକ ସବୁ ଅଛି-

 

ସର୍ବୋପରି ଅଛି ସେମାନଙ୍କର ମନ ।

 

ତେଣୁ ସେମାନଙ୍କ ଅକୁହା ଭାବନା ମୋତେ ପ୍ରତି ମୁହୂର୍ତ୍ତରେ ଶରବିଦ୍ଧ କରୁଛି ।

 

ମାଧୁରୀ, ସଙ୍ଗୀତା କଣ ତୁମେ ଆଉ ଶୈବାଳିନୀ ନୁହଁ ?

 

ଶିବରାମ, ଭାସ୍କର, ଅନାଦି କଣ ମୁଁ, କୈଳାସ ଆଉ ବିଶ୍ୱନାଥ ନୁହନ୍ତି ?

 

ମୋ ପକ୍ଷରେ ଉପନ୍ୟାସର ଏଇ ନାୟକ, ନାୟିକାଗଣ ନିର୍ଜୀବ ହେଲେ ଓ ଆଶ୍ୱାସନା ! କିନ୍ତୁ ଯେତେ ସଜୀବ ଚରିତ୍ର ମୋ ଆଖି ଆଗରେ ଘୁରୁଛନ୍ତି । ସମସ୍ତେ ଯେମିତି ମତେ ନୀରବରେ ଉପହାସ କରୁଛନ୍ତି ଆଉ କହୁଛନ୍ତି ବାରୀନ୍ଦ୍ର, ତୁମେ ଶୈବାଳିନୀକୁ ଛାଡ଼ପତ୍ର ଦେଲେ ସୁଖରେ ରହିବ-। ଏହି ଅବସ୍ଥାରୁ ଶୈବାଳିନୀ ସହିତ ମତାନ୍ତର ସୃଷ୍ଟି କରି ତାକୁ ଛାଡ଼ପତ୍ର ଦିଅ ।

 

ହୁଏତ ଶୈବାଳିନୀକୁ ମୁଁ ଛାଡ଼ପତ୍ର ଦେବି । ତା ପରେ ? ମୋ ଜୀବନରେ ତାର ପରବର୍ତ୍ତୀ ଆକର୍ଷଣ କଣ ?

 

ଶୈବାଳିନୀକୁ ଛାଡ଼ପତ୍ର ଦେଲେ ତୁମେ ତ ବିଶ୍ୱନାଥ ପାଖରୁ ମୋ ନିକଟ ଖସି ଆସିବ ନାହିଁ ? ମୁଁ ଛାତ୍ରପତ୍ର ଦେଇ କଣ କରିବି ?

 

ତୁମେ କହିପାର ଆଉ ଗୋଟିଏ ମନଲାଖି ଝିଅକୁ ମୁଁ ବିବାହ କରିବି ।

 

ତାହେଲେ କଣ ସୁଖୀ ହେବି ?

 

କେମିତି ସୁଖୀ ହେବି ! ସେ ପରା ପ୍ରଥମେ ମୋ ହାତଧରି ଆସୁ ଆସୁ କହିବ, ‘‘ତୁମେ ଜଣକୁ ବାହା ହେଇ ଛାଡ଼ପତ୍ର ଦେଲ, ତା ମନ ସାଙ୍ଗରେ ତୁମ ମନ ଖାପ ଖାଇଲା ନାହିଁ ବୋଲି । ଆଉ ମୋତେ କଣ ସବୁଦିନେ ତୁମର କରି ରଖି ପାରିବ ?’’

 

ସତରେ ସୁଖଦା, ମୁଁ କେମିତି ତାକୁ ମୋର କରି ରଖିପାରିବି । ଜୀବନରେ ଦୁଇ ଦୁଇ ଥର ଠକି ଆଉ ଜଣଙ୍କ ସହିତ ଶାନ୍ତିର ନୀଡ଼ ବାନ୍ଧି ପାରିବି ବୋଲି କେଉଁ ଭରସା ଅଛି ?

 

ତୁମକୁ ଏତେ ଭଲ ପାଇ ଛନ୍ଦି ବାନ୍ଧି ରଖିପାରିଲି ନାହିଁ ଯେତେବେଳେ, ଆଉ ସମସ୍ତଙ୍କୁ ରଖିବି କେବଳ ନାଁକୁ ମାତ୍ର ସ୍ତ୍ରୀ ଆଖ୍ୟା ଦେଇ ସିନା, ମାତ୍ର ହୃଦୟ ଓ ମନ ମୋଟେ ବୁଝିବ ନାହିଁ ।

 

ଯାହାହେଉ ତୁମେ ମୋତେ ମନସ୍ତାତ୍ତ୍ୱିକ ଦ୍ୱନ୍ଦ୍ୱ ମଧ୍ୟରେ ଛାଡ଼ିଦେଇ ଗଲ । କେମିତି ମୁଁ ସେଥିରୁ ଉଦ୍ଧାର ପାଇବି ତାର ବାଟ ମୋତେ ଦିଶୁ ନାହିଁ ।

 

ବେଳେବେଳେ ଭାବୁଛି ଚାକିରି, ଘରସଂସାର ଛାଡ଼ି ସନ୍ନ୍ୟାସୀ ହୋଇଯିବି । କେଉଁ ଏକାମ୍ର ନିକାଞ୍ଚନରେ ଯାଇ ଏକାଗ୍ରତାର ଅବଲମ୍ବରେ ସାଧନା କରି ତୃପ୍ତି ପାଇବି । କିନ୍ତୁ ଏଇ ବୟସରୁ ମୋହ ମାୟାରୁ ବିରତି ହେଲେ ସମାଜ କଣ କହିବ ? ମୋର ସାଙ୍ଗ ସୁଖ ଲୋକେ ମୋତେ ସମାଲୋଚନା କରି ବାଟ ଚଲାଇ ଦେବେ ତ ?

 

ସମସ୍ତେ କହିବେ ଭଣ୍ଡ ତପସ୍ୱୀ ! ଅରଣ୍ୟର ନିର୍ଜନତାକୁ ଉପାସନା କରି ବେଶ୍‌ ଭକ୍ତ ପାଲଟି ଗଲାଣି !

 

ତୁମେ ଅବଶ୍ୟ ଏହି ମର୍ମରେ କେତେ ମହାନ୍‌ ବ୍ୟକ୍ତି ବୁଦ୍ଧଦେବ ପ୍ରଭୃତିଙ୍କର ଉଦାହରଣ ଦେବ ।

 

ହେଲେ ସେମାନଙ୍କ ପରିସ୍ଥିତି ମୋଠାରୁ ସମ୍ପୂର୍ଣ୍ଣ ପୃଥକ, ସାତ୍ତ୍ୱିକ ଧର୍ମରେ ଅନୁପ୍ରାଣିତ ହୋଇ ଶିବାନନ୍ଦ, ବୁଦ୍ଧଦେବ, ଅରବିନ୍ଦ ପ୍ରଭୃତି ଗୃହ ପରିତ୍ୟାଗ କରିଥିଲେ ।

 

ମୋ’ଠାରେ କେଉଁ ସାତ୍ତ୍ୱିକ ଗୁଣ ଅଛି ?

 

ନାରୀ ଉପଭୋଗ କରିବାର କାମନା କଣ ମୋଠାରେ ନାହିଁ ?

 

ମୁଁ ପରା ଶୈବାଳିନୀକୁ ଭଲ ନପାଇ ସୁଦ୍ଧା ତାର ଦେହକୁ ଉପଭୋଗ କରିବାକୁ ଲାଳାୟିତ ।

 

ତା’ ମାଂସର ଉଷ୍ଣ ପିପାସାକୁ ପାନ କରିବାକୁ ସଦାସର୍ବଦା ଚାହିଁ ବସିଛି ।

 

କେବଳ ସେତିକି ।

 

ସେତିକିର ଖେଳ ଶେଷ ହେଲେ ଶୈବାଳିନୀ ପ୍ରତି ମୋର ଆଉ ଆସକ୍ତି ଆସୁ ନାହିଁ । ତା ବନ୍ଧନ ପ୍ରତି ମୋହ ମମତା ଜାଗୁ ନାହିଁ !

 

ତେଣୁ ମୁଁ କେମିତି ସନ୍ନ୍ୟାସୀ ହୋଇଯିବି, ତାହା ବି ଏକ ପ୍ରଶ୍ନ !

 

ମୋ ମନରେ ତାମସିକ ଭାବ ପ୍ରବଳ ହୋଇ ଉଠୁ ନଥିଲେ ସଂସାର ତ୍ୟାଗୀ ହେବା ସମ୍ଭବ ହୁଅନ୍ତା ।

 

ଯେଉଁମାନେ ସନ୍ନ୍ୟାସୀ ହୋଇ ଯାଇଛନ୍ତି କିମ୍ବା ମୁକ୍ତି ପାଇଁ ସାଧନା କରି ବସିଛନ୍ତି, ସେମାନଙ୍କ ଠାରେ କଣ ଏଇ ତାମସିକ ଭାବ ନଥିଲା ? ଥିଲା ।

 

ମୁଁ ଅବଶ୍ୟ ମାନୁଛି ଯେ କୌଣସି ସଜୀବ ଆତ୍ମା ବିନା ତାମସିକ ଭାବ ନେଇ ଏଇ ସଂସାରରେ ଜନ୍ମ ଗ୍ରହଣ କରିନାହାନ୍ତି କି କରିବେ ନାହିଁ । ତେବେ ସେଇ ଭାବର ପରିମାଣ ଉଗ୍ର ହେଲେ ଖରାପ ।

 

ମୁଁ ସେଇ ଉଗ୍ର ତାମସିକ ପନ୍ଥୀର ଯୁବକ ।

 

ମୋତେ ତୁମେ ଆରମ୍ଭରୁ ଏମିତି ଶିଥିଳ କରି ଦେଇଛ ।

 

ନିର୍ଜ୍ଜନତାର ଆହ୍ୱାନରେ ମୁଁ ଯେତେବେଳେ ପାଗଳ ହୋଇ ଉଠୁଥିଲି, ତୁମେ ସେତେବେଳେ ମୋ ପାଖକୁ ଲାଗି ଆସୁଥିଲ ।

 

ମୋତେ ଆହୁରି ଯୌନବଦ୍ଧ କରି ଉନ୍ମୁକ୍ତ ପ୍ରେମିକ କରିପକାଉ ଥିଲ ।

 

ତୁମରି ମାଂସର ସଙ୍ଗୀତ ସ୍ୱରରେ ମନ୍ତ୍ରମୁଗ୍‌ଧ ହୋଇ ମୁଁ ଡୁବି ରହୁଥିଲି ।

 

ଉଷ୍ଣତା ଉପରେ ଉଷ୍ଣତା ଥିଲା ମୋ ନିର୍ଜ୍ଜନ କକ୍ଷର ମୋହ ।

 

ବିଚ୍ଛେଦର ଧାରଣା ମନରେ ତ ଆସୁ ନଥିଲା, ତେବେ ତାମସିକ ଭାବନା କମି ଯାଇଥାନ୍ତା କାହିଁକି ?

 

ତେଣୁ ତୁମେହିଁ ମୋତେ ସାଂସାରିକ ମୋହ ମାୟାରେ ପ୍ରଥମେ ପାଗଳ କରି ଦେଇଗଲ । ଆଉ ମୋର ଉଷ୍ଣ ରକ୍ତରେ ଭରି ଦେଇଗଲ ବିରହ, ବେଦନା, ଅଭିମାନ, ସନ୍ଦେହ ସବୁ କିଛି । ଯାହା ପ୍ରେମ ଓ ବାସନାର ବଡ଼ ବଡ଼ ଅଂଶ । ଜୀବନରେ ଛନ୍ଦି ହୋଇ ରହିଲେ ସେ ଛନ୍ଦକୁ କାଟିବା କଷ୍ଟ ।

 

ଆଜି ମୁଁ ଯେତେ ଚେଷ୍ଟା କଲେ ଏଇ ଜାଲ ମଧ୍ୟରୁ କେମିତି ମୁକ୍ତି ପାଉଛି ?

 

ତୁମେ ଭରି ଦେଇ ଯାଇଥିବା ବିଷ ପ୍ରେମର ଆକାଙ୍‌କ୍ଷା ମୋ ହୃଦୟର ରନ୍ଧ୍ରେ ରନ୍ଧ୍ରେ ଘାରି ହେଉଛି ।

 

ଶୈବାଳିନୀକୁ ଯୌନ ପ୍ରତିମୂର୍ତ୍ତି ଛଡ଼ା ମୁଁ ଆଉ କିଛି ଭାବୁ ନାହିଁ ।

 

ତେଣୁ ଯୌନ ମୂର୍ତ୍ତିର ସ୍ପର୍ଶ ପାଇ ମୁଁ କେମିତି ସାତ୍ତ୍ୱିକ ନିରାକାରର ବ୍ରତୀ ହେବି ।

 

ସନ୍ନ୍ୟାସୀ ହୋଇ ସବୁ ଭୁଲିଯିବା ସମ୍ଭବ ହେଲେ ସୁଦ୍ଧା ମୋ ପକ୍ଷରେ ତ ହୋଇପାରିବ ନାହିଁ ।

 

ତେଣୁ ଜଞ୍ଜାଳ ମଧ୍ୟରେ ମନ କେମିତି ଶାନ୍ତି ପାଇବ, ସେଇ ଯୋଜନାର ଉପାୟ ସ୍ଥିର କରୁଛି ମୁଁ ।

 

ତୁମ ମନେ ପଡ଼ୁଥିବ, ପୁରୀ ଚନ୍ଦନ ଯାତ୍ରାରୁ ଫେରିବା ବାଟରେ ମୁଁ ଯେତେବେଳେ ସେଇ ସନ୍ନ୍ୟାସୀ ବାବାଙ୍କୁ ଦେଖି ତାଙ୍କ ନିକଟ ଆକୃଷ୍ଟ ହୋଇଗଲି; ତୁମେ ସେତେବେଳେ ହସିଥିଲ-

 

ମୋତେ କହିଥିଲ ବାରୀନ୍ଦ୍ର, ତୁମେ ଦୁର୍ବଳ । ମଣିଷକୁ ଛଳନାର ଆବୃତ୍ତିରେ ବେଶ କରି ଯିଏ ତୁମ ଆଖିରେ ଭେଳିକି ସୃଷ୍ଟି କରୁଛି, ତୁମେ ତାକୁ ଦେଖି ଭକ୍ତି କରୁଛ ।

 

ସେ ଯୁକ୍ତି ସେଇ ପରିସ୍ଥିତିରେ କେତେଦୂର ଠିକ୍‌ ଥିଲା, ମୁଁ ତାହା ଆଜି ଭାବି ପାରୁନାହିଁ-। ମୁଁ ମାତ୍ର ଏତିକି ଭାବୁଛି ଯେ ତୁମେ ବି ଛଳନା ପାଖରେ ନିଜତ୍ୱକୁ ବିକି ଦେଇଛ, ତାହା ମୁକ୍ତକଣ୍ଠରେ ଆଜି ଅସ୍ୱୀକାର କରିପାରିବ ନାହିଁ ।

 

ମୋର ସଂସାର ତ୍ୟାଗ କରିବା ପଛେ ନ ହେଉ କିନ୍ତୁ ମୁଁ ଭାବୁଛି ସମୟର ଛାଲ ଘୋଡ଼ାଇ ହୋଇ ମଣିଷ ପରିବର୍ତ୍ତିତ ହେଲେ ଅତୀତ କଣ କେବେ ଛାଡ଼ିଦେବ ?

 

କଣ ଧରା ପଡ଼ିବେ ନାହିଁ ବୋଲି ?

 

ଭୁଲର ପରିଣାମ ଭୋଗ କରିବା ପାଇଁ ସମୟ ସମସ୍ତଙ୍କୁ ଧରା ପକାଇ ଦିଏ ।

 

ଅତି ନିଗମ ବେଳାରେ ଧରାପଡ଼ନ୍ତି । ଜଣଙ୍କର ମନ ସନ୍ତୁଳି ହେଲେ, ତାର ସହଯୋଗୀ ଏତେ ସହଜରେ ସୁଖୀ ହୋଇପାରେନା ।

 

ଏ ତୁଠରେ ନ ହେଲେ ଆର ତୁଠରେ ଧରା ପଡ଼ିବ ତ ? ବନମାୟା କେମିତି ଧରା ପଡ଼ିଲା ?

 

ରିସର୍ଚ୍ଚ ଅଫିସର ଅର୍ଜ୍ଜୁନ ଘୋଷଙ୍କ ସହିତ ପ୍ରେମ କରି ଡକ୍ଟର ରମେଶ ଚୌଧୁରୀଙ୍କୁ ବିବାହ କରିବା ପରେ ସେ ଭାବିଥିଲା ଉଚ୍ଛୃଙ୍ଖଳତାର ପାହାଚ ଚିରଦିନ ଲାଗି ତା ଆଖିରୁ ଲୁଚିଗଲା-

 

କିନ୍ତୁ ?

 

ବନମାୟାକୁ ସେଇ ଧରା ପକେଇ ଦେଲା ।

 

ଯିଏ ଦେଖିଥିଲା ବନମାୟାର ପ୍ରେମ ।

 

ଆଶ୍ଚର୍ଯ୍ୟ ହେଲେ ଶୁଣି ପାରିବ ନାହିଁ ସୁଖଦା !

 

ବନମାୟାକୁ ଯିଏ ଧରା ପକେଇ ଦେଲା ସିଏ ତମ ଆମ ପରି ମଣିଷ ନୁହେଁ ।

 

ସିଏ......

 

ମଣିଷ ଶରୀରର ଗୋଟାଏ ଅଂଶ ।

 

ହୃଦୟ ।

 

ଯେଉଁ ହୃଦୟ ସହିତ ଅର୍ଜ୍ଜୁନ୍‌ ଘୋଷ ଖେଳ ଖେଳିଲେ ସେଥିରେ ରହିଲା ତାଙ୍କର ସ୍ୱାକ୍ଷର ।

 

ସନ୍ତାନ !

 

ବନମାୟା ଚମକି ଉଠିଲା ।

 

ଏ କଣ କଲେ ଅର୍ଜ୍ଜୁନ ବାବୁ ! ଆପଣ ମେତେ ଗ୍ରହଣ କରନ୍ତୁ । ନତୁବା ଏଇ ଆରମ୍ଭରୁ ଗର୍ଭ ନଷ୍ଟ ପାଇଁ ଔଷଧ ଦିଅନ୍ତୁ । ରିସର୍ଚ୍ଚ ଅଫିସର ଅର୍ଜ୍ଜୁନ ଘୋଷ ବନମାୟାକୁ ଦୂରେଇ ଦେବାକୁ ଚାହିଁଲେ ।

 

ହେଲେ ତାଙ୍କ ମନରେ ଟିକେ ଦୟା ହେଲା ।

 

ସେ ଚେଷ୍ଟା କଲେ ଏଇ ସମୟରୁ ବନମାୟାକୁ ଉପଯୁକ୍ତ ବ୍ୟକ୍ତି ହାତରେ ଟେକିଦେଲେ ସେ ଚିରଦିନ ଲାଗି ସୁଖୀ ହେବ । ଗର୍ଭ ନଷ୍ଟ ନ କରି ଯାହା ହାତଧରି ସେ ବାହା ହୋଇଯିବ, ସେ ହେବ ତାର ଜନକ ।

 

ତାରି ମୁଣ୍ଡରେ ଅଠା ବୋଳି ଅର୍ଜ୍ଜୁନ ଘୋଷ ତ୍ରାହି ପାଇଯିବେ ବୋଲି ଭାବିଥିଲେ ।

 

ବନମାୟା ପ୍ରଥମେ ତାଙ୍କ କଥାରେ ରାଜି ହେଉ ନଥିଲା । ଯେତେବେଳେ ଶୁଣିଲା ଯେ ଡା: ରମେଶ ଚୌଧୁରୀ ସହିତ ତାର ବିଭାଘର ଠିକ୍‌ ହେଉଛି ସେ ଖୁସି ହୋଇ ହଁ ଭରିଲା ।

 

ଅର୍ଜ୍ଜୁନ ଘୋଷଙ୍କର ଅନ୍ତରଙ୍ଗ ବନ୍ଧୁ ହେଉଛନ୍ତି ଡା: ରମେଶ ଚୌଧୁରୀ ।

 

ଡା: ରମେଶ ଚୌଧୁରୀ ଅର୍ଜ୍ଜୁନ ବାବୁଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ । ବିବାହ କରିବାକୁ ସେ ମୋଟେ ରାଜି ନଥିଲେ । କିନ୍ତୁ ଅର୍ଜ୍ଜୁନ ବାବୁ ବାଧ୍ୟ କରିବା ଫଳରେ ସେ ବନମାୟାକୁ ଗ୍ରହଣ କଲେ !

 

ରମେଶ ବାବୁ ଡାକ୍ତର ! ତାଙ୍କ ଆଖିରେ ହୃଦୟର କୌଣସି ଅଙ୍ଗ ଲୁଚି ରହିନପାରେ । ବିବାହ ବାସରର ପ୍ରଥମ ସାକ୍ଷାତରେ ସେ ବନମାୟାକୁ ସନ୍ଦେହ କଲେ । ବନମାୟା ଯେ ଅନ୍ୟ ଜଣେ ପୁରୁଷଦ୍ୱାରା ନଷ୍ଟଭ୍ରଷ୍ଟ ହୋଇଛି ତାହା ତାର ଉନ୍ମୁକ୍ତ ଅଙ୍ଗରୁ ରମେଶ ବାବୁ ବେଶ୍‌ ବୁଝି ପାରିଥିଲେ । ସେଇ ସନ୍ଦେହରୁ ସେ ଜାଣି ପାରିଲେ ଯେ, ବାନମାୟା ଅନ୍ତରରେ ସନ୍ତାନ ।

 

ବନମାୟାକୁ ସେ ପ୍ରତ୍ୟାଖ୍ୟାନ କରିଥାନ୍ତେ । ଛାଡ଼ପତ୍ର ଦେଇ ତା’ କଳଙ୍କିତ ହୃଦୟ ସ୍ପର୍ଶରୁ ମୁକ୍ତି ପାଇଥାନ୍ତେ । କିନ୍ତୁ ଅର୍ଜ୍ଜୁନ ବାବୁ ବାଧା ଦେଲେ । ବନମାୟାର ଗର୍ଭ ନଷ୍ଟ କରି ନିଜ ସମ୍ମାନକୁ ବଜାୟ ରଖିବାକୁ ସେ ଉପଦେଶ ଦେଲେ ।

 

ବିଚାର ବନମାୟାର ଜୀବନ ରକ୍ଷା ହୋଇଗଲା ।

 

କିନ୍ତୁ ସେ ଯେ ସ୍ୱାମୀ ରମେଶ ବାବୁଙ୍କ ନିକଟରେ ଯୌନଜୀବନକୁ ସୁଖୀ କରିପାରିଲା ତା ନୁହେଁ ।

 

ତା’ କଳଙ୍କିତ ହୃଦୟ ସବୁବେଳେ ରମେଶ ବାବୁଙ୍କ ନିକଟରେ ଦୁର୍ବଳ ହୋଇ ରହିଲା ।

 

ସହବାସ ଶଯ୍ୟାକୁ ଶର ଶଯ୍ୟା ମଣି ସେ ପରିଣାମକୁ ମୁଣ୍ଡ ପାତି ସହି ନେଲା ।

 

ମନର ସମତାଳ ନ ଥାଇ ସଙ୍କୁଚିତ ମନରେ ଗତି କଲେ ରମେଶ ବାବୁ ।

 

ବନମାୟା କେବଳ ବୈଦିକ ମତ ଅନୁସାରେ ତାଙ୍କ ସ୍ତ୍ରୀ । କିନ୍ତୁ ହୃଦୟରେ ଚିରଦିନ ଲାଗି ଘୃଣାର ପାତ୍ର ହୋଇ ରହିଲା ।

 

ବନମାୟା ରମେଶ ବାବୁଙ୍କ ସମ୍ବାଦ ଶୁଣି ତୁମେ ନିଶ୍ଚୟ ଥରି ଉଠିବା ଅତୀତର ଶୁପ୍ତ ମୁହୂର୍ତ୍ତ ତୁମର ଚେଇଁ ଉଠିବେ ।

 

କିନ୍ତୁ ମୁଁ କଣ କରିବି ? ମୁଁ ଯେତେବେଳେ ବନ୍ଧନ ସ୍ରୋତରେ ପଡ଼ି ଉବୁଟୁବୁ ହେଉଛି, ଶାନ୍ତି–କିନାରା ପାଇବାକୁ ଆଶ୍ରା ନାହିଁ, ସେତେବେଳେ ତୁମେ ନୀରବରେ ବହୁଦୂରରେ ଥାଇ ଶାନ୍ତି ପାଇବ କାହିଁକି ? ମୋ ଭିଣୋଇ ସୂର୍ଯ୍ୟକାନ୍ତ ବାବୁଙ୍କ ଭାଣିଜୀ ଲୁସିକୁ ତୁମେ ଜାଣିଥିବ ?

 

ଅବଶ୍ୟ ଲୁସି ତା’ ଶ୍ରଦ୍ଧାର ଡାକ ନାଁ ! ଏଇ ନାଁରେ ସେ ବହୁ ଜାଗାରେ ପରିଚିତା ! ଓଢ଼ଣୀ ନୃତ୍ୟ କଳା ପରିଷଦ ତରଫରୁ ସେ ଏକମାତ୍ର ଝିଅ ଯେ କି ଦିଲ୍ଲୀ କମ୍ପିଟିସନରେ ଯାଇ ଯୋଗ ଦେଇଥିଲା ।

 

ସେ ତୁମ କଥା କହୁଥିଲା । ତୁମେ ତାକୁ ନିମନ୍ତ୍ରଣ କରି ବହୁ ଖୁସିରେ ବିଦାୟ ଦେଇଥିଲ । ମୋ କଥା ମଧ୍ୟ ପଚାରିଥିଲ !

 

ତା’ଠାରୁ ତୁମ ବିଷୟରେ ମୁଁ ଯାହା ଶୁଣିଲି ସେଥିରେ ଧୈର୍ଯ୍ୟ ଧରି ରହିପାରିଲି ନାହିଁ । ସେ ଅବଶ୍ୟ ତୁମ ଦାମ୍ପତ୍ୟ ଜୀବନର ନିଭୃତ କଥା ମୋତେ କିଛି କହି ନାହିଁ । ସେ ବା ଜାଣିବ କେମିତି ?

 

ସେ କେବଳ ତୁମ ନ କହିଥିବା କଥା କହିଲା ।

 

ତୁମେ କେତେ ପରିବର୍ତ୍ତନ ହୋଇଯାଇଛ ।

 

ତୁମ ଗାଲ ପୂରାପୂରି ପଶିଯିବା ଫଳରେ ତୁମେ ବହୁ ସନ୍ତାନର ମା ଭଳି ଦେଖାଯାଉଛି-। ଆଖିର ଉଜ୍ୱଳତା ନାହିଁ । ଡୋଳା ଭିତରକୁ ପଶି ଗଲାପରି ଜଣା ଯାଉଛି । ଅଙ୍ଗ ପ୍ରତ୍ୟେଙ୍ଗର ତେଜ କମି ଯାଇଛି ।

 

ଦିଲ୍ଲୀ ଭଳି ପ୍ରଖ୍ୟାତ ନଗରୀରେ ବିଶ୍ୱନାଥ ଭଳି ବିଖ୍ୟାତ ଇଞ୍ଜିନିୟର ସାଙ୍ଗରେ ସହବାସ କରି ତୁମ ଚେହେରାର ଦୀପ୍ତି ପୂର୍ବାପେକ୍ଷା ଅଧିକ ବଢ଼ିଯିବା କଥା !

 

କିନ୍ତୁ ତୁମେ ଏତେଦୂର କ୍ଷୀଣ ହୋଇ ଯାଇଛି କାହିଁକି ? ବିଶ୍ୱନାଥ ତୁମକୁ କଣ ସନ୍ଦେହ କଲା ?

 

ନା ବନମାୟା ଭଳି ଆପେ ଆପେ ବିଶ୍ୱନାଥ ନିକଟରେ ଧରା ପଡ଼ି ଯାଇ ସହବାସ ଶଯ୍ୟାରେ ସନ୍ତୁଳି ହେଉଛ ? ତୁମେ ମହା ଧୃତ୍ତା । ବିଶ୍ୱନାଥ ତୁମକୁ ନଷ୍ଟଚରିତ୍ରା ବୋଲି ଜାଣିବା ମୁସ୍କିଲ । ତେବେ ତମଠାରେ ଆଉ କି ଅସୁବିଧା ଘଟୁଛି ?

 

ତେମେ ଆଖି ଆଗରେ ଅନେକ ଉଦାହରଣ ଦେଖିଥିବ । କେମିତି ପ୍ରେମିକ ପ୍ରେମିକା ବିଚ୍ଛେଦ ହୋଇଗଲେ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇ ଦୁର୍ବଳ ହୋଇ ପଡ଼ନ୍ତି । ଭୋକ ଶୋଷ, ଭଲ ମନ୍ଦ, ତାଙ୍କୁ କିଛି ଜଣାଯାଏ ନାହିଁ । ଯେଉଁ ସ୍ୱାମୀ କିମ୍ବା ସ୍ତ୍ରୀକୁ ବିବାହ କରି ସାଂସାରିକ ବନ୍ଧନ ମଧ୍ୟରେ ପ୍ରବେଶ କରିଥାନ୍ତି, ତାଙ୍କୁ ଅନ୍ତତଃ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ସ୍ପର୍ଶ କରି ସେମାନେ ସୁଖୀ ହୋଇପାରନ୍ତି ନାହିଁ ।

 

ପ୍ରେମିକ ପ୍ରେମିକାର ପୂର୍ବ ବିଳାସ ତାଙ୍କ ମନରେ ପ୍ରତି ମୁହୂର୍ତ୍ତରେ ଧକ୍‌କା ଦିଏ ।

 

ମୋ ଜୀବନରେ ବର୍ତ୍ତମାନ ଯେମିତି ଘଟୁଛି, ସହୃଦୟ ପ୍ରେମିକ ପ୍ରେମିକାଙ୍କ ଜୀବନରେ ମଧ୍ୟ ସେଇଆ ଘଟେ ।

 

ତୁମେ ଦେଖି ନାହଁ ଆମ ଉଲି ଭାଉଜଙ୍କୁ ?

 

କେମିତି ବିବାହର ମୋଟେ ଚାରି ପାଞ୍ଚଟା ଦିନ ପରେ ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ସାଇ ଭାଇର ସବୁ ମାଇପେ ସେଇ ଗୋଟାଏ କଥା କହିଲେ ‘ବୋହୂଟା ଆସୁ ଆସୁ କାହିଁକି ଶୁଖି ଯାଉଛି, ତାକୁ ଡାକ୍ତର ଦେଖାଉ ନା ।

 

ଭାଉଜଙ୍କ ଶାଶୁ ଶ୍ୱଶୁର ଗୋଟିଏ ନୁହଁ, ଦୁଇ ତିନିଟା ଡାକ୍ତର ଦେଖାଇ ଔଷଧ ଚିକିତ୍ସା କରାଇଲେ, କିନ୍ତୁ ଭାଉଜ କଣ ରୋଗୀ ଯେ ସେ ଡାକ୍ତରୀ ଔଷଧରେ ଭଲ ହୋଇଥାନ୍ତେ ?

 

ସେ ପରା ଆହତ ମନ–ଗ୍ରସ୍ତ ରୋଗରେ ପୀଡ଼ିତା । ତାଙ୍କୁ ଭଲ କରିଥାନ୍ତା କେଉଁ ଡାକ୍ତର ?

 

ଉଲି ଭାଉଜଙ୍କ ରୂପ ଝିଅ ବେଳରେ ଏତେ ସୁନ୍ଦର ଥିଲା ଯେ, ଚାଲିଗଲା ବାଟୋଇ ତାକୁ ଚାହିଁଲେ ଦଣ୍ଡେ ଅଟକି ଯାଉଥିଲା ।

 

ସେଇ ରୂପରେ ମୁଗ୍‌ଧ ହୋଇ ଭାଇଙ୍କ ବାପ ମା ତାଙ୍କୁ ସେଠାରେ ବିଭା କରାଇ ଦେଲେ ।

 

ହେଲେ ଭାଉଜଙ୍କ ମନ କୋଣରେ ଏତେ ଛପିଲା ସଦ୍ୟ କାହାଣୀ ଲୁଚିଥିଲା ବୋଲି କିଏ ଜାଣିଥିଲା ?

 

ତୁମ ମାମୁଁ ଘର ଗାଁର ବିଳାସ, ଯିଏ ଆମ ତଳ କ୍ଲାସରେ ପଢ଼ୁଥିଲା ଜାଣିଥିବ ?

 

ସିଏ ମୋର ଏକ ରକମ ସାଙ୍ଗ ।

 

ସିଏ ଉଲି ଭାଉଜଙ୍କୁ ଜାଣେ ।

 

ଉଲି ଭାଉଜ ବିବାହ ପୂର୍ବରୁ ଗାଁର ଗୋଟିଏ ବ୍ରାହ୍ମଣ ଟୋକାକୁ ପ୍ରେମ କରୁଥିଲେ ବୋଲି ସେ ମୋତେ କହିଲା । ବ୍ରାହ୍ମଣ ପିଲା ଭାସ୍କର ବୟସରେ ଉଲି ଭାଉଜଙ୍କଠାରୁ ସାନ ହୋଇପାରେ । ତେବେ ମାଟ୍ରିକ ପାସ୍‌ କରି କଲେଜରେ ନୂଆ ନୂଆ ପାଠ ପଢ଼ୁଥିଲା । କଲେଜର ପ୍ରତ୍ୟେକ ଛୁଟିରେ ଭାସ୍କର ଗାଁକୁ ଆସେ ।

 

ଗରିବ ବାପ ମାଙ୍କର ଏକମାତ୍ର କୁଳନନ୍ଦନ ହିସାବରେ ବାପ ଶ୍ରୀବତ୍ସ ମିଶ୍ରେ ତାକୁ କ୍ଷଣେ ନ ଦେଖିଲେ ପାଗଳ ହୋଇ ଉଠନ୍ତି ।

 

ଶ୍ରୀବତ୍ସ ମିଶ୍ରଙ୍କର ଇଚ୍ଛା ଥିଲା ପୁଅ ଆଉ ବେଶି ନ ପଢ଼ି ତାଙ୍କ ପୂଜା କର୍ମାଣି କାମ କରୁ-

 

ଭାସ୍କର ପିଲାଟି ଦିନରୁ ପାଠପଢ଼ା ସଙ୍ଗେ ସଙ୍ଗେ ପୂଜାପଦ୍ଧତି ସବୁ ଭଲ ରକମ ଶିଖିଥିଲା । କିନ୍ତୁ ପାଠ ପଢ଼ିବ ବୋଲି ଯିଦ୍‌ କରି ସେ କଲେଜରେ ଯାଇ ପଢ଼ିଲା ।

 

ତେବେ ତାର ଭଲ ଗୁଣ ଏହି ଯେ ଛୁଟିରେ ଘରକୁ ଆସିଲେ ସେ ବାପାର ପୂଜା କର୍ମରେ ସାହାଯ୍ୟ କରେ । ଉଲି ଭାଉଜଙ୍କ ଘରେ ଠାକୁର ଅଛନ୍ତି । ବ୍ରାହ୍ମଣ ଶ୍ରୀବତ୍ସ ମିଶ୍ର ନିତି ସନ୍ଧ୍ୟାବେଳେ ତାଙ୍କ ଘରକୁ ଯାଇ ଠାକୁରଙ୍କ ପାଖରେ ପୁରାଣ ପାଠ, ଭୋଗ ଆଦି କରି ଆସନ୍ତି ।

 

ଖରା ବର୍ଷା, ଶୀତ, ଝଡ଼ି ସବୁ ସନ୍ଧ୍ୟାରେ ସେ ଧରାବନ୍ଧା ଭାବେ ସେଠାକୁ ଯିବେ ।

 

ତେବେ ଶ୍ରୀବତ୍ସ ମିଶ୍ରଙ୍କ ସ୍ଥାନରେ ଭାସ୍କର ମଧ୍ୟ ଅନେକ ସନ୍ଧ୍ୟାରେ ସେଠାକୁ ଯାଏ !

 

ଯୌବନର ନୂଆ ନୂଆ ରଙ୍ଗ ଲାଗିଥାଏ । ଉଲି ଭାଉଜଙ୍କୁ ବୟସ ହୋଇଥାଏ ମୋଟେ ଅଠର କି ଉଣେଇଶ । ଭାସ୍କର ରୂପ ଆଉ ଚାହାଣୀ ଦେଖି ସେ ଚହଲି ଗଲେ । ଠାକୁର ଘରର ପଛ ପଟେ ଥିବା ଅନ୍ଧାର ଗୋହିରୀ ମଧ୍ୟରେ ସେ ଭାସ୍କର ସହିତ ଧକ୍‌କା ଖାଇଲେ ।

 

ଜାଣୁ ଜାଣୁ ଏ ଧକ୍‌କା କେତେ ମଜ୍ଜା ନୁହେଁ କହିଲ, ସୁଖଦା ! ଭାସ୍କର ନିଜକୁ ସମ୍ଭାଳି ପାରିଲା ନାହିଁ ।

 

ଉଲି ଭାଉଜଙ୍କ ସାଙ୍ଗରେ ସେ ନିଜକୁ ମିଶାଇ ଦେଲା । ଲୁଚି ଛପି ଦେହ ସମ୍ଭୋଗ ଉପଭୋଗ କରିବା ଫଳରେ ଦୁହେଁ ପରସ୍ପରକୁ ଅତି ନିବିଡ଼ ଭାବେ ଭଲ ପାଇଲେ । ପ୍ରତିଜ୍ଞା କରିଥିଲେ ସୁଦ୍ଧା ଉଲି ଭାଉଜ ଘରର ଝିଅ ହୋଇ ଭାସ୍କରକୁ ବିବାହ କରିଥାନ୍ତେ କେମିତି ? ସେମାନଙ୍କ ପ୍ରେମ କଥା ଉଲି ଭାଉଜଙ୍କ ବାପ ମା ଜାଣି ପାରିଲେ । ସେମାନେ ଶୁଣିଲେ ଚାରିଆଡ଼େ ଉଲି ଭାଉଜଙ୍କ ନାଁରେ ଅପପ୍ରଚାର ହେଉଛି । ତେଣୁ ଶୀଘ୍ର ତାଙ୍କୁ ଦୂରରେ ବିବାହ କରିଦେବାର ଯୋଜନା କଲେ ।

 

ବିଭାଘର ଏତେ ଗୁପ୍ତ ଆଉ ସତର୍କତାର ସହିତ ଅନୁଷ୍ଠିତ ହେଲା ଯେ ତୁମେ ଶୁଣିଲେ, ଆଶ୍ଚର୍ଯ୍ୟ ହେବ ।

 

ବାପ ମା, ଭାଇ ବନ୍ଧୁ, ସାଇ ପଡ଼ୋଶୀ କେହି ଉଲି ଭାଉଜଙ୍କୁ ତାଙ୍କ ବିଭାଘର ବିଷୟ କହିଲେ ନାହିଁ । କାରଣ ସେ କୁଆଡ଼େ କହିଥିଲେ ଯେ ଭାସ୍କରକୁ ବିବାହ ନକଲେ ସେ ଆତ୍ମହତ୍ୟା କରିବେ । ସେଇ ଭୟରେ ସହରକୁ ନେଇ ଆସି ତାଙ୍କୁ ଆମ ଉମା ଭାଇଙ୍କ ସହିତ ବିବାହ କରି ଦିଆଗଲା ।

 

ଫଳରେ ଜବରଦସ୍ତ ଏଇ ବିବାହରେ ସେ ସୁଖୀ ନହେବା ସ୍ୱାଭାବିକ । ଯେ କୌଣସି ଜାତିର ହେଉ ପଛେ ଭାସ୍କର ତ ମଣିଷ । ଉଲି ଭାଉଜଙ୍କ ମାଂସର ସ୍ୱାଦରେ ଯେ ନିଜେ ମନ ବିକି ଦେଇଥିଲା, ତାଠାରୁ ତାଙ୍କୁ ଛଡ଼ାଇ ଆଣି ଉମା ଭାଇଙ୍କୁ ଭେଟି ଦେବାରେ ପ୍ରତିବ୍ରତା ରହିଲା କି ?

 

ଅଜ୍ଞାତରେ ନିଷ୍ପେଷିତ ମାଂସ ଫୁଲକୁ ଗ୍ରହଣ କରି ଉମା ଭାଇଙ୍କ ପରି ଲକ୍ଷ ଲକ୍ଷ ଯୁବକ ସନ୍ତୁଷ୍ଟ ହୋଇ ପାରନ୍ତି, କିନ୍ତୁ ଉଲି ଭାଉଜଙ୍କ ପରି କୌଣସି ଗୋଟିଏ ହେଲେ ଝିଅ ସନ୍ତୋଷ ଲାଭ କରି ପାରିବେ ନାହିଁ ।

 

କୀଟଦଂଷ୍ଟ ମନ ତାଙ୍କର ଆପେ ଆପେ ଝାଉଁଳି ଯିବ । ଶରୀର ଅରଣ୍ୟର ଆହତ ହରିଣୀ ରହି ରହି ଜୀବନସାରା କାନ୍ଦୁଥିବ !

 

କାହିଁକି ?

 

କେବଳ ଉତ୍‌କୃଷ୍ଟ ପ୍ରେମିକା ବୋଲି ! ଅନିଚ୍ଛା ସତ୍ତ୍ୱେ ସେ ଅନ୍ୟ ଜଣକର ପ୍ରେମର ବନ୍ଧନୀ ମଧ୍ୟରେ ରହି ଯାଉଛି ବୋଲି ।

 

ତେଣୁ ଉଲି ଭାଉଜ ସେଇ ଉତ୍କୃଷ୍ଟ ପ୍ରେମିକାମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେ ସେପରି ଝାଉଁଳି ପଡ଼ୁଥିଲେ । ଶରୀର କ୍ଷୀଣ ହୋଇ ଯାଉଥିଲା । ଯେତେ ଔଷଧପତ୍ର ଦେଲେ ସୁଦ୍ଧା ସେ ଭଲ ହୋଇ ପାରିଲେ ନାହିଁ ।

 

ମନେ ମନେ ବୋଧହୁଏ ଭାସ୍କରକୁ ଚିନ୍ତା କରି କରି କେଇଟା ମାସ ପରେ ମୃତ୍ୟୁ କୋଳରେ ସେ ଆଶ୍ରୟ ନେଲେ । ତାଙ୍କ ମୃତ୍ୟୁ ପରେ ବିଳାସ ଠାରୁ ଶୁଣିଥିବା ପ୍ରେମ କାହାଣୀ ମୁଁ ପ୍ରକାଶ କଲି ।

 

ଆଉ ସାହାଜାହାନଙ୍କ ପରି ଚିନ୍ତାଶୀଳ ପ୍ରେମିକ ହୋଇ ଉଲି ଭାଉଜଙ୍କ ମୃତ୍ୟୁ ପରେ ଭାସ୍କର ଯେ କେମିତି ଘର ଛାଡ଼ି କେଉଁଆଡ଼େ ପଳେଇଲା, ସେ ରହସ୍ୟ ମଧ୍ୟ କାହାକୁ ଅଛପା ରହିଲା ନାହିଁ ।

 

ସବୁ ପ୍ରେମିକା ତ ମରନ୍ତି ନାହିଁ । କେତେ ଉତ୍କୃଷ୍ଟ ପ୍ରେମିକା ଅଛନ୍ତି ପ୍ରେମିକର ବିଚ୍ଛେଦରେ ଶୁଖି ଶୁଖି କେତେଦିନ ପରେ ପିଲାଛୁଆ ଜନ୍ମକରି ସଂସାରରେ ମିଶି ଯାଆନ୍ତି । ସନ୍ତାନର ମୁହଁ ଚାହିଁ ପ୍ରେମିକାକୁ ଭୁଲିଯିବା ସାର ହୁଏ ।

 

ତେବେ ନୂଆ ନୂଆ ଅଜଣା ପୁରୁଷର ହାତ ଧରି ତାଙ୍କ ଶରୀର ନିଶ୍ଚିତ ଭାବେ ଶୁଖିଯାଏ । ସେଇ ହେତୁ ମୁଁ ତୁମ ଆଗରେ ଉମା ଭାଉଜଙ୍କ ଉଦାହରଣ ଦେଲି ।

 

କିନ୍ତୁ ତମେ ଯେ ଉଲି ଭାଉଜଙ୍କ ପରି ମୋର ପ୍ରେମିକା ଥିଲ, ତାହା ଆଜି ମୋର ବିଶ୍ୱାସ ଆସୁ ନାହିଁ । ଏ ବୟସର ରଙ୍ଗ–ଉପକୂଳରେ ଦଣ୍ଡାୟମାନା ହୋଇ ଢେଉର ଆଘାତରେ ତୁମେ ଏତେଦୂର ନୀରସ, ଆଉ ଶୁଷ୍କ ହୋଇ ପଡ଼ିଥିବ । ବୋଲି ମୁଁ ଅନୁମାନ କରି ପାରୁନାହିଁ ।

 

ଧନ, ସମ୍ପଦ ମାନ ପ୍ରତିପତ୍ତି ତୁମ ପାଖରେ ସବୁ ଅଛି । ତଥାପି ତୁମ ପାଖରେ ଯେ କ’ଣ ଅଭାବ ଘଟିଲା, ତୁମେ ଚିନ୍ତା କରି କ୍ଷୀଣ ହୋଇ ଯାଉଛ ।

 

ମୁଁ ଯେତେ ଅଶାନ୍ତିରେ ଅବସର ସମୟ କଟାଇ ଦେଉଛି ସେଥିନେଇ ଦେହ ମୋର ବହୁତ ଖରାପ ହୋଇ ଯାଆନ୍ତାଣି; କିନ୍ତୁ ଉପନ୍ୟାସ ଗଳ୍ପ ଲେଖିବାର ଅଭ୍ୟାସ ମୋତେ କେତେକ ପରିମାଣରେ ସାନ୍ତ୍ୱନା ଆଣି ଦେଉଛି ।

 

ଠିକ୍‌ ତୁମ ଆମ ସମ୍ପର୍କ ଓ ତାର ପରିଣାମ ବିଷୟରେ ମୁଁ ଗୋଟିଏ ଉପନ୍ୟାସ ଲେଖୁଛି-। ଯେଉଁ ନାୟିକାର ଚିତ୍ର ଦେଉଛି ସେ ଠିକ୍‌ ତୁମ ପରି ଅବିକଳ ତୁମକୁ ଛାଙ୍କି ଆଣି ମୁଁ ସେଥିରେ ଥୋଇ ଦେଇଛି ସୁଖଦା ।

 

ତୁମେ ହୋଇଛ କଳ୍ପନା ! ବିକଳ୍ପର ପ୍ରେମିକା ହୋଇ କଳ୍ପନା ଦୁନିଆର ସବୁ କିଛି ଭୁଲି ଯିବାକୁ ଚେଷ୍ଟା କରୁଛି । ଦ୍ୱନ୍ଦ୍ୱ, ଅଭିମାନ, ଦୁଃଖ ତା’ ମନରେ ମୋଟେ ସ୍ଥାନ ପାଉ ନାହିଁ ! ଉଭୟ ଉଭୟଙ୍କୁ ଠିକ୍‌ ବୁଝି ଚାଲିଛନ୍ତି ।

 

କିନ୍ତୁ ମଝିରେ ଝଡ଼ ଉଠିଛି । ସେଇ ଝଡ଼ ମଧ୍ୟରେ ଆଉ ଜଣେ ଉପନାୟିକା ଚାଲି ଆସୁଛି । ସେ କିଏ ?

 

କାହାକୁ ମୁଁ ଆଖି ଆଗରେ ରଖି ଚିତ୍ରଣ କଲେ ମୋ ଉପନ୍ୟାସଟି ପୂର୍ଣ୍ଣାଙ୍ଗ ହେବ ।

 

ସେ ଉପନାୟିକାଟି ଶୈବାଳିନୀ ପରି ହୋଇ ନଥିବ; କାରଣ ଶୈବାଳିନୀକୁ ଚିତ୍ରଣ କଲେ ମୁଁ ତା’ ପାଖରେ ଆହୁରି ଦୁର୍ବଳ ହୋଇ ପଡ଼ିବି । ଏ ଚିନ୍ତା ଠାରୁ ସେ ଚିନ୍ତା ବଳି ପଡ଼ିବ ।

 

ଅଫିସ ଛୁଟି ପରେ ସେଇ ଅଫିସ ଘରେ ବସି ଉପନ୍ୟାସ ଲେଖି ମୁଁ ଅନ୍ତତଃ କେତେ ଆଶ୍ୱସ୍ତି ବୋଧ କରୁଛି । ଶୈବାଳିନୀର ସାନ୍ନିଧ୍ୟ ଠାରୁ ଦୂରରେ ରହି ଜୀବନ ହାଲୁକା ପ୍ରାୟ ଲାଗୁଛି ।

 

କେବଳ ମାତ୍ର କେଇ ଘଣ୍ଟା ପାଇଁ ।

 

ଘରକୁ ଫେରି ଆସିଲେ ସେଇ ମାନସିକ ଦ୍ୱନ୍ଦ୍ୱ ପୁଣି ଆସି ଉପୁଜୁଛି ।

 

ଘରେ ଯଦି ଆଉ କେହି ଲୋକ ଥାନ୍ତେ ତାହେଲେ ତାଙ୍କ ସହିତ କଥାବାର୍ତ୍ତା ହୋଇ ସମୟ କଟାଇ ଦେବାକୁ ପଡ଼ନ୍ତା । ଯିଏ ବାହାରର ଲୋକ ଆସନ୍ତି, ସେମାନେ ସବୁ ଶୈବାଳିନୀର ଲୋକ । ପୁରୁଷ ହେଉ ବା ସ୍ତ୍ରୀ ହେଉ ସମସ୍ତ ଆସି ଶୈବାଳିନୀର ପ୍ରଶଂସା କରି ଯାଆନ୍ତି ।

 

କେବଳ ସେଇ ଗୋଟିଏ ଲୋକ ଯିଏ ଶୈବାଳିନୀକୁ କିଛି ନ କହି ଚାଲିଯାଏ ସେ ହେଉଛି ଛନ୍ଦା ।

 

ଛନ୍ଦା ଶୈବାଳିନୀ ପରି ଶିକ୍ଷିତା ତରୁଣୀ ।

 

ପ୍ରେମ କରି କରି ଜଣଙ୍କ ହୃଦୟକୁ ସେ ଯେତେବେଳେ ଚିହ୍ନିଛି ଆଉ କେତେଜଣଙ୍କୁ ବା ସେ ଚିହ୍ନି ନପାରିବ କାହିଁକି ! ଶୈବାଳିନୀ ମୋରି ସ୍ତ୍ରୀ ହୋଇ କିପରି ଅବସ୍ଥାରେ ଅଛି ସେ ବେଶ୍‌ ହୃଦୟଙ୍ଗମ କରିଛି ।

 

ଚାଲିଚଳନ କଥାବାର୍ତ୍ତାରୁ ସେ ଭଲ ଭାବରେ ବୁଝି ପାରିଛି । ମୋ ମୁହଁରେ ନ କହିଲେ ସୁଦ୍ଧା ଇଙ୍ଗିତରେ ତା ସୁଖୀ ଜୀବନର ଆଭିମୁଖ୍ୟରୁ ଉପହାସଯାକ ସବୁ ଅଜାଡ଼ି ଦେଇ ଯାଇଛି ।

 

ମତେ ଭଲ ଲାଗୁଛି ସେ ସବୁ । ମୋ କର୍ତ୍ତୃତ୍ୱହୀନ ବ୍ୟକ୍ତିତ୍ୱ ଉପରେ ଛନ୍ଦା ଓ କୈଳାସର ଇଙ୍ଗିତବାଦ ହିଁ ଏକମାତ୍ର ଅମୃତର ଆଶିଷବାରୀ ।

 

।। ପାଞ୍ଚ ।।

 

ସେଇ ପୁରୁଣା ଉକ୍ତିକୁ ମୁଁ ବି କହୁଛି ।

 

ବନସ୍ତ ପୋଡ଼ିଲେ ସମସ୍ତେ ଜାଣନ୍ତି, କିନ୍ତୁ ମନ ପୋଡ଼ିଗଲେ ? ପୋଡ଼ିଗଲା ମନ କାହାଣୀ ଶୁଣି ସମସ୍ତେ ଅବିଶ୍ୱାସ କରନ୍ତି ।

 

ତୁମେ ବିଶ୍ୱାସ କରିବ କି ନା ମୁଁ ଜାଣେନା ।

 

ଏହା ମଧ୍ୟରେ ତିନି ବର୍ଷ ଅତିବାହିତ ହୋଇଗଲାଣି । ଦୁନିଆରେ କେତେ ପରିବର୍ତ୍ତନ ହୋଇ ଯାଇଛି । ମୁଁ ତୁମଠାରୁ ତିନି ବର୍ଷ ଆଠ ମାସର ବ୍ୟବଧାନରେ ରହିଗଲିଣି । ଭାବୁଥିବ, ଦୁନିଆର ସବୁ ପରିବର୍ତ୍ତନ ମଧ୍ୟରେ ମୁଁ ବଦଳି ଯାଇଥିବି ବୋଲି । କିନ୍ତୁ ତା ନୁହେଁ । ମୁଁ ଯେମିତି ଥିଲି ସେମିତି ପଡ଼ିଛି । ଦେହରେ ବୟସରେ ଅଦଳ ବଦଳ ଘଟିଥିଲେ ସୁଦ୍ଧା ମନ ସେମିତି ଅଛି ।

 

ଅତୀତକୁ ବାନ୍ଧିରଖି ପଡ଼ିଛି । ଶୈବାଳିନୀ ଗାଁକୁ ଯାଇ ପୁଣି ମୋ ପାଖକୁ ଫେରି ଆସିଲାଣି । ଖାଇବା ପିଇବାରେ ଅସୁବିଧା ହେତୁ ବୋଉ ତାକୁ ମୋ ପାଖକୁ ପଠେଇ ଦେଲା ।

 

ମୁଁ ମନା କରିବା ସତ୍ତ୍ୱେ ବି ଶୈବାଳିନୀ ମୋ ପାଖକୁ ଆସିବାରେ ବୋଉର ମନ ବେଶି କାମ କଲା ।

 

ବୋଉର ଇଚ୍ଛା ତାର କେମିତି ଗୋଟିଏ ନାତି ହେଉ । ଏଇ କଥା ଗାଁର ବହୁଲୋକଙ୍କୁ ସେ କହିଥିବାର ମୁଁ ଶୁଣିଛି । କେବଳ ସେତିକି ନୁହେଁ ସେ କହୁଛି ଯେ ଚଞ୍ଚଳ ନାତି ମୁହଁ ଦେଖି ସେ ସଂସାରରୁ ବିଦାୟ ନେବ ।

 

ନାତି କେମିତି ହେବ ?

 

ମୋ ମନର ଉତ୍ତାଳ ଭାବଧାରା ଯେତେବେଳେ ପ୍ରଶମିତ ହୋଇ ଯାଉଛି, ସେତେବେଳେ ମୁଁ ଚାହୁଁ ନାହିଁ ଶୈବାଳିନୀର ସନ୍ତାନ ହେଉ ।

 

ଶୈବାଳିନୀର ଯୌନ କକ୍ଷରେ ତିନି ବର୍ଷ ହେଲା ଯେତେ ମନ ମୋର ନଷ୍ଟ ହୋଇଯାଇଛି ସେ ସବୁର ପ୍ରୟାସ ଯଦି ସଫଳ ହୋଇଥାନ୍ତା ତା ହେଲେ ମୁଁ କେଉଁ ଦିନଠାରୁ ସଂସାରରେ ବାପା ହୋଇ ସାରନ୍ତିଣି ।

 

କେହି କାହାକୁ ଈର୍ଷା କରି କଣ ବାପା ହୁଏ ।

 

ଯୌବନର ସମତୁଲ କରି କେଉଁ ନାରୀ କଣ ସ୍ୱାମୀର–ପ୍ରେମ–ପରିଶର ଆଶା କରିଥାଏ ?

 

ତେବେ ?

 

ତେବେ ଶୈବାଳିନୀ କାହିଁକି ଛନ୍ଦାର ସନ୍ତାନକୁ ଦେଖି ଈର୍ଷା କରୁଛି ?

 

ଛନ୍ଦା କୋଳରେ ଦୁଇ ବର୍ଷର ସନ୍ତାନ ।

 

କୈଳାସ ଯୌବନର ସ୍ୱାକ୍ଷର ବହନ କରି ସେ ସନ୍ତାନ ହସୁଛି । କଥା କହୁଛି, ଖଣ୍ଡ ଖଣ୍ଡ କରି ।

 

ସେଦିନ ହସୁଥିଲା । କଥା କହୁ ନଥିଲା । ଖୁବ୍‌ ଆଦରରେ ମୋ କୋଳକୁ ଟେକି ଦେଇଥିଲା ଛନ୍ଦା !

 

ପୁଅର ଏକୋଇଶି ଦିନର ଉତ୍ସବ ଉପଲକ୍ଷେ ।

 

ଶୈବାଳିନୀ ମୁହଁଛାଟି ଅତି ଈର୍ଷାରେ ଚାହୁଁଥିଲା ସେଇ ଶିଶୁ ସନ୍ତାନକୁ ।

 

ତାର ଇଚ୍ଛା, ମୋ କୋଳକୁ ଛନ୍ଦା ପୁଅକୁ ଦେଇ ନଥାନ୍ତା ।

 

ମୁଁ କେବଳ ମୋ ସନ୍ତାନକୁ କୋଳରେ ଧରିବାକୁ ଉଦ୍ଦିଷ୍ଟ । ଏମିତି ଯୁକ୍ତି କଣ ସାରା ସଂସାରରେ କେଉଁଠି ଦେଖିଛ ? ଛନ୍ଦାର ସନ୍ତାନକୁ ମୁଁ ଧରିଲେ ମୋଠେଇଁ ଛନ୍ଦାର ପ୍ରେମ ଡେଇଁବ-। କେତେ ସନ୍ଦେହ, ଏମିତି ଆଖିରେ କିଏ ସ୍ୱାମୀ ହୋଇ ସ୍ତ୍ରୀକୁ ଭଲ ପାଇବ ?

 

କେବେଳ ସେତିକି ନୁହେଁ, କୈଳାସ ପୁଅର ଉତ୍ସବ ଉପଲକ୍ଷେ ମୁଁ ଯେଉଁ ଉପହାର ନେଇଥିଲି ତା’ ଉପରେ ମଧ୍ୟ ମୋତେ ସମାଲୋଚନା କରାଯାଇଥିଲା ।

 

ମୋ ଉପହାରର ସାମଗ୍ରୀ ଥିଲା ଗୋଟିଏ ସ୍ୱର୍ଣ୍ଣ ମୁଦ୍ରିକା, କିଛି ଖେଳନା ଆଉ ଗୋଟିଏ ବ୍ରୋଞ୍ଜ ମୂର୍ତ୍ତି । ବ୍ରୋଞ୍ଜ ମୂର୍ତ୍ତିଟି ଜନନୀର ।

 

ସନ୍ତାନକୁ କ୍ଷୀର ଦାନ କରି ଜନନୀ ହସୁଛି ।

 

ଖୁବ୍‌ ଚମତ୍କାର ଶିଳ୍ପତ୍ୱ ଫୁଟି ଉଠିଥିଲା ସେଥିରେ ।

 

ଜୀବନ୍ତ ପ୍ରତିମୂର୍ତ୍ତି ।

 

ଛନ୍ଦା ହସି ହସି ହାତରେ ଧରିଥିଲା ।

 

କୈଳାସ ଆଗରେ ନିଭୃତରେ କହିଥିଲା ଯେତେ ଉପହାର ଆସିଛି, ବୀରେନ୍ଦ୍ର ବାବୁଙ୍କ ଉପହାର ସର୍ବୋତ୍‌କୃଷ୍ଟ ।

 

କୈଳାସର ଉତ୍ତର ଥିଲା, ହଁ ରବୀନ୍ଦ୍ର ବାବୁ ଯେତେବେଳେ ତୁମର ନିକଟତମ ବନ୍ଧୁ ସେତେବେଳେ ସେ ନିକୃଷ୍ଟ ଉପହାର ଆଣିଥାନ୍ତେ କେମିତି ?

 

ଶୈବାଳିନୀ ଶୁଣିଥିଲା ।

 

ଉପହାରର ଏଇ କଥୋପକଥନ ମଧ୍ୟରେ ଶୈବାଳିନୀର ନାରୀତ୍ୱକୁ ଯେ କି ଅପମାନ ଲାଗିଲା, ତାହା ମୁଁ ବୁଝିପାରିଲି ନାହିଁ ।

 

ଉତ୍ସବରୁ ଫେରିଆସି ଶୈବାଳିନୀ ଆଉ ମୋ ସାଙ୍ଗରେ କିଛି କଥାବାର୍ତ୍ତା ହେଲା ନାହିଁ । ସହବାସ ଶଯ୍ୟାରେ ମୋତେ ଘୁଞ୍ଚାଇ ଦେଇ କହିଲା, ଯାଉନ, ଛନ୍ଦା ପାଖରେ ଶୋଇବ ?

 

କୈଳାସର ସ୍ତ୍ରୀ ଛନ୍ଦା ପାଖରେ ମୋ ପରି ପରପୁରୁଷ କେମିତି ଶୋଇବ ? ଛନ୍ଦାର କଣ ମୋ ପ୍ରତି ଦୁର୍ବଳତା ଅଛି ?

 

ଏମିତି ଅଜବ ସୃଷ୍ଟିଛଡ଼ା ଯୁକ୍ତିରେ ମୋ ଦେହ ସହି ପାରି ନଥିଲା ! ମୁଁ ସେଦିନ ରାଗି ବହୁତ ଆକ୍ଷେପ କରି ଶୈବାଳିନୀକୁ କହିଥିଲି ।

 

ଶୈବାଳିନୀ ମୋ ରାଗରେ ଦବି ଯାଇ ନଥିଲା । ବହୁତ ପାଟି କରି କହିଲା, ମୁଁ ଛନ୍ଦାର ପ୍ରେମିକ । ଛନ୍ଦାର ଅତୀତ ସହିତ ମୋର ପୂରାପୂରି ସମ୍ପର୍କ ଥିଲା ।

 

ମୁଁ ଇଚ୍ଛା କରିଥିଲି ଶୈବାଳିନୀର ତଣ୍ଟି ଚିପିଦେଇ ସେଦିନ ତାକୁ ଶେଷକରି ଦେଇଥାନ୍ତି-। କିନ୍ତୁ ସଚେତନ ହୋଇ ଚୁପ୍‌ ହୋଇଗଲି ।

 

ସେଇ ଦିନର ଈର୍ଷା ଅଭିମାନ ଆଜି ବି ତା ହୃଦୟକୁ ଦହନ କରୁଛି । ଛନ୍ଦା ପୁଅକୁ ନେଇ ବୁଲି ଆସିଲେ ସେ ତାକୁ ଆଗ ଭଳି ଆଦର କରୁ ନାହିଁ ।

 

ଛନ୍ଦା ବୁଲି ଆସିବା ସମୟରେ ଶୈବାଳିନୀ ଥରେ ଥରେ ଦେଖେଇ ଦେଖେଇ କୁହେ, ଯାଉନ, ଆର ଘରେ ସେ ବସି ଉପନ୍ୟାସ ଲେଖୁଛନ୍ତି, ତାଙ୍କ ପାଖରେ ପୁଅକୁ ଛାଡ଼ି ଆସିବ ?

 

ଛନ୍ଦା ଅବଶ୍ୟ ଶୈବାଳିନୀ କଥାର ମର୍ମ ବୁଝିପାରେ ନାହିଁ । ହେଲେ ସେ କଣ ଶୈବାଳିନୀକୁ ଛାଡ଼ିଦିଏ ? ସେ ସାଙ୍ଗ ସାଙ୍ଗେ ଉତ୍ତର ଦେଇ ଦିଏ । କହେ, ମାଳୀକୁ ସିନା ଛେଳି ଅଡ଼ୁଆ, କିନ୍ତୁ ମା’କୁ କଣ ପୁଅ ଅସୁଖ ଲାଗୁଛି ? ତୁମର ହେଇଯାଉ, ଦେଖିବ, ଜମା ପୁଅକୁ ଟିକେ ତଳକୁ ଖସାଇ ଦେବାକୁ ସତ ବଳିବ ନାହିଁ ।

 

ତୁମେ ବିଶ୍ୱାସ କରିବ ନାହିଁ ସୁଖଦା, ଛନ୍ଦା ବି. ଏ. ପାସ୍‌ କରି ଏମିତି ପକ୍‌କା ଘରଣୀ ହୋଇଯାଇଛି ଯେ ତା’ ଚାଲିଚଳଣ, କଥାବାର୍ତ୍ତା ପୂରାପୂରି ପୁରୁଣାକାଳିଆ ସ୍ତ୍ରୀ ଲୋକଙ୍କ ସଙ୍ଗେ ସମାନ ହୋଇଯାଇଛି ।

 

ସେମିତି କଥା ଶୈବାଳିନୀର ଦେହରେ ଫୁଟି ଯାଇଥିଲା । ଶୈବାଳିନୀର ପ୍ରସବହୀନ ଶରୀର ଈର୍ଷାରେ ଜଳି ଉଠିଥିଲା । ସେ ହଠାତ୍‌ କ୍ରୋଧପରବଶ ହୋଇ କହିଲା, ସବୁ ମା କଣ ଏମିତି ସନ୍ତାନକୁ ସଦାସର୍ବଦା କୋଳରେ ଜାକି ବୁଲୁଛନ୍ତି ? ଏଇ ପରିବାର ନିୟନ୍ତ୍ରଣ ଯୁଗରେ ଯେଉଁ ମାର ସନ୍ତାନ ନାହିଁ, ସେ ସୁଖୀ । ସନ୍ତାନ ଜନ୍ମ କରି ଚଳେଇ ନପାରିଲେ ଜନନୀ ବୋଲି ଗର୍ବ କରିବ କାହିଁକି ?

 

ଛନ୍ଦା ବୋଧହୁଏ ଶୈବାଳିନୀର ଈର୍ଷାପରାୟଣ ହୃଦୟକୁ ବୁଝି ପାରିଥିଲା । ସେ ଆଉ ଅଧିକ ଯୁକ୍ତି ନକରି ଚୁପ୍‌ ରହିଲା !

 

କିଛି ସମୟ ଆଳାପ ଆଲୋଚନା ଚାଲିବା ପରେ ଛନ୍ଦା ମନ ଦୁଃଖରେ ତା ଘରକୁ ଫେରିଗଲା ।

 

ଏଇଥିରୁ ବୁଝି ତୁମେ କୁହ ସୁଖଦା, ଛନ୍ଦା ଜନନୀ ହୋଇଛି ବୋଲି କଣ ଶୈବାଳିନୀ ପାଖରେ ନମ୍ର ହେବ ? କିରାଣୀର ସ୍ତ୍ରୀ ବୋଲି ମାତୃତ୍ୱ ଆଗରେ ସେ ବଡ଼ ନୁହେଁ କି ?

 

ସବୁ ନାରୀ ଯେ ଦୁନିଆରେ ଜନନୀ ହୁଅନ୍ତି ତା ନୁହେଁ । କେହି କେହି ସେଥରୁ ବଞ୍ଚିତ ହୁଅନ୍ତି । ଶୈବାଳିନୀ ଛନ୍ଦାର ସନ୍ତାନକୁ ଦେଖିଲେ ଜଳି ଯାଉଛି ସିନା, ହେଲେ ମୁଁ ତ ତାକୁ ସନ୍ତାନ ପାଇଁ ଦୁଃଖିତ ହେବାର କୌଣସି ଦିନ ଦେଖି ନାହିଁ ।

 

ତେମେ କହିପାର ତା’ ହୃଦୟର ଆକୁଳିତ ମାତୃତ୍ୱ ଉପରେ ମୁଁ କେବେ ମନ ଖୋଲି ଉଶୀର ବର୍ଷିବାକୁ ଇଚ୍ଛା କରି ନାହିଁ । ତା ସତ, ମାତ୍ର ତୁମେ କୁହ, ତୁମଠାରୁ ସନ୍ତାନଟିଏ ଶୀଘ୍ର ଦେଖିବାକୁ କଣ ବିଶ୍ୱନାଥ ବାବୁ କିମ୍ବା ତାଙ୍କ ବାପ ମା ଲଳାୟିତ ନୁହନ୍ତି ? ତୁମଉନ୍ମୁକ୍ତ ଯୌନ–କକ୍ଷର ପ୍ରହରୀ ହୋଇ ବିଶ୍ୱନାଥ ବାବୁ କଣ ସେଇ ପାହାଚକୁ ଉଠିବାକୁ ଚେଷ୍ଟା କରୁ ନାହାନ୍ତି ?

 

ତେବେ ତେବେ କାହିଁକି ଚାରିବର୍ଷ ହେଲା ସନ୍ତାନର ମା ହୋଇ ପାରିନାହିଁ । ତମ ମନ ଓ ଶରୀର ଉପରେ ବିଶ୍ୱନାଥ ବାବୁଙ୍କର ଯୋଗ ବିଯୋଗର ସମୀକ୍ଷା ଯଥେଷ୍ଟ ହସ୍ତକ୍ଷେପ କରିପାରିଥାଏ, ତଥାପି ତୁମେ ସହବାସର ନାୟିକା ହୋଇ ବହୁଆଗରୁ ଜନନୀ ହୋଇ ସାରନ୍ତଣି ।

 

ସେଇ ଅଭାବରୁ ତୁମେ ଆହୁରି କ୍ଷୀଣ ହୋଇଯାଉଛ ଏବଂ ବହୁ ପଇସା ଖର୍ଚ୍ଚ କରି ବିଶ୍ୱନାଥ ବାବୁ ତୁମକୁ ଡାକ୍ତର ଚିକିତ୍ସାଧୀନ କରି ରଖିଛନ୍ତି ବୋଲି ମୁଁ ଶୁଣିଛି ।

 

କିନ୍ତୁ ତୁମେ ଯେ ଜନନୀ ହୋଇ ନା ବୋଲି ଅନ୍ୟ ସନ୍ତାନର ମା’କୁ ଦେଖିଲେ ଈର୍ଷାରେ ଜଳିଯିବ, ଏହା କଣ ଶିକ୍ଷିତା ନାରୀର ବିବେକ କହୁଛି ?

 

ତୁମେ ଅବଶ୍ୟ ମୋତେ ପୁଣି ଥରେ ଏଠାରେ ତୁମ ମାଉସୀ ଘର ଗାଁରେ କନି ଅପା କଥା ଚେତେଇ ଦେବ । ହେଲେ ମୁଁ ସେଥିରେ ଏକମତ ନୁହେଁ ।

 

କନି ଅପା ବିଶୁ ଭାଇର ହାତଧରି ଶାଶୁ ଘରକୁ ଗଲା । ଶାଶୁଘରେ ବୋହୁପଣିଆ ମୋଟେ ଆଠ ବରଷ କରିଛି କି ନାହିଁ, ତା ସାଙ୍ଗକୁ ଆଉ ଗୋଟିଏ ଯୋଡ଼ି ସେ ଘରକୁ ଆସିଲା । ବିଶୁ ଭାଇର ସାନ ଭାଇ ଜଗୁ ବାହା ହେଲା କେଞ୍ଚପୁର ଗାଁର ସନେଇ ପାତ୍ରଙ୍କ ଝିଅ ଦୁଲେଇକୁ । ଦୁଲେଇ ଟିକେ ଛୋଟୀ, ହେଲେ ଦେଖିବାକୁ ଭାରୀ ସୁନ୍ଦରୀ । ତାକୁ ଝିଅ ବେଳରେ ସମସ୍ତେ ଥଟ୍ଟା କରି କହନ୍ତି, ଦୁଲେଇ, ଗୋଡ଼ ପକା ବୁଲେଇ । କିନ୍ତୁ ସେ ମନରେ ରାଗ ରୋଷ କିଛି କରେ ନାହିଁ ।

 

ବାହା ହେଇ ଆସୁ ଆସୁ ଦୁଲେଇର ଗୁଣ ସମସ୍ତଙ୍କୁ ମୁଗ୍‌ଧ କଲା । ତୁମ କନି ଅପା ମଧ୍ୟ ଦୁଲେଇକୁ ଭାରୀ ପ୍ରସଂଶା କରୁଥିଲେ । କିନ୍ତୁ ବର୍ଷ କେଇଟା ପରେ ଯେତେବେଳେ ଦୁଲେଇର ପୁଅ ଝିଅ କରି ଦି’ ଚାରିଟା ଜନ୍ମ ହେଇ ପଡ଼ିଲେ ସେତେବେଳେ କନି ଅପା ଦେହ ସହିଲା ନାହିଁ ।

 

ଦୁଲେଇର ପିଲାଙ୍କୁ ଦେଖି ତା’ ଆତ୍ମା ହିଂସାରେ ଜଳି ଉଠିଲା । ବିଶୁ ଭାଇ ଯେତେ କହିଲେ ଯେ, ଆମର ପିଲା ନହେଲେ କଣ ହେଲା ସେମାନେ କଣ ଆମ ପିଲା ନୁହନ୍ତି, ସେ କଥା କନି ଅପାକୁ ଜମା ସନ୍ତୁଷ୍ଟ କଲା ନାହିଁ ।

 

କନି ଅପା ଜାଣି ଶୁଣି ଦୁଲେଇ ସାଙ୍ଗରେ କଳି କରିବାକୁ ଆରମ୍ଭ କଲା । କଳି କରି ଆସେ ନାହିଁ ସିନା, କିନ୍ତୁ ଯେତେବେଳେ ଅନ୍ୟାୟରେ ତା ଛୁଆପିଲାଙ୍କୁ କନି ଅପା ମାର୍‌ ଧର୍‌ କରି ଖାଇବାରେ ହଇରାଣ କରିବାର ସେ ଦେଖିଲା, ସେତେବେଳେ ତା ହୃଦୟ ସହିଲା ନାହିଁ । ସେ ମଧ୍ୟ ଯୋଡ଼ି ଦେଇ କନି ଅପା ସାଙ୍ଗରେ କଜିଆ କଲା ।

 

ଏମିତି କଳିକଜିଆ ଆରମ୍ଭ ହେଉ ହେଉ ସବୁଆଡ଼େ ଲୋକ ଶୁଣି ତୁମ କନି ଅପାକୁ ନିନ୍ଦା କରିବାକୁ ଲାଗିଲେ । ତୁମ ଜଗୁ ଭାଇ ମଧ୍ୟ ସେଇ ଅଯଥା କଳି ତକରାଳର ସମାଧାନ କରିବାକୁ ଯାଇ ବାରମ୍ବାର ପ୍ରତିହତ ହେଲେ । ଶେଷରେ କିଛି ଫଳପ୍ରଦ ନହେବାରୁ ସେ ରାଗିଯାଇ ଘର ଛାଡ଼ି ପଳେଇ ଯିବାକୁ ଧମକ ଦେଲେ ।

 

ସାଇ ପଡ଼ୋଶୀ ଗାଁ ଭୂଇଁର ସବୁ ଲୋକଙ୍କ ନିନ୍ଦା ଆଉ ଜଗୁ ଭାଇର ଅସହଯୋଗିତା ଅବଲୋକନ କରି କନି ଅପା ଅସହାୟ ହୋଇ ଶେଷକୁ ଆତ୍ମହତ୍ୟା କଲା ।

 

ଏଇ ଅଶୋଭନୀୟ ପରିସ୍ଥିତି ପାଇଁ ଦାୟୀ କିଏ ? ଦାୟୀ ହେଉଛି ତୁମ କନି ଅପାର ଅସମାନ୍ତରାଳ ମନୋବୃତ୍ତି । କନି ଅପା ମନରେ ଥିବା ବିଷ ଅତୀତର ଆକାଂକ୍ଷା ଗୋଟିଏ ସୁନ୍ଦର ସଂସାର ଉପରେ କୁଠାରାଘାତ କରି ଚାଲିଗଲା । କେବଳ କନି ଅପାର ଦୂରଦୃଷ୍ଟି । ପରିମାର୍ଜିତ ନୁହେଁ ବୋଲି । ଶିକ୍ଷା ଆଲୋକରେ ଆଲୋକିତ ନୁହେଁ ବୋଲି । କିନ୍ତୁ ତୁମ ଆମ କ୍ଷେତ୍ରରେ ?

 

ଶୈବାଳିନୀର ପୋଷାକୀ ମନୋବୃତ୍ତି ତଳେ ଯେଉଁ ଆଉ ଗୋଟିଏ ମନ କାମ କରୁଛି, ସେ କଣ ଏମିତି ତୀକ୍ଷ୍‌ଣ ହେବା ଉଚିତ ? ତେବେ ଶିକ୍ଷାର ମର୍ଯ୍ୟାଦା ଆଉ କଣ ରହିଲା । ସନ୍ତାନର ମାୟା ମମତା କିଏ ଦେବ । ତେଣୁ ମୁଁ ଅସନ୍ତୁଷ୍ଟ । ମୁଁ ଅତୃପ୍ତ–ମୁଁ ନିରନ୍ତର କ୍ରୋଧ ପରବଶ ହୋଇ ଚିତ୍କାର କରୁଛି । ବିବାହ କରିବାର ତିନି ବର୍ଷ ପରେ ବି ମୋ ସ୍ୱାମୀ ମନ ପତ୍ନୀ ସାଙ୍ଗରେ ଜଡ଼ି ରହିବାକୁ ମୋଟେ ଇଚ୍ଛୁକ ନୁହେଁ ।

 

ଏଇ ତିନି ବର୍ଷ ମଧ୍ୟରେ ମୋ ଲିଖିତ ଚାରିଖଣ୍ଡି ଉପନ୍ୟାସ ପ୍ରକାଶିତ ହୋଇ ବଜାରରେ ବହୁତ ପ୍ରଶଂସା ପାଇଛି । ତମେ ସେଥିରୁ ‘ମାଂସ ବିଳାସ’ ଉପନ୍ୟାସ ଖଣ୍ଡିକ ପଢ଼ିଥିବ କି ନା ମୁଁ ଜାଣେନା । ଯଦି ନ ପଢ଼ିଥାଅ, ତେବେ ସେଇଟା ସାଙ୍ଗେ ସାଙ୍ଗେ ବଜାରରୁ କିଣି ନେଇ ପଢ଼ିବ ।

 

‘ମାଂସ ବିଳାସ’ ର ନାୟିକା ବିଳାସିନୀ ।

 

ବିଳାସିନୀକୁ ଏକ ବ୍ୟତିକ୍ରମର ନାୟିକା କରି ଗଢ଼ିଛି କି ନା ତାହା ତୁମେ ବୁଝିବ ।

 

ବିଳାସିନୀ ଜଗଦେବର ପତ୍ନୀ ।

 

ବିଭା ହେବାର ପାଞ୍ଚ ବର୍ଷ ବିତିଗଲା । ଅଥଚ ବିଳାସିନୀ କୋଳକୁ ପିଲା ବକଟେ ଆସି ପାରିଲା ନାହିଁ ।

 

ବିଳାସିନୀ ମନ ଦୁଃଖରେ ଜଗଦେବ ପାଖରେ ଦୁର୍ବଳ ହେବାକୁ ଲାଗିଲା । ଜଗଦେବ ବିଳାସିନୀର ଦୁଃଖ ଦେଖି ପଚାରିଲେ, ତୁମେ ସନ୍ତାନ ଲାଗି ଦେହ ପ୍ରତି ଏତେ ଅବିଚାର କରୁଛ ?

 

ବିଳାସିନୀ ଇଙ୍ଗିତରେ ସମ୍ମତି ଜଣାଇଥିଲା । ଆଉ ସଙ୍ଗେ ସଙ୍ଗେ କହିଥିଲା ଯେ ତୁମେ ଆଉ ଗୋଟିଏ ଝିଅକୁ ବିବାହ କରି ବଂଶ ରକ୍ଷାକର ଜଗଦେବ । ମୋର ପତ୍ନୀ ସୁହାଗିନୀ ହେବା ଦରକାର ନାହିଁ । ମୁଁ ଚାହେଁ ତୁମ ମନରେ ଶାନ୍ତି ଫୁଟୁ, ଓଠରେ ହସ ଉକୁଟୁ ।

 

ବିଳାସିନୀର ଅନୁରୋଧକୁ ସେଇ ଉପନ୍ୟାସରେ ଜଗଦେବ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ତୁମକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ ବିଳାସିନୀ । ତୁମ ମାଂସର ବିଳାସ ସହିତ ଯେଉଁ ମନ ପାଞ୍ଚ ବର୍ଷ ଧରି ନୃତ୍ୟ କରି ଆସୁଛି, ତାକୁ ଆଉ ଜଣଙ୍କ ମାଂସ ସହିତ ମିଶାଇ ଦେଲେ ମିଶିବ କି ? ତମେ ମୋର ପତ୍ନୀ, ସନ୍ତାନ, ସବୁ କିଛି । ଆମର ସନ୍ତାନ ନ ହେଉ, ମନର ପରିତୃପ୍ତି ହିଁ ଆମର ସ୍ୱର୍ଗ । ଭଗବାନଙ୍କ ନିକଟରେ ମୋର ସେତିକି ପ୍ରାର୍ଥନା ଯେ ସେ ତୁମକୁ ମୋତେ ଏକାଠି କରି ଏକାବେଳେକେ ତାଙ୍କ ପଦ ତଳକୁ ନେଇ ଯାଆନ୍ତୁ । ବିଳାସିନୀର ଚକ୍ଷୁରୁ ଝର ଝର ହୋଇ ଆନନ୍ଦାଶ୍ରୁ ଗଡ଼ି ପଡ଼ିଥିଲା ସେତେବେଳେ । ସେ ଜଗଦେବର ପଦତଳେ ମୁଣ୍ଡ ନୋଇଁ ପ୍ରଣତି ଜଣେଇଥିଲା । ଜଗଦେବର ଶୁଭ ହେଉ ।

ସନ୍ତାନର ବାପ ମା ହେବାରେ ଏମିତି ଯେଉଁଠି ମନ ରହିଛି, ସେଠି ଶୈବାଳିନୀ ଓ ମୋ ଭିତରେ ଥିବା ତଫାତ୍‌ ମନୋବୃତ୍ତି କାମ କରିବ କେମିତି ।

ଦୀର୍ଘ ଚାରିବର୍ଷ ପରେ ଉଚ୍ଛୃଙ୍ଖଳ ଯୌବନର ଗୋଟିଏ ପାହାଚ ଉପରେ ଥାଇ ମୁଁ ତୁମକୁ ଝୁରୁଛି କାହିଁକି ?

କେବଳ ସେଇ ଗୋଟିଏ ଜିନିଷ ମନକୁ ପାଇଚି ବୋଲି । ତୁମ ମନ ସହିତ ମୋ ମନ ଏବେ ବି ମିଳି ରହି ପାରିଥାନ୍ତା । ସନ୍ତାନର ଜନନୀ ହୋଇ ନଥିଲେ ମଧ୍ୟ ମୋ ପାଖରେ ତୁମେ ପ୍ରେମମୟୀ ପତ୍ନୀ ଭାବରେ ଆନନ୍ଦ ପାଉଥାନ୍ତ ।

ଯେମିତି ବିଳାସିନୀ ପାଇଛି ।

ବିଳାସିନୀକୁ ତୁମେ କଳ୍ପନାର ନାୟିକା କହି ଉପହାସ କରିପାର ।

କିନ୍ତୁ ଶୈବାଳିନୀ ପାଖରେ ଠିଆ ହୋଇଥିଲେ ତୁମେ ଠିକ୍‌ ବୁଝିଥାନ୍ତ ସୁଖଦ, ବିଳାସିନୀ କିଏ ?

ବିଳାସିନୀ ଅଶରୀରୀ ପତ୍ନୀ ନୁହେଁ କି ‘ମାଂସ ବିଳାସ’ ମନଗଢ଼ା ଫାର୍ଶ ନୁହେଁ ।

ବିଳାସିନୀ ସେଇ ଅନୁଦିତା ।

ଆଉ ‘ମାଂସ ବିଳାସ’ ଠିକ୍‌ ଅନୁଦିତା ସଂସାରର କାହାଣୀ । ଅନୁଦିତାର ସଂସାର ମଧ୍ୟକୁ ତୁମେ ମୁଁ ବାରମ୍ବାର ବୁଲିଯାଇ ଆଉ କଣ ଦେଖି ପାରିଲେ ?

କଣ ଶିଖି ପାରିଲେ ?

ପାଞ୍ଚ ବର୍ଷ ତଳର ଅନୁଦିତା ଥିଲା ତିନି ବର୍ଷର ବୋହୁ । ସେତେବେଳେ ତୁମେ ତାଙ୍କୁ ମାଉସୀ ବୋଲି ଡାକୁଥିଲ । କାରଣ ସେ ଟିକେ ମୋଟା ମୋଟା ହୋଇ ବହୁତ ବୟସର ସ୍ତ୍ରୀ ଭଳି ଦେଖା ଯାଉଥିଲେ ।

ମୁଁ ତାଙ୍କୁ କିଛି ଡାକୁ ନଥିଲି ।

ଯାହା ହେଉ ତୁମର ସେଇ ମାଉସୀ କଥା ଠିକ୍‌ ମନେ ପଡ଼ୁଥିବ ।

ଅନୁଦିତା ମାଉସୀଙ୍କୁ ଅନୁକରଣ କରି ଯେ ବିଳାସିନୀ ଚରିତ୍ରକୁ ମୁଁ ଚିତ୍ରଣ କରିଛି ତା ନୁହେଁ ।

 

ଅନୁଦିତା ମାଉସୀ ଏକ ନିର୍ଭୁଲ ଆଦର୍ଶ ପତ୍ନୀ ।

 

ସାମ୍ବାଦିକ କରବୀରଙ୍କ ସ୍ତ୍ରୀ ହୋଇ ତାଙ୍କ ମନରେ ମୋଟେ ଗର୍ବ ନାହିଁ । ଏବେ ମଧ୍ୟ ସେ ମୋର ବାଟ ଘାଟରେ ଦେଖା ହେଲେ ହସି ହସି ଦୁଇପଦ କଥା ହୋଇ ଚାଲିଯାନ୍ତି ଆଉ ତୁମ କଥା ମଧ୍ୟ ପଚାରନ୍ତି ।

 

ମୁଁ ତାଙ୍କୁ ପଚାରେ ଆପଣଙ୍କର କେତୋଟି ପିଲାପିଲି ହେଲେଣି ? ସେ କିଛି କହିବା ପୂର୍ବରୁ କରବୀର ବାବୁ ଉତ୍ତର ଦିଅନ୍ତି ଯେ, ଦୁନିଆର ସବୁ ସନ୍ତାନ ତ ଆମର ପିଲା । ଆଉ ତାର ପରିମାଣ ଆମେ କେମିତି କହିବୁ ।

 

ଅନୁଦିତା ମୁଣ୍ଡ ହଲାଇ ନାହିଁ କରନ୍ତି ।

 

ତାଙ୍କ ମୁହଁରେ ଯେ ଦୁଃଖ ଥାଏ, ମୁଁ ତାହା ଦେଖିପାରେ ନାହିଁ ।

 

କରବୀର ବାବୁଙ୍କ ଭଉଣୀର ପୁଅକୁ ପୋଷ୍ୟ ପୁଅ କରି ଅନୁଦିତା ଯେଉଁପରି ଜନନୀ ହୋଇଛନ୍ତି, ତୁମେ କେବେ ଦେଖିଲେ ବିଶ୍ୱାସ କରିପାରିବ ନାହିଁ ।

 

ଅନୁଦିତା ତୁମ ପ୍ରତି ଯେତିକି ବାସ୍ତବ ହେବେ ଅନ୍ୟ ସମସ୍ତଙ୍କ ପ୍ରତି ସେତିକି କଳ୍ପନାର ପାତ୍ରୀ ହେବେ । ତୁମେ ବିଳାସିନୀକୁ ସେଇ ଦୃଷ୍ଟିରେ ଦେଖିଲେ ହାରିଯିବ ।

 

କେତେ ପ୍ରେମ ଦେଇ ଜଗଦେବଙ୍କୁ ସେ ଯେ ଭଲ ନପାଇଛି, ତାହା ତୁମର ହୃଦୟକୁ ବାରମ୍ବାର ଛୁଇଁବ ? ତାହାହିଁ ମଧ୍ୟ ତୁମ ଅଭିସାରର ଇଚ୍ଛା ଥିଲା ।

 

ପ୍ରେମରେ ଉନ୍ମତ୍ତା ହୋଇ ତୁମେ ମଧ୍ୟ ଚାହୁଁଥିଲ ସନ୍ତାନର ଜନନୀ ହେବାକୁ ।

 

ମୁଁ କହିନଥିଲି, କୁମାରୀ ମା ହୋଇ ଦୁନିଆରେ ତୁମେ କେମିତି ମୁହଁ ଦେଖାଇବ ସୁଖଦା-?

 

ତୁମରି ଚପଳମତି ଉତ୍ତର ଥିଲା, ଗର୍ଭବତୀ ହେଲେ ବାହା ହେବାକୁ ସୁବିଧା ବାଟ ଫିଟିଯିବ ଯେ !

 

ମୁଁ ଭବିଷ୍ୟତକୁ ଚାହିଁ ଅତି ସତର୍କରେ ତୁମ ସହିତ ପ୍ରେମ ବିଳାସରେ ରତ ରହୁଥିଲି ।

 

ନ ହେଲେ ଆଜି ପରିଣାମ କି ଭୀଷଣ ହୋଇଥାନ୍ତା ଭାବିପାରୁଛ ଟି ?

 

ବାହା ନହୋଇ ତୁମେ ଜନନୀ ହୋଇଥିଲେ କଳଙ୍କିତା ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିଥାନ୍ତ କି ?

 

ବିଶ୍ୱନାଥର ସ୍ତ୍ରୀ ହୋଇ ତୁମେ ଏଇ ଦୃଷ୍ଟିରୁ ଉଦ୍ଧାର ପାଇ ନଥାନ୍ତ । ବିଶ୍ୱନାଥର ଅତୃପ୍ତ ଆତ୍ମା ଅଜ୍ଞାତସାରରେ ସିନା ଦୂରରେ ଅଛି, ନହେଲେ ସେ ମୋ ମନ–ଉପବନରେ ସ୍ୱପ୍ନରେ କିମ୍ବା ଜାଗରଣରେ ଘୂରି ବୁଲୁଥାନ୍ତା ।

 

କୁମାରୀ ଅବସ୍ଥାରୁ ତୁମେ ସନ୍ତାନର ମା ହେବାକୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲ । ମୋ ସାହଚର୍ଯ୍ୟର ସ୍ୱାକ୍ଷରକୁ ହୃଦୟର ମୁହୂର୍ତ୍ତ ମଧ୍ୟରେ ଚାପି ରଖି ଉଷ୍ଣତା ଅନୁଭବ କରିବା ପାଇଁ ତୁମେ ଅନେକ ଥର ମୋତେ ଉନ୍ମତ୍ତ ଅଭିସାର ମଧ୍ୟକୁ ଟାଣି ନେଇଛ ।

 

ମୁଁ ନିଜକୁ କେତେ ସଂଯତ କରି ତୁମକୁ କହି ନଥିଲି ସୁଖଦା, ନାରୀ ଜୀବନର ଏଇ ସମୟରେ ରତିବିଳାସ କଲେ ସନ୍ତାନ ହେବାର ସମ୍ଭାବନା ଯଥେଷ୍ଟ ଅଛି, ତୁମେ ଆଉ ଆଠ ଦିନ ଅପେକ୍ଷା କର ।

 

ଅଭିମାନରେ ମୁହଁକୁ ତଳକୁ ପୋତି ତୁମେ ସେଦିନ ଯେଉଁ ଭଳି ଭାବେ ମୋ ପାଖରୁ ଖସି ବିଚ୍ଛିନ୍ନ ହୋଇ ବସିଲ, ସେଦିନ ଆଜି ବି ମନେ ପଡ଼ୁଥିବ । ଆଉ ମନେ ପଡ଼ୁଥିବ ମୁଁ ତୁମ ଶାଢ଼ୀର ପଣତକୁ ଟାଣି ଆଣି ତୁମ ସହିତ ରତିବିଳାସ କରିବାକୁ ଚେଷ୍ଟା କରିଥିଲି, ତୁମେ ଅମଙ୍ଗ ହୋଇଥିଲ ।

 

ମୁହଁ ଉପରେ ଭାରି ରାଗିଯାଇ ମୋ ପାଖରୁ ଘରକୁ ଚାଲିଯିବାକୁ ବସିଥିଲ ।

 

କିନ୍ତୁ ମୋର ସେଇ ହାତର ପରଶ....

 

ମୋର ସେଇ ଅଧରର ମୁହୂର୍ତ୍ତ......ମୋର ସେଇ ମୁକୁଳିତ ଯୌବନର ଦାହ, ତୁମ ନହୁଲି ଅଙ୍ଗଲତାକୁ ଦଳିମନ୍ଥି ସିଝେଇ ଦେଇଥିଲା ।

 

ସନ୍ତାନ ଧାରଣ କରିବା ଆକାଂକ୍ଷାରେ ମତୁଆଲା ହୋଇ ତୁମେ ଚାହିଁଥିଲ ସେଇ ସେତକ ଉର୍ବରା ଭୂଇଁକୁ ଦୁଇ ତିନିଥର ଚାଷ କରି କେଇଟା ଦିନରେ ଫଳ ଫଳେଇ ଦେବାକୁ ।

 

କିନ୍ତୁ ମନେ ମନେ ଚାହିଁଲେ ସେ ଉଦ୍ୟମ ସଫଳ ହୁଏ ନାହିଁ ।

 

ଅଭିସାରିକା ସାଜି ସେଦିନ ନିଝୁମ ରାତିରେ ତୁମେ ଯେଉଁ ଅଭିନୟ କରିଗଲ, ତାହା ମୋର ନିର୍ଜନ ମନକୁ ବହୁତ ଖୋରାକ୍‌ ଯୋଗାଇଛି ଆଉ ମଧ୍ୟ ଭବିଷ୍ୟତ ପାଇଁ ଯୋଗାଉଥିବ ।

 

ହେଲେ ସନ୍ତାନ ?

 

ତୁମ ଅନ୍ତରରେ ଗର୍ଭ ରହିଲା ନାହିଁ ।

 

କେମିତି ରହିବ ?

 

ତା’ ପାଇଁ ଭଗବାନଙ୍କର ଇଚ୍ଛା ଆଉ ଆଶୀର୍ବାଦ ଥିବା ଦରକାର । କିନ୍ତୁ ତୁମ ମନର ଆସର ତ କମ୍‌ ନଥିଲା ?

 

ସେ ମନ ଥିଲା ଉନ୍ନତ୍ତ ଆଉ ସରଳ । କିନ୍ତୁ ଶୈବାଳିନୀର ମନ ଯେ କେତେ ଜଟିଳ ଆଉ ତୀବ୍ର, ତୁମେ ଏଇ ପରସ୍ଥିତିରୁ ବୁଝିବ । ଆଉ ଶୈବାଳିନୀକୁ ଯଦି ଅଧିକା କାହା ସହିତ ତୁଳନା କରିବାର ଇଚ୍ଛା ଥାଏ ତାହେଲେ ସେଇ ଲୀରା ସାମନ୍ତ ସଙ୍ଗେ ତୁଳନା କରିବ ।

 

ଆମେ ସେଦିନ ଦେଖିଥିବା ‘ଆହତା ବିହଙ୍ଗୀ’ ନାଟକର ନାୟିକା ନାଁ ଥିଲା ନା ଲୀରା ସାମନ୍ତ ?

 

ନା ଲିପିକା ଦାସ ?

 

ଲିପିକା ଦାସ ହୋଇ ନଥିବ, କାରଣ ସେ ତା’ ସ୍ୱାମୀକୁ ଛାଡ଼ପତ୍ର ଦେଇ ବାହାର ଲୋକଙ୍କୁ ଦେହ ଦାନ କରୁଥିଲା । ସେ ନୁହେଁ ।

 

ସେ ହେଉଛି ଲୀରା ସାମନ୍ତ ।

 

ଲୀରା ସାମନ୍ତ ‘ଆହତା ବିହଙ୍ଗୀ’ ନାଟକର ପ୍ରକୃତ ନାୟିକା ଥିଲା । ତୁମେ ମଗ୍ନ ମନରେ ସେ ନାଟକଟି ମୋ ସାଙ୍ଗରେ ଦେଖୁଥିଲ ।

 

ଲୀରା ସାମନ୍ତର କି ତ୍ୟାଗ ! ସନ୍ତାନ ପ୍ରସବ କରୁଥିବା ଜନନୀମାନଙ୍କର କଷ୍ଟ ଉପଶମ ଲାଗି ଲୀରା ସାମନ୍ତର କି ଅକ୍ଳାନ୍ତ ପରିଶ୍ରମ !

 

ସାମାନ୍ୟ ନର୍ସଟିଏ ।

 

ସନ୍ତାନ ହେବାପରେ ଜନନୀମାନଙ୍କର ମନକୁ ସେ ଯେ କେତେ ଖୁସି କରି ବିଦାୟ ନ ଦେଇଛି, ତାହା ସେ ନାଟକ ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ ।

 

ଲିପିକା ପରପୁରୁଷମାନଙ୍କ ସହବାସ ଫଳରେ ଯେଉଁ ସନ୍ତାନମାନଙ୍କୁ ସେଇ ଆରଭିନ୍‌ ମାଟର୍‌ନିଟ୍‌ ସେଣ୍ଟରରେ ଜନ୍ମ ଦେଇଛି, ସେମାନଙ୍କୁ ପରିସ୍ଥିତି ବାଧ୍ୟରେ ଘୃଣା କରିବାକୁ ଯାଇ ଲୀରା ଯେଉଁ ଅପମାନ ପାଇଛି, ତାହା ନିଶ୍ଚୟ ଦର୍ଶକମାନଙ୍କର ସହାନୁଭୂତି ଗ୍ରହଣ କରିବ ।

 

ଲୀରା ସାମନ୍ତ ସନ୍ତାନ ଜନ୍ମ ଦେବାକୁ ଅକ୍ଷମା ହୋଇ ଶାଶୁ ଶ୍ୱଶୁର, ସ୍ୱାମୀ ନଣନ୍ଦ ସମସ୍ତଙ୍କଦ୍ୱାରା ବିତାଡ଼ିତ ହେଲା ।

 

ରାସ୍ତା ଘାଟରେ ବୁଲି ରୂପ ବଜାରରେ ନିଜକୁ ବିକ୍ରୀ କରି ସେ ଆଉ କେତେଦୂର ନାରୀ ଧର୍ମ ସୁଲଭ ରକ୍ଷା କରି ପାରିଥାନ୍ତା । ତାକୁ ଜୀବନ ବଞ୍ଚାଇବାକୁ ହେବ ।

 

ଆରଭିନ୍ ମାଟର୍‌ନିଟ୍‌ ସେଣ୍ଟର୍‌ର ଶିଶୁ ସନ୍ତାନମାନଙ୍କର କ୍ରନ୍ଦନ ତା’ କର୍ଣ୍ଣ କୁହରରେ ସୃଷ୍ଟି କଲା ମାତୃତ୍ୱର ଜାଗରଣ ।

 

ତେଣୁ ସେ ସେଇଠାରେ ଆଶ୍ରୟ ନେଲା ।

 

ନର୍ସ ହୋଇ ସନ୍ତାନ, ଜନନୀମାନଙ୍କର ଦାୟିତ୍ୱ ତା’ ଉପରେ ନ୍ୟସ୍ତ ହେଲା ।

 

ତେବେ ପାପଗର୍ଭର ସନ୍ତାନମାନଙ୍କୁ ମାରି ଦେବାର ଅଧିକାର କଣ ଲୀରା ସାମନ୍ତର ଅଛି ?

 

ଲିପିକା ଦାସର ପ୍ରତି ଗର୍ଭ ନଷ୍ଟ କରିବାକୁ ସେ କୁଣ୍ଠା ପ୍ରକାଶ କରିଛି ।

 

ଲିପିକା ଦାସର ପ୍ରଣୟୀମାନେ କ୍ଷମତାଶାଳୀ, ପ୍ରତିଷ୍ଠିତ ବ୍ୟକ୍ତି । ସେମାନଙ୍କ ଆଖି ଦେଖାରେ ଲୀଳା ଡରି ଯାଇନି ।

 

ଆରଭିନ୍‌ ମାଟର୍‌ନିଟ୍‌ ସେଣ୍ଟର୍‌କୁ ଧ୍ୱଂସ କରିଦେବାକୁ ଯେତେବେଳେ ସେମାନଙ୍କ ପକ୍ଷରୁ ଧ୍ୱନି ଦିଆଯାଇଛି । ସେତେବେଳେ ଡାକ୍ତର ଓ ଅନ୍ୟ ନର୍ସମାନେ ଭୀତତ୍ରସ୍ତ ହୋଇ ପଳେଇ ଯିବାକୁ ଉଦ୍ୟତ ହୋଇଛନ୍ତି ।

 

କିନ୍ତୁ ଏଇ ଲୀରା ସାମନ୍ତ ଏକାକିନୀ ସେଇ ପରିସ୍ଥିତିର ସମ୍ମୁଖୀନ ହୋଇ ଶେଷକୁ ମୁମୂର୍ଷୁ ଜନନୀମାନଙ୍କ ଶରୀରକୁ ଦାନ କରିଛି ତା ନୁହେଁ, ସେମାନଙ୍କ ସ୍ୱାମୀଙ୍କୁ ଜନକ ହେବାର ଆଶା ଦୃଢ଼ କରାଇ ଦେଇଛି ।

 

ନ ହେଲେ କଲ୍ୟାଣୀ ମରିଥାନ୍ତା ।

 

ଲିପିକା ଦାସ ପରି ଲକ୍ଷ ଲକ୍ଷ ସ୍ତ୍ରୀ ଏ ଦୁନିଆରୁ ନିଶ୍ଚିହ୍ନ ହେଲେ କିଛି ନାହିଁ, କିନ୍ତୁ ଗୋଟିଏ କଲ୍ୟାଣୀର ମୃତ୍ୟୁରେ ତା ସ୍ଥାନ ପୂରଣ କରବାକୁ ଆଉ କେହି ଝିଅ ଏ ସଂସାରରେ ଜନ୍ମ ହୋଇ ନଥିଲେ ।

 

ଲୀରା ସାମନ୍ତ ଏହା ନିଶ୍ଚିତ ଭାବେ ବୁଝିଥିଲା । ସନ୍ତାନବତ୍ସଳା କଲ୍ୟାଣୀ ଜୀବନକୁ ରକ୍ଷା କରିବା ଲାଗି ସେ ଲିପିକାର ପାପଗର୍ଭ ପ୍ରତି ଭ୍ରୂକ୍ଷେପ ପ୍ରଦର୍ଶନ କରିଥିଲା । କେଡ଼େ ସ୍ୱାର୍ଥତ୍ୟାଗୀ ସେ ଚରିତ୍ର ନୁହେଁ ।

 

କେତେ ସନ୍ତାନଙ୍କୁ ଆଖି ଆଗରେ ହାତରେ ଖେଳାଇ ଦିନେ ହେଲେ ତ ସେ କାହା ଉପରେ ଈର୍ଷା କରି ନାହିଁ । ତେବେ ଶୈବାଳିନୀର ଏମିତି ମନ ସୃଷ୍ଟି ହେଲା କେମିତି ?

 

ବାଧ୍ୟ କରି ମନ ପରିବର୍ତ୍ତନ କରାହେଲେ, ତା’ ଭଲା ସ୍ଥାୟୀ ହୁଅନ୍ତା ?

 

ସେଦିନ ବୋଉ ଚିଠି ପାଇ ମନ ଶକ ଶକ କରି ମୋତେ ସେ କହିଲା, ଚାଲୁନ, ବୋଉ ଲେଖିଛନ୍ତି ଆଜି ଟିକେ ଚଣ୍ଡୀ ମନ୍ଦିରରେ ମନାସୀ ଆସିବା ।

 

ବୋଉ ଲେଖିଛନ୍ତି ବୋଲି ଯିବା, ତା ନହେଲେ ଦିନେ ତ କାହିଁ ସ୍ୱଇଚ୍ଛାରେ କହିନା ଯେ ଦେବାଦେବୀଙ୍କ ପାଖରେ ମୁଣ୍ଡିଆ ମାରି ଆସିବା ।

 

ଭକ୍ତି ଆସିଲେ ସିନା ହୁଅନ୍ତା ! ସିନେମା, ପ୍ରଦର୍ଶନୀକୁ ଯିବା ପାଇଁ ଯେତେ ଜୁଲମ୍‌, ଦେବା ଦେବୀଙ୍କ ପାଖକୁ ସେତେ ନୁହେଁ ।

 

ସେଦିନ ବୋଉ ଚିଠି ଲେଖିଥିଲା ବୋଲି ଆମେ ଗଲୁ ।

 

ମନରେ ଭକ୍ତି ନାହିଁ, ବେଶ ପରିପାଟୀ ଦେଖେଇ ହୋଇ ଆମେ ଆସିଲୁ ।

 

କି ଦୁଃଖର କଥା, ଚଣ୍ଡୀ ମନ୍ଦିରକୁ ଭକ୍ତି ଆରାଧନା ପାଇଁ ଯିବାକୁ ହେଲେ, ଦାମିକିଆ ଶାଢ଼ୀ, ସ୍ଲିଭଲେସ୍‌ ବ୍ଲାଉଜର ପରିଧାନ ନହେଲେ କଣ ହେବ ନାହିଁ ?

 

ମୁଁ କହିଲି ସାଧାରଣ ଶୁଭ୍ର ଶାଢ଼ୀ ଖଣ୍ଡେ ପିନ୍ଧୁନା ?

 

ଏତିକି କହିଲି କି ଭୁଲ୍‌ ହେଲା କେଜାଣି, ମୋତେ ଶୈବାଳିନୀ ଉତ୍ତର ଦେଲା ଯେ ସେ ଯିବ ନାହିଁ ।

 

ତାର ଇଚ୍ଛା ଥିଲା ସିଆଡ଼େ, ସିନେମା ଦେଖି ଆସିବା ।

 

ତେଣୁ ଭଲ ଶାଢ଼ୀ ନ ପିନ୍ଧିଲେ ହେବ ନାହିଁ ।

 

ମୋତେ ବହୁତ ଖୋଷାମଦ କରିବାକୁ ପଡ଼ିଲା ।

 

ହେଲେ ମୋ କଥା କଣ ରହିଲା ? ସେଇ ଟେରୀକଟ୍‌ ଶାଢ଼ୀ ପିନ୍ଧି, ଅଧରରେ ଲିପିଷ୍ଟିକ୍‌ ମାରି ସେ ମୋ ସାଙ୍ଗରେ ଗଲା ।

 

ଚଣ୍ଡୀ ମନ୍ଦିରରେ ମୁଣ୍ଡିଆ ମାରି ସନ୍ତାନ କାମନା ସେ କଲା କି ନା ମୁଁ ପଚାରି ନାହିଁ ।

 

କିନ୍ତୁ ମୁଁ କରିଥିଲି ।

 

ମୁଁ ଭକ୍ତି ବିନମ୍ର ହୋଇ ଏତିକି କହିଥିଲି, ହେ ଦେବତା, ଶାନ୍ତିରେ ମୋ ଦିନ ଯାଉ ।

 

ତୁମେ କହିବ ଯେ ବଂଶ ରକ୍ଷା କରିବା ପାଇଁ ମୋର ବ୍ୟାକୁଳ ହେବା ଉଚିତ ।

 

କିନ୍ତୁ କେଉଁ ସକାଶେ ମୁଁ ବ୍ୟାକୁଳ ହେବି ସୁଖଦା ? ମୋ ବାପ ଅଜାଙ୍କର ବଂଶ ରକ୍ଷା କରିବା କର୍ତ୍ତବ୍ୟ ମୋର ଯଥେଷ୍ଟ ବେଶୀ । ଶୈବାଳିନୀ ପର ଘରର ଝିଅ । ବାଦ, ହିଂସା ତା ମନରେ ଭାରି ହୋଇ ରହିବା ସ୍ୱାଭାବିକ । ହେଲେ ଏତେ ଯେଉଁ ଦୃଷ୍ଟାନ୍ତ ତୁମ ଆଗରେ ମୁଁ ଦେଇଗଲି, ସେମାନେ ତ ଶୈବାଳିନୀ ପରି ନାରୀ । ସେମାନଙ୍କଠାରୁ ଶୈବାଳିନୀର କ’ଣ କିଛି ଶିଖିବାର ନାହିଁ ?

 

ବିଳାସିନୀ, ଲୀରା ସାମନ୍ତ ଏମାନେ ଉପନ୍ୟାସ, ନାଟକର ଚରିତ୍ର ହେତୁ ଶୈବାଳିନୀର ମନକୁ ତୁଷ୍ଟ କରି ନ ପାରନ୍ତି, ହେଲେ ଦୁଲେଇ, ଅନୂଦିତା ଆଉ ଛନ୍ଦା ?

 

ସେମାନେ ପ୍ରତ୍ୟେକ କଣ ନିଜ ନିଜ ଆଦର୍ଶରେ ବଳିଷ୍ଠା ନୁହନ୍ତି ? ଜାୟା ଓ ଜନନୀ ହେବାକୁ ଶୈବାଳିନୀଠାରେ କି ଆଦର୍ଶ ଅଛି, କି ସମସ୍ୟା ଅଛି ? ମନନଶୀଳତାର ତଫାତ୍‌ ଉପରେ ସଂସାରର ବନ୍ଧୁର ଶଯ୍ୟା ସୁସଜ୍ଜିତ ହୋଇପାରେନା ।

 

ପୁଅ ଝିଅ କିଛି ନଥାଇ ଆମ ପ୍ରଫେସର ବେନେଡିକଟୋଭ୍‌ ଆଉ ତାଙ୍କ ପତ୍ନୀ ସାଇକା ଆରଷ୍ଟର୍‌ କେଡ଼େ ଖୁସି ନଥିଲେ ।

 

ବିଦେଶୀ ଲୋକ ହୋଇ ଦୁଇଜଣଙ୍କ ମଧ୍ୟରେ ଖୁବ୍‌ ବୁଝାମଣା ଥିଲା ।

 

ତୁମକୁ ନେଇ ମୁଁ ଯେଉଁଦିନ ତାଙ୍କ କ୍ୱାଟରକୁ ଯାଇଥିଲି, ବୃଦ୍ଧା ସାଇକା ଆର୍‌ଷ୍ଟର କେଡ଼େ ଆନନ୍ଦରେ ଆମକୁ ଚାହା ବିସ୍କୁଟରେ ଆପ୍ୟାୟିତ କରି ନଥିଲେ । ନିଜ ହାତରେ ପରିବେଷଣ କରି ସେ ଖୁସି ହୋଇ ଯାଉଥିଲେ ।

 

ବେନେଡିକଟୋଭଙ୍କ ଚକ୍ଷୁରେ ଆମେ ସମସ୍ତେ ତାଙ୍କରି ସନ୍ତାନ । ଆମରି ଦେଶ ହିଁ ତାଙ୍କ ଘର । ଟଙ୍କା ରୋଜଗାର କରି ଅନାଥ ଶିଶୁ ସନ୍ତାନମାନଙ୍କୁ ସ୍ତ୍ରୀ ପୁରୁଷ ଦୁହେଁ ବିତରଣ କରି ଦିଅନ୍ତି । ଦୁହିଁଙ୍କର ମନ ସମତାଳରେ ଗତି କରୁଥିଲା । ସେମିତି ମନ ମୁଁ ଆଉ କେଉଁ ଦାମ୍ପତ୍ୟ ଜୀବନରେ ଦେଖି ନାହିଁ ।

 

ଅବଶ୍ୟ ଅଭାବ ନଥିବା ତାଙ୍କ ପରିବାରରେ ସବୁଆଡ଼ୁ ବୁଝାମଣାର ଠିକ୍‌ ଥିଲେ ସୁଖ ଶାନ୍ତି ନିଶ୍ଚୟ ଆସିବ । କିନ୍ତୁ ମୋ ପରିବାରରେ କି ଅଭାବ ଅଛି ? ଅର୍ଥ, ପରିବେଶ ସୁଯୋଗ କେଉଁଥିରେ ଭାବପୂର୍ଣ୍ଣ ପରିସ୍ଥିତି ନାହିଁ ବୋଲି କେହି କହିପାରିବେ ନାହିଁ ।

 

ତେଣୁ ଜାଣି ଜାଣି ପ୍ରତିକ୍ରିୟାଶୀଳ ହେଲେ ମନର ତଫାତ୍‌ ଆସିବ । ଶୈବାଳିନୀକୁ ଏଇକଥା ବେଳେ ବେଳେ ମୁଁ ବୁଝାଏ ! ଆଉ କୁହେ, ଦେଖ ଶୈବାଳିନୀ, ତୁମେ ଏଣିକି ଦାୟିତ୍ୱସମ୍ପନ୍ନା ହେଲଣି । ଘରର ପରିଚାଳନା ଭାର ତୁମ ଉପରେ । ତୁମେ ଯଦି ଯୁକ୍ତି ତର୍କ କରି ନିଜକୁ ଏକତରଫା କରି ରଖିବ, ତେବେ ଆମେ ସଂସାରରେ ଆଗେଇ ଯାଇ ପାରିବା ନାହିଁ । ଶୈବାଳିନୀ ମୋ କଥାକୁ ହେୟ ଜ୍ଞାନ ମଣି କୁହେ ଯାଉନ, ଛନ୍ଦାକୁ ଆଣି ମନ ମିଳେଇ ଘର ସଂସାର କରିବ । ତୁମ ସହବାସରେ ତ ଛନ୍ଦାର ପୁଅଟିଏ ହେଲା, ଆଉ ଚିନ୍ତା କଣ ?

 

ଶୈବାଳିନୀର କଥା ଶୁଣି ମୋ ରାଗ ପଞ୍ଚମ ହୋଇ ଉଠେ । ଭାବେ ଗମ୍ଭୀର ହୋଇ ଛନ୍ଦାର ଅତୀତ କାହାଣୀ ଶୈବାଳିନୀକୁ ଶୁଣେଇ ଦେବି । ହେଲେ କହିପାରେ ନାହିଁ । ଭୟ ଲାଗେ, କାଳେ ଛନ୍ଦା ଶୈବାଳିନୀ ଠାରୁ ଶୁଣି ଦୁଃଖିତା ହେବ ।

 

ତୁମେ କୁହ, ତୁମେ ଯେତେବେଳେ ଦେଖିଛ ଛନ୍ଦା ସହିତ କୈଳାସର ପ୍ରେମ କେତେ ଉର୍ଜ୍ଜସ୍ୱଳ, କେତେ ନିଚ୍ଛକ ନିର୍ମଳ, ସେଥିରେ ଛନ୍ଦା ସହିତ ମୋତେ ଅଭିଯୁକ୍ତ କରିବାର ଆଉ ସନ୍ଦେହ ଅଛି କି ?

 

ଛନ୍ଦା ପ୍ରତି ମୋର କେବେହେଲେ ପିପାସା ନଥିଲା, କି ଆଜି ମଧ୍ୟ ନାହିଁ ।

 

ଛନ୍ଦାକୁ ଦେଖିଲେ ମୋ ମନରେ କାମପ୍ରବୃତ୍ତି ଜାଗ୍ରତ ହେବା ପରିବର୍ତ୍ତେ ସ୍ନେହ ଭାବ ଆସେ ।

 

ପତ୍ନୀ ବୋଲି ଦୁନିଆରେ ଯଦି କିଛି ଆଦର୍ଶ ଥାଏ, ତାହେଲେ ଛନ୍ଦା ଠାରେ ସେଇ ଆଦର୍ଶର ମୂଲ୍ୟ କଳନା କରେ ।

 

ତୁମେ କହିବ ଛନ୍ଦା ପ୍ରେମିକା ଅବସ୍ଥାରେ କୁତ୍ସିତ ପ୍ରେମତୀର୍ଥ ମଧ୍ୟରେ ନିଜକୁ ନଷ୍ଟ କରି ଦେଇଛି ।

 

କେବଳ କୈଳାସର ଯୌନ ହୃଦୟ ପାଖରେ ! କୈଳାସକୁ ଚିରଦିନର ସ୍ୱାମୀ କରି ରଖିବାର ନିର୍ଭୁଲ ଦୃଷ୍ଟିଭଙ୍ଗୀ ନେଇ ସେ ନିଜକୁ ପ୍ରେମ ଜୁଆରରେ ଭସାଇ ଦେଇଛି । ଯାହା ତୁମେ କରିପାରିଲ ନାହିଁ ।

 

ତୁମରି ଭବିଷ୍ୟତ ଦୃଷ୍ଟି ସେତେବେଳର ଆବର୍ତ୍ତମାନ ସ୍ରୋତରେ ଡୁବି ଯାଇ ଅଚେତନ ହୋଇ ଯାଇଥିଲା, ମୁଁ ସେତକ ଜାଣି ନଥିଲି କିମ୍ବା ଜାଣିବାର ସୁବିଧା ପାଇ ନଥିଲି ।

 

ପିଲାଙ୍କ ଧୂଳି ଖେଳ ଭଳି ଆମ ଖେଳ ସରିଗଲା ।

 

ତେବେ ବିଶ୍ୱନାଥର ସ୍ତ୍ରୀକୁ ମୁଁ ଯଦି ଆଜି ପଚାରେ ତୁମେ ସେଇ ସୁଖଦା ? ମୋ ସହିତ ଖେଳ ଖେଳି ଏଠି ଆସି ସ୍ତ୍ରୀ ହୋଇଛ; ତୁମେ ସେଠି କି ଉତ୍ତର ଦେବ ?

 

ଦୃଢ଼ ଭାବରେ ତୁମେ ନିଶ୍ଚୟ କହିବ ଯେ, ତୁମେ ହେଉଛ ବିଶ୍ୱନାଥର ପତ୍ନୀ । ମୋର କେହି ନୁହେଁ ଅବଲୁପ୍ତ ଅତୀତ ସହିତ ମୋର ଭାଗ ନଥିଲା ।

 

ମୋତେ ଉପହାସ କର ତଡ଼ି ଦେବ କିମ୍ବା ବିଶ୍ୱନାଥର ସ୍ତ୍ରୀ ବୋଲି ସଫେଇ ଦେବାକୁ ଯାଇ ମୋତେ କହିବ ପାଗଳ ।

 

ପାଗଳଟା କେଡ଼େ ଉଦ୍ଧତ ହୋଇ ପଚାରୁଛି ତୁମକୁ ମୁଁ ଭଲ ପାଉ ନଥିଲି ? ନିର୍ଜନରେ ଉପଭୋଗ କରି ଯୌନଦାଗର ସ୍ୱାକ୍ଷର ତମଠାରେ ରଖି ଦେଇ ନାହିଁ ? ଫାଙ୍କି ଦେଲେ ଦେବ ।

Unknown

 

ଦୁଃଖ ଆସିବ କ୍ଷଣିକ ପାଇଁ । ରାଗ, ଅଭିମାନରେ ମନ ଜଳି ଉଠିବ । ପ୍ରତିଶୋଧ ନେବାର ଆକାଙ୍‌କ୍ଷା ମଧ୍ୟ ପ୍ରବଳ ହୋଇପାରେ ।

 

କିନ୍ତୁ ମୁଁ ତୁମକୁ ଆଉ ଅପବ୍ୟବହାର କରି ପାରିବି କି ?

 

ଯଦି କରେ ବିଶ୍ୱନାଥ ନିକଟରେ ମୋ ଜୀବନ ଚିହ୍ନର ଦାମ୍‌ କେତେ କମି ନଯିବ ।

 

ଆଇ.ଏ.ଏସ୍‌.ଅଫିସର, ଔପନ୍ୟାସିକ ବାରୀନ୍ଦ୍ର ସମାଜର କେଇ ପାହାଚ ତଳକୁ ଖସି ନଯିବ ତୁମେ କହିଲ ?

 

ପିପାସାର ବଶବର୍ତ୍ତୀ ହୋଇ ତା ନିକଟରେ ସ୍ଖଳିତ ହେଲେ, ମୋ ଅବସ୍ଥା ଯେ କଣ ହେବ ତାହା ତୁମେ ବୁଝି ପାରୁଥିବ ।

 

କ୍ଷଣିକ ଉତ୍ତେଜନାର ସମ୍ମୁଖୀନ ହୋଇ କୃଷ୍ଣ ବାବୁଙ୍କ ସ୍ତ୍ରୀ ବାଣୀ ପ୍ରତି ଅଫିସର ଆବୋ ଅକ୍‌ତାର୍‌ କେମିତି ବଳପୂର୍ବକ ଅତ୍ୟାଚାର କରି ଅପମାନିତ ହେଲେ, ସେ ବିଷୟ ତୁମେ ସମ୍ବାଦପତ୍ରରୁ ଶୁଣିଥିବ । ବାଣୀ ତାଙ୍କ ଅଧୀନସ୍ଥ କର୍ମଚାରୀ ।

 

ସୁଶ୍ରୀ ଆଉ ସୁନ୍ଦରୀ !

 

ଅଫିସର ଆବୋ ଅକ୍‌ତାର୍‌ ନିର୍ଜ୍ଜନ କୋଠରୀକୁ କାମ ଛଳନାରେ ବାଣୀକୁ ଡକାଇ ନେଇ ଜବରଦସ୍ତ ତା’ ସତୀତ୍ୱ ଅପହରଣ କଲେ ସିନା, ହେଲେ କୃଷ୍ଣ ବାବୁ ଓ ବାଣୀ ଜନତା ସମ୍ମୁଖରେ ସେ ମୁହଁ ଦେଖାଇ ପାରିଲେ କି ?

 

ବାଣୀର ପତ୍ନୀ ହୃଦୟ ଚିତ୍କାର କରି ଉଠିଥିଲା ।

 

କୃଷ୍ଣ ବାବୁଙ୍କ ଅଭିଯୋଗରେ ସରକାରୀ ମହଲ ହୁଲୁସ୍ତୁଲ୍‌ ହୋଇ ଉଠିଥିଲା ।

 

ଆବୋ ଅକ୍‌ତାର୍‌ ଭୟରେ ଆତଙ୍କିତ ହୋଇ ପଡ଼ିଲେ । ସରକାରୀ ତରଫରୁ ତାଙ୍କୁ ସସ୍‌ପେଣ୍ଡ୍‌ କରାଯାଇ ତାଙ୍କ ନାଁରେ କମିସନ୍‌ ବସିଲା । ତଦନ୍ତ ଚାଲିଲା ।

 

ଏତେବଡ଼ ଅଫିସର ନାଁରେ ବଦ୍‌ନାମ୍‌ ଶୁଣି ସମସ୍ତେ ଛି ଛି କଲେ ।

 

ତେଣୁ କଳଙ୍କ, ବ୍ୟଭିଚାର କଣ କେବେ ଲୁଚି ରହିଲାଣି ? ପର ସ୍ତ୍ରୀକୁ ଅପହରଣ କଲେ, ତା’ ସ୍ୱାମୀ ମନ ବିଦ୍ରୋହ କରି ଉଠିବ ନାହିଁକି ?

 

ବାଣୀ ପାଇଁ କୃଷ୍ଣ ବାବୁଙ୍କ ମନରେ ଯେମିତି ଅଗ୍ନି ଜଳି ଉଠିଥିଲା, ଛନ୍ଦା ପ୍ରତି କୈଳାସ ଯେ ସେମିତି ସତର୍କ, ଏ କଥା ଶୈବାଳିନୀ ମୋଟେ ଅନୁଭବ କରୁ ନଥିଲା । ଏତେ ଭଲ ପାଇ ଛନ୍ଦା ଯେଉଁଠି କୈଳାସକୁ ବିବାହ କରିଛି ସେଠି ତା’ ଦେହର ପ୍ରହରୀ ଆଗରେ ମୁଁ କେମିତି କୁତ୍ସିତ କାମ କରି ପାରିବି ।

 

ଛନ୍ଦାର ସନ୍ତାନ ହେବା ଦିନଠାରୁ ଶୈବାଳିନୀର ମନରେ ଆଉ ଗୋଟିଏ ନୂଆ ମନ ଜନ୍ମ ହୋଇଛି ।

 

ସେ ମନ ପାପର, ସନ୍ଦେହର ।

 

ସେ ମନେ ଅସଂଖ୍ୟ ଜଟିଳତାର ଛନ୍ଦ ।

 

ସେ ଭଳି ମନ ଭିତରକୁ ଦେଖିବା ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ସମ୍ଭବ ନୁହେଁ ।

 

ମୁଁ ଆଉ କଣ କରିବି, ସୁଖଦା । କେମିତି ମନ ନେଲେ ସେ ମୋର ହେବ ! ଶୈବାଳିନୀର ମନ–ପ୍ରତ୍ୟୟ କମିଯିବ । ତାହା ମୁଁ ଭାବି ପାରୁ ନାହିଁ ।

 

ତୁମେ ।

 

କଣ ।

 

ମୋତେ ଭୁଲି ଯାଇଛ ?

 

ଏତେ ଅତୀତ, ଏତେ ପରିବେଶ, ଏତେ ସହବାସ ସବୁ କଣ ବୃଥା ହୋଇଗଲା !

 

ତୁମ ଶରୀରର ଲକ୍ଷ ଲକ୍ଷ ଲଜ୍ୟା, ଲକ୍ଷ ଲକ୍ଷ ଶିହରଣକୁ ଯିଏ ତୁମରି ଇଚ୍ଛାରେ ଦଳି ବିଦୀର୍ଣ୍ଣ କରି ପକାଇଛି, ତାକୁ ତୁମେ ଏତେ ଶୀଘ୍ର ଭୁଲିଗଲ କେମିତି ! ମୋ ଡାଏରୀରେ ତୁମ ହୃଦୟର ଅସଂଖ୍ୟ ମୁହୂର୍ତ୍ତ ମୁଁ ଲେଖି ରଖିଛି ।

 

ତାକୁ ତୁମେ ଅସ୍ୱୀକାର କରିବ କି ?

 

ମୋ ମନରେ ତୁମ ମନର ଚିହ୍ନ ନାହିଁ ।

 

ମୋ ଦେହରେ ତୁମ ଦେହର ଦାଗ ନାହିଁ ।

 

କିନ୍ତୁ ମୋ ଅତୀତର ବିଜନତା ସହିତ ତୁମ ସ୍ଫୁର୍ତ୍ତି କଲ୍ଲୋଳ ଯୌନ ହୃଦୟର ସମ୍ପର୍କ ଥିଲା କି ନା ସେ କଥା କହିବାର ସାକ୍ଷ୍ୟ ଆଜି କେହି ଦେଇ ପାରିବେ ନାହିଁ ।

 

କିନ୍ତୁ ସେଇ ଯିଏ ବିରଳା ଫାଙ୍କରେ ଆମ ପ୍ରେମ ଦେଖିଥିଲା ସେ କହିବ ।

 

ଜୋର୍‌ କରି ତା ପାଟିକୁ ମୁଁ ଖୋଲି ଦେବି ।

 

ତା ନହେଲେ ମୋତେ ଅଶାନ୍ତିରେ ଚିରଜୀବନଯାପନ କରିବାକୁ ପଡ଼ିବ ।

 

ଶୈବାଳିନୀ ଜାଣିଲେ ମୋତେ ଦୂରେଇ ଦେବ ବୋଲି ତୁମେ କହିବ ।

 

କିନ୍ତୁ ବିଶ୍ୱନାଥ ଜାଣଲେ ତୁମକୁ ?

 

ସତୀ ପତ୍ନୀର ଆସନରେ ସ୍ଥାନ ଦେବ କି ?

 

ସମସ୍ତେ ଜାଣି ପୃଥୀବୀକୁ ଓଲଟ ପାଲଟ କରି ଦିଅନ୍ତୁ । କିନ୍ତୁ ତାକୁ ମୁଁ କହିଚି, ସେ କହି ଦେଉ ।

 

ବେନାମୀ ଚିଠି ଦେଇ ତୁମ ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରୁ ।

 

ତାର ମନ, ତାରି ଭକ୍ତି ଦେଖୁଛ ?

 

କେତେ ସ୍ଥିର, କେତେ ଦୃଢ଼ !

 

ଦୀର୍ଘ ଚାରିବର୍ଷର ବିଶ୍ୱାସ ବନ୍ଧନୀ ମଧ୍ୟରେ ସେ ଘୁରୁଛି, ମୋ ପାଖେ ପାଖେ ଥାଇ ।

 

ଶୈବାଳିନୀ କହୁଛି, ‘ତୁମେ ଦରମା ପାଇ ସେ ଲୋକକୁ କାହିଁକି ଦଶ ଟଙ୍କା ଦାନ କରି ଦେଉଛ ।’

 

କିଛି ବୁଝି ପାରୁ ନାହିଁ ଶୈବାଳିନୀ ।

 

ତୁମେ ବୁଝିବ, ମଙ୍ଗୁକୁ ମୁଁ କାହିଁକି ଟଙ୍କା ଦେଇ ଦେଉଛି । କଣ ଦାନ କରିବା ଉଦ୍ଦେଶ୍ୟରେ ?

 

ନା ।

 

ଫଟୋବାଲା ମଙ୍ଗୁକୁ କେମିତି ମୁଁ ବାନ୍ଧି ରଖିଲି ତାହା ତୁମେ ଜାଣ ନା । ତୁମେ କେବଳ ତା ମୁହଁ ଦେଖିଛ । ନିର୍ଜନ କକ୍ଷରେ ଆମ ପ୍ରେମ ବିଳାସ ମଧ୍ୟରେ ଯେଉଁ ଦୁଇଟି ଆଖି ଗବାକ୍ଷ ଫାଙ୍କ ଦେଇ ଅନାଇ ଚାହିଁ ଥିଲା, ତୁମେ ଦେଖି କହିଥିଲ, କିଏ ଗୋଟିଏ ଲୋଫର୍‌ ଟୋକା ଚାହିଁଛି, ଇଏ ହେଉଛି ସେଇ ମଙ୍ଗୁ ।

 

ମଙ୍ଗୁକୁ ମୁଁ ସେଇଦିନ ହାତ କରି ନେଇଥିଲି ।

 

ତୁମ ଗଲା ପରେ ମଙ୍ଗୁ ସାଙ୍ଗରେ ଶାଲିସ୍‌ କରି ମୁଁ ତାକୁ ଏମିତି ନିଜର କରି ନେଇଥିଲି, ସେ ଆମ ପ୍ରେମ କାହାଣୀ କାହାରି ଆଗରେ ପ୍ରକାଶ କରିନଥିଲା ।

 

ଏମିତି ଅସ୍ଥିରମନା ହୋଇ ସେ ତା ସାଙ୍ଗ ସୁଖ ଲୋକଙ୍କ ଆଗରେ କହି ପାରିଥାଏ । ତେବେ ସେଥିରେ ଗୁରୁତ୍ୱ କିଏ ଦେଉଛି !

 

ତା’ହେଲେ ତୁମେ କହିବ, ମଙ୍ଗୁକୁ ହାତରେ ରଖିବାର ବାହାଦୁରି କେଉଁଠି ରହିଲା ?

 

ଜାଣ ? ସେ ଥିଲା ତୁମ ପ୍ରତି ଏକ ବିପଦଶଙ୍କୁଳ ସଙ୍କେତ । ଯେଉଁ ଦିନଠାରୁ ସେ ଆମ ଦୁହିଁଙ୍କ ପ୍ରଥମ ମିଥୁନ ବାସର ଦେଖିଲା, ସେଇ ଦିନଠାରୁ ତା ମନରେ ଆକାଂକ୍ଷା ଜନ୍ମିଲା ତୁମେ କିଏ ?

 

କେଉଁଠୁ ଆସି ତୁମେ ମୋ ସାଙ୍ଗରେ ସିନେମା, ଥିଏଟର୍‌ ପିକ୍‌ନିକ୍‌ ସବୁ ଆଡ଼କୁ ବୁଲି ଯାଉଚ ।

 

ତା ଆଖିରୁ ଏଗୁଡ଼ା ସବୁ କିଛି ବାଦ୍‌ ଗଲା ନାହିଁ । କାରଣ ଫଟୋ ବାନ୍ଧିବା ଛଡ଼ା ତାର ସିନେମା ହଲ୍‌ ପାଖରେ ମଧ୍ୟ ପେଷା ଥିଲା ।

 

କାଳାବଜାରୀରେ ସିନେମା ଟିକେଟ୍‌ ବିକିବା ମଙ୍ଗୁର ଥିଲା ଏକ ଅଭ୍ୟାସଗତ ବ୍ୟବସାୟ ।

 

ସେ ତୁମକୁ ଆଉ ମୋତେ ହଲ୍‌ମାନଙ୍କରେ ଦେଖିଛି । ଆଉ ତା ମନର ଆକାଙ୍‌କ୍ଷା ଯେତେବେଳେ ପ୍ରବଳ ହୋଇ ଉଠିଛି, ସେ ତୁମ ପିଛା କରି ତୁମ ଘର ମଧ୍ୟ ଦେଖି ଆସିଛି ।

 

ତା ଆଖିର ସାକ୍ଷୀକୁ କେମିତି ଅବିଶ୍ୱାସ କରିହେବ ? କେମିତି ତା’ ଦୋକାନରେ ଯେଉଁ ଆମ ଯୁଗଳ ଫଟୋ ବାନ୍ଧିଥିଲେ ସିଏ ବା ନାହିଁ କରିବ ଯେ ସେ ତୁମେ ନୁହଁ ବୋଲି ।

 

ସେଦିନର କେତେ ଭଙ୍ଗୀର ପ୍ରେମୋଚ୍ଛ୍ୱଳ ଫଟୋଗୁଡ଼ିକ ମୁଁ ବିବାହ ପରେ ପରେ ଶୈବାଳିନୀର ଚକ୍ଷୁ ଅନ୍ତରାଳରେ ନେଇ ଭାଙ୍ଗି ଫୋପାଡ଼ି ଦେଲି ।

 

ଅତଳ ଜଳର ନିମ୍ନ ଭାଗରେ ତାର ସତ୍ତା ଆଜି ନଥିବ । କିନ୍ତୁ ଏଇ ଆଖି ଦୁଇଟିର ସତ୍ତା ଆଜି ଅଛି ।

 

ମଙ୍ଗୁ ।

 

ବଜାରୀ, ଲୋଫର ମଙ୍ଗୁ ମୋ ସଂସ୍ପର୍ଶରେ ଆସି କେତେ ପରିବର୍ତ୍ତନ ହୋଇଯାଇଛି ଦେଖିଲେ ଖୁସି ଲାଗୁଛି । ମୋଠାରୁ ଦଶଟଙ୍କା ନେଉ । ସେ ତ ଚୋରୀ କରି କଳାବଜାରୀ ଟଙ୍କା ରୋଜଗାର କରୁନାହିଁ ସେ ପରିଶ୍ରମ କରୁଛି ।

 

ସିନେମା ଟିକେଟର କଳାବଜାରୀ ଛାଡ଼ି ସେ ନିଜ ଗୋଡ଼ରେ ଛିଡ଼ା ହୋଇଛି ।

 

ଫଟୋ ଦୋକାନ ତାର ପନ୍ଥା ।

 

ନିଜେ ଖଣ୍ଡେ ଛୋଟୋ ଫଟୋ ଦୋକାନ କରି ସେ ତା ସଂସାରକୁ ଚଳାଇ ନେଉଛି ।

 

ମୁଁ କହିଲି ଆରେ ମଙ୍ଗୁ ଦୋକାନ ଖଣ୍ଡିଏ କଲୁ ଚିରାଲୁଗା ଜାମା ବଦଳାଇଲୁ ନାହିଁ ?

 

ମଙ୍ଗୁର ଆର୍ତ୍ତ ସୁରର ଆବେଦନ ମଧ୍ୟରୁ ସେଇ ନିଃସ୍ୱ ଦରିଦ୍ରତାର ଉତ୍ତର ଭାସି ଆସୁଥିଲା ।

 

ବାବୁ, ‘ମୁଁ ଗରିବ, ତିନୋଟି ସନ୍ତାନଙ୍କ ତୁଣ୍ଡରେ ଆହାର ଦେବାକୁ ମୋର ସମ୍ବଳ କାହିଁ-? ଦୋକାନ ଖଣ୍ଡିକ ଜୀବନ ବଞ୍ଚାଇବା ପାଇଁ ଖାଲି ଏକ ଅଶ୍ୱାସନା—ତା ସ୍ତ୍ରୀ ମଲ୍ଲୀକୁ ପୌରୁଷର ସୂଚନା ଦେବାପାଇଁ ଏକ ଆଲେଖ୍ୟ ।

 

କିନ୍ତୁ....

 

ସତ୍ୟ, ନିଷ୍ଠାର ଆବରଣ ମଧ୍ୟରେ ମଙ୍ଗୁର ହାତ ଆଜି କେଇଟା ଟଙ୍କା ପାଇ ମୋ ପାଖକୁ ଚାଲି ଆସୁଛି । ମୋ ବିବେକକୁ ଛୁଇଁ ଛୁଇଁ ତା ଚିରା ଦାରିଦ୍ର୍ୟ ଯେମିତି କହୁଛି—ବାବୁ, ‘ବଞ୍ଚିବା ପାଇଁ ଏ ଜୀବନରେ ସତ ମିଛର ବେପାର ଚାଲିଛି । କିନ୍ତୁ ପ୍ରକୃତି ମନର ବେପାର କିଏ କରୁଛି ?’

 

ମନ ପାଇଁ ଯେଉଁ ଖେଳ, ସେ ସବୁ ଝିଅ, ମାଇପର ଖେଳ । ସଂସାରର ଆବର୍ଜନା ସାଙ୍ଗରେ ଏଇ ତାମସିକ, ରାଜସିକ ପଣିଆ ସମାନ । ତା’ ମଧ୍ୟରେ ଯେ ସାତ୍ତ୍ୱିକ ମନ ଅଛି, ତାହା ସମସ୍ତେ ବୁଝି ପାରନ୍ତି ନାହିଁ ।

 

ମୁଁ କହୁନାହିଁ ଯେ ମଙ୍ଗୁ କି ମଲ୍ଲୀ ବୁଝିଥିଲେ । ହେଲେ ମଙ୍ଗୁର ମନ୍ଦ ମନୋବୃତ୍ତି ତ ପରିବର୍ତ୍ତନ ହେଲା ! ସତ୍‌ ପଥରେ ଚାଲି ଅବଶ୍ୟ ତା’ ପେଟ ପୁରୁ ନାହିଁ । ମଲ୍ଲୀ ଖାଲି ସବୁବେଳେ କହୁଛି, କାଢ଼ୁଆ ମରଦଟାଏ ପିଲା ଜନମ କରି ପକଉଚି, ଆଉ ପୋଷି ପାରୁନାହିଁ ।

 

ମଲ୍ଲୀର ଏଇ କଥା ମଙ୍ଗୁ ହୃଦୟକୁ କାଟିଥିଲା । ପିଲା ଜନ୍ମ କରିବାର ପୌରୁଷ ତାର ଅଛି, କିନ୍ତୁ ପୋଷିବାର ପୌରୁଷ କଣ ତା’ର ନାହିଁ ?

 

କଳାବଜାରୀ କରି ଟଙ୍କା ଯାହା ଉପାୟ କରୁଥିଲା, ସେଥିରେ ତ ସେ ବାପ ମା’ଙ୍କୁ ବେଶ୍‌ ପୋଷି ପାରୁଥିଲା ? ଆଉ ମଲ୍ଲୀ ହାତ ଧରିଲା ଦିନୁ ଜୀବନ ସଂଗ୍ରାମରେ ସେ ହାରି ଯାଉଛି କାହିଁକି ?

 

ମୁଁ କହିଥିଲି ଆରେ ମଙ୍ଗୁ ଜୀବନରେ ତୁ ହାରୁନୁରେ ତୁ ଜିତୁଛୁ । ତୁ ମଲ୍ଲୀର ସତ୍ୟ ଅହଙ୍କାର ମଧ୍ୟରେ ଖୁବ୍‌ ଟାଣୁଆ ସ୍ୱାମୀ ହୋଇ ପାରିଛୁ । ମଉ ଜୀବନର ସତ୍ୟ ଆଭିମୁଖ୍ୟ ମଧ୍ୟରେ ମଲ୍ଲୀ ତୋ ମନକୁ ଠିକ୍‌ କିଣି ପାରିଛି ।

 

ତୁ ଜାଣି ପାରୁନୁ, ବୁଝିପାରୁନୁ ! ପୁଅ, ଝିଅର ଜଞ୍ଜାଳ ତୋତେ ଆବା କାବା କରି ପକାଉଚି ।

 

କିନ୍ତୁ ମଲ୍ଲୀ ବୁଝିଛି ମା ହେବାର ଗୌରବ ଅପେକ୍ଷା ସେମାନଙ୍କର ଦାୟିତ୍ୱ ବହନ କରିବା କେତେ କଠିନ । ଆମ ଘରର ପିଲାଙ୍କ ପରି ତା ପିଲା ତୁଣ୍ଡରେ ନିତି ହର୍‌ଲିକ୍‌ସ ତୁଣ୍ଡରେ ବାଜୁ ନାହିଁ । ତଥାପି ତ ସେମାନଙ୍କୁ ଅନ୍ନ ଆଉ କ୍ଷୀର ଦେଇ ବଞ୍ଚେଇବାକୁ ହେବ । ମଲ୍ଲୀ ଏଇ କଥା ବୁଝିଥିଲା । ଫଟୋ ଦୋକାନ ଛଡ଼ା ଆଉ କିଛି ବେପାର କରିବାକୁ ସେ ମଙ୍ଗୁକୁ ପ୍ରବର୍ତ୍ତାଇ ଥିଲା ।

କିନ୍ତୁ ସେଥିପାଇଁ ତ ଅର୍ଥ ଦରକାର । ଦଶ ଟଙ୍କା ଯେ ମାଗି ନେଇ ପିଲାଙ୍କ କ୍ଷୀର ଖର୍ଚ୍ଚ ତୁଲାଉଚି, ତା ପକ୍ଷରେ ଆଉ ବେପାର ତୁଲାଇବା ସମ୍ଭବ ନୁହେଁ ।

ସେଦିନ ମୁଁ ଦେଖିଲି ମଙ୍ଗୁର ପୁଅ ଝିଅଙ୍କୁ । ମଙ୍ଗୁ ସେମାନଙ୍କୁ ଧରି ମୋ ପାଖକୁ ଆସିଥିଲା । ମୁଁ କହିଲି, କିରେ ମଙ୍ଗୁ ଏ ସମୟରେ ? ଏ ଛୋଟ ପିଲାଙ୍କୁ ଧରି କାହିଁ ଆସିଛୁ ? ସେ କହିଥିଲା ଏ ପୁଅ ଝିଅ ଦୁହେଁ ଭାରି ଅଝଟ କଲେ, ତାଙ୍କୁ ପ୍ରଦର୍ଶନୀ ଆଡ଼େ ବୁଲେଇ ନେଇଥିଲି ।

ଆଉ ମଲ୍ଲୀ ?

ମଲ୍ଲୀ ସେଇ ଫଟୋ ଦୋକାନରେ ମୋ ଶଳା ସାଙ୍ଗରେ ବଇଚି । ତାକୁ କଇ ଆସିଚି ଯେ ମୁଁ ବାବୁ ଘରଆଡ଼ୁ ଟିକେ ପିଲାଙ୍କୁ ମୋର ଦେଖେଇ ଆଣେ ?

ତୋ ଫଟୋ ଦୋକାନ କଣ ପ୍ରଦର୍ଶନୀକୁ ନେଇଚୁ ?

ହଁ ବାବୁ । ସେଇ ପ୍ରଦର୍ଶନୀରେ କେତେ ଫଟୋବାଲା ଦୋକାନ ପକେଇଛନ୍ତି । ମୁଁ ବି ନେଇ ମୋ ଦୋକାନକୁ ପକେଇଛି । ବାବୁ, କାଲି ସରକାରୀ ଲୋକ ମୋର ଗୋଟାଏ ଫଟୋ ବନ୍ଧାକୁ ତାରିଫ୍‌ କରି ପୁରସ୍କାର ଦେଇଛନ୍ତି ।

କି ଫଟୋ ?

ଗୋଟିଏ ଦି’ ବର୍ଷର ଛୋଟ ଛୁଆ ଫଟୋ ? ସେ ଛୁଆ ସାଙ୍ଗରେ ତା’ ମା ଅଛି । ବାବୁ, ଆପଣ ପ୍ରଦର୍ଶନୀ ଆଡ଼େ ମା’ଙ୍କୁ ନେଇ ଗଲେ ଦେଖିବେ । ସେ ଫଟୋ କେଡ଼େ ତାରିଫ୍ ହୋଇଚି । ସେଇ ଛୁଆର ବାପା କୁଆଡ଼େ ଆପଣଙ୍କ ଅଫିସରେ କାମ କରୁଛନ୍ତି ।

ସେଦିନ ମଙ୍ଗୁଠାରୁ ଶୁଣି ମୁଁ ଶୈବାଳିନୀକୁ ସାଙ୍ଗରେ ନେଇ ବୁଲି ଯାଇଥିଲି । ଫଟୋକୁ ଦେଖିଥିଲେ ତୁମେ ସତରେ କାବା ହୋଇଥାନ୍ତ ସୁଖଦା, ସେ ଫଟୋ ଏଡ଼େ ସୁନ୍ଦର ହୋଇଥିଲା । ଆଉ ସେ ଫଟୋକୁ ଆଧୁନିକ ଶୈଳୀରେ ମଙ୍ଗୁ ବାନ୍ଧି ତା’ର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରି ପକାଇଥିଲା ।

ସେ ମା ଆଉ ଛୁଆ କିଏ ଜାଣ ?

ସେ ତୁମ ଛନ୍ଦା ।

ଛନ୍ଦା ତା ପୁଅକୁ ଧରି ଏମିତି ଠାଣିରେ ବସିଥିବ ବୋଲି ତୁମେ ବିଶ୍ୱାସ କରୁଛ ?

ଠିକ୍‌ ଯଶୋଦା ଆଉ ଶ୍ରୀକୃଷ୍ଣଙ୍କର ନକଲି ସଂସ୍କରଣ । ତାହା ଦେଖି ହୃଦୟ ତଳର ମନ କରତି ହୋଇ ଉଠିଥିଲା । ସନ୍ତାନହୀନ ଶୈବାଳିନୀର ।

ଶୈବାଳିନୀର ରାଗଜର୍ଜରିତ ପାଟିରୁ ବାହାରି ପଡ଼ିଥିଲା, ମଙ୍ଗୁ ତୋତେ ଏ ଫଟୋ ବାନ୍ଧିବାକୁ କେତେ ଟଙ୍କା ଏହାର ବାବୁ ଦେବେ ବୋଲି କହିଛନ୍ତି ?

 

ତିନି ଟଙ୍କା ?

 

ମୋଟ ତିନି ଟଙ୍କା ? ତୁ ମୋଟେ ସେ ତିନି ଟଙ୍କା ନବୁ ନାହିଁ । କହିବୁ ପ୍ରଦର୍ଶନୀରେ ଏ ଫଟୋ ଫାଷ୍ଟ ହେଲାଣି ମୁଁ ଦଶ ଟଙ୍କା ନହେଲେ ନେବି ନାହିଁ । ତୁ ପରା ମୋଠାରୁ ଦଶ ଟଙ୍କା ଲେଖାଏଁ ମାଗି ନେଇ ଆସୁଛୁ ? ଆଉ ମେହେନତ୍‌ ପଇସା ଛାଡ଼ିବୁ କାହିଁକି ? ବାବୁଆଣୀଙ୍କର ସଅକ ଉଠିଲା, ପିଲା ସହିତ ଫଟୋ ଉଠାଇ, ବରାଦ ଦେଇ ଗଲେ ବାନ୍ଧିବାକୁ । ଆଉ ପଇସା ଦେବାକୁ କୁଣ୍ଠିତ କାହିଁକି ହେବେ ? ତୁ ମୋଟେ ଛାଡ଼ିବୁ ନାହିଁ । ଦଶ ଟଙ୍କାରୁ ଗୋଟାଏ ପଇସା କମ୍‌ ହେଲେ, ତୁ ଟଙ୍କା ଫୋପାଡ଼ି ଦେବୁ ।’ ଶୈବାଳିନୀର ଏତେଗୁଡ଼ିଏ କଥା ମୋ ହୃଦୟରେ ଗଳି ଯାଇଥିଲା । ମୁଁ ସିନା କିଛି କହି ନଥିଲି, ହେଲେ ମଙ୍ଗୁ ଇଙ୍ଗିତରେ ଶୈବାଳିନୀକୁ ଯାହା କହିଥିଲା ସେ ଥିଲା ଏକ ପରିତୃପ୍ତ ଉତ୍ତର ।

 

ସେ କହିଥିଲା, ‘ଆଜ୍ଞା, ସେଇ ବାବୁଙ୍କ ଆଡ଼କୁ ଟଙ୍କା ଫୋପାଡ଼ି ଦେଲେ ସେ ରାଗ ହେବେ । ଜବାବ ପରା ହେଉଚି ତିନି ଟଙ୍କା । ମୁଁ ପଛେ କହି ବୋଲି ମାଗି କରି ଆଉ ଦି’ଟଙ୍କା ନେବି । ମାତ୍ର ଦଶ ଟଙ୍କା କେମିତି ସିଏ ଦେବେ । ସମସ୍ତେ କଣ ଆପଣଙ୍କ ବାବୁଙ୍କ ଭଳିଆ ହେଇଚନ୍ତି ।

 

ମଙ୍ଗୁ କଥା ଶୁଣି ମୁଁ ଶୈବାଳିନୀର ଅଲକ୍ଷ୍ୟର ହସୁଥିଲି, ମଙ୍ଗୁର ବୁଝିବା ମନ ଉପରେ ମୁଁ ମନେ ମନେ ଧନ୍ୟବାଦ ଦେଇ ଶୈବାଳିନୀ ସହିତ ଫେରି ଆସିଥିଲି ।

 

ଫେରିବା ବାଟରେ ସେଦିନ ଶୈବାଳିନୀର ଯୁକ୍ତି କରିଥିଲା । ଛନ୍ଦାର ଆଧୁନିକ ପରିସର କେତେଦୂର ଦେଖାଣିଆ ଆଉ ପର୍ଯ୍ୟାପ୍ତ, ସେଇ ଫଟୋରୁ ବୁଝି ପାରୁଛ ?

 

ମୁଁ ଶୈବାଳିନୀ ଯୁକ୍ତିରେ କେବଳ ହଁ ଟାଏ ମାରିଥିଲି ।

 

ତାର ଉତ୍ତର ବା କିଏ ଦେବ ?

 

ଛନ୍ଦା କୈଳାସର ବ୍ୟକ୍ତିଗତ ଚଳନୀ ଉପରେ ଆମର ଆଲୋଚନା କରିବା ଠିକ୍‌ ନୁହେଁ । ମଙ୍ଗୁକୁ ଦଶ ଟଙ୍କା ସମ୍ପର୍କରେ ଛନ୍ଦା କୈଳାସର ଦେବା ନେବାକୁ ପକ୍ଷଭୁକ୍ତ କରିବା ମଧ୍ୟ ସମୀଚୀନ ନୁହେଁ ।

 

ମୁଁ ସିନା ଏତକ କହି ବୁଝାଇ ଦେଇଥିଲି, ହେଲେ ଶୈବାଳିନୀ ଜାଣି ସିଆଣୀ ହୋଇ ତାହା ବୁଝିବାକୁ ନାରାଜ ଥିଲା ।

 

ତା ମନରେ ଜନନୀ ହେବାର ନ୍ୟୁନତା ତାକୁ ଈର୍ଷାରେ ଜଳେଇ ପୋଡ଼େଇ ଭିତରେ ଧ୍ୱଂସ କରୁଥିଲା । ଗୋଟିଏ ଦାୟିତ୍ୱସମ୍ପନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀର ସ୍ତ୍ରୀ ହୋଇ ଶୈବାଳିନୀର ମନ ଏତେ ଲଘୁ, ତୁମେ ଦେଖିଲେ ବିଶ୍ୱାସ କରିବ ନାହିଁ ସୁଖଦା ।

 

କୋଠିରେ କାମ କରୁଥିବା ପିଅନ୍‌ମାନେ ଯେ ଶୈବାଳିନୀର ଏମିତି ଗୁଣ ନ ଜାଣିଛନ୍ତି, ତା ନୁହେଁ ।

 

ପୂଝାରୀ ଚାକର ପର୍ଯ୍ୟନ୍ତ ଏକାନ୍ତରେ ସମସ୍ତେ ଶୈବାଳିନୀର ଗୁଣ ଆଲୋଚନା କରନ୍ତି-

 

ମୋ ସ୍ତ୍ରୀ ବୋଲି ମୁଁ ଘୋଡ଼ାଇ ରଖୁ ନାହିଁ ।

 

ସେମାନଙ୍କ ନିଭୃତ ଆଲୋଚନା ମୁଁ ବହୁବାର ଶୁଣିଛି । ଆଉ ଅଫିସର କିରାଣୀ ମହଲରେ ମୋ ଆହତ ପୌରୁଷ ସାଙ୍ଗରେ ଶୈବାଳିନୀର ଗୁଣ ଧର୍ମକୁ ସଂଶ୍ଳିଷ୍ଟ କରାଯାଇ ଆଲୋଚନା ଚାଲିଥିବାର ମୁଁ ମୋ ନିକଟ ସହକର୍ମୀଙ୍କଠାରୁ ମଧ୍ୟ ଶୁଣିବାକୁ ପାଇଛି ।

 

ହେଲେ ମୁଁ କଣ କରିବି ? ଶୈବାଳିନୀ ତ ପିଲା ନୁହେଁ ଯେ ମୁଁ ତାକୁ ବୁଝାଇ ସୁଝାଇ ପରିବର୍ତ୍ତନ କରାଇ ଦେବି ।

 

ପୂଝାରୀ, ଚାକର, ପିଅନମାନେ କାହିଁକି ଅସନ୍ତୁଷ୍ଟ ? କେବଳ ସେଇ ବ୍ୟବହାର ନେଇ-। ଶୈବାଳିନୀର ରୁକ୍ଷ ବ୍ୟବହାର ସେମାନଙ୍କୁ କାଟେ । ସେମାନଙ୍କ ମଣିଷପଣିଆକୁ ଛୁଇଁ ଛୁଇଁ ଭିତରେ ଭିତରେ ବିଦ୍ରୋହକୁ ସୃଷ୍ଟି କରାଏ । ଯିଏ ଆମ ଘରର ଶ୍ରମ ମଧ୍ୟରେ ନିଜ ଲହୁକୁ ମିଶାଇ ଦେଇ କାମ କରୁଛନ୍ତି, ଜଣେ ଆଇ. ଏ. ଏସ୍‌. ଅଫିସରଙ୍କ ହିସାବରେ ତୁମେ କଣ ତାଙ୍କୁ ପୂଜା ସମୟରେ ବକ୍‌ସିସ୍ ଦେବ ଟଙ୍କାଟିଟ ? ଏମିତି ଲଘୁ ପସନ୍ଦ ତୁମର ହୋଇ ପାରିବ ସୁଖଦା-?

 

ମଙ୍ଗୁ ପରି ଫଟୋବାଲା କେତେ ଅଭାବ ଅନାଟନରେ ପଡ଼ି ସୁଦ୍ଧା କୈଳାସର ଫଟୋ ଉପରେ ଯିଏ ଉଚିତ ପଇସା ତିନି ଟଙ୍କାରୁ ଅଧିକା ଗୋଟିଏ ମାଗିବାକୁ ନାରାଜ, ତାର ମନ ଆଉ ଆମ ଶୈବାଳିନୀର ମନକୁ ଦେଖି ପାରୁଛ ?

 

ମଙ୍ଗୁକୁ ଦଶ ଟଙ୍କା ଲେଖାଁ ଦେବାରେ ଶୈବାଳିନୀର ଅସନ୍ତୁଷ୍ଟ ମନକୁ ମୁଁ ଦେଖିଛି, ବର୍ଷ ବର୍ଷ ଧରି । ମଙ୍ଗୁ ପିଲାଙ୍କୁ ସେଦିନ ପାଞ୍ଚ ଟଙ୍କା ମିଠେଇ ଖାଇବାକୁ ଦେବାର ତିକ୍ତ ମନ ଯେମିତି ଆଉ କେଉଁ ବଡ଼ଘରରର ସ୍ତ୍ରୀଠାରେ ପ୍ରକାଶ ନପାଉ ମୁଁ ତାହା ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଆସୁଛି ।

 

ତୁମେ ଅବଶ୍ୟ ମଙ୍ଗୁକୁ ଦଶ ଟଙ୍କା ଲେଖାଁ ଦେବାରେ ମୋତେ ସମର୍ଥନ କରିବ ନାହିଁ । ମୋତେ ପଚାରିପାର, ମଙ୍ଗୁକୁ ଆମ ଅତୀତ ସମ୍ପର୍କରେ ଫାଙ୍କି ଦେବାର କଣ ବାଟ ନାହିଁ ?

 

ମୁଁ କହିବି ନା ।

 

ମୁଁ ସେ ବାଟକୁ ଜାଣି ଜାଣି ଅବରୋଧ କରି ଦେଇଛି । ମଙ୍ଗୁ ଏବେ ମଧ୍ୟ ତମ ମୋର ଯୁଗଳ ଫଟୋକୁ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚେଇ ସାଇତି ରଖିଛି । ସେ ତାକୁ ମୋ ହାତଦ୍ୱାରା ନଷ୍ଟ କରି ଦେବାକୁ ଯେତେ ମୋତେ ପ୍ରବର୍ତ୍ତାଉଛି, ମୁଁ ସେଥିରେ ରାଜି ହୋଇ ନାହିଁ ।

 

ସବୁ ଫଟୋର ଅତୀତକୁ ଯେତେବେଳେ ମୁଁ ପାଣିରେ ଫୋପାଡ଼ି ନଷ୍ଟ କରି ଦେଇଛି । ଆଉ ସେଇ ଗୋଟିଏ ଅବିଷ୍ଟାଂଶ ହେଲେ ବଞ୍ଚି ଥାଉ । ଯେଉଁଠି ଥିଲେ ତ ସେ ଆମ ପ୍ରେମ ଜୀବନର ସ୍ୱାକ୍ଷର ହୋଇ ରହିବ ।

 

ଆଜି ମୋ ମନରେ ଅଶାନ୍ତିର ଯେଉଁ ବନ୍ୟା ବୋହି ଯାଉଛି, ସେଥି ମଧ୍ୟକୁ ମୁଁ ଏକ ସାଧାରଣ ଜୀବନ ମଙ୍ଗୁକୁ କାହିଁକି ଟାଣି ଆଣିଲି ? ମଙ୍ଗୁଠାରୁ ମୁଁ କେତେ ଉଚ୍ଚ ସ୍ତରର ?

 

ମଙ୍ଗୁପରି କେତେ ଲୋକ ମୋର ଅଧୀନସ୍ଥ କର୍ମଚାରୀ ହୋଇ ବହୁ ବ୍ୟବଧାନରେ ରହିଛନ୍ତି ?

 

କେବଳ ସେଇ ଗୋଟିଏ ଫଟୋର ପ୍ରମାଣ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ମଙ୍ଗୁ ପାଖରେ ଦୁର୍ବଳ । ମଙ୍ଗୁର ଅଭାବ ସଂସାର ପ୍ରତି ମୋର ଦରଦ ଉଚ୍ଛୁଳି ପଡ଼ୁଛି । ତା ନହେଲେ କାହିଁ କେଉଁଦିନ ମୁଁ ତ ସ୍ୱଇଚ୍ଚ୍ଥାରେ ଦଶଟା ପଇସା କାରର୍‌ ଫାଙ୍କ ଭିତରୁ ସେଇ ରାସ୍ତାର ଭିକାରୀଙ୍କୁ ଦାନ କରି ନାହିଁ ?

 

ତେବେ ସବୁ ହେଉଛି ମନ ଲାଗି । ମନ ଲାଗି ଯେତେ ସବୁ ଖେଳ ହୋଇଯାଉଛି ସେ ସବୁକୁ ବିଚାର କରି ଖେଳି ବସିଲେ ଘର ସଂସାର କେଡ଼େ ସୁଖରେ ସରନ୍ତା ନାହିଁ, କହିଲ ? ଶୈବାଳିନୀର ଅବିଶ୍ୱାସ ମନୋବୃତ୍ତି ଛନ୍ଦାକୁ ଯେହେତୁ ମୋ ଯୌନ ମନ ମଧ୍ୟରେ ସଂଶ୍ଳିଷ୍ଟ କରି ଅପମାନ ଦେଉଛି ? ସେହେତୁ ମୁଁ ବାଧ୍ୟ ହେଉଛି ମଙ୍ଗୁକୁ ପ୍ରକାଶ କରି ଦେବାପାଇଁ । ତା ନହେଲେ ଅକାରଣେ ସେ ଯଦି କେବେ ଶୈବାଳିନୀର ଏଇ କୁତ୍ସିତ ମନୋବୃତ୍ତି ଶୁଣେ, ତେବେ ସେ କଣ କହିବ ?

 

ସେ ଠିକ୍ ବୁଝିପାରିବ ଯେ ଶୈବାଳିନୀ ସହିତ ମୋର ଆନ୍ତରିକ ବୁଝାମଣା ନାହିଁ । ଯାହାଫଳରେ ସେ ମୋତେ ଅଭିଯୁକ୍ତ କରୁଛି ।

 

ସେଥିଲାଗି ମୁଁ ଚାହେଁ ଯେ ମଙ୍ଗୁ ମୁହଁରେ ଆମ ଅତୀତ ଅଭିସାର ସବୁ ବ୍ୟକ୍ତ ହୋଇଯାଉ । ସେଥିରେ ହୁଏତ ଶୈବାଳିନୀ ଓ ବିଶ୍ୱନାଥ ଚିରଦିନ ଅସନ୍ତୁଷ୍ଟ ହୋଇ ରହିବେ । ତା’ପରେ ସମୟ ଚକ ବଦଳିଗଲେ ଆମେ କଣ ଦୁନିଆର ଦୃଷ୍ଟାନ୍ତ ଦେଇ ସେମାନଙ୍କ ମନକୁ ଆକୃଷ୍ଟ କରି ପାରିବା ନାହିଁ ?

 

ତୁମେ ଡରିବ ପ୍ରେମକଳଙ୍କ ମୁହେଁ ମୁହେଁ ପ୍ରକାଶ କରିଦେବ କେମିତି ।

 

କିନ୍ତୁ ପ୍ରେମ କଳଙ୍କ ସବୁ ଯୁଗରେ ଥିଲା ଆଉ ରହିବ ।

 

ସତ୍ୟ ପ୍ରେମର ଉର୍ଜସ୍ୱଳ ପ୍ରମାଣ ଉପରେ ଆଦି ଯୁଗ, ମହାଭାରତ ଆଉ ରାମାୟଣ ଯେତିକି ପ୍ରତିଷ୍ଠିତ କଳଙ୍କିତ ପ୍ରେମ ଉପରେ ମଧ୍ୟ ସେଇ ପ୍ରତିଷ୍ଠାର ପରିମାର୍ଜନା କିଛି କମ୍‌ ହୋଇ ନାହିଁ ।

 

ଆମ ତମ ପରି ଚରିତ୍ର ସବୁ ଯୁଗରେ ଥିଲା ଆଉ ଥିବ । ତେବେ ଦୁଃଖ ଲାଗୁଛି ଏତିକି ଯେ ମୁଁ ଭଗବାନଙ୍କ ନିକଟରେ କି ଦୋଷ କଲି ସେ ମୋତେ ଏତେ ଛଟ୍‌ ପଟ୍‌ କରାଉଛନ୍ତି ! ସତ କଥା କହି ଦେଲେ ମିଥ୍ୟାର ଦୁଃଖ ଲଘୁ ହୋଇଯାଏ । ଆମ ପ୍ରେମ କାହାଣୀ ଶୁଣିବା ପରେ ଶୈବାଳିନୀ ଆଉ ବିଶ୍ୱନାଥ କେବେ ଆମକୁ ଦୂରେଇ ଦେବେ ନାହିଁ ।

 

ତେମେ କହିବ ଶୈବାଳିନୀ ମୋତେ ଦୂରେଇ ଦେଲେ ଅସହାୟ ଅବସ୍ଥାରେ ପଡ଼ି ରହିବ । କାରଣ ସେ ନାରୀ ! ସେଥିଲାଗି ମୋତେ ସେ ଆଦରି ନେବ ।

 

କିନ୍ତୁ ତୁମେ ଭୟରେ ଡରିବଣି ।

 

ହେଲେ ବିଶ୍ୱନାଥ ତୁମକୁ ମୋଟେ ପରିତ୍ୟାଗ କରି ପାରିବ ନାହିଁ ସୁଖଦା । ସେ ତୁମ ହାତରୁ ପାଣି ଗ୍ରହଣ କରିଛି । ସୂର୍ଯ୍ୟ ଚନ୍ଦ୍ରକୁ ସାକ୍ଷୀ ରଖି ସେ କହିଛି ତୁମେ ହେଉଚ ତା’ର ଧର୍ମପତ୍ନୀ ।

 

ତୁମର ମନେ ନାହିଁ ବାସବୀ ଖୁଡ଼ୀଙ୍କ କଥା ?

 

ନିର୍ମଳ କହୁଥିଲା ତା’ ଦାଦା ଏଇ ବାସବୀଙ୍କ ବିବାହ କରି କେମିତି ସାଂସାରିକ ଜୀବନରେ ଅପ୍ରସ୍ତୁତ ହୋଇ ଯାଇଥିଲେ ।

 

ନିର୍ମଳର ଦାଦା ସୂର୍ଯ୍ୟକାନ୍ତ ଥିଲେ ଜଣେ ପ୍ରେମିକ । ଭର୍ତ୍ତୃହରିଙ୍କ ଝିଅ କୁମୁଦିନୀକୁ ପ୍ରେମ କରି ସେ ବିବାହ କରି ପାରିଲେ ନାହିଁ ।

 

କୁମୁଦିନୀ ବୁଝାସୁଝା କରି ଭର୍ତ୍ତୃହରିଙ୍କୁ ମଙ୍ଗେଇ ଥିଲେ । ହେଲେ ସୂର୍ଯ୍ୟକାନ୍ତଙ୍କ ପିତା ଯେ କି ନିର୍ମଳର ଅଜା ସେ ପ୍ରାଚୀନପନ୍ଥୀ ଲୋକ ହୋଇଥିବାରୁ ସୂର୍ଯ୍ୟକାନ୍ତଙ୍କୁ କୁମୁଦିନୀଙ୍କ ସହିତ ବିବାହ ଦେଲେ ନାହିଁ ।

 

ସୂର୍ଯ୍ୟକାନ୍ତ ବିବାହ କଲେ ବାସବୀଙ୍କୁ । ସୂର୍ଯ୍ୟକାନ୍ତଙ୍କ ପିତା ଦେଖି ଚାହିଁ ବାସବୀଙ୍କୁ ବୋହୂ କରି ଆଣିଲେ ।

 

କିନ୍ତୁ ବାସବୀଙ୍କ ନଗ୍ନ ମନ ତଳେ ଏତେ ବିକାର ରୁଦ୍ଧ ହୋଇଥିଲା, ତା କିଏ ଜାଣେ ?

 

ବାସବୀ ବିବାହ ପରେ ବି ତାଙ୍କ ପ୍ରେମିକ ସତ୍ୟଧ୍ୱଜଙ୍କ ନିଜଟ ସମ୍ପର୍କ ରଖିଥିଲେ । ଚିଠିପତ୍ର ଆଦାନ ପ୍ରଦାନ ଫଳରେ ବାସବୀ ଭାବୁଥିଲେ କେବେ ଲୁଚି ଛପି ସତ୍ୟଧ୍ୱଜଙ୍କ ସାଙ୍ଗରେ ବହୁ ଦୂରକୁ ପଳାଇଯବେ । ଆଉ ସେଠାରେ ବିବାହ କରି ରହିବେ ।

 

ହେଲେ ଲୁଚି ଲୁଚି ସମସ୍ୟା କେତେ ଦିନ ବା ରହି ପାରିବ । ପାଉଁଶ ତଳର ନିଆଁ କୁହୁଳି କୁହୁଳି ଦିନେ ତ ଜଳି ଉଠିବ ? ସହବାସ ଶଯ୍ୟାରେ ସୂର୍ଯ୍ୟକାନ୍ତ ପ୍ରାୟ ଦେଖନ୍ତି ଯେ ବାସବୀ ତାଙ୍କ ସହ ରତି ବିଳାସ କରିବାରେ ଅନିଚ୍ଛୁକା ସୂର୍ଯ୍ୟକାନ୍ତ ନିଜକୁ ସନ୍ଦେହ କରନ୍ତି । ସେ ଭାବନ୍ତି, ବାସବୀ କଣ ଆଉ କୁମୁଦିନୀ ସହିତ ଥିବା ତାଙ୍କ ସମ୍ପର୍କ ଜାଣି ପାରିଲା ?

 

ସେଥିଲାଗି ସେ ନିଜକୁ ଦୁର୍ବଳ କରି ବାସବୀର ଅଭିମାନ ଉନ୍ମୋଚନ କରିବାପାଇଁ ବ୍ୟସ୍ତ ରହନ୍ତି । ହେଲେ ସମୟ ଅନୁକ୍ରମେ ସେଇ ଚିଠି ପତ୍ରରୁ ଖଣ୍ଡେ ଦୁଇଖଣ୍ଡ ସୂର୍ଯ୍ୟକାନ୍ତଙ୍କର ହସ୍ତଗତ ହୁଏ ।

 

ସୂର୍ଯ୍ୟକାନ୍ତ ବାସବୀକୁ କଳଙ୍କିନୀ ବୋଲି ଅଭିହିତ କରି ଘରୁ ତଡ଼ି ଦେବାକୁ ବସିଲାବେଳେ ତାଙ୍କ ବାପା ଓ ଭାଇମାନେ ତାଙ୍କୁ ବୁଝାଶୁଝା କରି ଘରର ମାନମର୍ଯ୍ୟାଦା ଦୃଷ୍ଟିରୁ ସେ କଥା ଘୋଡ଼ାଇ ଦିଅନ୍ତି ।

 

ସୂର୍ଯ୍ୟକାନ୍ତ ଆଉ କଣ କରିବେ ? ଗୁରୁଜନମାନଙ୍କ ଆଜ୍ଞା ଆଉ ପରିସ୍ଥିତି ଦୃଷ୍ଟିରୁ ବାସବୀକୁ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି ।

 

ବାସବୀ ଅଶ୍ରୁଭରା ପଲକରେ ସୂର୍ଯ୍ୟକାନ୍ତଙ୍କ ପଦତଳେ ପଡ଼ି କ୍ଷମାଭିକ୍ଷା ମାଗି ନିଜକୁ ସ୍ୱାମୀସେବା ଆଉ ସୁହାଗିନୀରେ ବ୍ରତୀ କରାଇନିଏ ।

 

ସେଇ କାହାଣୀ କଣ ତମର ନୁହେଁ ?

 

ତୁମେ ଅବଶ୍ୟ ମୋ ପାଖକୁ ଚିଠିପତ୍ର ଦେଉନାହଁ ।

 

ତଥାପି ସେଇ ମନର ତଫାତ୍‌ ନେଇ ଆଜି ଏତେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଯାଉଛି ବୋଲି ତୁମେ ଅବିଶ୍ୱାସ କରିପାରିବ ନାହିଁ ।

 

ତୁମେ ମୋର ପ୍ରେମିକା ଅଥଚ ଛନ୍ଦା ଯେ ମୋ ଜୀବନର ବିନ୍ଦୁ ମାତ୍ର ସମ୍ପର୍କରେ ଆସେ ନା ତାକୁ ମୋ ସାଙ୍ଗରେ ଅଭିଯୁକ୍ତ କରି ଶୈବାଳିନୀ ଆମ ବନ୍ଧନକୁ କେତେ ତିକ୍ତ କରୁଛି କହିଲ ?

 

ସେଇ ଦୃଷ୍ଟିରୁ ମୁଁ ଚାହେ ଶୈବାଳିନୀ ଜାଣୁ ।

 

ଶୈବାଳିନୀର ସନ୍ଦେହଚ୍ଛନ୍ନ ମନ ଭିତରେ ଆଉ ଅତୀତ ସ୍ଥାନ ପାଉ ପଛେ କିନ୍ତୁ ଛନ୍ଦାର ନୁହେଁ । ଛନ୍ଦା ତା ସ୍ୱାମୀ ଘର ସଂସାରରେ ଖୁବ୍‌ ଖୁସି ଅଛି । ସେ ସଂସାର ମଧ୍ୟରେ ଯଦି ହଠାତ୍ ନିଆଁ ପଶିଯାଏ, ତା ହେଲେ ଅବସ୍ଥା କଣ ହେବ କହିଲ ?

 

କୈଳାସ ମୋତେ ଅଯଥା ସନ୍ଦେହ କରିବ । ଛନ୍ଦା ପ୍ରତି ଥିବା ତାର ନିଗୁଢ଼ ପ୍ରେମ ଆସ୍ତେ ଆସ୍ତେ କମିଯିବ । ଆଉ ତା ପୁଅକୁ ସହବାସର ସ୍ୱାକ୍ଷର କହି ଆକ୍ଷେପ କଲେ ପିତା ପୁତ୍ର ଭିତରେ ଥିବା ସ୍ନେହ, ମମତା ଛିନ୍ନ ହୋଇଯିବ ।

 

ମୋ ମନର ଅଶାନ୍ତି, ମୁଁ ଏ ପର୍ଯ୍ୟନ୍ତ କାହାକୁ କହି ନଥିଲି । ଏବେ ମଙ୍ଗୁକୁ କହିଲି ଆରେ ମଙ୍ଗୁ, ତୁ ତ ମଲ୍ଲୀ ହାତ ଧରି ଖୁବ୍‌ ଖୁସିରେ ଅଛୁ । ଆଉ ମୁଁ ବାହା ହୋଇ ଏମିତି ହଇରାଣ କାହିଁକି ହେଉଛି ?

 

ମଙ୍ଗୁ କହିଲା, ବାବୁ ଆପଣଙ୍କର କଣ ଅଭାବ ଯେ ଆପଣ ହଇରାଣ ହେବେ । ଆପଣ ଆଉ ମା ଦି’ ଜଣ । ହଜାର ଟଙ୍କା ରୋଜଗାର, ଆଉ ହଇରାଣ ବୋଲି କହୁଛନ୍ତି କେମିତି ?

 

କିନ୍ତୁ ହଜାର ମନର ଯେଉଁ ବ୍ୟଥା ମୋ ଆତ୍ମାକୁ ବିଦ୍ଧ କରୁଛି, ତାକୁ ପ୍ରକାଶ ନ କଲେ ମଙ୍ଗୁ ବୁଝିବ କେମିତି ।

 

ସେଦିନ ଶୈବାଳିନୀ ଘରେ ନଥିଲା । ମୋ ଡ୍ରଇଁ ରୁମରେ ମଙ୍ଗୁ ମୁଁ ଦୁଇ ଜଣ ଥିଲୁ । ଫୋନରେ ମୋର ଅନ୍ୟ ପ୍ରୋଗ୍ରାମ୍‌ ଓ ଅଫିସ କାମ ସବୁ ବନ୍ଦ କରି ମୁଁ ମଙ୍ଗୁ ସହିତ ମୋ ଜୀବନ କାହାଣୀ ଆରମ୍ଭ କଲି ।

 

ତୁମ ସହିତ ମୋର ମନ କେମିତି ଏ ପର୍ଯ୍ୟନ୍ତ ବି ଏକ ପ୍ରତ୍ୟକ୍ଷ ମୂର୍ତ୍ତିପରି କାମ କରୁଛି, ତାହା ମୁଁ କହିଲି ।

 

ମଙ୍ଗୁ ପରି ସାଧାରଣ ଇତର ଲୋକ ଆଗରେ ମୋ ଜୀବନ ସଙ୍ଗୀତ ଗାନ କରିବା ଦ୍ୱାରା ତୁମ ମନ ନିଶ୍ଚୟ କ୍ଷୁର୍ଣ୍ଣ ହୋଇ ଉଠିବ ।

 

କିନ୍ତୁ ମଙ୍ଗୁତ ମୋ ଚକ୍ଷୁର ନିମ୍ନ ସ୍ତରର ମଣିଷ ନୁହେଁ ?

 

ସେ ମଣିଷ ପରି ହୋଇ ଯାଇଛି । ମଲ୍ଲୀ ହାତ ଧରି ତାର ସ୍ୱାମୀ ମନ କେତେ ସ୍ୱାମୀଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଯେ ଯୋଗ୍ୟ ତାହା ତୁମେ ଆଖିରେ ଦେଖିଲେ ଜାଣି ପାରନ୍ତ ।

 

ମଙ୍ଗୁଭଳି ସ୍ୱାମୀ ମଲ୍ଲୀର ପତ୍ନୀ ଜୀବନକୁ ସମାଜିକ ଧର୍ମ ନ୍ୟାୟରେ ଗଢ଼ିବାକୁ କେତେ ବ୍ୟସ୍ତ !

 

ତିନୋଟି ପିଲାଙ୍କୁ ଖାଇବାକୁ ନାହିଁ ବୋଲି କଣ ମା ହୋଇ ମାରିବ ? ମଙ୍ଗୁ ଯଦି ସେଥିରେ ଆକ୍ଷେପ କରେ ତାକୁ ମଲ୍ଲୀ କହିବ ‘ଯୋଗଣୀଖିଆ ମରଦ, ପୁଳାଏ ପିଲାକୁ ଜନମ ଦଉଚି । ଆଉ ପୋଷିବାକୁ କାଇଁ କାଢ଼ ପାଉ ନାହିଁ ?

 

ମଲ୍ଲୀ ବା କେଇ ବରଷର ସ୍ତ୍ରୀ । ସେଦିନ କାରରେ ଅଫିସରୁ ଫେରିବା ବାଟରେ ମଙ୍ଗୁ ମଲ୍ଲୀର କଳିକଜିଆ ଶୁଣି ବାସ୍ତବିକ୍‌ ମୁଁ ନ ହସି ରହି ପାରିଲି ନାହିଁ ।

 

ସେ କଳିକଜିଆରେ ସରଳତା ଅଛି, ପରିସ୍ଥିତିକୁ ବୁଝାଇ ଦେବା ପାଇଁ ବାଟ ଅଛି । କିନ୍ତୁ ଆମ ଭିତରେ ଯେଉଁ ଝଡ଼ ଉଠୁଛି ତାକୁ ବୁଝାଇବା ପାଇଁ କି ଉପାଦାନ ଅଛି ?

 

ମନସ୍ତତ୍ତ୍ୱ, ଦର୍ଶନ ଆଉ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ଆମ ଶିକ୍ଷିତ ମନ ଯେମିତି ଭାବେ କଟାକଟି ହୋଇ ପଡ଼ୁଛି, ସେଥିରେ କିଏ ଭଲା ବିବ୍ରତ ହୋଇ ନପଡ଼ିବ । କିଏ ନକହିବ ଯେ ସଂସାର କରି ମଣିଷ ଜଞ୍ଜାଳକୁ ବରଣ କରି ନଆଣିଛି ବୋଲି ।

 

କିନ୍ତୁ ଏଇ ଜଞ୍ଜାଳ ମଧ୍ୟରେ ଏତେ ଅକୁହା କଥା, ଏତେ ଅକୁହା ମନ, ଏତେ ଅକୁହା ଆଖି ତୀବ୍ର ଭାବେ କାମ କରୁଛି ତାହା ମୁଁ ବୁଝି ବି ବୁଝି ପାରୁ ନାହିଁ ।

 

କଟାକଟି ଛନ୍ଦାଛନ୍ଦିର ଜୀବନଗୁଡ଼ିକୁ ଉଡ଼େଇ ଖେଳିବାରେ କି ଆନନ୍ଦ ଅଛି କହିଲ ? ସେଇ କଥା ବି ମୁଁ ତମ ଆଗରେ କେବେ କହି ନଥିଲି । ପ୍ରେମିକା ଆଗରେ କହିଥିଲେ ସେ ସୁଖ ପାଇବ ନାହିଁ ବୋଲି ଜାଣି ଶୁଣି ଲୁଚେଇ ରଖିଥିଲି ।

 

।। ୬ ।।

 

ତା

 

ନାଁ

 

ବୈଶାଳୀ ! ବୈଶାଳୀ ଥିଲା ମୋର ପିଲା ଦିନର ସାଥୀ ! ଛୋଟ ଛୋଟ ପିଲା ହୋଇ ବୈଶାଳୀ ଓ ମୁଁ ଦୁହେଁ ଧୂଳି ଖେଳୁଥିଲୁ । ଥରେ ବଜାରରୁ ବୈଶାଳୀର ଭାଇ ଗୁଡ଼ିଟିଏ କିଣି ଆଣି କହିଲେ, ‘ଦେଖ୍‌, ତୁ ଏ ଗୁଡ଼ି ଆଉ କାହାକୁ ଦେବୁ ନାହିଁ । ଆଉ ଯିଏ ନେବ, ସେ ତୋତେ ଆଉ ଫେରେଇବ ନାହିଁ ।’

 

ବୈଶାଳୀ ଆଉ କାହାକୁ ନଦେଇପାରେ । ହେଲେ ମୁଁ ଯେତେବେଳେ ତା’ ଧୂଳି ଖେଳର ସାଥୀ, ସେତେବେଳେ ସେ ମୋତେ ଦେବା ସ୍ୱାଭାବିକ ।

 

ଅବଶ୍ୟ ଭାଇର ଅଲକ୍ଷ୍ୟରେ ଓ ଅଜ୍ଞାତରେ ସେ ଘରୁ ଗୁଡ଼ି ଆଣି ମୋ ହାତକୁ ଦେଲା । ମୁଁ ସେଗୁଡ଼ିକୁ ମନବୋଧ କରି ଖେଳିଲି । ତାପରେ ବୈଶାଳୀକୁ ଫେରାଇ ଦେଲି ।

 

ପିଲାଦିନେ ଗୁଡ଼ି ସହିତ ଯିଏ ଥରେ ଖେଳିଛି । ସେ ଚାହେଁ ବାରମ୍ବାର ଖେଳିବାକୁ । ତା’ ନିଜର ନଥିଲେ ବାପ ମାଙ୍କ ସହିତ ଅଳି ଅଝଟ କରି ବଜାରରୁ କିଣିବାକୁ ସେ ବାଧ୍ୟ କରାଏ । କିନ୍ତୁ ମୁଁ ବାପାଙ୍କୁ ବାଧ୍ୟ କରିବା ଅବସ୍ଥାରେ ନଥିଲି ।

 

ମୋ ବାପା ଅତି କଡ଼ା ଲୋକ ଥିଲେ, ଖେଳକୁ ସେ ମୋଟେ ପସନ୍ଦ କରୁ ନଥିଲେ । ମୁଁ ବୈଶାଳୀ ସହିତ ଧୂଳି ଖେଳି ଘରକୁ ଫେରିଲେ, ଯେଉଁଦିନ ବାପାଙ୍କ ନଜର ପଡ଼ୁଥିଲା, ସେଦିନ ମୋତେ ବେତ୍ରାଘାତର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ତେବେ ବୈଶାଳୀ ସହିତ ଆମ୍ବ ଗଛ ଉହାଡ଼ରେ ଲୁଚି ମୁଁ ଯେ ଗୁଡ଼ି ଉଡ଼େଇବା ବନ୍ଦ୍‌ କରି ଦେଇଥିଲି ତା ନୁହେଁ ।

 

ପିଲାଦିନର ସେଇ ଗୁଡ଼ି ଖେଳ ଆଜି ମନେ ପଡ଼ୁଛି । କେବଳ ମନେ ପଡ଼ୁ ନାହିଁ, ତୁମ ମୋ ସଂସାର, ମଙ୍ଗୁ ଆଉ କୈଳାସର ସଂସାର ମଧ୍ୟରେ ମୁଁ ପଶି ଭାବୁଛି ଗୁଡ଼ି ଖେଳିବା ପିଲାଦିନେ ସହଜ, କିନ୍ତୁ ସଂସାର ମଧ୍ୟରେ ଏଇ ଯେଉଁ କଟାକଟି, ଛନ୍ଦାଛନ୍ଦିର ଜୀବନ–ଗୁଡ଼ି ଖେଳିବା ବହୁତ କଷ୍ଟ ।

 

ବୈଶାଳୀକୁ ଏଇ କଥା ଏବେ କହିଲେ ସେ ହସେ । କହେ ବାରୀ ଭାଇ ତୁମର ସେ ପିଲାଦିନର ପିଲା ଖେଳ ବୁଦ୍ଧି ଆଜିଯାଏ ଛାଡ଼ି ଯାଇ ନାହିଁ ।

 

ମୁଁ କହେ ମରିଗଲେ ଅବା ସେ ବୁଦ୍ଧି ମାଟିରେ ମିଶିଯିବ । କିନ୍ତୁ ଜୀଇ ଥିବାଯାଏ ହେବ ନାହିଁ । ସେ ଗୁଡ଼ିର ପ୍ରଭାବ ତ ପୁଣି ଜୀବନର ପ୍ରତି କ୍ଷେତ୍ରରେ ପ୍ରତିଫଳନ ସୃଷ୍ଟି କରୁଛି ।

 

ବୈଶାଳୀର ଗୁଡ଼ିକୁ ଖେଳୁ ଖେଳୁ ସେଇ ପାଖ ଆମ୍ବ ଗଛରେ ଲାଖି ଛିଣ୍ଡିଗଲା । ବୈଶାଳୀ କହିଲା ବାରୀ ଭାଇ ଗୁଡ଼ି ଛିଣ୍ଡେଇ ଦେଲ, ଆଜି ମୋ ଭାଇ ମାରିବେ ।

 

ମୁଁ ଆଗରୁ ଜାଣିଥିଲି ଯେ ଭାଇ କାହାକୁ ଗୁଡ଼ି ଦେବାକୁ ମନା କରିଥିଲେ । ତେଣୁ ମୁଁ ମଧ୍ୟ ଦୁଃଖିତ ହେଲି । ମୁଁ ଆଉ କଣ କରିଥାଆନ୍ତି ।

 

ସେଇ ଗୁଡ଼ି ବଦଳରେ ନୂଆ ଗୁଡ଼ି କିଣି ଦେବାର ଅବସ୍ଥା ମୋର ସେତେବେଳେ ନଥିଲା-। ନ ହେଲେ ବୈଶାଳୀକୁ ମୁଁ ମାଡ଼ ଖାଇବାକୁ ଦେଇ ନଥାନ୍ତି ।

 

ବୈଶାଳୀ ତା ପରଦିନ ତା’ ଭାଇଠାରୁ ମାଡ଼ଖାଇ ଆସି ମୋତେ କହିଲା, ‘ବାରୀ ଭାଇ ଦେଖିଲୁ ମୋ ପିଠିରେ ଭାଇ କେମିତି ମାରିଛନ୍ତି ।’

 

ଗୋଟିଏ ଦିନର ବ୍ୟବଧାନରେ ପ୍ରହାରର ଚିହ୍ନ କଣ ଥାଆନ୍ତା ? ତେବେ ମୋତେ ସେ ଅତି ଭଲ ପାଉଥିଲା ବୋଲି ପିଠି ଦେଖେଇ ଦେଲା । ସେ ଅନୁଭବ କରୁଥିଲା ସେ ଦୁଃଖକୁ ମୋ ଆଗରେ ପ୍ରକାଶ କଲେ ସେ ଯେତେ ଆଶ୍ୱସ୍ତି ପାଇବ ତା’ ଏପରିକି ଜନ୍ମଦାତ୍ରୀ ମା ପାଖରେ ନୁହେଁ-

 

ମୁଁ ବୈଶାଳୀର ପିଠି ଆଉଁସି ଦେଇଥିଲି । ବୈଶାଳୀର ଲୁହଭରା ଆଖିରୁ ଲୁହ ପୋଛି ଦେଇ ମୋ ଶିଶୁ ବକ୍ଷକୁ ଆଉଜାଇ ଆଣିଥିଲି ତାର ମୁହଁ । ଯେମିତିକି ସିଏ ମୁଁ କେହି କାହାଠାରୁ ପୃଥକ୍‌ ନୁହେଁ । ଗୁଡ଼ି ଖେଳର ଅବଲମ୍ବନ ମଧ୍ୟରେ କେଇଟା ଦିନେ ବଢ଼ିଗଲା ଆମ ସମ୍ପର୍କ ।

 

ଆମ ଗୁଡ଼ିଖେଳା ମନ କେଇଟା ଦିନେ ଅପସରି ଗଲା । ଆମେ ଦୁହେଁ ଏକା ସାଙ୍ଗରେ ବସି ପାଠ ପଢ଼ିଲୁ ।

 

ମୋଟେ ତିନିଟା ବର୍ଷ ଥିଲା ଆମର ସାଥୀ ଜୀବନ ।

 

ବୈଶାଳୀର ବାପା ପୁରୀ କଲେଜକୁ ବଦଳି ହୋଇଯିବା ଫଳରେ ବୈଶାଳୀର ପରିବାର ପୁରୀ ଚାଲିଗଲେ ।

 

ସେଇ ଦିନଠୁଁ ବୈଶାଳୀ ସହିତ ମୋର ମୋଟେ ଦେଖା ହୋଇ ନଥିଲା । କେତେବେଳେ ଭାବନା ମଧ୍ୟରେ ବୈଶାଳୀ ମନେ ପଡ଼ିଗଲେ, ମୁଁ କେତେ ଲୋକଙ୍କୁ ପଚାରି ଦିଏ । ହେଲେ ସ୍ୱତଃପ୍ରବୃତ୍ତ ହୋଇ ବୈଶାଳୀକୁ ମୁଁ ଯେ ଦେଖା କରିବି, ଏ ଚେଷ୍ଟାରେ ମୁଁ ନଥିଲି ।

 

ବହୁ ବର୍ଷର ବ୍ୟବଧାନ ପରେ......

 

ତୁମେ ଦେଖା ହେଲ ।

 

ମୋଠାରେ ଥିବା ମୁଁ କୁ ତୁମେ ଆସ୍ତେ ଆସ୍ତେ ଅପହରଣ କରି ମୋତେ ସବୁ ବିସ୍ମୃତ କରାଇ ଦେଲ ।

 

ସମସାମୟିକ ଛନ୍ଦା, ମିନତିଙ୍କ ଉପଲକ୍ଷ୍ୟ ଦେଇ ତୁମେ ମୋର ଯୌନ ବ୍ୟକ୍ତିତ୍ୱକୁ ନଷ୍ଟ କରିଦେଲ ।

 

ବୈଶାଳୀ ରହିଗଲା ବହୁ ଦୂରରେ ।

 

ଧୂଳି ଖେଳର ଏକ ପ୍ରହେଳିକା ପରି ମୁଁ ତାକୁ ଭୁଲିଗଲି ।

 

କିନ୍ତୁ ବୈଶାଳୀକୁ ମୁଁ ନଭାବିଲେ ସୁଦ୍ଧା ସେ ଆପେ ଆପେ ଆସି ମୋ ଆଗରେ ଛିଡ଼ା ହେଲା ।

 

ତୁମେ ପ୍ରେମ–ପସ୍ତରର ତୀକ୍ଷ୍‌ଣ ପାହାଚରୁ ଖସି ପଡ଼ି ମୁଁ ଯେଉଁଦିନ ଶୈବାଳିନୀର ହାତ ଧରିଲି, ସେଦିନ ଦେଖିଲି ବୈଶାଳୀକୁ । ପରିଣୟ ଲଗ୍ନରେ ଉପକକ୍ଷରେ.....

 

କିଏ ?

 

ମୁଁ ବୈଶାଳୀ, ମୋତେ ଚିହ୍ନି ପାରୁନାହିଁ ବାରୀ ଭାଇ । ମୁଁ ପରା ଅପା ବାହାଘରକୁ ଆସିଛି ।

 

ମୁଁ ନୀରବ ରହିଥିଲି ।

 

ପୁଣି ବୈଶାଳୀ ଆରମ୍ଭ କରିଥିଲା, ଯାହାକୁ ତୁମେ ବିବାହ କରୁନା, ସେ ପରା ମୋ ଅପା ।

 

ବର ବେଶରେ ମୁଁ କିଛି ପଚାରିବାକୁ ସଙ୍କୋଚ କରୁଥିବାର ବୈଶାଳୀ ବୁଝି ପାରିଥିଲା ।

 

ସେ ନିଜ ମନକୁ ସବୁ ପ୍ରଶ୍ନ ଆଉ ସବୁ ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରାଉ ଥିଲା ।

 

ଶୈବାଳିନୀର ମାଉସୀ ଝିଅ ଭଉଣୀ ହେଉଛି ବୈଶାଳୀ ।

 

ଯାହାହେଉ ସମୟ ସ୍ରୋତରେ ପୁଣି ମୋ ପାଖକୁ ଲାଗି ଆସିଲା ।

 

ମୋର ଶାଳୀ ହିସାବରେ ମୁଁ ପୁଣି ତାର ଏକରକମ ଭାଇ ହୋଇଗଲି ।

 

ମୋର ବିବାହ ହେବାର ଛଅ ମାସ ପରେ ଶୈବାଳିନୀ ମୋତେ କହିଲା, ମୋର ଗୋଟିଏ ଭଉଣୀ ଅଛି ବୋଲି ତୁମେ ଜାଣିଛ ? ମୁଁ ନଜାଣିବାର ଛଳନା କରି କହିଲି, କାଇଁ ମୋତେ ତ ତୁମେ ଏ ପର୍ଯ୍ୟନ୍ତ କହି ନାହଁ, ମୁଁ ଜାଣିବି କେମିତି ? ପୁଣି ଶୈବାଳିନୀ ମନରେ ଆଗ୍ରହ ସୃଷ୍ଟି କରିବାକୁ ଯାଇ କହିଲି, ଆଚ୍ଛା ତୁମ ଭଉଣୀ ଥାଇ ଦିନେ ଯେ ଏଠାକୁ ଆସୁ ନାହିଁ ?

 

ଶୈବାଳିନୀ କହିଲା, ମୁଁ ଚାହିଁଲେ ସେ ଆସିବ । କାରଣ ସେ ତା’ ନିଜ ଭଉଣୀ ନୁହେଁ । ତା’ ପରେ ସେ ମୋତେ ତାର ପୂରା ପରିଚୟ ଦେଲା ।

 

ଶୈବାଳିନୀର ନିମନ୍ତ୍ରଣରେ ବୈଶାଳୀ ଫେରି ଆସିଲା ମୋ ପାଖକୁ । ତୁମେ କହିବ ବୈଶାଳୀ କଣ ଅବିବାହିତ ଅବସ୍ଥାରେ ମୋ ପାଖକୁ ଆସିଲା ?

 

ନା !

 

ବୈଶାଳୀ ବିବାହିତ ଥିଲା ! କିନ୍ତୁ ସମ୍ପୂର୍ଣ୍ଣ ପତ୍ନୀତ୍ୱ ଉପଳବ୍‌ଧି କରି ନଥିଲା । ମୋର ବିଭାଘର ଦିନ ବୈଶାଳୀ ଯେଉଁ ରୂପରେ ଠିଆ ହୋଇଥିଲା କେହି ତାକୁ ବିବାହିତା ବୋଲି ଚିହ୍ନି ପାରି ନଥାନ୍ତା ।

 

ବୈଶାଳୀ ଥିଲା କୁଆଁରୀ ପତ୍ନୀ ।

 

କଲେଜର ପଢ଼ିବାର ଗୋଟିଏ ବର୍ଷ ପରେ ବୈଶାଳୀର ବିଭାଘର ଆପେ ଆପେ ଆସି ଜୁଟିଲା ।

 

ସୁଦାମ, ସୁନ୍ଦର ଉଚ୍ଚ ଶିକ୍ଷିତ ଯୁବକଟିଏ ବରପାତ୍ର ରୂପେ ନିର୍ବାଚିତ ହେଲେ । କିଛି ଯୌତୁକ ଓ ଦାବୀ ନଥିବା ହେତୁ ବୈଶାଳୀର ବାପ ଭାଇ ମଙ୍ଗିବା ସ୍ୱାଭାବିକ୍‌ ।

 

କିନ୍ତୁ ବର ପକ୍ଷରୁ ଗୋଟିଏ ଅଭିଯୋଗ ଥିଲା । ବର ସଞ୍ଜୟ କୁମାର ଭାରତ ସରକାରଙ୍କ ତରଫରୁ ସେହି ସମୟରେ ବୃତ୍ତି ପାଇ ଆମେରିକା ଗବେଷଣା କରିବାକୁ ଯାଉଥିବା ହେତୁ ବୈଶାଳୀକୁ ବିବାହ ପରେ ତାଙ୍କ ଘରେ ରଖିବା ପାଇଁ ଅମଙ୍ଗ ହେଲେ । ସଞ୍ଜୟଙ୍କ ବାପା ମଧ୍ୟ ସେଇ ଦୃଷ୍ଟିରୁ ବୈଶାଳୀର ପିତାଙ୍କ ସହିତ ଚୁକ୍ତିବଦ୍ଧ କରି ବିବାହ କାର୍ଯ୍ୟ ସମ୍ପନ୍ନ କଲେ ।

 

ଶୈବାଳିନୀ କହୁଥିଲା ବୈଶାଳୀର ସେଇ ସୁହାଗ ରାତ୍ରିର କାହାଣୀ ।

 

ବୈଶାଳୀ ଜୀବନର ପହିଲି ରାତିଟି ତୁମେ ବିଶ୍ୱାସ କରୁଛ ସୁଖଦା, ସୁଖରେ କଟିଥିବ ବୋଲି ?

 

କେମିତି କଟି ପାରିବ ?

 

ଆମେରିକା ଯାଇ ବଡ଼ ହେବାର ବାସନା ଆଗରେ ପ୍ରେମ ବନ୍ଧନ ଯେ ନିହାତି ବଡ଼, ତାହା ତୁମେ ମୁଁ ଆଉ ଯେତେ ସ୍ତ୍ରୀ ପୁରୁଷ ଦୁନିଆରେ ଘର କରି ଅଛନ୍ତି ସମସ୍ତେ ମୁକ୍ତ କଣ୍ଠରେ ସମର୍ଥନ କରିବେ, ଏଥିରେ କିଛି ଭୁଲ ନାହିଁ ।

 

ବାସର ରାତ୍ରିର ଶେଷ ପ୍ରହରରେ କେଉଁ ନବବିବାହିତା ପତ୍ନୀକୁ ସ୍ୱାମୀ ଛାଡ଼ିଗଲେ ସେ ଧୈର୍ଯ୍ୟ ଧରି ରହି ପାରିବ ମୋତେ କୁହ ତ ?

 

ବହୁଦିନର ବ୍ୟବଧାନ ପରେ ଜାଣି ଜାଣି ବାସର ମିନାକ୍ଷୀ ତା ସ୍ୱାମୀକୁ ବିଦାୟ ଦେଇ ହସି ପାରିବ କି ?

 

ମନ ଖୋଲି ଅନ୍ତରକୁ ତା’ ବୟସର ପରିମାପକ ମାପ କାଠିରେ ମାପି କେବେହେଲେ ସେ ସେତେବେଳେ କହିବ ନାହିଁ ଯେ ସେ ହେଉଛି ଦାୟିତ୍ୱସମ୍ପନ୍ନା, ସ୍ତ୍ରୀ, ସ୍ୱାମୀର ସୁଖରେ ସେ ସୁଖୀ ।

 

ବୈଶାଳୀ କହିଥିଲା ।

 

ଅନ୍ତରକୁ ଶୁଷ୍କ କରି ଅଧର ଥରାଇ ହସିଥିଲା । ମୁଖଭଙ୍ଗୀର ସଙ୍କୋଚନ ମଧ୍ୟରେ ପ୍ରେମହୀନ ଈଶାରା ଦେଇ ସେ ଚାହିଁଥିଲା ସଂଜୟ ଆଡ଼େ ।

 

ମୁହଁରେ ଭାଷା ନଥିଲା ।

 

କିଏ ଯେମିତି ତା’ ପାଇଁ ଉପହାସ କରି କହୁଥିଲା କେମିତିକା ପୁରୁଷ ଇଏ ମ । ୟା’ଙ୍କଠାରେ କଣ ଯୌବନ ନାହିଁ, ପିପାସା ନାହିଁ, ମନ ନାହିଁ ।

 

ବାସ୍‌ ସେତିକି । ସେଇ ନିସ୍ତବିଧ୍‌ ପ୍ରତିଧ୍ୱନି ମଧ୍ୟରେ କେମିତି ଯେ ସେ ସଞ୍ଜୟକୁ ବିଦାୟ ଦେଇଥିଲା ଆଜି ତାର ମନେ ପଡ଼ିବ ନାହିଁ ।

 

ମୋତେ ସେ କହିଛି, ବାରୀ ଭାଇ ମୁଁ ବି ଏ ପର୍ଯ୍ୟନ୍ତ ସେଇ ଗୁଡ଼ି ଖେଳର ସାଥୀ । ଜୀବନର କାଟାକଟି ଛନ୍ଦାଛନ୍ଦି ଗୁଡ଼ି ଖେଳ ମୋତେ ଖେଳି ଆସେ ନାହିଁ ।

 

ମୁଁ ହସିଥିଲି ।

 

ସେଇ ଫ୍ରକ୍‌ ପିନ୍ଧା ଛୋଟ ବୈଶାଳୀର ମୂର୍ତ୍ତି ମୋ ଆଗରେ ନାଚି ଉଠିଥିଲା ।

 

ବୈଶାଳୀ ଶାଢ଼ୀ ପିନ୍ଧି ଖୁବ୍‌ ବଡ଼ ହୋଇଯାଇଛି । ତାର କାନ, ଆଖି, ନାକ, ହାତ, ଗୋଡ଼ ସବୁ ଯେମିତି ସମୟର ସେମିନରେ ଟାଣି ହୋଇ ବଢ଼ି ଯାଇଛି ।

 

କିନ୍ତୁ ସେଇ ସେତକ ବଢ଼ି ପାରି ନାହିଁ ।

 

ମନ ।

 

ବୈଶାଳୀ ହସୁଥିଲା ।

 

ତା’ ମନରୁ ସମୟର ବିକାରବଦ୍ଧ ପରିକଳ୍ପନାର ଟିକେ ମାତ୍ର ଆଭାସ ପାଇ ନଥିଲି ।

 

ଶୈବାଳିନୀର ତା’ ପ୍ରତି ଥିବା ଧାରଣାକୁ ମୁଁ ସ୍ପଷ୍ଟଭାବେ ଅନୁଧ୍ୟାନ କରୁଥିଲି ।

 

ସ୍ୱାମୀ ସହିତ ଦୀର୍ଘ ପାଞ୍ଚ ବର୍ଷ ଧରି ବିଚ୍ଛିନ୍ନ ରହି ସୁଦ୍ଧା ବୈଶାଳୀ ବିରହଣୀ ନୁହେଁ ।

 

ପିଲାଙ୍କ ଭଳି ଚପଳତାର ଛନ୍ଦରେ ବୈଶାଳୀ ହସୁଥିଲା । ଦୁର୍ବଳତାର ବଶବର୍ତ୍ତୀ ହୋଇଥିଲେ ସେ କେଡ଼େ ଜଟିଳ, ଗମ୍ଭୀର ହୋଇ ନଥାନ୍ତା ସତେ ?

 

ବହୁ ପୁରୁଷର ବାସନା ତା’ ମନରେ ନ ଥାଉ ପଛେ ଆମେ ସନ୍ଦେହ କରିବା କାହିଁକି ?

 

ଆମେ କାହିଁକି ଆକ୍ଷେପ କରି କହିବା ଯେ ସ୍ୱାମୀଠାରୁ ଏତେ ବର୍ଷ ଦୁରରେ ଥାଇ ବୈଶାଳୀ ସ୍ଥିର ରହି ପାରୁ ନଥିବ ?

 

ବୈଶାଳୀର ସେ ଦୁର୍ବଳତା ନାହିଁ ।

 

ଉତ୍ତେଜନାକୁ ଚାପି ଏ ଦେଶରେ ଯେ ଶହ ଶହ ନାରୀ ସେମାନଙ୍କ ପ୍ରିୟ ପୁରୁଷମାନଙ୍କ ବିଚ୍ଛେଦରେ ସ୍ଥିର ରହି ପାରିବେ ସେ ଧାରଣା ଶୈବାଳିନୀର ନାହିଁ ।

 

ଶୈବାଳିନୀ ନିଜ ମନକୁ ସମସ୍ତଙ୍କ ସାଙ୍ଗରେ ତୁଳନା କରି ବସୁଛି ।

 

ବୈଶାଳୀ ଯେଉଁ କେତେଦିନ ଆମ ଘରେ ଥିଲା, ସେ ସମୟରେ ବୈଶାଳିନୀ ଯେଉଁ କେତେଦିନ ଆମ ଘରେ ଥିଲା ସେ ସମୟରେ ଶୈବାଳିନୀ ବାରମ୍ବାର ଚେଷ୍ଟା କରିଛି ବୈଶାଳୀ ମନରେ ଯୌନ ବନ୍ଧନର ବିଷ ସୃଷ୍ଟି କରିବାକୁ; କିନ୍ତୁ ମୋଦ୍ୱାରା ପ୍ରତିହତ ହୋଇ ବୈଶାଳୀ ତା’ ମନରେ ଦୃଢ଼ ହୋଇ ଫେରି ଯାଇଛି ।

 

ହୁଏତ ସଞ୍ଜୟର ବଡ଼ ଭୁଲ ଯେ ସେ ବାସର ରାତିର ଠିକ୍‌ ପରଦିନ ଯେତେବେଳେ ଆମେରିକା ଯାତ୍ରା କରିଛି, ସେଇଦିନଠାରୁ ତା ମନର ଅସ୍ଥିରତା ବିଷୟ ବୈଶାଳୀ ନିକଟକୁ ବାରମ୍ବାର ପତ୍ରରେ ଲେଖିବା । କିନ୍ତୁ ତୁମେ କୁହ ସୁଖଦା, ବିଶ୍ୱନାଥର ବ୍ୟକ୍ତିତ୍ୱର ଉଚ୍ଚ ପ୍ରତିଷ୍ଠା ତୁମେ କଣ ଚାହଁନା ? ସେ ତୁମଠାରୁ ସେଇଥିଲାଗି ଦୂରେଇ ଯାଇ ଝୁରି ଝୁରି ଚିଠି ଲେଖିଲେ ତୁମେ ଖୁସି ହେବ କେଉଁ ସକାଶେ ?

 

କାହାକୁ ସହବାସର ସାଥୀ କରି ତୁମ ମନ ପିପାସାର ତୃଷ୍ଣା ମେଣ୍ଟିବ ?

 

କଣ ସେଇ ନିର୍ଜୀବ ଚିଠିକୁ ?

 

ତେଣୁ ସ୍ୱାମୀଠାରୁ ବିରହ ପତ୍ର ନପାଇଲେ, ସେ କଣ ତୁମର ସ୍ୱାମୀ ପଦବାଚ୍ୟ ନୁହେଁ-?

 

ସେ କଣ ଅମଣିଷ, ନିଂପୁସକ ।

 

ଏଇ ଅଦ୍ଭୁତ ଯୁକ୍ତିକୁ ଠିକ୍‌ ବୋଲି ଭାବିଥିଲେ ବୈଶାଳୀ କେଉଁଦିନୁ ମରି ସାରିଥାନ୍ତା ।

 

ବୈଶାଳୀକୁ ଲକ୍ଷ୍ୟ କରି କେତେ ଔପନ୍ୟାସିକ, ନାଟ୍ୟକାର ଉପନ୍ୟାସ, ନାଟକ ଲେକି ସାରିଥାନ୍ତେ ।

 

ସେଇ ସତ୍ୟ ଟ୍ରାଜେଡି ପାଣ୍ଡୁଲିପିର ଆଦର ପ୍ରସାର ମଧ୍ୟରେ ସଞ୍ଜୟ ଆମେରିକାରୁ ଫେରି କଣ ଦେଖନ୍ତା ?

 

ପ୍ରେମିକା ନା ସ୍ତ୍ରୀର ଆତ୍ମବଳି ?

 

କିଛି ନୁହେଁ ।

 

ତା ପାଇଁ ବୈଶାଳୀ କିଛି ନୁହେଁ ।

 

ଅନ୍ଧାରୀ, ବିସ୍ମୟ ତଳେ ବୈଶାଳୀ ଲୀନ ହୋଇ ଯାଆନ୍ତା ।

 

ସେଇକଥା ବୈଶାଳୀ ବୁଝିଛି । ବୈଶାଳୀ ହସ୍ତାଙ୍କିତ ପତ୍ରର ପ୍ରତି ମର୍ମେ ମର୍ମେ ମୁଁ ଏଇ ସାରକଥା ବୁଝି ପାରିଛି ।

 

ସେଥିଲାଗି ବୈଶାଳୀ ମନକୁ ଦୃଢ଼ କରି ପ୍ରତୀକ୍ଷାରେ ଚାହିଁ ରହିଛି ।

 

ସଞ୍ଜୟ ଆସିବ ।

 

ତା ସ୍ୱାମୀ....

 

ଆମେରିକା ଫେରନ୍ତା ସ୍ୱାମୀ ମନରେ ସେ ଭରି ଦେବ ଯୁଗପତ୍‌ ପ୍ରେମର ସଞ୍ଚୟ ।

 

ସେଇ ବୈଶାଳୀର ପବିତ୍ର ହୃଦୟ ।

 

ସେଇଠାରୁ ତାଙ୍କ ଜୀବନର ବାସର ରାତି ପୁଣି ଆରମ୍ଭ ହେବ ।

 

ମନର ସ୍ଥିରତା ରଖିବାକୁ କଳ୍ପନାରେ ବି ବୈଶାଳୀର ଏତେ ଯୋଜନା ଅଛି; କିନ୍ତୁ ଶୈବାଳିନୀ ନିଜ ଦର୍ପଣରେ ସମସ୍ତଙ୍କ ମୁହଁ ଦେଖି, ସେଥିରୁ ନିଜର ବିକୃତତା ଜାଣି ପାରି ମଧ୍ୟ ସ୍ଥିରହୋଇ ରହି ପାରୁନାହିଁ କାହିଁକି ?

 

ଏଇ କେତେଦିନ ମଧ୍ୟରେ ଆମେ ଦୁଇ ପ୍ରାଣୀଙ୍କ ମଧ୍ୟରେ ଆଉ ଏକ ପ୍ରକାର ମତଭେଦ ସୃଷ୍ଟି ହୋଇଛି ।

 

କାହା ଘରେ ସେମିତି ମତଭେଦ ଘଟିଛି କିମ୍ବା ଘଟୁଛି ବୋଲି ମୋର ଧାରଣା ଆସୁ ନାହିଁ ।

 

ଶୈବାଳିନୀ ଗର୍ଭରେ ଚାରି ମାସର ସନ୍ତାନ ଏବେ ନଷ୍ଟ ହୋଇଯାଇଛି । ସେଥିପାଇଁ ମୁଁ ଦାୟୀ । ମୁଁ କୁଆଡ଼େ ଜାଣୁ ଜାଣୁ ତାକୁ ମା’ ହେବାର ଆକାଙ୍‍କ୍ଷାରୁ ବଞ୍ଚିତ କରୁଛି ।

କେମିତି ?

ଏକଥା କେବେହେଲେ ସମ୍ଭବ ହେଲାଣି ? ଶୈବାଳିନୀ ସହିତ ସହବାସ କରିବା ଫଳରେ ସେ ଗର୍ଭବତୀ ହେଲା । ଆଉ ତା ଗର୍ଭ ନଷ୍ଟ କରିବାରେ ମୁଁ କେମିତି ଦାୟୀ ହେଲି ମୁଁ ବୁଝିପାରୁ ନାହିଁ ।

ଗର୍ଭ ନଷ୍ଟ ହେବାର କେତେଦିନ ଯାଏ ଶୈବାଳିନୀ ମୋ ସାଙ୍ଗରେ ଭଲ କଥାବାର୍ତ୍ତା କଲା ନାହିଁ । ଖାଲି ଦେଖେଇ ଶିଖେଇ ମୋତେ କହିବାକୁ ଲାଗିଲା, ଆଜିକାଲି କେଇଟା ସ୍ତ୍ରୀର ବେଦନା ସ୍ୱାମୀମାନେ ଜାଣୁଛନ୍ତି ?

ସ୍ୱାର୍ଥପର !

ବନ୍ଧନର ମନ୍ତ୍ର ନେଇ ସ୍ତ୍ରୀକୁ କଲବଲ କରି ମାରିବା କୁଆଡ଼େ ମୋର ଲକ୍ଷ୍ୟ ।

ଏଇ ଅଯଥା କଥା କହିଲାବେଳେ ଆଉ କେଉଁ ସ୍ୱାମୀ ସ୍ତ୍ରୀଙ୍କ ଯୁକ୍ତି ଶୈବାଳିନୀ କରେ ନାହିଁ ? ସବୁ ସ୍ୱାମୀଙ୍କ ତରଫରୁ ମୋତେ ବଳେ ବଳେ ବଧେଇ ଜଣାଇବାକୁ ହୁଏ ।

କୌଣସି ସ୍ୱାମୀ ସ୍ୱାର୍ଥପର ନୁହନ୍ତି ।

ମିଥ୍ୟା, ଆତ୍ମସ୍ୱାର୍ଥକତା, କଷ୍ଟ, ଯନ୍ତ୍ରଣା ସବୁ ସ୍ୱାମୀ ସ୍ତ୍ରୀଲାଗି ହିଁ ବରଣ କରିଥାଆନ୍ତି ।

ସ୍ତ୍ରୀର ସଂସାରକୁ ଆଗେଇ ନେବାକୁ ଯେ କୌଣସି ପ୍ରତାରଣାର ସମ୍ମୁଖୀନ ହୋଇ ସ୍ୱାମୀ ନିଜକୁ ଆତ୍ମବଳି ଦିଏ । ସେ କଥା ଶୈବାଳିନୀ ବୁଝି ନାହିଁ । ଛୋଟଠାରୁ ବଡ଼ କଥା ପର୍ଯ୍ୟନ୍ତ ସବୁଥିରେ ସେ ନିଜକୁ ପ୍ରଶଂସା କରି ଟେକେ ।

 

କିନ୍ତୁ ସେ କଣ ଜାଣି ପାରୁଛି ସହବାସ ସ୍ୱାମୀ ହୃଦୟର ଚିତ୍କାର ?

 

ଯନ୍ତ୍ରଣାର ଆର୍ତ୍ତଚିତ୍କାରରେ ନୀରବରେ ସେ ହୃଦୟ ଯେ କେତେ କାନ୍ଦୁଛି, ସେ କଥା ସେ ଜାଣି ପାରୁ ନାହିଁ । ପୁରୁଷ ମନ ଦବିଯାଏ ।

 

ସେ ଭାବେ ମୁଁ ସ୍ୱାମୀ ହୋଇ ନଥାନ୍ତି କି ?

 

କିନ୍ତୁ ସେ ସ୍ୱାମୀ, କର୍ତ୍ତବ୍ୟର ଆବଦ୍ଧ ମଧ୍ୟରେ ସେ ଯେ ସ୍ତ୍ରୀର ନିବେଦନ ।

 

ସେଇକଥା ଛନ୍ଦା ମର୍ମେ ମର୍ମେ ଅନୁଭବ କରି ପାରିଛି । ପୁଅ ପାଇଁ ଗୋଟିଏ ହର୍ଲିକ୍‌ସ ଆଣି ଖାଇବାକୁ ଦେବାକୁ ଯେତେବେଳେ ଏକାନ୍ତ ଆବଶ୍ୟକ କୈଳାସ ଦେଖିଲା ପାଖରେ ପଇସା ନାହିଁ ।

 

ହଁ, ସେମିତି ଦିନ ଯାଆନ୍ତା କି ?

 

ହେଲେ କୈଳାସର ପିଅନ ବୁଝିଲା ବାବୁର ଦୁଃଖ । କିଛି ଟଙ୍କା ଧାର ଦେବା ଫଳରେ କୈଳାସ ହର୍ଲିକ୍‍ସ୍‍ ଆଣି ତା’ ପୁଅ ପାଟିରେ ଦେଲା । ଛନ୍ଦା କହିଲା, ପଇସା ନଥିଲା ଧାର କାହିଁକି କଲ ?

 

ଏଇ ସନ୍ତାନର ଆତ୍ମା ଆମ ମନକୁ ବୁଝିବାକୁ ବହୁତ ଡେରି । କୈଳାସର ଉତ୍ତରରେ ଛନ୍ଦାର ମନ ଆପେ ଆପେ ନଇଁ ଯାଇଥିଲା ।

 

ପିଅନ ପାଖରୁ ଟଙ୍କା ଧାର ନେଇ ସେ ଯେ ତା’ ସଂସାରର ମନ ସନ୍ତୁଷ୍ଟ କରି ପାରିଛି, ସେଇ ହେଉଛି ଛନ୍ଦା ନିକଟରେ ଯଥେଷ୍ଟ ।

 

ଆଭିଜାତ୍ୟର ମନୋବୃତ୍ତିକୁ ଏଇ ଚର୍ମରେ ବେଢ଼ା ଶରୀର ଉପହାସ କରୁଛି ବୋଲି ଶିକ୍ଷିତା ଶୈବାଳିନୀ ତ ବୁଝି ପାରୁନାହିଁ ।

 

ସେମିତି ଦରଦହୀନ ଆକ୍ଷେପ କରି ଲାଭ କଣ ? ଶୈବାଳିନୀର ଗର୍ଭ ନଷ୍ଟ ହେବା ଫଳରେ ମୋ ମନ ଦୁଃଖ କି ନା ସେ କଥା ମୁଁ କହିବି । ଜୋର କରି ନାହିଁ କଲେ ମୁଁ କଣ କରିବି ? ସବୁବେଳେ ଖାଲି ଏ ପାଖ ନହେଲେ ସେ ପାଖ କଥା କହି ମୋତେ ବିବ୍ରତ କଲେ ମୁଁ ବିରକ୍ତ ହେବି ନାହିଁ କି ?

 

ଗର୍ଭ ନଷ୍ଟ ସକାଶେ ମୋତେ ଦୋଷ ଦେବା ଅର୍ଥ ହେଉଛି ଟାଣି ଭିଡ଼ି ଛନ୍ଦାକୁ ଅଭିଯୁକ୍ତ କରିବା ।

 

ଛନ୍ଦା ସେଦିନ ଏମିତି ଦୁର୍ଦ୍ଦଶା ସମୟରେ ଶୈବାଳିନୀକୁ ସହାନୁଭୂତି ଜଣାଇବାକୁ ଆସିଥିଲା । ଛନ୍ଦା କହିଥିଲା, ତୁମେ ଜାଣି ଜାଣି ସନ୍ତାନକୁ ମାରିଦେଲ ଶୈବାଳିନୀ ! ଟିକେ ଡାକ୍ତର ଦେଖାଇ ଏଇ ପ୍ରଥମ ଗର୍ଭକୁ ରଖି ପାରିଲ ନାହିଁ ।

 

ଏ କଥା ଛନ୍ଦା କଣ ଖରାପ କହିଥିଲା ? ମୁଁ ଛନ୍ଦାକୁ ସମର୍ଥନ କରିବାରୁ ସେଇ ହେଲା ମୋର ଦୋଷ । ମୋତେ ମିଛରେ କୁହାହେଲା ଯେ ମୋ ଅବହେଳା ପ୍ରଦର୍ଶନ ଫଳରେ ସନ୍ତାନଟି ନଷ୍ଟ ହୋଇ ଯାଇଛି । ମୁଁ ଛନ୍ଦାକୁ ଭଲପାଏ ବୋଲି ମୋ ନବ ଜାତକ ଶିଶୁର ମୁହଁ ଦେଖିବାକୁ ମୁଁ ଇଚ୍ଛୁକ ନୁହେଁ ।

 

ଏଇ ଅଜବ ଯୁକ୍ତି ଆଗରେ ମୋତେ ନୀରବ ରହିବାକୁ ପଡ଼େ । ସେଥିଲାଗି ଦୁଃଖରେ ହେଉ ବା ବିଦ୍ରୋହରେ ହେଉ, ମନ ହୁଏ ସବୁ କଥା ଖୋଲି କହି ଦେବାକୁ ।

 

କିନ୍ତୁ କହିବାକୁ ବି ସାହସ ହେଉନାହିଁ । ମୁଁ କହୁଥିଲି, ମଙ୍ଗୁ ଦ୍ୱାରା ଆମ ଅତୀତର ଗୁପ୍ତ କାହାଣୀ ଶୈବାଳିନୀ ଆଗରେ ପ୍ରକାଶ କରି ଦେବି ବୋଲି ହେଲେ ସେଥିରେ ମନ ଦବି ଯାଉଛି କେଉଁ କାରଣ ନେଇ ଜାଣ ?

 

ଆମ ଅତୀତ ପାଞ୍ଚ ବର୍ଷ ପଛରେ ପଡ଼ି ରହିଲାଣି । ଆମେ ଛୁଆ ପିଲାର ବାପା ହୋଇ ଘର ସଂସାର କରି ସାରିଲେଣି । ମୋର ସିନା ପିଲାପିଲି ହୋଇ ନାହାନ୍ତି; କିନ୍ତୁ ମୋ ବୟସର କେତେଲୋକ ତ ଏ ପର୍ଯ୍ୟନ୍ତ ବାପା ଡାକ ଶୁଣି ସନ୍ତାନମାନଙ୍କର ଦାୟିତ୍ୱ ମୁଣ୍ଡକୁ ନେଲେଣି ।

 

ପାଞ୍ଚ ବର୍ଷର ବ୍ୟବଧାନ ମଧ୍ୟରେ ଶୈବାଳିନୀ ମୋତେ ଛନ୍ଦା ସମ୍ପର୍କରେ ସନ୍ଦେହ କରି ଆସୁଛି । ଆଉ ଶୈବାଳିନୀ ଯଦି ଶୁଣିବ, ସୁଖଦା ବୋଲି ମୋର ଆଉ ଜଣେ ପ୍ରେମିକା ଥିଲା, ତାହେଲେ ସେ କେତେ ମର୍ମାହତ ହୋଇ ନପଡ଼ିବ କହିଲ ?

 

ସେଥିଲାଗି ମଙ୍ଗୁକୁ ବାଧ୍ୟ କରି ବି ମୁଁ କରିପାରୁ ନାହିଁ । ତା’ପରେ ଶୈବାଳିନୀକୁ ବିବାହ କରିବା ଦିନଠାରୁ ପରୀକ୍ଷା କରି ମୁଁ ଯାହା ବୁଝି ପାରୁଛି, ସେ ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କ ଭଳି ଅଭିମାନିନୀ ଜଣା ପଡ଼ୁନାହିଁ ।

 

ଅବଶ୍ୟ ସ୍ତ୍ରୀ ଲୋକଙ୍କଠାରେ ଯେତିକି ଅଭିମାନ ରହିବା କଥା ଶୈବାଳିନୀ ମନରେ ସେତିକି ଅଛି । କିନ୍ତୁ ସେ ଅଭିମାନ କରି ଯେ ନିଜ ଜୀବନକୁ ନଷ୍ଟ କରିଦେବ, ଏମିତି ଯୋଜନା ତାର ନାହିଁ ।

 

ବଞ୍ଚିରହି ପ୍ରତିବାଦ, ବିଦ୍ରୋହ କରିବା ମନୋବୃତ୍ତି ସେଇ ଅଭିମାନରେ ବିଶେଷ ଭାବେ ସ୍ଥାନ ପାଇଛି । ସଂସାରର କୌଣସି ଜଟିଳତାରୁ ମୃତ୍ୟୁକୁ ବରଣ କରି ମୁକ୍ତି ପାଇବାକୁ ସେ ଇଚ୍ଛା କରେ ନାହିଁ । ତେଣୁ ସେ ଆମର ଗୁପ୍ତ ରହସ୍ୟ ଶୁଣିଲେ ଯେ ଆତ୍ମହତ୍ୟା କରିବ, ଏ ଧାରଣା ମୋର ନାହିଁ । ବରଂ ସେ ଆହୁରି ଭୟଙ୍କର ହୋଇ ନିଜେ ନିଜେ ଛାଡ଼ପତ୍ର ନେଇ ମୋଠାରୁ ଦୂରେଇ ଚାଲିଯିବ ।

 

ତୁମେ ଗଲ, ସେ ଯଦି ଚାଲିଯାଏ ମୁଁ କଣ ସୁଖୀ ହୋଇ ପାରିବି ସୁଖଦା ?

 

ମୁଁ କାହା ମୁହଁ ଚାହିଁ ସ୍ୱାମୀ ବୋଲି ଗର୍ବ ଅନୁଭବ କରିବି ?

 

ତୁମେ ଯୁକ୍ତି କରିପାର ଯେ ବୈଶାଳୀ ତା’ ସ୍ୱାମୀ ବିଚ୍ଛେଦରେ ପାଞ୍ଚ ବର୍ଷ ସ୍ଥିର ହୋଇ ରହିପାରିଛି; ସେ ସ୍ତ୍ରୀ ହୋଇ ରହିପାରୁଛି ଆଉ ମୁଁ ପୁରୁଷ ହୋଇ ଦୁର୍ବଳ ହୋଇ ଉଠୁଛି କାହିଁକି ?

 

କିନ୍ତୁ ଏ କ୍ଷେତ୍ରରେ ବୈଶାଳୀକୁ ମୋ ସାଙ୍ଗରେ ତୁଳନା କରାଯାଇ ନପାରେ । କାରଣ ବୈଶାଳୀର ପରିସ୍ଥିତ ମୋଠାରୁ ଭିନ୍ନ ।

 

ସେ ପ୍ରତୀକ୍ଷା କରିଛି ।

 

ସ୍ୱାମୀ ସଞ୍ଜୟର ଅପେକ୍ଷାରେ ଆଶା, ଆକାଂକ୍ଷାର ଦୀପାଳୀ ଜାଳି ବସିଛି ସେ ।

 

ସେ ଫେରି ଆସିଲେ ବୈଶାଳୀ ମନ ସହିତ ନିଶ୍ଚୟ ତାଙ୍କ ମନକୁ ସଂଯୋଗ କରିବେ ।

 

କିନ୍ତୁ ମୁଁ ? ପ୍ରତିହତ ହୋଇଥିବା ମୋ ମନକୁ ତ ଶୈବାଳିନୀ ସାଙ୍ଗରେ ଯୋଡ଼ି ପାରିଲି ନାହିଁ । ଆଉ ତୃତୀୟର କାମନା ବା ମନରେ କାହୁଁ ଆସିବ ।

 

ତେଣୁ ମୋର ଇଚ୍ଛା ଶୈବାଳିନୀ କେଉଁଠାକୁ ନଯାଉ । ମୋ ସଂଲଗ୍ନରୁ ଦୂରେଇ ଗଲେ ମୋ ସାଂସାରିକ ମନ ଜଟିଳ ହୋଇ ଉଠିବ ।

 

ମୁଁ ପାଗଳ ହୋଇଯିବି ।

 

ଦୁଇ ଦୁଇଟି ନାରୀର ଆଶା ନିରାଶାର ନୌକାରେ ବସି ମୁଁ ଏହି ମହା ସମୁଦ୍ର ମଧ୍ୟରେ ଆକସ୍ମିକ ଭାବେ ଲୀନ ହୋଇଯିବି ।

 

ସେତେବେଳେ ମୋତେ କିଏ ଉଦ୍ଧାର କରିବ ?

 

ଛନ୍ଦା, ବୈଶାଳୀ, ନା ମୋ ଉପନ୍ୟାସ, ପଦବୀର ଖ୍ୟାତି ପ୍ରଶଂସା !

 

ସେଥିଲାଗି ମୁଁ କହୁଛି ଯେ କେମିତି ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ହିସାବରେ ଘର କରି ରହିବୁ ।

 

ଆଉ ଗୋଟିଏ କଥା ତୁମକୁ ଜଣେଇ ଦେବାକୁ ଭୁଲି ଯାଇଛି, ଗଲା ନିର୍ବାଚନରେ ତୁମ ନିବେଦିତା ମାଉସୀ ଆମ ବସାକୁ ବୁଲି ଆସିଥିଲେ । ତାଙ୍କୁ ମୁଁ ଆମ ବସାରେ ନିମନ୍ତ୍ରଣ କରି ଗୋଟିଏ ଦିନ ରଖିଥିଲି । ସେ ଆମ ଘରର ହାଲଚାଲ ଦେଖି ମୋତେ ପଚାରିଥିଲେ ବାରୀନ୍ଦ୍ର ତୁମେ ଘର ସଂସାର କରି ସ୍ତ୍ରୀ ସାଙ୍ଗରେ ମନ ମିଳେଇ ଚାଲି ପାରୁଛ, ନା କେଉଁଠି ଅସୁବିଧା ରହିଯାଉଛି ।

 

ଅନୁଦିତା ମାଉସୀଙ୍କର ଦରଦଭରା ପ୍ରଶ୍ନର ଉତ୍ତରକୁ ଉପେକ୍ଷା କରି ମୁଁ ରହି ପାରିଲି ନାହିଁ ।

 

ମିଛ କହି ଆମ ଦାମ୍ପତ୍ୟ ଜୀବନର ଦୋଷ ଦୁର୍ଗୁଣକୁ ଘୋରାଇ ରଖିବାକୁ ମୁଁ ପ୍ରଥମେ ଚେଷ୍ଟା କଲି ।

 

କିନ୍ତୁ ସେଇ ଆଳାପ, ଆଲୋଚନା ମଧ୍ୟରେ ଶୈବାଳିନୀ ପ୍ରବେଶ କରି ନିଜକୁ ନିଜେ ଧରା ପକେଇ ଦେଲା ।

 

ତୁମେ କୁହ, ଏତେ ବଡ଼ ଅତିଥିଙ୍କ ସମ୍ମୁଖରେ କଣ ଘରର କୌଣସି କଥାକୁ ଲୁଚେଇ ରଖିଲେ ଚଳି ନଥାନ୍ତା !

 

ହଠାତ୍‌ ଶୈବାଳିନୀ ଡ୍ରଇଂ ରୁମ୍‌କୁ ପଶୁ ପଶୁ କହି ପକାଇଲା, ମୁଁ ଆଭି କ୍ଲବ୍‌କୁ ଯିବି ନାହିଁ ।

 

ମୁଁ ନିଶ୍ଚୟ ସ୍ୱାମୀ ହିସାବରେ ତା’ର ପ୍ରଶ୍ନର ଉତ୍ତର ଦେବି; ତେଣୁ କହିଲି କାହିଁ ତମର କି ଅସୁବିଧା ଘଟିଲା ?

 

ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହେବ ସୁଖଦା, ଶୈବାଳିନୀର ରାଗ ଯେ ତା’ର ରିଷ୍ଟ ଓ୍ୟାଚ୍‌ କାହିଁ ସେ ପର୍ଯ୍ୟନ୍ତ ମୁଁ ଦୋକାନକୁ ରିପେୟାରିଂ ପାଇଁ ଦେଇଥିଲି, ଆଣି ନାହିଁ । ବିନା ରିଷ୍ଟ ଓ୍ୟାଚରେ ସେ କ୍ଲବ ଯିବ ନାହିଁ । ତେଣୁ ଶୈବାଳିନୀକୁ ଅନୁଦିତା ମାଉସୀ ବୁଝେଇବାକୁ ବାଧ୍ୟ ହେଲେ-

 

ଶୈବାଳିନୀ ତ ପିଲା ନୁହେଁ, ସେ କାହିଁ ବୁଝି ପାରିଲା ନାହିଁ, ମୁଁ କିଛି କହି ପାରିବି ନାହିଁ-

 

ଅନୁଦିତା ମାଉସୀଙ୍କ ଆଗରେ ତାର ଯୁକ୍ତି ଥିଲା ଯେ ମୁଁ କୁଆଡ଼େ ତା ମନର ବିଳାସ ଉପରେ ସବୁ ସମୟରେ ଅପ୍ରିୟତାର ବାରୀ ବର୍ଷଣ କରୁଛି ।

 

ଆଖିରେ ସନ୍ଦେହର ମାୟା ଅଙ୍କନ କରିଛି ।

 

କେମିତି, କାହିଁକି ?

 

ସେ ପ୍ରଶ୍ନର ଉତ୍ତର ଏ ଯାଏ ବି ମୁଁ ଖୋଜି ପାଇନି ।

 

ଅନୁଦିତା ମାଉସୀ ପ୍ରକୃତ ଉତ୍ତର ଜାଣିପାରିଥିଲେ କି ନା, ତାହା ମୋ ପାଖରେ ଅସ୍ପଷ୍ଟ-

 

କିନ୍ତୁ ସେ ଏକ ବକ୍ର ପଥରେ ଆମ ଦୁହିଁଙ୍କ ମନର ମିଳନ କରାଇ ଦେଇଥିଲେ ।

 

ଶୈବାଳିନୀ କେତେ ସମୟ ପାଇଁ ତୁନି ହୋଇଯାଇଥିଲା ।

 

ତାପରେ ମୋ ପାଟିରୁ ବାହାରିଥିଲା, ଓ୍ୟାଚ୍‌ ନ ପିନ୍ଧି କ୍ଲବକୁ ଗଲେ, ଯେଉଁ ଅପମାନ ଲାଗିବ, ସେ ବି ମୋ ହୃଦୟକୁ ସ୍ପର୍ଶ କରିବ ? ତେବେ ମୋତେ ବାଦ୍‌ ଦେଇ ସବୁବେଳେ ନିଜ କଥା ଭାବିବାରୁ ଝୁଣ୍ଟି ପଡ଼ୁଛି ସିନା !

 

ଅନୁଦିତା ମାଉସୀ କୌତୁହଳରେ ଆଉ ଟିକିଏ ସଂଯୋଗ କରି କହିଲେ, ଉଭୟେ ଉଭୟଙ୍କୁ ନୀରବରେ ପୂଜା କଲେ ଏତେ ବ୍ୟବଧାନ ମନରେ ରୁହନ୍ତା ନାହିଁ । ଏମିତି ମନଭୁଲାଣିଆ କଥାରେ ଶୈବାଳିନୀ ମୁହଁରେ ହସ ଫୁଟି ଉଠିଥିଲା ।

 

କିଛି ସମୟ ଆଲୋଚନା ନୀରବ ରହିଲା ପରେ ଶୈବାଳିନୀ ଅନୁଦିତା ମାଉସୀଙ୍କଠାରୁ ଅନୁମତି ନେଇ ଚାଲି ଯାଇଥିଲା ।

 

ଶୈବାଳିନୀର ଗନ୍ତବ୍ୟପଥକୁ ଚାହିଁ ଅନୁଦିତା ମାଉସୀ କହି ଉଠିଥିଲେ, ବାସ୍ତବିକ୍‌ ବରୀନ୍ଦ୍ର ଆମର ଏହି ନାରୀ ଜଗତକୁ ବୁଝିବା ତୁମ ପୁରୁଷମାନଙ୍କ ପାଖରେ କଷ୍ଟ । ନିଜେ ଆତ୍ମତୃପ୍ତି ଲାଭ କଲା ପର୍ଯ୍ୟନ୍ତ ନାରୀ କେବେ ପୁରୁଷକୁ ମୁକ୍ତି ଦିଏ ନାହିଁ ।

 

ଅନୁଦିତା ମାଉସୀଙ୍କ ସେହି ଉକ୍ତିଟି ବେଶ୍‌ ମୋ ମନକୁ ପାଇଥିଲା ।

 

ଏକ ଅବହେଳିତ ଆହତ ପୌରୁଷର ହୃଦୟକୁ ଯେ ସେ ବୁଝି ପାରୁଛନ୍ତି, ସେଥିଲାଗି ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲି ।

 

ତୁମ ମୋ ସମ୍ପର୍କ ଦୁନିଆରେ ସିନା କେହି ବିଶେଷ ଭାବେ ଜାଣି ନଥିଲେ, ହେଲେ ତୁମ ଅନୁଦିତା ମାଉସୀଙ୍କ ଚକ୍ଷୁ ଅନ୍ତରାଳରେ ସେ ସନ୍ଦେହ ଏ ପର୍ଯ୍ୟନ୍ତ ବି ତୀର୍ଯ୍ୟକ୍‌ଭାବେ ରେଖାପାତ କରିଥିଲା ।

 

।। ୮ ।।

 

ଶୈବାଳିନୀ ଚାଲିଯିବା ପରେ ସେ ବିସ୍ତୃତ ଭାବେ ଆମ ଅଶାନ୍ତ ମନର କାହାଣୀ ଶୁଣି ପ୍ରଶ୍ନ କରିଥିଲେ ତୁମରି କଥା ।

 

ତୁମେ ମୋ ହୃଦୟରେ ଏବେ ସୁଦ୍ଧା ପ୍ରେମର ଅବଲମ୍ବନ ହୋଇ ଅଛ, ନା ନାହିଁ ।

 

ମୁଁ ସ୍ପଷ୍ଟ ମନା କରି ଦେଇଥିଲି ।

 

ତୁମ ବିବାହର ପ୍ରକୃତ ଚିତ୍ର ଦେଇ ସଙ୍ଗେ ସଙ୍ଗେ ଛନ୍ଦା ଓ କୈଳାସର ଦାମ୍ପତ୍ୟ ଜୀବନ ସମ୍ପର୍କରେ ମୁଁ ଆମୂଳଚୁଳ ବର୍ଣ୍ଣନା କରିଥିଲି ।

 

କିଛି ଲୁଚାଇ ରଖି ନଥିଲି ! ଆରମ୍ଭରୁ ଗାପନୀୟତା ରକ୍ଷା କରିବା ଉପରେ ଶୈବାଳିନୀ ଆଘାତ ଦେଇ ଚାଲି ଯିବାରୁ ମନ ଭାଙ୍ଗିଗଲା ।

 

ତେଣୁ ଆମ ଜୀବନର ଯୌନ ବିକୃତିର ବେଳା ଉପବେଳାକୁ ବାଦ୍‌ ଦେଇ ବାକୀ ସବୁ ମୁହୂର୍ତ୍ତ ମୁଁ ଅନୁଦିତା ମାଉସୀଙ୍କ ଆଗରେ ଏକ ହୋସରେ ଗପି ଚାଲିଲି ।

 

ସ୍ତମ୍ଭୀଭୂତ ହୋଇ ଶୁଣିଥିଲେ ଅନୁଦିତା ମାଉସୀ !

 

ତୁମେ, ମୁଁ, ଛନ୍ଦା ଓ ଶୈବାଳିନୀ ସମସ୍ତଙ୍କ ଜୀବନ ଆଲେଖ୍ୟକୁ ହୃଦୟରେ ବିଶ୍ଳେଷଣ କରି ଅନୁଦିତା ମାଉସୀ ତୁମକୁ ଆଉ ଶୈବାଳିନୀକୁ ସମ୍ମାନ ଭାବରେ ଦୋଷୀ ବୋଲି ସାବ୍ୟସ୍ତ କଲେ !

 

ତାଙ୍କ ମତରେ ତୁମେ ମୋତେ ବିବାହ କରିଥିଲେ ଯେଉଁ ଦେବୀ ଆସନ ଗ୍ରହଣ କରିଥାନ୍ତି ବିଶ୍ୱନାଥକୁ ବିବାହ କରିବା ଫଳରେ ସେ ଅବସ୍ଥା ତୁମର କ୍ଷୁର୍ଣ୍ଣ ହୋଇଛି ।

 

ତୁମେ ଜୀବନକୁ ପୂଜା କରିବା ପରିବର୍ତ୍ତେ ପ୍ରତାରଣା କରି ଚାଲିଛି ।

 

ଅନ୍ତରାଳରେ ନିଜ ଚରିତ୍ରର ସଫେଇ ଦେଇ ତୁମେ ବୟସର ବ୍ୟବଧାନରେ ଅତୀତକୁ ଫାଙ୍କି ଦେଇଛ ।

 

କିନ୍ତୁ ତାଙ୍କ ବିଚାରରେ ଶୈବାଳିନୀର ଦିଗ ଭିନ୍ନ ବିଚାର ଧାରଣ କରିଛି ।

 

ସେ ମନ୍ତବ୍ୟ ଦେଇଗଲେ ଯେ ଶୈବାଳିନୀ ଯେ ମୋର ପତ୍ନୀ ବ୍ୟତୀତ ଅନ୍ୟ କାହାର ପ୍ରେମିକା ନଥିଲା, ସେ କଥାକୁ ଅସ୍ୱୀକାର କରାଯିବ କେମିତି ?

 

ମୋ ସ୍ତ୍ରୀ ବୋଲି ତାକୁ ସତୀ ସତୀ କହି ମୁଁ ପ୍ରଚାର କଲେ କିଏ ଶୁଣିବ ?

 

ନିଜ ସ୍ତ୍ରୀର ଚରିତ୍ରକୁ ସବୁ ସ୍ୱାମୀ ଘୋଡ଼ାଇ ରଖନ୍ତି । ସେଇଟା ହେଲା ସ୍ୱାମୀମାନଙ୍କର ପ୍ରକୃତି ।

 

କିନ୍ତୁ ମୁଁ ପ୍ରତିବାଦ କରି ଅନୁଦିତା ମାଉସୀଙ୍କୁ କହିଥିଲି, ଯେଉଁ ସ୍ୱାମୀମାନେ ସେମାନଙ୍କ ସ୍ତ୍ରୀ ବିଷୟରେ ନବ ଯାମିନୀର ସହବାସ କକ୍ଷରେ ଏଇପରି ବୁଝାମଣାର ସମ୍ମୁଖୀନ ହେଉଛନ୍ତି, ସେମାନେ ସେଇ ସ୍ତ୍ରୀଙ୍କୁ କ୍ଷମା କରିବା ଶ୍ରେୟ । କିନ୍ତୁ ଯେଉଁ ସ୍ତ୍ରୀ ନିଜ ଚରିତ୍ର ବିଷୟରେ ତା ସ୍ୱାମୀକୁ ଲୁଚାଇ ଲୁଚାଇ ଚାଲେ ସେ ସ୍ତ୍ରୀ କେମିତି ସ୍ୱାମୀର ବିଶ୍ୱସ୍ତ ହେବ ?

 

କେମିତି ସାଂସାରିକ ବନ୍ଧନ କକ୍ଷରେ ସେଇ ସ୍ୱାମୀ–ସ୍ତ୍ରୀ ମନ ମିଳେଇ ଚାଲି ପାରିବେ ?

 

ଅନୁଦିତା ମାଉସୀ ମଧ୍ୟ ତାଙ୍କ ସ୍ୱାମୀ କରବୀରଙ୍କ କଥା ମୋତେ କହିଥିଲେ ।

 

ଅନୁଦିତା ମାଉସୀ ଓ କରବୀର ବାବୁଙ୍କ ଜୀବନ ସମାନ୍ତରାଳ ଭାବରେ ଗତି କରିବା ମୂଳରେ ଅଛି ସେମାନଙ୍କ ଜୀବନ ଦର୍ଶନର ଭଙ୍ଗୀ ।

 

ଦାମ୍ପତ୍ୟ ଜୀବନର କୌଣସି କୋଣକୁ ଜଟିଳତା ବା ସଂକୀର୍ଣ୍ଣତ; ପ୍ରବେଶ କରିବା ପୂର୍ବରୁ ସେମାନେ ସତର୍କ ହୋଇ ଉଠନ୍ତି ।

 

ପରସ୍ପର ବୁଝାମଣାର ତାଳ ଠିକ୍‌ ରହିଥାଏ ।

 

କିନ୍ତୁ ଆମ ଭିତରେ ଜାଣି ଜାଣି ଆମେ ଜଟିଳତାକୁ ପ୍ରବେଶ କରିବାକୁ ଦେଉଛେ ।

 

ଦେଖୁନା, ସାମାନ୍ୟ ରିଷ୍ଟଓ୍ୟାଚ୍‌ଟି ରିପେୟାର ହୋଇ ଆସି ପାରି ନାହିଁ ବୋଲି, ଶୈବାଳିନୀ କେମିତି ଅଭିମାନ କରି ଚାଲି ଯାଇଥିଲା ?

 

କାହିଁକି ?

 

ସେଇ ଅଭିଜାତ ମନୋବୃତ୍ତିର ଆଙ୍ଗିକ ବିକାର ଶୈବାଳିନୀ ମନରେ ବଦ୍ଧମୂଳ ହୋଇ ରହିଛି । ଯାହାକି ପ୍ରେମ ଓ ଈର୍ଷା ଉପରେ ପ୍ରତ୍ୟେକ୍ଷ ଭାବେ କାମ କରୁଛି ।

ଅନୁଦିତା ମାଉସୀଙ୍କ ସୂକ୍ଷ୍ମ ବିଚାର ସେଇଦିନଠାରୁ ମୋ ହୃଦୟକୁ ବିଚଳିତ କରି ପକାଇଛି । ମୁଁ ସବୁ ଅଶାନ୍ତିର ଦ୍ୱନ୍ଦ୍ୱ ମଧ୍ୟରେ ଥାଇ ଭାବୁଛି, ଶୈବାଳିନୀ କଣ ଆଉ କାହାର ପ୍ରେମିକା ଥିଲା ?

ଏଇ ଉତ୍ତରର ଖିଅ ଖୋଜି ଖୋଜି ମୁଁ ପାଉନାହିଁ ।

ତୁମକୁ ଛାଡ଼ି ବିବାହ ପରଦିନଠାରୁ ମୁଁ ମନେ ମନେ ଧରି ନେଇଥିଲି ଯେ ଶୈବାଳିନୀର ମୁଁ ପ୍ରଥମ ପ୍ରେମିକ । ମୋ ପାଖରେ ତା’ ପତ୍ନୀତ୍ୱର ମହତ୍ତ୍ୱ ନିଶ୍ଚୟ ଅଛି ।

କିନ୍ତୁ ଆଜି ?

ଅନୁଦିତା ମାଉସୀଙ୍କର ଶୈବାଳିନୀ ପ୍ରତି ଦୃଷ୍ଟିଭଙ୍ଗୀର ସମ୍ୟକ୍‌ ରୂପ ପାଇ ମୋ ମୁଣ୍ଡ ଘୂରେଇ ଗଲା ।

ମଥାର ସ୍ଥିରତା ଅଫିସ୍‌ର ଫାଇଲଠାରୁ ଆରମ୍ଭ କରି କ୍ଲବ, ପାର୍କ ନିର୍ଜନତାର ଅବକାଶ ମଧ୍ୟରେ ବି ଅସ୍ଥିର ଭାବେ ଚହଲି ଉଠିଥିଲା ।

ଏ କଣ ?

ଶୈବାଳିନୀ କଣ ତୁମ ପରି ଆଉ କାହାର ପ୍ରେମିକା ଥିଲା ?

ଏଇ ପ୍ରଶ୍ନ ପଚାରିବି ପଚାରିବି ଭାବି କେତେ ରଜନୀ ବିତି ଗଲାଣି । ଦୀର୍ଘ ଚାରି ବର୍ଷ ଅନ୍ତର ହେବା ପରେ ଏ ପ୍ରଶ୍ନ ଯେ ନିଶ୍ଚୟ ଆମ ଦାମ୍ପତ୍ୟ ଜୀବନରେ ପ୍ରବେଶ କଲେ ଜଟିଳତା ସୃଷ୍ଟି କରିବ ସେ କଥା ମୁଁ ଜାଣେ । ତେବେ ମୁଁ କଣ କରିବି ? ତୁମ କଥା ପ୍ରକାଶ କରିବି ନାହିଁ, ଛନ୍ଦା କୈଳାସଙ୍କ ପ୍ରଶଂସା କରିବି ନାହିଁ, ଶୈବାଳିନୀ ଜୀବନର ଅଭେଦ୍ୟ ଦୁର୍ଗମ୍ୟ ବନ ପ୍ରାନ୍ତର ଉପରେ ଗତି କରିବି ନାହିଁ, ତା’ ହେଲେ ମଣିଷ ହୋଇ ବଞ୍ଚିବି କାହିଁକି ?

ମୋ ଜୀବନରେ ଅନ୍ୟମାନଙ୍କ ଜୀବନର ଆନୁସଙ୍ଗିକ ବିଶ୍ଳେଷଣ କରିବାରେ ସ୍ୱାଧୀନତା ନାହିଁ !

କାରଣ ମୁଁ ସ୍ୱାମୀ ହେଲେ ଓ ପତ୍ନୀ ହାତର ଖେଳନା !

ବ୍ରିଟିଶ୍‌ ଶାସନର ରାଜା ପରି ମୁଁ କେବଳ ନାଁକୁ ମାତ୍ର କ୍ଷମତାର ଅବଲମ୍ବନ !

ମୋ ସ୍ୱାମୀତ୍ୱକୁ ଜାହିର ଦେଇ ଶୈବାଳିନୀ ଯଦି ଅନ୍ୟ କିଛି କରି ପକାଏ.....

ମାନେ ମୁଁ କହୁ ନାହିଁ ଯେ ଶୈବାଳିନୀର ଯଦି କେହି ପ୍ରେମିକ ଥିଲେ, କିମ୍ବା ନୂଆ ନୂଆ ହେଉଛନ୍ତି, ଶୈବାଳିନୀ ସେମାନଙ୍କ ନିକଟରେ ନିଜ ଦୁର୍ବଳତା ପ୍ରକାଶ କରି ସ୍ଥଳିତା ହେଉ; ଫଳରେ ସନ୍ତାନକୁ ଗର୍ଭରେ ଧାରଣ କରି ମୋ ମୁଣ୍ଡରେ ଅଠା ବୋଳୁ !

 

ଶୈବାଳିନୀ ନ ହୋଇପାରେ, ଏମିତି କଣ ପତ୍ନୀ ନାହାନ୍ତି ସ୍ୱାମୀକୁ ଭଲ ନପାଇ କୌଣସି ଫଳ ଆଶାରେ ନିଜ ଚରିତ୍ରକୁ ହତ୍ୟା କରୁଛନ୍ତି ପରପୁରୁଷ ପାଖରେ !

 

ଏଇ କେଇ ଦିନର କଥା । ମନରୁ ଭୁଲି ହେଇ ନାହିଁ । ଲୀନା ତା ସ୍ୱାମୀର ଦୁର୍ବଳ ଗୁଣ ଜାଣି ସ୍ୱାମୀକୁ ଖାତିର କରେ ନାହିଁ ।

 

ସହବାସ ଶଯ୍ୟାରେ ତା ସ୍ୱାମୀ ସହିତ ଯୌନ ଚରିତ୍ରାର୍ଥ କରିବାକୁ ମୋଟେ ପସନ୍ଦ କରେ ନାହିଁ ।

 

ସ୍ୱାମୀ ସହିତ ମିଳିମିଶି ସଂସାର କରିବା ଦୃଷ୍ଟିଭଙ୍ଗୀକୁ ସେ ଘୃଣା କରେ । ବିବାହର କେଇଟା ମାସ ପରେ ଲୀନା ଯେତେବେଳେ ଗର୍ଭବତୀ ହେଲା, ତା ସ୍ୱାମୀ ତାକୁ ସନ୍ଦେହ କରିବାକୁ ଲାଗିଲେ ।

 

ଦୁର୍ବଳତାର ନିଦ ସ୍ୱାମୀଙ୍କର ଯାଇ ସେତେବେଳେ ଭାଙ୍ଗିଗଲା । ଲୀନାର ଗର୍ଭକୁ ସେ ମୋଟେ ନିଜର ବୋଲି ବିଶ୍ୱାସ କଲେ ନାହିଁ ।

 

ଲୀନାକୁ ସେ ପରିତ୍ୟାଗ କଲେ ।

 

ଲୀନା ଭାବିଥିଲା ପ୍ରେମିକର ସହବାସ ଫଳରେ ଯେଉଁ ସନ୍ତାନ ହେବ ତାକୁ ସେ ସ୍ୱାମୀ ଦେହର ସ୍ୱାକ୍ଷର ବୋଲି ଘୋଷଣା କରିବ ।

 

କିନ୍ତୁ ଏମିତି ସମୟ ଆସିଲା ତା’ ଯୋଜନା ପଣ୍ଡ ହୋଇଗଲା । ସେ ସମାଜରେ କଳଙ୍କିନୀ ଆଖ୍ୟା ବହନ କରି ଆତ୍ମହତ୍ୟା କରି ମଲା ।

 

ସମାଜରେ ପ୍ରଚାରିତ ଏଇ କୁସମ୍ବାଦ ତୁମେ ଆମେ ସମସ୍ତେ ଜାଣି ସୁଦ୍ଧା ଲୀନା ପାଇଁ କେହି ଟିକିଏ ହେଲେ ଦରଦ ପ୍ରକାଶ କରିନା । ଖାଲି ମନରେ ଉଦାହରଣ ଛଳରେ ଆଜି ପୁଣି ତୁମକୁ ମୁଁ ଜଣାଇ ଦେବାକୁ ଗଲି ।

 

ସେହିପରି ଶୈବାଳିନୀ ଏମିତି ନାରୀ ହୋଇଛି ବୋଲି ମୁଁ କହୁ ନାହିଁ । ମୁଁ କହୁଛି ଶୈବାଳିନୀର ମନ ମୋ ହୃଦୟରେ ଛାପି ଛାପି ହୋଇ ମୁହୂର୍ତ୍ତେ ଦିନେ ରହିବା ଅପେକ୍ଷା, ତୀର୍ଯ୍ୟକ୍‌ ଭାବେ ସବୁଦିନ ପାଇଁ ନରହିବ ବା କାହିଁକି ?

 

ଶୈବାଳିନୀ ଯଦି ସଭ୍ୟତାର ଉର୍ଦ୍ଧ୍ୱକୁ ଉଠିବାକୁ ଚାହୁଁଛି ତେବେ ତାକୁ ମୁଁ ହସି ହସି ସେଇ ସ୍ୱାଧୀନତା ଦେବି । ସେ ସ୍ୱାମୀର ପୂଜା ନକରୁ, ଗୃହିଣୀର ମର୍ଯ୍ୟାଦା ନରଖୁ, ସେଥିପାଇଁ ମୁଁ ଦୁଃଖ କରିବି ନାହିଁ । ଖାଲି ସେ ମୋତେ ଖୋଲାଖୋଲି ଭାବେ କହୁ ଯେ ତା’ ମନରେ ଏଇ ବ୍ୟଥା ଅସୁବିଧା ଲାଗି ରହିଛି । ତା ନ ହେଲେ ଅଯଥା ଦୋଷ ଅଭିମାନ ଆରୋପ କରି ମନର ଏକାଗ୍ରତା ଉପରେ ଶାନ୍ତିଭଙ୍ଗ କରିବାର କି ଆବଶ୍ୟକତା ଅଛି ?

 

ଛନ୍ଦା କୈଳାଶକୁ ମୁହଁ ଖୋଲି ସବୁ କହି ପାରିଛି ବୋଲି ତାଙ୍କ ମନ ଆଉ ହୃଦୟରେ କିଛି ବ୍ୟଥାର ଅନୁଭବ ନାହିଁ ।

 

ତୁମେ କହିପାର ‘ବନସ୍ତ ପୋଡ଼ିଲେ ଜାଣନ୍ତି ଜନେ, ମନ ପୋଡ଼ିଲେ କିଏ ଜାଣେ ?’

 

କିନ୍ତୁ ଏ ଯୁଗରେ ଯେତେବେଳେ ସବୁ ସମୟରେ ମନ ଆଉ ଜୀବନର ଗବେଷଣା ଚାଲିଛି, ସେଠି ମନକୁ ଜାଣି ହେବ ନାହିଁ କେମିତି ? ମନର ବନକୁ ଛିନ୍ନ ଭିନ୍ନ କରି ଆମ ଶିକ୍ଷିତ ସମାଜ ଜାଣିବା ଉଚିତ ମନରେ ଯେତେ ସବୁଜିମା, କଣ୍ଟା, ଲତାର ସମଷ୍ଟି ଗ୍ରନ୍ଥି ହୋଇ ରହିଛି, ସେଥିରୁ କଣ୍ଟାକୁ ବାଦ୍‌ଦେଲେ ତ ଆଉ କିଛି ଅସୁବିଧା ରହନ୍ତା ନାହିଁ ?ହୁଏତ ତମେ ମୋ କଥାରେ ଏକମତ ହେବ ନାହିଁ । କାରଣ ତମ ମନରେ ଅସଂଖ୍ୟ କଣ୍ଟାର ସମାହାର । ଅସଂଖ୍ୟ କର୍କଶତାର ଆତ୍ମପ୍ରକାଶକୁ ସମୟର ବର୍ଦ୍ଧିଷ୍ଣୁ କଳେବର ଭିତରେ ଚପାଇ ଦିଆ–ଯାଇଛି । ସେ ସବୁକୁ ବାହାର କରିଦେଲେ ବିଶ୍ୱନାଥ ତୁମକୁ ଅବିଶ୍ୱାସ କରିବ ।

 

କିନ୍ତୁ ମୁଁ କହୁଛି ଏମିତି ଛଳନାକୁ ଲୁଚାଇବାଟା ଆଉ କେଇଦିନ । ବନ୍ଧନର ପବିତ୍ର ରୂପକୁ ପାପର ଆବରଣ ଭିତରେ ଢାଙ୍କି ରଖିଲେ ସାରା ଜୀବନ ଛଟପଟ ହୋଇ ମରିବା ସିନା !

 

ସନ୍ଦେହ ଏ ଯୁଗର ବଡ଼ ବ୍ୟାଧି । ଏ ବ୍ୟାଧୀର ପରିପ୍ରସାର ଯେ ଅଶେଷ, ତାହା ସମସ୍ତେ ମୁକ୍ତକଣ୍ଠରେ ବିଶ୍ୱାସ କରିବେ ନାହିଁ କି ? ଅନୁଦିତା ମାଉସୀ ଆମକୁ ସେଦିନ ଯେଉଁ ସନ୍ଦେହ କରିଥିଲେ, ସେ ସନ୍ଦେହ ଏ ପର୍ଯ୍ୟନ୍ତ ବି ତାଙ୍କ ମନ ମେଦିନରୁ ଘୁଞ୍ଚି ନାହିଁ । ମୋ ଦାମ୍ପତ୍ୟ ଜୀବନର ପ୍ରତି ମୁହୂର୍ତ୍ତକୁ ଅନୁଭବ କରି ସେ ସେଇ କଥା ମଧ୍ୟ ନିର୍ଜନରେ ଆରୋପ କରିଥିଲେ । ତେଣୁ ସନ୍ଦେହର ଅଗ୍ନିରେ ଆଜିର ସ୍ୱାମୀ–ସ୍ତ୍ରୀମାନେ ଯେଭଳି ଭାବେ ଛଟ ଛଟ ହେଉଛନ୍ତି, ସେଥିରୁ ତାଙ୍କୁ ଶାନ୍ତି ଦେବାକୁ ହେଲେ ଏକମାତ୍ର ଉତ୍ତମ ଉପାୟ ହେଉଛି ଦାମ୍ପତ୍ୟ ଜୀବନର ବିଶୃଙ୍ଖଳ ଅନୁଭବକୁ ବିଶ୍ଳେଷିତ ଭାବେ ପରସ୍ପର ବୁଝିନେବା ।

 

ସେ ଦୃଷ୍ଟିରୁ ତୁମେ ଜାଣି ଜାଣି ବିଶ୍ୱନାଥ ପାଖରେ ଧରା ଦେଇ ନଥିବ । କିନ୍ତୁ ଶୈବାଳିନୀ ଜାଣିସିଆଣୀ ହୋଇ ମୋ ପାଖରେ ଧରା ଦେଉ ନାହିଁ । ମନର ପ୍ରତିକୂଳରେ ଜୀବନନୌକାକୁ ବାହି ନେଲେ, ନାଉରୀ ଓ ଯାତ୍ରୀ ସମୟର ଅତଳ ଗର୍ଭରେ ମୃତ୍ୟୁ ବରଣ କରିବେ ସିନା; ହେଲେ ମୁଁ କଣ କରିବି ସୁଖଦା ?

 

ମୁଁ ଯେ କୌଣସି ଉପାୟ ଖୋଜି ପାଉ ନାହିଁ । ପ୍ରେମିକା ଯଦି ପ୍ରେମିକର ମନ ବୁଝି ପାରିଲା, ସ୍ତ୍ରୀ କାହିଁକି ସ୍ୱାମୀର ମନ ବୁଝିପାରିବ ନାହିଁ । ପ୍ରେମିକାଠାରୁ କଣ ସ୍ତ୍ରୀ ବଡ଼ ନୁହେଁ ? ସ୍ୱାମୀ ସ୍ତ୍ରୀଠାରେ ଯେଉଁ ଅବାରିତ ରସିକତାର ପ୍ଳାବନ ଛୁଟୁଛି, ପ୍ରେମିକ ପ୍ରେମିକା ମଧ୍ୟରେ ଥିବା ଚୋରାପ୍ରୀତିଠାରୁ ତାହା କଣ ନ୍ୟୂନ ?

 

ଶୈବାଳିନୀ ମୋ ସହିତ ସହବାସ କରିଛି ।

 

ଅନେକ ରାତ୍ରିର ଅନ୍ଧକାର ମଧ୍ୟରେ ନିଜକୁ ଉଲଗ୍ନ କରି ମୋଠାରୁ ପ୍ରୀତିଭିକ୍ଷାର ଅଞ୍ଜଳି ଗ୍ରହଣ କରିଛି ? ଅତି ସ୍ୱାଧୀନ ଭାବରେ ମୋ ଅଙ୍ଗ ପ୍ରତ୍ୟେଙ୍ଗର ସମସ୍ତ ଚୋରା ଯୌବନକୁ ଲୁଣ୍ଠନ କରି ନେଇଛି ! ଅଥଚ ତା’ ମୋ ମନ ଭିତରେ କୌଣସି ପ୍ରକାର ହେଲେ ଟିକେ ସାଦୃଶ୍ୟ ରହିପାରୁ ନାହିଁ ?

 

ଶୈବାଳିନୀର ଗର୍ଭ ନଷ୍ଟ ହେବା ପରେ ଦିନେ ରାତିରେ ସେ ମୋତେ କହିଲା, ତୁମେ ଆଉ କେତେଦିନ ଧରି ପିତା ହେବାର ଗୌରବରୁ ବଞ୍ଚିତ ହେବ ? ମୁଁ ପ୍ରତ୍ୟୁତ୍ତରରେ କହିଥିଲି, କାହିଁ ତୁମେ ଜନନୀ ନହେବାର ବ୍ୟଥାରେ ମୋ ହୃଦୟ କଣ ସମଦୁଃଖୀ ନୁହଁ ? ମୁଁ ବାପା ହେବାକୁ ଯେତେ ବ୍ୟାକୁଳ ନୁହେଁ, ସେତେ ବ୍ୟାକୁଳ, ତୁମେ କେମିତି ଶୀଘ୍ର ମା ହୋଇ ପଡ଼ନ୍ତକି ? ଦୁନିଆରେ ଯଦି କଳଙ୍କ, ସତୀତ୍ୱ ବୋଲି କିଛି ଜିନିଷ ନଥାନ୍ତା ତେବେ ତୁମେ କେଉଁଦିନୁ ମା ହୋଇ ସାରନ୍ତଣି । କିନ୍ତୁ ଭଗବାନଙ୍କ ସୃଷ୍ଟିରେ ସ୍ୱାମୀର ପ୍ରତିବନ୍ଧକ ହେଉଛି ସ୍ତ୍ରୀ ପାଖରେ ସବୁ ସମସ୍ୟା । ତାକୁ ଡେଇଁ ସେ ଯିବ କେଉଁବାଟେ ?

 

ମୁଁ ଏତକ କଥା ଗୋଟାଏ ହୋସରେ କହି ଶେଷ କରିଛି କି ନାହିଁ, ଶୈବାଳିନୀର ଦେଖିବ ମୋ ଉପରେ ଯେଉଁ ରାଗ । ମୋ ଉଲଗ୍ନ ଶରୀରକୁ ଠେଲିଦେଇ କହିଲା ଯାଉନ, ତୁମକୁ ଛନ୍ଦା ଡାକୁଛି । ତା’ ସହବାସରେ ଯେଉଁ ପିଲା ହୋଇଛି, ତାଠାରୁ ବାପାର ଗୌରବ ଅର୍ଜନ କରିବ । ଏଠି ମୋ ଶରୀର ଉପରେ ନାମମାତ୍ର ଦାବୀ ରଖି ତୁମେ ପଡ଼ି ରହିଛ କାହିଁକି ?

 

ଶୈବାଳିନୀର କଥା ଶୁଣି ମୁଁ ତଟସ୍ଥ ହୋଇ ଯାଇଥିଲି । ସନ୍ଦେହ ଉପରେ ସନ୍ଦେହର ଗଦାକୁ ତା ମନରୁ ଉଚ୍ଛେଦ କଲେ ସେ ଯାଇଁ ମୋତେ ବୁଝିପାରିବ ବୋଲି ମୁଁ ଏକ ସିଦ୍ଧାନ୍ତରେ ପହଞ୍ଚିଲି ।

 

ଶୈବାଳିନୀ ବହୁ ନାରୀଙ୍କଠାରୁ ଏତେ ଉଚ୍ଚ ସ୍ତରରେ ଥାଇ ସୁଦ୍ଧା ସନ୍ଦେହର ଛାୟାରେ ନିଜକୁ ନ୍ୟୁନ କରି ଦେଉଛି । ଅଭିମାନର ରାଗିଣୀରେ ତା ଝଙ୍କୃତ ହୃଦୟ ଛନ୍ଦା ଅନୁଦିତା, ମଲ୍ଲୀ ଆଉ ସୁମିତ୍ରାଙ୍କଠାରୁ ବହୁ ତଳକୁ ଖସି ଯାଇଛି । ହାହାକାର, ବ୍ୟସ୍ତ ବିଦ୍ରୁପର ଧ୍ୱନି ମଧ୍ୟରେ ନିଜ ଜୀବନକୁ ଅଗ୍ରଗତି କରାଇବା ସଙ୍ଗେ ସଙ୍ଗେ ମୋ ମାନସିକ ବିପର୍ଯୟ ଯେ ଘଟିଛି, ତାହା ନିଃସନ୍ଦେହରେ କୁହାଯାଇପାରେ ।

 

ସନ୍ତାନଟି ବାହାର ଦୁନିଆକୁ ଆଖି ଫିଟାଇବା ପୂର୍ବରୁ ହୃଦୟ ଭିତରେ ଆଖି ବୁଜିଦେଲା ସବୁଦିନ ପାଇଁ । ସେଥିପାଇଁ ମୋର କୌଣସି ଅବହେଳା ଦାୟୀ ନୁହେଁ ବୋଲି ମୁଁ ବାରମ୍ବାର ଦୃଢ଼ଭାବେ କହିଚି ।

 

ଅନୁଦିତା ମାଉସୀଙ୍କ ଆଗରେ ଡାକ୍ତରଙ୍କ ଚିକିତ୍ସା ବିଷୟ ଉଲ୍ଲେଖ କରି ମନରେ ବିଷ ବୋଳିବା ଛଡ଼ା ଆଉ କି ଉଦ୍ଦେଶ୍ୟ ଥିଲା ଶୈବାଳିନୀର ?

 

ଛନ୍ଦାର ପିଲା ହେଲା । ତା ଗର୍ଭରେ ସେ ସନ୍ତାନ ରହିବା ପୂର୍ବରୁ ଅବଶ୍ୟ କୈଳାଶ କିଛି ନା କିଛି ଡାକ୍ତରୀ ଔଷଧରେ ଛନ୍ଦାକୁ ଚିକିତ୍ସା କରାଇଥିବ । ତା ଆୟର କ୍ଷମତା ଭିତରେ ଛନ୍ଦା ନିଶ୍ଚୟ ସେଥିରେ ସନ୍ତୁଷ୍ଟ ହୋଇଥିବ, ମୁଁ ମନା କରୁନାହିଁ । ହେଲେ ଛନ୍ଦା ଅପେକ୍ଷା ଶୈବାଳିନୀର ସ୍ୱଚ୍ଚନ୍ଦତା ଓ ସ୍ୱତନ୍ତ୍ରତା ମୋ ପାଖରେ ଯଥେଷ୍ଟ ବେଶୀ । ମୋତେ ନପଚାରି ସେ ଅନେକ ସମୟରେ କାର୍‌ ନେଇ ଯେ କୌଣସି କାମ କରି ପାରୁଛି । ସେପରି ସ୍ଥଳେ ଏତେ ବଡ଼ ଦାୟିତ୍ୱ ତୁଲାଇବା ପାଇଁ ମୋର ପରାମର୍ଶ କଣ ଦରକାର ହେଉଥିଲା ?

 

ଶୈବାଳିନୀ ଜାଣିଶୁଣି ଜନନୀ ହେବାର ଉଦୟକୁ ଅସ୍ତ କରି ଦେଇଛି । ସେଥିନେଇ ମୋତେ ଦୋଷ ଦେଲେ ସେ ନିଜେ ହାରିଯିବ ।

 

ତେବେ ଦୁଃଖ ଲାଗୁଛି ଏଇଥିପାଇଁ ଯେ ସେ ସବୁବେଳେ ଛନ୍ଦା ସହିତ ମୋତେ ଅଭିଯୁକ୍ତ କରି ଏକ ଅଶାନ୍ତ ବାୟୁମଣ୍ଡଳ ତିଆରି କରିଛି ।

 

ସେ ଯଦି ନିଜ ତରଫରୁ ମୋତେ ଛାଡ଼ପତ୍ର ଦେଇ ଦୂରେଇ ରୁହନ୍ତା, ସେଥିପାଇଁ ମୁଁ ମୋଟେ ଦୁଃଖ କରନ୍ତି ନାହିଁ !

 

ଟିକେହେଲେ ଶାନ୍ତିରେ ନିଃଶ୍ୱାସ ମାରି ପାରିନ୍ତି ତ !

 

ଏତେ ପାଠ ଶାଠ ପଢ଼ି ସରକାରଙ୍କର ବଡ଼ କର୍ମଚାରୀ ହୋଇ ମୋ ଦଶାରେ ଏମିତି ଘଟିବ ବୋଲି ମୁଁ କଳ୍ପନା ସୁଦ୍ଧା କରୁ ନଥିଲି ।

 

ମୁଁ କ୍ଷତ ।

 

ଆହତ ବ୍ୟକ୍ତିତ୍ୱ ଭିତରେ ମୋର ଯେଉଁ ଶରୀରଟା ଅଛି, ତାହା ଶୁତ୍ରକ୍ଷୟର ଜ୍ୱାଳାରେ ନିପୀଡ଼ିତ । ତୁମ ଶରୀରର ଯୌନାବର୍ତ୍ତ ମଧ୍ୟରେ ଯେତେ ଶୃଙ୍ଗାରର ବିଳାସ ମୁଁ ସୃଷ୍ଟି କରିଥିଲି, ଏ କଣ ତାର ପରିଣତି ?

 

ଅର୍ଥନୈତିକ ସ୍ୱଚ୍ଛଳତା ଭିତରେ ଖାଇ ପିଇ ମୁଁ ବେଶ୍‌ ସୁସ୍ଥ ସବଳ ଦେଖାଯାଇ ପାରନ୍ତି-। କିନ୍ତୁ କାହିଁକି ଆଜି ମୁଁ ରୁଗ୍‌ଣକାୟ ?

 

ଡାକ୍ତର କହୁଛନ୍ତି ମୋଠାରେ କିଛି ରୋଗ ନାହିଁ । ମୋ ଝାଡ଼ା, ମୂତ୍ର ଓ ରକ୍ତ ପରୀକ୍ଷା କରି ସେ ରିପୋର୍ଟ ଦେଲେ ଯେ ମୁଁ ସୁସ୍ଥ ।

 

କିନ୍ତୁ ମୁଁ ଯେ ମାନସିକ ଅସୁସ୍ଥତା ଦାଉରୁ ଏତେ ରୁଗ୍‌ଣ ସେ କଣ ତାହା ବୁଝିପାରିଲେ-?

 

ସେ ଡାକ୍ତର ମୋର ସାଙ୍ଗ । ମୋ ଦେହରେ ଗୋପନ ଅଗୋପନ ଯେତେ ରହସ୍ୟ ଅଛି ସବୁ ତାଙ୍କୁ ଜଣା । ଆଉ ତା ଦେହର କୌଣସି ଜିନିଷ ମୋଠାରେ ଗୁପ୍ତ ନାହିଁ । ହେଲେ ସେ ମୋତେ ପରୀକ୍ଷା କଲାବେଳେ ମୁଁ ତାକୁ ଥଟ୍ଟାରେ କହିଥିଲି, ତୁ ମୋର ସବୁ ପରୀକ୍ଷା କଲୁ ସହଦେବ, କିନ୍ତୁ ସେଇ ଗୋଟିଏ ଜିନିଷ ଛାଡ଼ିଗଲୁ ।

 

କଣ ?

 

ଶୁକ୍ରକ୍ଷୟ ।

 

ଯାହାକି ଏ ଯୁଗର ଆଉ ଏକ ସଂକ୍ରାମକ ଓ ତରଳ ବ୍ୟାଧି । ସେ ଜିନିଷ ପରୀକ୍ଷା କରିଥିଲେ ମୁଁ ସିନା ନିଶ୍ଚିନ୍ତ ହୋଇଥାନ୍ତି ଯେ ମୁଁ ସେଇଲାଗି ରୁଗ୍‌ଣ । ଯେତେ ଭଲ ଖାଇପିଇ ପାରିଲେ ମଧ୍ୟ ସେଇ ଗୋଟିଏ ଦୋଷ ମୋ ଶରୀରକୁ କ୍ଷୁର୍ଣ୍ଣ କରିଛି ।

 

ସେ ହସି ଦେଇଥିଲା ।

 

ମୋତେ ଠେଲି ଦେଇ କହିଥିଲା, ଯାଉନୁ ସ୍ତ୍ରୀଠାରେ ସେ ଜିନିଷର ତଉଲ କରିବୁ ।

 

ଉତ୍ତେଜିତ ମନଟା ମୋର ଶିଥିଳ ହୋଇ ଆସିଲା । ହଠାତ୍‌ ମୁହଁ ଖୋଲି କହିଦେଲି, ସ୍ତ୍ରୀଠାରେ ଯଦି ମୋର ଏତେ ବୋଧଗମ୍ୟ ନିର୍ଭର ରହିଥାନ୍ତା, ତାହେଲେ ମୁଁ କେତେ ଖୁସି ହୁଅନ୍ତି ନାହିଁ କହିଲୁ ? ସେ ତ ଆଉ ତୁମ କଥା କହି ପାରିବ ନାହିଁ । କାରଣ ତୁମ ମୋ ସମ୍ବନ୍ଧ କେବଳ ମଙ୍ଗୁ ଛଡ଼ା କେହି ଜାଣନ୍ତି ନାହିଁ ।

 

ତେଣୁ ସେ ଚୁପ୍‌ ରହିଥିଲା ।

 

ପରେ ପରେ ମୁଁ ଭାବିଲି ଆଚ୍ଛା, ମୋ ନିଜ ପାଇଁ ଯେତେବେଳେ ବେଶି ଅନୁକୂଳ ମତ ବ୍ୟବସ୍ଥା କରିବାରେ ଶୈବାଳିନୀ ଚକ୍ଷୁଶୀଳ ହୋଇ ଉଠୁଛି । ସେତେବେଳେ ମୋ ଦେହ, ମନକଥା ଛାଡ଼ ।

 

ଶୈବାଳିନୀକୁ ଡାକ୍ତର ବନ୍ଧୁଙ୍କୁ ଦେଖାଇବି ।

 

କିନ୍ତୁ ସେ ବି ତ ଋଗ୍‌ଣା ନୁହେଁ । ସେ ମୋଠାରୁ ଆହୁରି ସୁସ୍ଥ ସବଳା ।

 

ଚାକର ପୁଝାରୀଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କରି ସେ ଖାଇବା ପିଇବାରେ ଦିନେହେଲେ ଅବହେଳା କରି ନାହିଁ । ତା’ ଠାରେ କେବଳ ଅବହେଳା ଦେଖାଯାଇଛି ମନର । ଜାଣି ଜାଣି ମନକୁ ଅବହେଳା କରି ସେ ଯେ ମୋ ତରଫରୁ ମଜ୍ଜା ଦେଖିୁବାକୁ ଚାହୁଛି ନା କଣ ?

 

ମୁଁ କିଛି ବୁଝି ପାରୁନାହିଁ ସୁଖଦା । କାହିଁକି ଏ ଦୁନିଆ । କାହିଁକି ଏ ମଣିଷ, ତା ଭିତରେ ଏତେ ଗହୀରରେ କାହିଁକି ଏ ମନର ସୃଷ୍ଟି । ଈଶ୍ୱର କଣ ଠିକ୍‌ ଭାବେ ଏ ସବୁର ଯୋଜନା କରିଛନ୍ତି, ନା କେବଳ ମଣିଷକୁ ବିଭ୍ରାନ୍ତ କରିବା ପାଇଁ ଏଠି ସେଠି ସବୁଠି ଲାଗିଛି ମନର ଖେଳ ।

 

ମୋତେ ସବୁ ଆବାକ୍‌ ଲାଗୁଛି ।

 

ଶୈବାଳିନୀ

 

କ’ଣ ।

 

ତୁମେ ଆଉ ସେମାନେ ନୁହେଁ ? ବାରମ୍ବାର ସେଇ କଥା ଭାବି, ଆଲୋଚନା କରି ମୁଁ ଚାହିଁଛି ଶୈବାଳିନୀକୁ ସନ୍ତୁଷ୍ଟ କରିବାକୁ; କିନ୍ତୁ ସେ ମୋତେ ଅବିଶ୍ୱାସ କରିଛି ।

 

ମୋ ଅବ୍ୟକ୍ତ ଚନ୍ଦ୍ରକୁ ରାହୁଗ୍ରସ୍ତ କରାଇ ମୋ ମାନସ କକ୍ଷରେ ବହୁ ସନ୍ଦେହର ଝଞ୍ଜା ସୃଷ୍ଟି କରିଛି । ଶୈବାଳିନୀର ଶରୀରକୁ ବାଦ୍‌ ଦେଲେ ସେ କିଏ ମୁଁ ତାକୁ ଚିହ୍ନିବା ମଧ୍ୟ ମୁସ୍କୁଲି ହୋଇ ଉଠୁଛି । ତୁମେ ମୋତେ ପ୍ରେମ କରି ବିଶ୍ୱନାଥକୁ ବିବାହ କରିବାରେ ସୁଖୀ ନଥାଇପାର; କିନ୍ତୁ ସେ ଅନ୍ତତଃ ସୁଖୀ ଥିବ । ସେ ତୁମ ଅତୀତର ଅନ୍ଧକାର ମଧ୍ୟରେ ଝୁଣ୍ଟି ନ ପଡ଼ି ଭବିଷ୍ୟତର ଆଲୋକ ପାଇଁ ସଜାଗ ଥିବ; କିନ୍ତୁ ମୁଁ ହାହାକାର ଅଗ୍ନିରେ ଦଗ୍‌ଧ ।

 

ପଛକୁ ଫେରି ପାରୁନାହିଁ କି ଆଗକୁ ମାଡ଼ି ପାରୁ ନାହିଁ । ଅନାସକ୍ତ ଜୀବନ ଧାରଣ କରିବାକୁ ମନ ଥିଲେ ସୁଦ୍ଧା ଆସକ୍ତ ଆବର୍ତ୍ତନ ମଧ୍ୟରୁ ଉଦ୍ଧାର ପାଇବାକୁ ମୋର ବାଟ ନାହିଁ ।

 

ମୁଁ ବୋଧହୁଏ ମରି ମରି ମରିଗଲି ।

 

ବଞ୍ଚି ବଞ୍ଚି ମରି ପାରିଲି ନାହିଁ ।

 

ମୋତେ କେହି ନବୁଝି ପାରିଲାବେଳେ ମୁଁ ବା ବଞ୍ଚି ଲାଭ କଣ ?

 

ସେଦିନ ମୁଁ ବହୁ ମନସ୍ତାପରେ ଥାଏ ।

 

ଛନ୍ଦା ରେକ୍‌ସାରୁ ଓହ୍ଳାଇ ମୋ ପାଖକୁ ଆସିଲା ।

 

ପ୍ରଥମେ ସେ ମୋତେ ନ ଖୋଜି ଶୈବାଳିନୀକୁ ଖୋଜିଲା ।

 

ଶୈବାଳିନୀ ଘରେ ନଥିଲା ।

 

ସେ ମୋର ଜଣେ ବନ୍ଧୁ ଘରକୁ ବୁଲି ଯାଇଥିଲା ।

 

ଛନ୍ଦା ନିରାଶ ହୋଇ ମୋ ପାଖକୁ ଆସିଲା । ସେ ଯେମିତି ହଠାତ୍‌ କଣ କହିବ ବୋଲି ଇଚ୍ଛା କରୁଥିବାବେଳେ ମୁଁ ପଚାରିଲି କଣ ଜରୁରୀ କାମ ଥିଲା ଶୈବାଳିନୀ ପାଖରେ ?

 

ଛନ୍ଦା କିଛି ସମୟ ନୀରବ ରହିଥିଲା ।

 

ତା’ ନୀରବତା ମୋତେ ବ୍ୟଗ୍ର କରି ପକାଇଲା । ଛନ୍ଦା ନିଶ୍ଚୟ କୌଣସି ଆବଶ୍ୟକୀୟ ମନରେ ଧାଇଁ ଆସିଛି ।

 

କିଛି ଟଙ୍କା ଧାର ନେବା ଆଶାରେ ସେ ଶୈବାଳିନୀକୁ ଖୋଜୁଛି । ତାର ଶାଶୁ ଦେହ ଭାରି ଖରାପ । କୈଳାଶ ହାତରେ ଗୋଟାଏ ପଇସା ନାହିଁ । ଟଙ୍କା ହେଲେ ଔଷଧପତ୍ର କିଣି ସେ ଗାଁକୁ ଯିବ ।

 

ଛନ୍ଦାର ସଂସାର ପ୍ରତି ଥିବା ଅନୁରକ୍ତି ଭିତରେ ମୋ ମନ ଆର୍ତ୍ତଚିତ୍କାର କରି ଉଠିଲା ।

 

ତା ମୁହଁକୁ ଚାହିଁ ମୁଁ କଣ କହିବି କିଛି ଭାବି ପାରିଲି ନାହିଁ ।

 

ଦୁଆର ମୁହଁରେ ଅପରାଧୀ ଶିଶୁଟି ଭଳି ଛନ୍ଦା ତା’ ପୁଅକୁ କୋଳରେ ଧରି ଠିଆ ହୋଇଥିଲା ।

 

ତାକୁ ଟଙ୍କା ନଦେଇ ଫେରାଇ ଦେବାଟା ଠିକ୍ ହେବ ନାହିଁ !

 

ସଂସାର ମଧ୍ୟରେ କାହାକୁ ଟଙ୍କା ମାଗିଲେ ସମୀଚୀନ ହେବ ଓ ସନ୍ଦେହର ପ୍ରଶ୍ନ ରହିବ ସେ କଥା ଛନ୍ଦା ଜାଣେ । ସେଥିଲାଗି ସେ ଶୈବାଳିନୀ ନିକଟରେ ହାତ ପାତିବାକୁ ଚାଲି ଆସିଛି ।

 

ମୋତେ ମୁକ୍ତ କଣ୍ଠରେ ନକହିଲେ ସୁଦ୍ଧା ଫେରାଇ ଦେଲେ କେମିତି ହେବ ?

 

ମୋ ପାଖରେ ଟଙ୍କା ନାହିଁ, ମୁଁ ଜାଣେ । ପ୍ରୋଭିଡେଷ୍ଟ ଫଣ୍ଡ, ଲାଇଫ୍‌ ଇନ୍‌ସୁରାନସ୍‌ ଲାଗୀ କଟି ବାକୀ ଯାହା ଦରମା ହାତକୁ ଆସେ, ସେ ସବୁକୁ ମୁଁ ଜାଣି ଜାଣି ଶୈବାଳିନୀ ହାତରେ ଦିଏ । ତା ନହେଲେ ଶୈବାଳିନୀ ମୋତେ ଆଉ ଏକ ପ୍ରକାର ସନ୍ଦେହ କରିଥାନ୍ତା ।

 

କିନ୍ତୁ ମୁଁ ଏ କ୍ଷେତ୍ରର କଣ କରିବି କିଛି ଭାବି ପାରିଲି ନାହିଁ ।

 

ବିମର୍ଷମନା ଛନ୍ଦାକୁ ସନ୍ତୁଷ୍ଟ କରିବାକୁ ଗଲେ ଶୈବାଳିନୀର ସନ୍ଦେହ ଆହୁରି ବଢ଼ିଯିବ ।

 

ପୁଣି ଛନ୍ଦାକୁ ସହାନୁଭୂତି ନ ଦେଖେଇଲେ ତାର ଧାରଣା ମୋ ପ୍ରତି ଖରାପ ହେବ ।

 

କୈଳାସକୁ ମଧ୍ୟ ଅପମାନ ଲାଗିବ ।

 

ତେଣୁ ଛନ୍ଦାକୁ ମୁଁ ଅପେକ୍ଷା କରିବାକୁ କହିଲି !

 

ସେ ମୋ ରୁମରେ ବସିଲା ।

 

ଏକ ନୀରବତା ଅବଲମ୍ବନ କରି ଖାଲି ବସି ରହିବା ଅପେକ୍ଷା ସେ ଆରମ୍ଭ କଲା କୌଣସି କଥା ।

 

ଓଡ଼ିଶାରେ ବିଶିଷ୍ଟ ଶିଳ୍ପୀ ଚିତ୍ରଧ୍ୱଜଙ୍କୁ ମର୍ଡର କରି ଦିଆଯାଇଛି ।

 

ଚମକି ପଡ଼ିଲି ମୁଁ ।

 

କାହିଁକି ?

 

ଏଇ ଦୁଇ ତିନି ଦିନ ତଳେ ସେ ଆସି ସରକାରୀ ରାଜକୋଷରୁ ଏକ ଲକ୍ଷ ଟଙ୍କା କରଜ ନେଇ ଯାଇଥିଲା । ଓଡ଼ିଶାରେ ସର୍ବପ୍ରଥମ ଆଧୁନିକ ଧରଣର ଶିଳ୍ପ କାରଖାନା କରିବ ବୋଲି ।

 

ମୋ ମନରେ ବିସ୍ମୟ ବଢ଼ିଲା ।

 

ଶିଳ୍ପୀ ଚିତ୍ରଧ୍ୱଜଙ୍କୁ ଏଇ କେଇ ଘଣ୍ଟା ତଳେ ମର୍ଡର କରି ଦିଆଗଲା କାହିଁକି ?

 

ଏକ ଅସମ୍ଭବ କୌତୁହଳୀ ମଧ୍ୟରେ ମୁଁ ଶୁଣିଲି ଚିତ୍ରଧ୍ୱଜଙ୍କ ମୃତ୍ୟୁ ରହସ୍ୟ ।

 

କଲିକତାର ତିନିଜଣ ସୁନ୍ଦରୀ ଅଭିନେତ୍ରୀଙ୍କୁ ଶିଳ୍ପ କାରଖାନାର ମଡେଲ ତିଆରି ନିମନ୍ତେ ଚିତ୍ରଧ୍ୱଜ ସାଙ୍ଗରେ ନେଇ ଆସିଥିଲେ ।

 

ସେଇ ମଡେଲ ଶେଷ ହେଲେ ପୁରାତନ ଓ ଆଧୁନିକ ସମସ୍ତ ଶିଳ୍ପ ତିଆରିର ବାଟ ଫିଟିଯିବ ।

 

ଏକ ଲକ୍ଷ ଟଙ୍କାରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟମାନ କିଣିବାକୁ ଚାହିଁଲେ ଚିତ୍ରଧ୍ୱଜ ।

 

ସର୍ବାଧ୍ୱନିକ ମୂର୍ତ୍ତି ଶିଳ୍ପ କାରଖାନା ଓଡ଼ିଶାରେ ହେଉଛି ଜାଣି ବିଦେଶୀ ସରକାରୀ ବେସରକାରୀ କାରିଗରୀ ସଂସ୍ଥା ତରଫରୁ ଅଜସ୍ର ପ୍ରଶଂସାପତ୍ର ଆସ ଅଜାଡ଼ି ହୋଇ ପଡ଼ିଲା ଚିତ୍ରଧ୍ୱଜଙ୍କ ପାଖରେ । କେହି କେହି ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଲେ ।

 

ଚିତ୍ରଧ୍ୱଜ ଆନନ୍ଦରେ ଗଦ୍‌ଗଦ ହୋଇ ପଡ଼ିଲେ ।

 

ସେ ଯେମିତି କେଇଟା ଦିନ ପରେ ମର୍ତ୍ତ୍ୟର ଆଉ ଏକ ବିଶ୍ୱକର୍ମା ହୋଇ ଉଠିବେ ।

 

ଚିତ୍ରଧ୍ୱଜର ସହକର୍ମୀ ଶିଳ୍ପୀମାନେ ତାହା ଦେଖି ଈର୍ଷାନ୍ୱିତ ହେଲେ ସୋମନଙ୍କର ବ୍ୟବସାୟରେ ଆଞ୍ଚ ଆସିବ ଅନୁମାନ କରି ସେମାନେ ଏକତ୍ର ଚିତ୍ରଧ୍ୱଜଙ୍କର ଅନିଷ୍ଟ ସାଧନ କରିବାକୁ ବସିଲେ ।

 

ସେମାନଙ୍କ ବିଦ୍ରୋହର କର୍ଣ୍ଣଧାର ହେଲେ ବିଦେଶରୁ ସଦ୍ୟ ଫେରିଥିବା କୁମାର ଚୌଧୁରୀ ।

 

କୁମାର ଚୌଧୁରୀ ଶିଳ୍ପ ଇଂଞ୍ଜିନିୟରିଙ୍ଗରେ ଡକ୍ଟରେଟ୍‌ ପାଇ ଫେରି ଆସିବା ସମୟରେ ବହୁ ଆଶା ପୋଷଣ କରିଥିଲେ ଯେ ସରକାର ତାଙ୍କୁ ପ୍ରାଇଭେଟ୍‌ କାରଖାନା ତିଆରି କରିବାକୁ ନିଶ୍ଚୟ ସାହାଯ୍ୟ କରିବେ; କିନ୍ତୁ ସେ ଯେ ଚିତ୍ରଧ୍ୱଜଙ୍କ ଦକ୍ଷତା ଓ ଅନୁଭୂତିଠାରୁ କୌଣସି ଗୁଣରେ ଶ୍ରେଷ୍ଠ ନୁହଁନ୍ତି ତାହା ସରକାର ଅନୁଭବ କରି ତାଙ୍କୁ ନିରାଶା କରିଥିଲେ ।

 

ଚତିତ୍ରଧ୍ୱଜଙ୍କ ଶିକ୍ଷାଗତ ଗୁଣ କୁମାର ଚୌଧୁରୀଙ୍କଠାରୁ କମ୍‌ ।

 

କୁମାର ଚୌଧୁରୀ ରାଗ ଓ ହିଂସାରେ ଜଳିଗଲେ । ତାଙ୍କ ଆଖି ଆଗରେ ନର୍ତ୍ତନ ସୃଷ୍ଟି କଲେ କଲିକତାରୁ ମଡେଲ ହେବା ପାଇଁ ଆସିଥିବା ସେଇ ତିନି ଜଣ ସୁନ୍ଦରୀ ତରୁଣୀ । ତେଣୁ ସେ ଚିତ୍ରଧ୍ୱଜଙ୍କ ଅଲକ୍ଷ୍ୟରେ ସେଇ ତିନି ଜଣଙ୍କୁ ଗୋଟି ଗୋଟି କରି ହାତ କରି ନେଲେ । ପରସ୍ପରଙ୍କୁ ପରସ୍ପରଠାରୁ ଅଲଗା ରଖି ଏପରି ଉପଭୋଗ କରି ପାରିଲେ । ଯେ ସେମାନେ ଜାଣି ପାରିଲେ ନାହିଁ କୁମାର ଚୌଧୁରୀଙ୍କ ମନୋଭାବ ।

 

କୁମାର ଚୌଧୁରୀ ସୁରା ଆଉ ସାକୀରେ ବୁଡ଼ି ରହି ବଢ଼ାଇ ଦେଲେ ଜଣଙ୍କ ହାତକୁ ଖଣ୍ଡେ ଛୋଟ ରିଭଲ୍‌ଭର୍‌ । ଆଉ ଜଣଙ୍କ ହାତକୁ ବିଷ । ତୃତୀୟ ଜଣଙ୍କ ହସ୍ତରେ ଦେଲେ ମୋହ କରିବାର ଔଷଧ । ଜଣ ଜଣଙ୍କୁ ଭିନ୍ନ ଭିନ୍ନ ସମୟରେ ନିର୍ଦ୍ଦେଶ ଦେଲେ ତାଙ୍କୁ ଆକ୍ରମଣ କରିବା ପାଇଁ ।

 

ତୃତୀୟ ତରୁଣୀ ଜଣକୁ ପ୍ରଥମେ ଚିତ୍ରଧ୍ୱଜଙ୍କ ପାଖରେ ପ୍ରେମ–ପ୍ରଣୟ ସୃଷ୍ଟି କରି ମୋହ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କୁମାର ସାହେବ ।

 

ତାପରେ ଦ୍ୱିତୀୟ ତରୁଣୀ ଯାଇ ସୁଷମ ଖାଦ୍ୟପେୟ ତଥା ସୁରା ସହିତ ବିଷ ମିଶାଇ ପାନ କରିବାକୁ ଦେଇଥିଲା ।

 

ଆଉ ପ୍ରଥମ ଜଣଙ୍କ ରିଭଲ୍‌ଭର୍‌ ମାରିବାର ପ୍ରଶ୍ନ ଉଠିଲା ନାହିଁ ।

 

ଚିତ୍ରଧ୍ୱଜଙ୍କ ଜୀବନର ଅବସାନ ସେଇଠି ଘଟିଲା । କିନ୍ତୁ ଏ ହତ୍ୟା ରହସ୍ୟ ଗୋପନ ରହି ପାରିଲା ନାହିଁ ।

 

ତାହା ସେଇଠି ଉଦ୍‌ଘାଟିତ ହୋଇ ବର୍ତ୍ତମାନ ରେଡ଼ିଓରେ ପ୍ରଚାର ହୋଇଗଲାଣି ।

 

ମୁଁ ତ ରେଡ଼ିଓରୁ ଏ ବିଷୟ ଶୁଣି ପାରିଲି ନାହିଁ, ଛନ୍ଦାଠାରୁ ଶୁଣୁଥିଲି ଏକ ଡିଟେକ୍‌ଟିଭ୍‌ ଗଳ୍ପ ଶୁଣିବା ପରି । ବିଶ୍ୱାସ ହେଉ ନଥିଲେ ବି ବିଶ୍ୱାସ ହେଲା ।

 

ଏ ଦେଶରେ ମର୍ଡର କିଛି ନୂଆ କଥା ହୋଇ ଆଉ ନାହିଁ । ଗାନ୍ଧିଜୀଙ୍କୁ ହତ୍ୟା କରି ଏ ଦେଶ ଯେତେ ବିକଳାଙ୍ଗ ବିମୂର୍ତ୍ତ ହୋଇ ପଡ଼ିଛି, ଚିତ୍ରଧ୍ୱଜଙ୍କ ପରି ଶହ ଶହ ଶିଳ୍ପକାରଙ୍କୁ ହତ୍ୟା କଲେ ଏ ଦେଶ ପାପର ପ୍ରାୟଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ, ତାହା ମନେ ମନେ ଚିନ୍ତା କରି ମୁଁ ହସୁଥିଲି ।

 

ଛନ୍ଦା କହିଲା, ଚିତ୍ରଧ୍ୱଜଙ୍କ ଅକାଳ ମୃତ୍ୟୁରେ ତୁମେ ହସୁଛ ? ମୁଁ ପାଗଳଙ୍କ ପରି ହସି ହସି କହିଲି ଏ ଅକାଳ ଯୁଗରେ ଚିତ୍ରଧ୍ୱଜଙ୍କ ଅକାଳ ମୃତ୍ୟୁ ହେବା ବାଞ୍ଛନୀୟ, ତା ନହେଲେ ଖୁଦୀରାମ ପରି ଏଇ କୁମାର ଚୌଧୁରୀଙ୍କ ପାପର ହିସାବ ନିକାଶ କରି ହେବ କେମିତି ?

 

ଚିତ୍ରଧ୍ୱଜଙ୍କ ବିକ୍ଷୁବ୍ଧ ଆତ୍ମା କୁମାର ସାହେବଙ୍କୁ ହାତଠାରି ଡାକୁଥିଲା ଫାଶୀ ଖୁଣ୍ଟ ନିକଟକୁ ।

 

ମୋ ପାଟିରୁ ଏତକ କଥା ସରିଛି କି ନାହିଁ, ଶୈବାଳିନୀ ଘର ଭିତରକୁ ପଶି ଆସି କ୍ରୋଧରେ ଆରକ୍ତ ହୋଇ କହି ପକାଇଲା, ନା ନା, କୁମାର ଚୌଧୁରୀଙ୍କୁ କୌଣସି ଆଇନ୍‌ ନାହିଁ ଫାଶୀ ଖୁଣ୍ଟରେ ଝୁଲାଇବାକୁ । ସେ ନିର୍ଦ୍ଦୋଷ, ସେ ଖୁନୀ ନୁହନ୍ତି । ଚିତ୍ରଧ୍ୱଜ ନିଜେ ଆତ୍ମହତ୍ୟା କରିଛି । ତା ଛଡ଼ା ବଞ୍ଚି ରହିବାର ମୂଲ୍ୟ ତା ପାଖରେ କିଛି ନଥିଲା ।

 

ମୁଁ ହସିଲି ।

 

ଶୈବାଳିନୀର ପ୍ରଳାପ ଶୁଣି ଛନ୍ଦା କହିଲା, ତୁମେ ସମ୍ପୂର୍ଣ୍ଣ ହତ୍ୟା ରହସ୍ୟ ଶୁଣିଛ ଭଉଣୀ-?

 

ଶୈବାଳିନୀ ଜୋରରେ ହଁ ମାରି ଆର ଘରକୁ ଚାଲିଗଲା । ଛନ୍ଦା ଓ ମୁଁ ଉଭୟ ତଟସ୍ଥ ହୋଇ ରହିଲୁ ।

 

ଶୈବାଳିନୀ ଜଣେ ଅଜଣା ଆତତାୟୀ ଲାଗି ଏତେ ବ୍ୟସ୍ତ କାହିଁକି ? ଛନ୍ଦା ମୁହଁକୁ ମୁଁ ଚାହିଁଲି ।

 

ଟଙ୍କା ଧାର ପାଇଁ ଆସି ସେ ବିଚରା କେତେ ସମୟ ଅପେକ୍ଷା କରି ରହିଛି ।

 

ଆଜି ରାତିରେ ଟଙ୍କା ନେଲେ କାଲି ରବିବାର ସକାଳୁ କୈଳାସ ଗାଁକୁ ଯିବ ।

 

ତା’ ବୁଢ଼ୀମାର ଜୀବନ ଯେ ତା’ ପକ୍ଷରେ ମହାନ୍‌ । କେତେ କଷ୍ଟ କରି ସେ କୈଳାସକୁ ମଣିଷ କରିଛି । ତା ଦେହ ଖରାପ ଥିବା ସମୟରେ ସେ ଚୁପ୍‌ ହୋଇ ସହରରେ ରହିଲେ କେଡ଼େ ଅଶୋଭନୀୟ ନହେବ ?

 

ଛନ୍ଦା ମଧ୍ୟ ବ୍ୟସ୍ତ ହେଉଥିଲା ।

 

ମୁଁ ଏକ ଗୁଇନ୍ଦା ରହସ୍ୟ ଭେଦର ପ୍ଳଟ ଶୁଣିବା ପରେ ଶୈବାଳିନୀ ନିକଟରେ ଛନ୍ଦାର ସମସ୍ୟା ଆରୋପ କରିବାରେ ଯେମିତି ଅପ୍ରତିଭ ହୋଇ ଉଠୁଥିଲି । ଯାହାହେଉ ଆର ଘରେ ଶୈବାଳିନୀ ପାଖରେ ଯାଇ ଛନ୍ଦା କଥା କହିଲି ।

 

ଶୈବାଳିନୀ ମୁହଁ ମାଡ଼ି ଶଯ୍ୟାରେ ପଡ଼ିଥିଲା ।

 

ଛନ୍ଦାର ଟଙ୍କା ଦରକାର ଶୁଣି ସେ ରାଗରେ ଫଁ ଫଁ ହୋଇ କହିଲା, ନା, ଟଙ୍କା ଛନ୍ଦାକୁ ଧାର ଦିଆଯାଇ ପାରିବ ନାହିଁ । ଟଙ୍କାର ବହୁତ ଆବଶ୍ୟକତା ତାର ଅଛି । ଯାହାପାଇଁ ତା’ ହୃଦୟ କାନ୍ଦୁଛି ସେ ତାକୁ ଟଙ୍କା ଦେଇ ପାରେ; କିନ୍ତୁ ଛନ୍ଦାକୁ ନୁହେଁ । ଛନ୍ଦା ତା’ ଘରର ଶାନ୍ତି ନଷ୍ଟ କରି ଦେଇଛି !

 

ସେ ଏଠୁ ଚାଲିଯାଉ ।

 

ବିବାହ ପରେ ସ୍ତ୍ରୀର ଏକମାତ୍ର ଅଧୀକୃତ ହେଉଛି ସ୍ୱାମୀ । ପ୍ରେମିକା ନୁହେଁ ।

 

ବାହାରେ ଠିଆ ହୋଇ ଛନ୍ଦା ଶୁଣୁଥିଲା ।

 

ମୁହଁରେ ବିଷର୍ଣ୍ଣତା ସାଙ୍ଗକୁ ପାଦ ତଳୁ କମ୍ପନ ଅନୁଭବ କରୁଥିଲା ସେ ।

 

ଆଉ ମୁହୂର୍ତ୍ତେ ମାତ୍ର ଅପେକ୍ଷା ନକରି ଆମ ଦୁହିଁଙ୍କ ଅଲକ୍ଷ୍ୟରେ ସେ ନିରାଶା ହୋଇ ଫେରି ଚାଲିଗଲା । ମୁଁ ବାହାରକୁ ଚାଲି ଆସିଲି ।

 

।। ୧୦ ।।

 

ଚିତ୍ରଧ୍ୱଜ ମର୍ଡର କେଶର ଶୁଣାଣି ଆଜି ।

 

କୋର୍ଟକୁ ବହୁଲୋକ ଚାଲିଛନ୍ତି । ସେଇ ତିନି ଜଣ ତରୁଣୀଙ୍କୁ ଦେଖିବା ପାଇଁ ବିଶେଷ ଆଗ୍ରହର ସହିତ ସମସ୍ତେ ଧାଇଁଛନ୍ତି କୋର୍ଟକୁ ।

 

ଶୈବାଳିନୀ ଉଦ୍‌ବିଘ୍ନା ।

 

ସେ ମଧ୍ୟ କୋର୍ଟକୁ ଯିବ ବୋଲି ଜିଦ୍‌ ଧରିଛି ।

 

ମୁଁ ତାର ଉତ୍କଣ୍ଠା ଅନୁଭବ କରି ପଚାରିଲି । କୁମାର ଚୌଧୁରୀ କଣ ତୁମର କେହି ଆତ୍ମୀୟ ?

 

ଶୈବାଳିନୀ କାନ୍ଦି ପକାଇ ହଁ ଭରିଥିଲା ।

 

କୁମାର ଚୌଧୁରୀ ତା’ ଆତ୍ମୀୟଠାରୁ ଆହୁରି ଅଧିକ । ଶୈବାଳିନୀକୁ ତା’ର ପରିଚୟ ବା ଠିକଣା ଯାହା ପଚାରିଲେ ସୁଦ୍ଧା ସେ କିଛି କହିବାକୁ କୁଣ୍ଠାବୋଧ କରିଥିଲା ।

 

ମୁଁ ସେଦିନ ଛୁଟି ନେଇ କୋର୍ଟକୁ ଗଲି ।

 

ସାଙ୍ଗରେ ଶୈବାଳିନୀ ।

 

କୋର୍ଟରେ ମୋତେ ଆଉ ଶୈବାଳିନୀକୁ ଦେଖି ସମସ୍ତେ ଅବାକ୍‌ ହୋଇଗଲେ ।

 

ଜଜ୍‌ଙ୍କର ଆମେ ଦୁଇପ୍ରାଣୀ ଯେହେତୁ ଅତି ଘନିଷ୍ଟ ସେ ଆମକୁ ସମ୍ମାନସ୍ପଦ ଆସାନରେ ବସାଇ ଦେଲେ ।

 

ତାପରେ କେଶ୍‌ର ବିଚାର ଚାଲିଲା ।

 

ଥର ଥର କରି ତିନି ଥର ସେଇ ତିନୋଟି ତରୁଣୀ ଆସି ଓକିଲଙ୍କ ସାଙ୍ଗରେ ଜବାବ ସୁଆଲରେ ଯୋଗଦେଲେ ।

 

ପ୍ରତ୍ୟେକ ଓକିଲଙ୍କ ପ୍ରଶ୍ନର ଉତ୍ତର ଦେଉଥିଲାବେଳେ ମିଛର ଆଶ୍ରୟ ନେଉଥିଲେ; କିନ୍ତୁ ସରକାର ପକ୍ଷରୁ ସେଇ ଉତ୍ତର ସବୁର ତୀବ୍ର ପ୍ରତିରୋଧ କରାଯାଇଥିଲା । ସର୍ବ ଶେଷରେ କାଠଗଡ଼ା ଭିତରକୁ ପଶିଲେ କୁମାର ଚୌଧୁରୀ ।

 

କୁମାର ଚୌଧୁରୀଙ୍କ ଯୁକ୍ତି ପ୍ରତିଯୁକ୍ତିରେ କୋର୍ଟଟି କୌତୂହଳପ୍ରଦ ହୋଇ ଉଠୁଥିଲା । ତା’ସହିତ ବିଚଳିତ ହୋଇ ଉଠୁଥିଲା ଶୈବାଳିନୀ ।

 

ଶୈବାଳିନୀ ଆସାମୀ ସହିତ କଥାବାର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କରିବାରୁ ମୁଁ ତାକୁ ଓକିଲଙ୍କଠାରୁ ଅନୁମତି ନେଇ ବାହାରେ ମିଳାମିଶା କରିବାର ସୁଯୋଗ ଦେଲି ।

 

କିନ୍ତୁ ଉପସ୍ଥିତ କ୍ଷେତ୍ରରେ ମୋତେ ରହିବାକୁ ଶୈବାଳିନୀ ମନା କଲା ।

 

କୁମାର ଚୌଧୁରୀ ଓ ଶୈବାଳିନୀ କୋର୍ଟର କୌଣସି ଏକ ନିଭୃତ କକ୍ଷରେ ମିଳିତ ହେଲେ ।

 

ଯେଉଁ ଶୈବାଳିନୀ ତା ପୂର୍ବଦିନ ଛନ୍ଦାକୁ ଅପମାନ ଦେଇ କହିଥିଲା ଯେ ସ୍ତ୍ରୀ ନିକଟରେ ସ୍ୱାମୀ ହେଉଛି ବଡ଼, ପ୍ରେମିକ କିଛି ନୁହେଁ; ସେ ପୁଣି କୁମାର ଚୌଧୁରୀ ନିକଟରେ ନିଜ ମତରୁ ନିବୃତ୍ତ ହେଉଥିବା ବିଶ୍ଳେଷଣ କରି ମୁଁ କ୍ଷୁବ୍‌ଧ ହୋଇ ଉଠିଥିଲି ।

 

ତେମେ କହିପାର ଶୈବାଳିନୀର ଯଦି କିଛି ଶାରୀରିକ ପ୍ରୀତି, ସମ୍ବନ୍ଧ କୁମାର ବାବୁଙ୍କ ସହିତ ଥାଏ ସେ ଦୃଷ୍ଟିରୁ ମୋତେ ଅଲଗା କରି ଦେଇ ସେ ଅବିଚାର କରି ନାହିଁ । ଯାହାକି ବିଶ୍ୱନାଥ ସମ୍ମୁଖରେ ତୁମେ ମୋତେ ଦେଖିଲେ କରନ୍ତ । ହେଲେ ସେଇ ପ୍ରୀତି, ସମ୍ବନ୍ଧର ଆଚ୍ଛନ୍ନ ଆବରଣ ତଳ ମଣିଷତା ବୋଲି ବଡ଼ ଗନ୍ଧ କିଛି ଅଛି ତ ? ବିଶ୍ୱନାଥ, କୁମାର ଚୌଧୁରୀ ଆଉ ମୁଁ ସମସ୍ତେ ସମଧର୍ମୀ ନହେଲେ ବି ମଣିଷ । ରକ୍ତ ମାଂସର ମେଦ ଗ୍ରନ୍ଥି ଭିତରେ ବାସନା ଭିନ୍ନ ହୋଇପାରେ । କୁମାର ଚୌଧୂରୀ ଯଦି ଶୈବାଳିନୀର ପ୍ରକୃତ ପ୍ରେମିକ ହୋଇଥାନ୍ତି ତା’ହେଲେ ତାଙ୍କ ପ୍ରୀତି କେବଳ ମୋ ପରି ଭାଗ୍ୟ–ହତ ସ୍ୱାମୀ ପାଇଁ ବୟସର ଶ୍ୱାସନଳୀ ଦେଇ ଉପହାର ଦୀର୍ଘଶ୍ୱାସ ଛାଡ଼ିବା ଛଡ଼ା ଅନ୍ୟ କିଛି ନୁହେଁ ।

 

ସେଇ ସ୍ତରରେ ବିଚାର କରିବାକୁ ଗଲେ ବିଶ୍ୱନାଥର ସ୍ୱାମୀ ଗୌରବରେ କିଛି ଊଣା ହୋଇ ନାହିଁ ! ତୁମେ ତାକୁ ସ୍ୱାମୀ ଦେବତା ଭାବି ଯଦି ପ୍ରକୃତରେ ପୂଜା କରୁଥାଅ, ତାହେଲେ ସେ ନିଃସନ୍ଦେହରେ ସୁଖୀ, ତା ପାଇଁ ମୋ ଭଳି ପ୍ରତାରକ ପ୍ରେମିକର ମୂଲ୍ୟ କିଛି ନାହିଁ ।

 

ତୁମ ମୋ ସମ୍ପର୍କକୁ ବିଶ୍ୱନାଥ ପାଖରେ ପରିଷ୍କାର ନକରି ତୁମେ ବୋଧହୁଏ ଘରର ଶାନ୍ତି କାମନା ପ୍ରତି ବିଶେଷ ଧ୍ୟାନ ଦେଇଛ ।

 

ଅତୀତ ମିଛିମିଛିକା ଧୂଳି ଖେଳ । ଭୁଲି ନହେଲେ ବି ଭୁଲେଇ ଦେବାକୁ ହେବ ।

 

କିନ୍ତୁ ଶୈବାଳିନୀ ଯଦି ଭୁଲି ନପାରିଥାଏ, ତେବେ ସେ ଭୁଲ କରୁଛି । ତାର ପ୍ରକୃତ ପ୍ରେମିକ କୁମାର ବାବୁ ହୋଇଥିଲେ ସେ ତାକୁ ଯଥା ଶୀଘ୍ର ଭୁଲି ଯିବା କଥା ।

 

କିନ୍ତୁ ଏ ପୁଣି କଣ ?

 

କୁମାର ବାବୁ ଯେହେତୁ ଖୁନୀ ଅସାମୀ, ଉଚିତ ଦଣ୍ଡ ପାଇବାକୁ ଜନତା ଦରବାରରେ ହାଜର ହୋଇଛନ୍ତି । ସେତେବେଳେ ଶୈବାଳିନୀର ଏତେ ଦରଦ ଦେଖାଇବା ଠିକ୍‌ ହୋଇନାହିଁ ।

 

ଶୈବାଳିନୀ ବାହାରେ କଥାବାର୍ତ୍ତା ହୋଇ ଫେରିଲା, ଅଥଚ ମୁଁ ଜାଣିବାକୁ ପାଇଲି ନାହିଁ ଯେ କୁମାର ଚୌଧୁରୀ ତାର କିଏ ?

 

ପ୍ରେମିକ ନହୋଇ ସାଧାରଣ ମଣିଷ ହେଲେ ବି ଅନ୍ୟାୟ ନିକଟରେ ସେମାନଙ୍କର କ୍ଷମା ନାହିଁ । ଅନ୍ୟାୟରେ ଦଣ୍ଡ ଯଦି କୋହଳ କରାଯାଏ, ତାହେଲେ ସେ ବିଚାରରେ ଯେଉଁ ବ୍ୟାହତ ଘଟିଲା ସେଥିପାଇଁ ଶୈବାଳିନୀ ହେବ ପୂରା ଦୋଷୀ ।

 

ପୁଣି କେଶ୍‌ର ବିଚାର ଚାଲିଲା । ସେତେବେଳକୁ ଶୈବାଳିନୀ ଆସି ମୋ ପାଖରେ ସିଟ୍‌ ଗ୍ରହଣ କରି ସାରିଥିଲା ।

 

ବାଦୀ, ପ୍ରତିବାଦୀ ଉଭୟ ପକ୍ଷରୁ ସାକ୍ଷ୍ୟ ଗ୍ରହଣ କରାଗଲା ।

 

ସେତେବେଳକୁ ସମୟ ଅତିବାହିତ ହୋଇଗଲାଣି ବୋଲି ଆରଥର ପାଇଁ କେଶ୍‌କୁ ମୁଲତବି କରି ଦିଆଗଲା । ସମସ୍ତେ ଫେରି ଆସିଲେ ।

 

ମୁଁ ଫେରିବାକୁ ଉଦ୍‌ବିଘ୍ନ ହୋଇ ପଡ଼ୁଥିବା ସ୍ଥଳେ ଶୈବାଳିନୀ ମୋ ପଛରେ ଆସିବାକୁ କହି ରହିଗଲା । ଘରେ ପହଞ୍ଚିବା କ୍ଷଣି ଚାକର ଟୋକା ମା ହାତକୁ ଖଣ୍ଡେ ଚିଠି ବଢ଼େଇ ଦେଲା ।

 

ଚିଠିଟି ଶୈବାଳିନୀ ନାଁରେ ଥିଲା ।

 

ପ୍ରେରକହୀନ ସେ ଚିଠିର ଠିକଣା ଦେଖି ମୁଁ ପଚାରିଲି ଚିଠି କିଏ ଦେଇଗଲା ?

 

ଚାକର ଟୋକା କହିଲା, ସେ ଭଦ୍ରବ୍ୟକ୍ତିଙ୍କୁ ସେ ଜାଣେ ନାହିଁ ।

 

ଭଦ୍ରବ୍ୟକ୍ତି କିଏ ସେଥିଲାଗି ମୋ ମନରେ ସନ୍ଦେହ ହେଲା । କୁମାର ଚୌଧୁରୀ ହେଲେ ସେ ନିଜେ ଆସି ଚିଠି ଦେଇଗଲେ କେମିତି ?

 

ସେ ତ କୋର୍ଟରେ ?

 

ଆଉ କେହି ଆତ୍ମୀୟ ହେଇ ପାରିଥାନ୍ତି ! ମୁଦା ଚିଠିକୁ ଖୋଲି ସଙ୍ଗେ ସଙ୍ଗେ ପଢ଼ିବାକୁ ଇଚ୍ଛା ହେଉଥିଲା ମୋର ।

 

ମୁଁ ଉତ୍କଣ୍ଠାକୁ ମନ ଭିତରେ ଚପାଇ ଦେଲି ।

 

ଶୈବାଳିନୀ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବା ଉଚିତ ବୋଲି ଚିନ୍ତା କରି ଚୁପ୍‌ ରହିଲି ।

 

ସେଇ ଦିନଟି ଥିଲା ମକୋ ଜୀବନରେ ଏକ ପରିବର୍ତ୍ତନର ଦିନ । ଶୈବାଳିନୀ ଆଉ ମୋ ଭିତରେ ଗୋଟିଏ ସମାଧାନ ହୋଇ ଯିବାକୁ ମୁଁ ଅପ୍ରତ୍ୟାଶିତ ଭାବେ ଆଶା କରି ନଥିବା ସ୍ଥଳେ ତାହା ଆପେ ଆପେ ହୋଇଗଲା ।

 

ଶୈବାଳିନୀ ଫେରିଲା ।

 

ତା’ ହାତକୁ ଚିଠି ଖଣ୍ଡକ ବଢ଼ାଇ ଦେଇ ମୁଁ ଟିକେ ନୀରବ ରହିଲି ।

 

ସେ ଚିଠି ପଢ଼ି ସାରିଲା ପରେ ମୁଁ କହିଲି ଚିଠି କିଏ ଦେଇଛି ?

 

ଶୈବାଳିନୀ କହିଲା, ତମର ସେଥିରେ କିଛି ଜାଣିବାର ନାହିଁ ।

 

ମୁଁ ଆଉ ଚୁପ୍‌ ହୋଇ ରହି ପାରିଲି ନାହିଁ ସୁଖଦା । ମୁଁ ରାଗି ଯାଇ କହିଲି, ମୋର କ’ଣ ତମ ବ୍ୟକ୍ତିଗତ ବିଷୟରେ କିଛି ଜାଣିବାର ଅଧିକାର ନାହିଁ ?

ତା’ହେଲେ ମୁଁ ତୁମର ସ୍ୱାମୀ ବୋଲି ତୁମେ କେମିତି ଅଧିକାର ସାବ୍ୟସ୍ତ କରିଛ ?

ଛନ୍ଦା ବିପକ୍ଷରେ ମୋତେ ଅଯଥା ଅଭିଯୁକ୍ତ କରି ସେ ଯେହେତୁ ମୋର ମାନବିକ ବ୍ୟକ୍ତିତ୍ୱକୁ କ୍ଷତ ବିକ୍ଷତ କରିଛି ମୁଁ ତାକୁ ଆଘାତ ଦେବା କିଛି ଅସମୀଚୀନ ହେଲା ନାହିଁ ।

ଶୈବାଳିନୀ ଆହତ ସର୍ପିଣୀର ଫଣା ଟେକି ଗର୍ଜନ କଲା ।

ମୁଁ କୁଆଡ଼େ ତାକୁ ଅଯଥାରେ ସନ୍ଦେହ କଲି । ତା’ ନାରୀ ମନ ଭିତରେ ପୌରହିତ୍ୟ ନକରି ତାକୁ କୁମାର ଚୌଧୂରୀଙ୍କ ସହିତ ଅଯଥା ପାପ କାଳିମାରେ ଲିପ୍ତ କରାଇଲି ।

କୁମାର ଚୌଧୁରୀ କିଏ ସେ ବିଷୟରେ ସମ୍ପୂର୍ଣ୍ଣ ଜାଣିବାର ସ୍ୱାମୀ ହିସାବରେ ଅଧିକାର ମୋର ନାହିଁ କି ?

କେବେ ଯଦି କେତେବେଳେ ବିଶ୍ୱନାଥ ଜାଣେ ଯେ ମୁଁ ତୁମର ପ୍ରେମିକ ଥିଲି, ତା ହେଲେ ସେ ତୁମକୁ ପଚାରିଲେ କ୍ଷତି କଣ ଅଛି ?

ସ୍ତ୍ରୀର ସ୍ୱାମୀ ହେଉଛି ସବୁ । ସ୍ୱାମୀ ଆଗରେ ମିଛ କହି ଭୁଲ କଲେ ସେ ପରିଣତି ଯେ କଣ ହେବ ତାହା ଅନୁଭବୀ ମାତ୍ରେ ବୁଝି ପାରିବେ ।

ଯେଉଁଦିନ ସୁରଙ୍ଗୀ ରାଜ୍ୟର ନବାବ ଜାଣିପାରିଲେ ଯେ, ବେଗମ୍‌ ସାହେବା ଅନ୍ୟ ପୁରୁଷ ସହିତ ପାପ ପ୍ରଣୟରେ ଲିପ୍ତ, ସେଦିନ ସେ ମୁହେଁ ମୁହେଁ ବେଗାମ୍‌ ସାହେବାଙ୍କୁ ପ୍ରଶ୍ନ କରିଥିଲେ—

 

କିଏ ସେହି ପୁରୁଷ ?

ନବାବ କ୍ରୋଧାନ୍ୱିତ ହୋଇ ଆକ୍ଷେପ କରିବାର ଉଦ୍ଦେଶ୍ୟ ଥିଲା ଏହି ଯେ ସ୍ୱାମୀ ଯେଉଁ ପରପୁରୁଷର ସହଗାମିନୀ ହୋଇ ବେଗମ୍‌ ସାହେବା ଖୁସି ଅଛନ୍ତି ସେଇ ସୁପୁରୁଷଙ୍କର ନାଁ ଠିକଣା କଣ ? ସେ ଇଚ୍ଛା କଲେ ତା ହାତରେ ସେ ସୁରଙ୍ଗୀ ଷ୍ଟେଟ୍‌କୁ ଅର୍ପଣ କରି ସନ୍ୟାସୀ ହୋଇଯିବେ ।

ଦାମ୍ପତ୍ୟ ଜୀବନରେ ଆଉ କି ଲାଭ ଅଛି ?

ନବାବଙ୍କର କ୍ରୋଧାନ୍ୱିତ ପ୍ରଶ୍ନରେ ଥରି ଉଠିଲେ ବେଗମ୍‌ ସାହେବା ।

ହିନ୍ଦୁ ପୁରୁଷ ସୁରଜିତ୍‌ ଲାଲ୍‌ଙ୍କୁ ସେ ଭଲ ପାଆନ୍ତି ବୋଲି କହିବାକୁ ସାହସ କଲେ ନାହିଁ-

ନବାବ ବେଗମ୍‌ ସାହେବାଙ୍କର ମିଥ୍ୟା ଉକ୍ତିରେ ଆହୁରି ରାଗିଯାଇ ନିଜ ଦରବାରକୁ ଡକେଇ ଆଣିଲେ ସୁରଜିତ୍‌ ଲାଲ୍‌ଙ୍କୁ ।

ସୁରଜିତ୍‌ ଲାଲ ଓ ବେଗମ ସାହେବା ଦୁହିଙ୍କର ବିଚାର ହେଲା ।

ସୁରଜିତ୍‌ ମିଛ କହିପାରିଲେ ନାହିଁ ।

ସେ ପ୍ରକୃତ ପ୍ରେମିକର ରୂପ ଦେଖାଇବାକୁ ଯାଇ ଦରବାରସ୍ଥ ସମନ୍ନେତ ଜନତା ସମ୍ମୁଖରେ ଆଲିଙ୍ଗନ କଲେ ବେଗମ୍‌ ସାହେବାଙ୍କୁ ।

ବେଗମ୍‌ ସାହେବା ଲଜ୍ୟାରେ ଅପମାନିତା ହୋଇ ମୁଣ୍ଡ ତଳକୁ କରିଦେଲେ ।

ସମଗ୍ର ଜନତା ମଧ୍ୟ ଏତାଦୃଶ ଦୃଶ୍ୟରେ ଆଖିବୁଜି ଛତ୍ରଭଙ୍ଗ ଦେଲେ ।

ତା’ପରେ ଦୁହିଁଙ୍କୁ ନବାବ୍‌ ଶାସ୍ତି ଦେବା କଥା; କିନ୍ତୁ କି ଶାସ୍ତି ଦେବେ ? ଦୁହେଁ ଦୁହିଁଙ୍କୁ ଭଲ ପାଇଛନ୍ତି ଯେତେବଳେ ନବାବ୍‌ ବେଗମ୍‌ ସାହେବାଙ୍କୁ ପରିତ୍ୟାଗ କରି ସୁରଜିତ୍‌ ଲାଲଙ୍କ ହସ୍ତରେ ଅର୍ପଣ କରିଦେଲେ । କିନ୍ତୁ ସୁରଜିତ୍‌ଙ୍କ ଆହ୍ୱାନ କ୍ରମେ ବେଗମ୍‌ ସାହେବା ତାଙ୍କ ସାଙ୍ଗରେ ପଦେ ମାତ୍ର ଅଗ୍ରସର ହୋଇ ପାରିଲେ ନାହିଁ । ସେଇଠି ସେ ହାତରେ ରଖିଥିବା ବିଷ ପାନକରି ଟଳି ପଡ଼ିଲେ ।

ନବାବ୍‌ଙ୍କଠାରୁ ଅନୁମତି ନେଇ ସୁରଜିତ୍‌ ଲାଲ୍‌ ବେଗମ୍‌ ସାହେବାଙ୍କ ଶବକୁ ନିଜ ଅଧୀନସ୍ଥ ସ୍ଥାନରେ ସମାଧି ଦେଲେ ।

ନବାବଙ୍କ ମନରେ ସେଇ ଦିନଠାରୁ ସନ୍ଦେହର ଅବସାନ ହେଲା । ବେଗମ୍‌ ସାହେବା ନିଜ ପାପ ପ୍ରଣୟକୁ ଅବଲମ୍ବନ କରି ଶେଷରେ ଦାମ୍ପତ୍ୟ ସୁଖରୁ ଚିରଦିନ ପାଇ ବଞ୍ଚିତ ହେଲେ । ସେଥିଲାଗି ମୁଁ ଜିଦ୍ ଧରି ବସିଲି ଯେ ଶୈବାଳିନୀ ସାଙ୍ଗେ ସାଙ୍ଗେ କହୁ ଯେ କୁମାର ଚୌଧୁରୀ କିଏ-? ଆଉ ଚିଠିଟି ଯିଏ ଦେଇଛି ସେ କୁମାର ଚୌଧୁରୀ ନା ଅନ୍ୟ କୌଣସି ବ୍ୟକ୍ତି ।

ଶୈବାଳିନୀ କହିବ ନାହିଁ ବୋଲି ଫାଙ୍କି ଦେଇ ଚାଲି ଯାଉଥିଲା । ମୁଁ ତା ହାତକୁ ଜୋର୍‌ରେ ଟାଣି ଧରିଲି । ନା, ଏଇ ମୁହୂର୍ତ୍ତରେ ସବୁ ସମସ୍ୟାର ସମାଧାନ ନ ହେଲେ ମୁଁ ଛାଡ଼ିବି ନାହିଁ ।

 

ଶୈବାଳିନୀ କାନ୍ଦି ପକାଇଲା ।

 

କୁମାର ଚୌଧୁରୀ ତା’ ଜୀବନର ସର୍ବସ୍ୱ ।

 

ତାଙ୍କ ସହିତ ତାର ପାପ ପ୍ରଣୟ ଏ ପର୍ଯ୍ୟନ୍ତ ବି ଅଛି । ତାଙ୍କୁ ସେ ବିବାହ କରିବାକୁ ଏକାନ୍ତ ଜିଦ୍‌ ଧରିଥିବା ସ୍ଥଳେ ତା’ ବାପା ତାକୁ ମୋ ହାତରେ ଛନ୍ଦି ଦେଲେ । ପ୍ରେମିକ ଚୌଧୁରୀ ଏବେ ବି ଅବିବାହିତ । ପ୍ରେମର ପରାକାଷ୍ଠା ଦେଖାଇବା ପାଇଁ ସେ କୁଆଡ଼େ ଚିରଦିନ ଅବିବାହିତ ରହିବେ ବୋଲି ପ୍ରତିଜ୍ଞା କରିଥିଲେ । ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ ଦୁହେଁ ଦୁହିଙ୍କ ଶରୀର ଉପରେ ଅଧିକାର ସାବ୍ୟସ୍ତ କରି ଚାଲିଥିବେ ବୋଲି କୁଆଡ଼େ ସେ ପ୍ରତିଜ୍ଞା ମଧ୍ୟରେ ଉଦ୍ଦିଷ୍ଟ ଥିଲା ।

 

ତେବେ ମୋ ଜୀବନକୁ ଶୈବାଳିନୀ । ଏମିତି ନଷ୍ଟ କରିଦେଲା କାହିଁକି ?

 

ଶୈବାଳିନୀ ଦେବୀ ନୁହେଁ ।

 

ଦାନବୀ ।

 

ତା ହୃଦୟର ବଶବର୍ତ୍ତୀ ହୋଇ ମୁଁ ମୋ ଜୀବନ ଦେବତାଙ୍କୁ କଳଙ୍କିତ କରି ସାରିଛି ।

 

ଶୈବାଳିନୀ ମୁହଁରୁ ତା’ କଳଙ୍କ କାହାଣୀ ଶୁଣି ମୁଁ ସ୍ତମ୍ଭୀଭୂତ ହୋଇଗଲି ।

 

ବିବାହ ପରଠାରୁ ଏ ପର୍ଯ୍ୟନ୍ତ ଶୈବାଳିନୀର ଦେହ ସହିତ ଖେଳ ଖେଳି ଆସି ମୁଁ ପ୍ରହେଳିକାରେ ହାରି ଯାଇଛି ସୁଖଦା ।

 

ତା ମନକୁ ଯଦି ମୁଁ ପ୍ରଥମରୁ ପ୍ରହାର କରି ଆସିଥାନ୍ତି ଆଜି ଏତେ ଅସହାୟ ଅବସ୍ଥା ଭୋଗିବାକୁ ପଡ଼ି ନଥାନ୍ତା ।

 

ଶୈବାଳିନୀ ମୋ ଆଗରୁ ସେତେବଳକୁ ଚାଲି ଯାଇଥିଲା । ମୁଁ ମୋ ଡ୍ରଇଁ ରୁମରେ ଖଣ୍ଡେ ସିଗାରେଟ୍‌ ଟାଣୁଥିବା ଅବସ୍ଥାରେ ତୁମ ପ୍ରେମଠାରୁ ଦାମ୍ପତ୍ୟ ଜୀବନର ଏତକ ସମୟ ସ୍ମୃତିରେ ଆସି ମୁଣ୍ଡ ଘୁରେଇ ପକାଉଥିଲା । ତୁମକୁ ଯଦି ମୁଁ ବିବାହ କରିଥାଆନ୍ତି, ତାହେଲେ ମୋ ଅବସ୍ଥାର ଗତି ନିଶ୍ଚୟ ଭିନ୍ନ ହୋଇଥାଆନ୍ତା । ଅନ୍ତତଃ ଦାମ୍ପତ୍ୟ ଜୀବନର ସନ୍ଦେହ ଟିକେ ତ ନଥାନ୍ତା !

 

ଶୈବାଳିନୀ ଆଜି କଣ କଲା ?

 

ଜାଣୁ ଜାଣୁ ମୋ ବେକରେ ସାପ ହୋଇ ଗୁଡ଼େଇ ରହି ମୋତେ ମାରି ଦେଇଗଲା ସିନା !

 

ମୁଁ ଉଦ୍ଧାର ପାଇବି କେମିତି ?

 

ଶୈବାଳିନୀର ତଣ୍ଟିଟା ଚିପି ଦେବାକୁ ମନ ହେଉଥିଲା । ସେ ଗୋପନରେ ଚରିତ୍ର ସଂହାର କରିଥିବାରୁ ଅନ୍ତତଃ ତା ପ୍ରାୟଶ୍ଚିତ ଭୋଗ କରୁ ।

 

ଶୈବାଳିନୀର କକ୍ଷରେ ମୁଁ ପ୍ରବେଶ କଲି ।

 

ସେ ଶୋଇଥିଲା ।

 

ସଶଦ୍ଦେ ମୁଁ ତାକୁ ହଲେଇ ଦେଲି ।

 

ଶୈବାଳିନୀ ଜାଣିଶୁଣି ଉଠିବାକୁ ନାରାଜ ଥିଲା କି କଣ ସେ ଉଠିଲା ନାହିଁ ।

 

ମୁଁ ତାକୁ ଜବରଦସ୍ତ ହାତରେ ଟେକି ଉଠାଇ ଦେଲି ।

 

କିନ୍ତୁ....

 

ଶୈବାଳିନୀ ଆଉ ଆଖି ଖୋଲିବାର ଅବସ୍ଥାରେ ନଥିଲା । ତା ପାଟିରୁ ଧାର୍‌ ଧାର ଲାଳ ବୋହି ପଡ଼ୁଥିଲା ।

 

ସେ ଚିରନିଦ୍ରା ଯାଇଥିଲା ।

 

ବିଷ ଖାଇ ଆତ୍ମହତ୍ୟା କରିଛି ସେ ।

 

ପାପର ପ୍ରାୟଶ୍ଚିତ୍ତ କରିବାକୁ ସେ ମୋଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି ।

 

ଶୈବାଳିନୀର ମୃତ୍ୟୁରେ ମୁଁ କାନ୍ଦି ପାରିଲି ନାହିଁ ।

 

ମୋର ରାଗ ହେଲା କୁମାର ଚୌଧୁରିଙ୍କ ଉପରେ ।

 

ସେ ମୋର ନଷ୍ଟଜୀବନ ପାଇଁ ଦାୟୀ ।

 

ତାକୁ ସରକାର ଫାଶୀ ଦିଅନ୍ତୁ ।

 

ସେ ଭଳି ପ୍ରେମିକ ଦୁନିଆରେ ବଞ୍ଚି ରହିବା ଅନୁଚିତ ।

 

ଶୈବାଳିନୀର ମୃତ୍ୟୁ ସମ୍ବାଦ ଚାରିଆଡ଼େ ପ୍ରଚାର ହୋଇଗଲା । ଘରେ ବୋଉ ଶୁଣି ଧାଇଁ ଆସିଲା । ଛନ୍ଦା, କୈଳାସ, ସାଙ୍ଗ ସାଥୀ ସମସ୍ତେ ଆସି ହାଜର ହୋଇଗଲେ ।

 

ମୋ ଘରେ ଏକ ବିରାଟ ଜନତାର ମେଳା ଲାଗିଲା । ସମସ୍ତେ ପ୍ରଶ୍ନବାଚୀ ହୋଇ ମୋ ମୁହଁରୁ ଗୋଟିଏ ଉତ୍ତର ଶୁଣିବାକୁ ଚାହିଁଲେ ।

 

ଶୈବାଳିନୀର ଆକସ୍ମିକ ମୃତ୍ୟୁ ଘଟିଲା କାହିଁକି ?

 

ମୁଁ ଯେତେବେଳେ କହିଲି କାରଣ ନଥାଇ ଶୈବାଳିନୀ ଆତ୍ମହତ୍ୟା କରିଛି । ବୋଲି ତାହା କେହି ବିଶ୍ୱାସ କଲେ ନାହିଁ । ସମସ୍ତଙ୍କର ବିଶ୍ୱାସ ହେଲା ମୁଁ ମାରି ଦେଇଛି ।

 

ଛନ୍ଦା ଏକାନ୍ତରେ ମୋତେ କହିଲା, ତୁମେ ସ୍ତ୍ରୀ ହତ୍ୟା କଲ ବାରୀନ୍ଦ୍ର !

 

ଶିକ୍ଷିତ ହୋଇ ଗୋଟିଏ ଜୀବନ ନଷ୍ଟ କରିଦେବା କେଡ଼େ ଅପମାନ ଓ ପରିତାପର ବିଷୟ କହିଲ ?

 

ଛନ୍ଦା ମୁହଁକୁ ମୁଣ୍ଡ ଟେକି ଅନାଇଲି ।

 

ତା ଆଖିରୁ ଲୁହ ଧାର ଗଡ଼ି ପଡ଼ୁଥିଲା ।

 

ମୁଁ କହିଲି ଛନ୍ଦା, ଶୈବାଳିନୀ ପରି ପାପିନୀ ମରିଯିବାରେ କେହି କ’ଣ କାନ୍ଦନ୍ତି ?

 

ମୁଁ କାନ୍ଦିଲି ନାହିଁ ।

 

ଆଉ ତୁମକୁ ମିଥ୍ୟା ଅଭିଯୁକ୍ତ କରିବାରେ ସେ ଯେଉଁ ବାକ୍‌ଚାତୁରୀ ପ୍ରୟୋଗ କରୁଥିଲା ତାହା ଚିରଦିନ ପାଇଁ ଲୋପ ପାଇଗଲା ।

 

ସେଥିଲାଗି ତୁମେ ଖୁସି ହେବା କଥା ।

 

ତୁମେ କାନ୍ଦୁଛ ଛନ୍ଦା !

 

ଛନ୍ଦା କଇଁ କଇଁ କାନ୍ଦି କ୍ଷୀଣ ସ୍ୱରରେ କହିଥିଲା ଶାଶୁ ବୁଢ଼ୀ ମରିଗଲା । ଔଷଧ ଅଭାବରୁ ତା’ ଶାଶୁ ମରିଯିବାରୁ ସେ କାନ୍ଦୁଛି ।

 

ଶୂନ୍ୟରେ ଥାଇ ଶୈବାଳିନୀର ପ୍ରେତାତ୍ମା ପ୍ରଳାପ କରୁଥିବ ଆଉ କହୁଥିବ, ଛନ୍ଦା, ତୁମେ ଏଇ ଘରେ କାନ୍ଦ, ଅପମାନର ପ୍ରତିଶୋଧ ନେବାକୁ ଏଇ ଘରେ କାନ୍ଦି ମୋତେ ଉପହାସ କର ।

 

ମୁଁ ହସିଲି ।

 

ଶୈବାଳିନୀର ଶୂନ୍ୟ କକ୍ଷରେ ଛନ୍ଦା ଆଖିରୁ ଲୁହ ପୋଛି ଦେଇ ମୁଁ କହିଲି, ତୁମେ ଏ ଦୁନିଆରେ ଠିକ୍‌ ଛନ୍ଦା ! କୈଳାସ ଭଳି ପିଲାକୁ ବିବାହ କରି ତୁମେ ତାକୁ ଯେତେଦୂର ବୁଝିପାରିଛ, ନିଜର କରି ପାରିଛ, ତାହା ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଅନୁକରଣ କରିବା ଉଚିତ । କେବଳ ମାତ୍ର ଛନ୍ଦା ବୁଝିଲା ଯେ ଶୈବାଳିନୀ ଆତ୍ମହତ୍ୟା କରିଛି ।

 

ଆଉ କେହି ବୁଝିଲେ ନାହିଁ ।

 

ବୋଉକୁ ମୁଁ ବା କେମିତି ବୁଝାଇବି ।

 

ଶୈବାଳିନୀର କକ୍ଷରେ ପ୍ରେତାତ୍ମାର ପରିକଳ୍ପନା କରି ମୁଁ ଭୟଭୀତ ହେବାକୁ ଲାଗିଲି ।

 

ମାତ୍ର ପାଞ୍ଚଦିନ ପରେ.....

 

ଚିତ୍ରଧ୍ୱଜ ମର୍ଡର କେଶ୍‌ର ଶେଷ ଶୁଣାଣୀ ।

 

ବୋଉ ସହିତ ସାଙ୍ଗ ସାଥୀମାନଙ୍କୁ ସାଙ୍ଗରେ ଧରି ମୁଁ କୋର୍ଟକୁ ଗଲି ।

 

ଦର୍ଶକମଣ୍ଡଳୀଙ୍କ ମଧ୍ୟରେ ସମସ୍ତେ ଆଗ୍ରହର ସହିତ ବିଚାର ଶୁଣୁଥିବାବେଳେ ମୁଁ ଭାବୁଥିଲି ଶୈବାଳିନୀର ଅନୁପସ୍ଥିତି କଥା ।

 

ଯଦି ଶୈବାଳିନୀ ବଞ୍ଚିଥାଆନ୍ତା ତାହେଲେ କୁମାର ଚୌଧୁରୀଙ୍କୁ ସେ ନିଶ୍ଚୟ ବଞ୍ଚାଇ ପାରିଥାଆନ୍ତା; କିନ୍ତୁ କୁମାର ଚୌଧୁରୀଙ୍କ ଦୋଷର ଦଣ୍ଡ ସୁନିଶ୍ଚିତ ।

 

ଇଚ୍ଛା ହେଉଥିଲା ଶୈବାଳିନୀ ସମ୍ବନ୍ଧରେ ଚୌଧୁରୀଙ୍କୁ ଯାଇ କିଛି ପ୍ରଶ୍ନ ପଚାରିବି ବୋଲି ।

 

କିନ୍ତୁ.....

 

କୁମାର ନିଜ ତରଫରୁ ମୋତେ ସନ୍ଦେହ ଦାଉରୁ ମୁକ୍ତ କରିଦେଲେ ।

 

ବିଚାର ଶେଷରେ ତାଙ୍କୁ ଯେତେବେଳେ ଫାଶୀ ଦଣ୍ଡ ଦିଆଗଲା, ସେ ଚାହିଁଲେ ଶୈବାଳିନୀକୁ ଶେଷଥର ପାଇଁ ଦେଖିବାକୁ ।

 

ତାଙ୍କୁ ଶୈବାଳିନୀର ମୃତ୍ୟୁ ସମ୍ବାଦ ଜଣା ନଥିଲା; କିନ୍ତୁ ସେହିଠାରେ ସେ ସମ୍ବାଦ ପାଇ ମର୍ମାହତ ହୋଇ ପଡ଼ିଲେ ଓ ପ୍ରଳାପ କରି କହିଲେ, ପ୍ରେମିକା ଶୈବାଳିନୀ ଅପେକ୍ଷା କର, ମୁଁ ତୁମ ନିକଟ ଯିବାକୁ ଆଉ ମାତ୍ର ଅଳ୍ପ ସମୟ ବାକି । ସେଇ ଶୂନ୍ୟରେ ଆମ ପ୍ରେତାତ୍ମାର ମିଳନ ହେବ ।

 

ତା ପରେ ଚୌଧୁରୀଙ୍କୁ ହାତକଡ଼ି ପିନ୍ଧାଇ ଫାଶୀ ଖୁଣ୍ଟ ଆଡ଼କୁ ନିଆଗଲା ।

 

ବୋଉ ମୁଁ ମୁହଁ ତଳକୁ ପୋତି ବସି ରହିଥିଲୁ । ମୋ ଆଡ଼କୁ ଜଜ୍‌ଙ୍କ ସମେତ ଚିହ୍ନା ଜଣା ଯେତେ ଭଦ୍ରବ୍ୟକ୍ତି ସମସ୍ତେ ଦୃଷ୍ଟି ନିକ୍ଷେପ କରିଥିଲେ ।

 

କିଛି ସମୟ ପରେ କୋର୍ଟଟି ଜନଶୂନ୍ୟ ହୋଇଗଲା । କାରରେ ଡ୍ରାଇଭିଂ କରି ଆସୁଥିବା ସମୟରେ ବୋଉ କହିଲା, ତୋ ଜୀବନ ଏମିତି ଛାରଖାର ହୋଇଗଲା ରେ ବାରୀ ! ମୁଁ ଜନମ ଦେଇ ବଞ୍ଚିଥିବା ଅବସ୍ଥାରେ ଯାହା ଏ ସବୁ ଘଟଣା ଦେଖିଲି ।

 

ମୋ ପାଟିରୁ କିଛି ଉତ୍ତର ବାହାରିଲା ନାହିଁ ।

 

ମୁଁ ଘରକୁ ଫେରି ଶୈବାଳିନୀର ଫଟୋକୁ କାଢ଼ି ବାହାରେ ଫିଙ୍ଗି ଦେଲି ।

 

ମନଟା କାହିଁ କେଜାଣି ଏକ ଅନାଗତ ଆଶ୍ୱସ୍ତିରେ ନିଶ୍ୱାସ ମାରିବାକୁ ଚାହିଁଲା ।

 

ଆଇ. ଏ. ଏସ୍‌. ଅଫିସର ହୋଇ ମୁଁ କେଡ଼େ ଦୁର୍ବଳ ହୋଇ ପଡ଼ିଛି ସଂସାରିକ ବନ୍ଧନରେ ଭାବି ଦୁଃଖ ଲାଗିଲା । ଆଉ ଈଶ୍ୱରଙ୍କ ନିକଟରେ ମୁଣ୍ଡ ନଇଁ ଯାଇ ଚିନ୍ତାରେ ଆଶ୍ୱାସନା ପାଉଥିଲି—ଜୀବନଟା ନିଃସଙ୍ଗ ହେବା ମଧ୍ୟ ଏକ ପ୍ରକାର ଶାନ୍ତିମୟ ଆଶୀର୍ବାଦ ।

 

ଏମିତି ମୋ ଜୀବନର ଅସମ୍ପୂର୍ଣ୍ଣ ନାଟକ ଶୁଣି ତୁମେ କେତେ ଖୁସି ହେବ ସୁଖଦା ମୁଁ ଅନୁମାନ କରି ପାରୁ ନାହିଁ । ବରଂ ମୋର ଏ ଭଗ୍ନ ଓ ଉତ୍ତପ୍ତ ହୃଦୟକୁ ଶୀତଳ କରିବାକୁ ତୁମେ ମୁକ୍ତ କଣ୍ଠରେ ତୁମ ଦାମ୍ପତ୍ୟ ଜୀବନର ଇତିବୃତ୍ତି କୁହନ୍ତ, ତା ହେଲେ ମୁଁ ବହୁତ ଖୁସି ହୁଅନ୍ତି । ଆଉ ତୁମ ମୋ ଜୀବନ ସଂଗ୍ରାମର ସାମଞ୍ଜସ୍ୟ ବା ତଫାତ୍‌ ଭିତରୁ ଯାହା ଅବିଶିଷ୍ଟାଂଶ ରୁହନ୍ତା, ତାକୁ ମୁଁ ଏ ଦେଶର ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଅନ୍ତି ।

 

ସେମାନେ ଦେଖନ୍ତେ ଆଉ ଶିଖନ୍ତେ ସଂସାର କରିବା ପ୍ରେମ, ପ୍ରଣୟ ଆଜି କେମିତି ସେମାନଙ୍କୁ ବିଭ୍ରାନ୍ତ କରୁଛି ।

 

ସେମାନଙ୍କ ମନକୁ ତିଳ ତିଳ କରି ଦଗ୍‌ଧ କରି କହୁଛି, ବଞ୍ଚିବା ଏ ଯୁଗରେ ଏକ ପ୍ରହସନ । ଜୀବନ ପାଇଁ ସବୁ ଖେଳା, ଲୀଳା ।

 

ଏ ରହସ୍ୟର କଣ ଅନ୍ତ ନାହିଁ ???

Image